ଉଚ୍ଛେଦ ହେବ ୟୁଜିସି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏବେ ବିଶ୍ୱବିଦ୍ୟାଳୟ ମଂଜୁରି ଆୟୋଗ (ୟୁଜିସି)କୁ ଉଚ୍ଛେଦ କରିବାକୁ ଯୋଜନା କରୁଛନ୍ତି। ଏହା ବଦଳରେ ଉଚ୍ଚ ଶିକ୍ଷା ଆୟୋଗ (ଏଚ୍‌ଇସି) ଗଠନ କରିବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଚିଠା ଆଇନ ଜାରି କରିଛି। ଏଥିରେ ୧୯୫୬ ମସିହାର ୟୁଜିସି ବ୍ୟବସ୍ଥାକୁ ଉଚ୍ଛେଦ କରି ଉଚ୍ଚ ଶିକ୍ଷା କମିସନ ଗଠନ ଦ୍ୱାରା ଶିକ୍ଷା ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ କରିବାକୁ ଗୁରୁତ୍ୱାରୋପ କରାଯାଇଛି। ତେବେ ଚିଠା ଆଇନ ବାବଦରେ ଜୁଲାଇ ୭ ତାରିଖ ମଧ୍ୟରେ ଲୋଡ଼ା ଯାଇଥିବା ଜନମତ ଆଧାରରେ ଏବଂ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ସରକାର ପରବର୍ତ୍ତୀ ପଦକ୍ଷେପ ଘୋଷଣା କରିବେ ବୋଲି କୁହାଯାଇଛି ।

ଦେଶରେ ଶିକ୍ଷାର ମାନ ବୃଦ୍ଧି କରିବା, ଉଚ୍ଚ ଶିକ୍ଷା କ୍ଷେତ୍ରରେ ବଡ଼ ଧରଣର ସଂସ୍କାର ଲାଗୁ କରିବା ଏବଂ ଶିକ୍ଷା କ୍ଷେତ୍ରରେ ବିଦେଶୀ ପୁଂଜି ନିବେଶକୁ ପ୍ରୋତ୍ସାହନ ଦେବାପାଇଁ ଯୋଜନା କରି ସରକାର ଉଚ୍ଚ ଶିକ୍ଷା କମିସନ୍‌ ଗଠନ ଲକ୍ଷ୍ୟ ରଖିଥିବା ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ଓ୍ଵବ୍‌ସାଇଟ୍‌ରେ ଦର୍ଶାଯାଇଛି।

ତେବେ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି। ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିଦେଶୀ ପୁଂଜି ନିବେଶକୁ ପ୍ରୋତ୍ସାହନ ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିବ ବୋଲି ମଧ୍ୟ କେତେକ ମହଲ ଆଶଙ୍କା କରୁଛନ୍ତି।

ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଶିକ୍ଷାନୁଷ୍ଠାନଗୁଡ଼ିକର ଶିକ୍ଷାଦାନ ଦକ୍ଷତାର ଉପଯୁକ୍ତ ମୂଲ୍ୟାୟନ କରି ସେହି ଅନୁସାରେ ସଂସ୍କାର ପ୍ରକ୍ରିୟାକୁ ଆଗକୁ ବଢ଼ାଇବାକୁ ସରକାର ବଦ୍ଧପରିକର ଅଛନ୍ତି। ଶିକ୍ଷା ସମ୍ବନ୍ଧୀୟ ଯୋଜନାଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ନୂତନ ବ୍ୟବସ୍ଥାରେ ଅଧିକ ଗୁରୁତ୍ୱ ଦିଆଯାଇଛି । ପ୍ରସ୍ତାବିତ ଉଚ୍ଚ ଶିକ୍ଷା କମିସନରେ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ ବ୍ୟତୀତ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ ୧୨ ଜଣ ସଦସ୍ୟ ରହିବେ। ଜୁଲାଇ ୭ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଏସଂପର୍କରେ ମିଳିଥିବା ଲୋକମତ ଆଧାରରେ ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦେଶରେ ବିଶ୍ୱବିଦ୍ୟାୟଳୟଗୁଡ଼ିକୁ ମାନ୍ୟତା ପ୍ରଦାନ କରିବା ସହିତ ଏଭଳି ସ୍ୱୀକୃତିପ୍ରାପ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ ପାଣ୍ଠି ଦେବାଲାଗି ୧୯୫୬ରେ ବିଶ୍ୱବିଦ୍ୟାଳୟ ମଞ୍ଜୁରି କମିସନ ବା ୟୁଜିସି ଗଠିତ ହୋଇଥିଲା।

Share Now:

Kalinga News Beuro

Leave a Reply

Next Post

ତ୍ରୀକୋଣୀୟ ପ୍ରେମର କରୁଣ ପରିଣତି:ପ୍ରେମିକଙ୍କୁ ହତ୍ୟା କଲେ ପ୍ରେମିକା

Thu Jun 28 , 2018
ପୁରୁଷ ବନ୍ଧୁ ସହ ଥାନାରେ ଆତ୍ମ ସମର୍ପଣ ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର ଅଞ୍ଚଳରେ ଏକ ଘରୋଇ ସଂସ୍ଥାର ଅଫିସ୍‌ ଭିତରୁ ଜଣେ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଇଞ୍ଜିିନିୟରଙ୍କ ନାମ ବୈଜୟନ୍ତ ପ୍ରସାଦ ମହାନ୍ତି। ଏକ ପ୍ରେମ ବ୍ୟାପରକୁ ନେଇ ଏହି ଯୁବକଙ୍କୁ ହତ୍ୟା କରାଯାଇଥିିବା ଜଣାଯାଇଛି।ଏହି ମାମଲାରେ ଲକ୍ଷ୍ମୀସାଗର ପୋଲିସ ଜଣେ ଯୁବକ ଓ ଯୁବତୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial