କେବେ ସୁଧୁରିବ ଐତିହାସିକ କେଦାରଗୌରୀ କୁଣ୍ଡ ସମସ୍ୟା ?

ଐତିହାସିକ କେଦାରଗୌରୀ କୁଣ୍ଡ

୮ବର୍ଷ ହେଲା ନିଷ୍କାସନ ହୋଇପାରୁନି ପାଣି

ପୁରୁଣା ଭୁବନେଶ୍ୱର: ତିନି ତିନିଥର ଟେଣ୍ଡର୍‌ ହେବା ପରେ ବି କେଦାରଗୌରୀ ମନ୍ଦିରର ଅବସ୍ଥା ସୁଧୁରୁନି। ମନ୍ଦିର ଭିତରୁ ପାଣି ନିଷ୍କାସନ ହୋଇ ନପାରି ଜମି ରହୁଥିବା ବେଳେ ଏଠାରେ ଥିବା ପ୍ରାଚୀନ ୪ ଐତିହାସିକ କୁଣ୍ଡର ପାଣି ନଷ୍ଟ ହୋଇଯାଇଛି। ଶିଉଳି ଜମି ପାଣିର ରଙ୍ଗ ନୀଳ ହୋଇଗଲାଣି। ସେଥିରୁ ଅତ୍ୟନ୍ତ ଉତ୍କଟ ଗନ୍ଧ ବାହାରୁଛି। ସେହିପରି ଯେଉଁ ଦୁଧ କୁଣ୍ଡର ପାଣି ପିଇଲେ, ବହୁ ପେଟରୋଗ ଭଲ ହୁଏ ବୋଲି ସାଧାରଣରେ ବିଶ୍ବାସ ରହିଛି, ଏବେ ସେ କୁଣ୍ଡ ପାଣିରେ କେହି ହାତ ବି ମାରୁନାହାନ୍ତି। ତେବେ ବହୁ କିମ୍ବଦନ୍ତୀର ଗାଥା ବହନ କରୁଥିବା ଏହି କୁଣ୍ଡର ପୁନରୁଦ୍ଧାର ପାଇଁ ଲୋକ ଅଦାଲତରେ ସଞ୍ଜୀବ ପୂଜାପଣ୍ଡା କରିଥିବା ମାମଲା‌‌ରେ ପୂର୍ତ୍ତ ବିଭାଗ ଉତ୍ତର ରଖିଛି। ବିଭାଗ ପକ୍ଷରୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ବେହେରା କହିଛନ୍ତି ଯେ ଏହାର ପୁନରୁଦ୍ଧାର ପାଇଁ ପ୍ରଥମଥର ସିଙ୍ଗିଲ୍‌ ଟେଣ୍ଡର୍‌ ହୋଇଥିଲା। ଟେଣ୍ଡର୍‌ ପ୍ରକ୍ରିୟା‌ରେ ଗୋଟିଏ ପକ୍ଷ ଭାଗ ନେଇଥିବାରୁ ତାହାକୁ ବାତିଲ୍‌ କରାଯାଇଥିଲା। ଦ୍ବିତୀୟବାର ହୋଇଥିବା ଟେଣ୍ଡର୍‌ରେ ଯେଉଁ ଠିକାଦାର କାର୍ଯ୍ୟାଦେଶ ପାଇଥିଲେ, କରୋନାରେ ତାଙ୍କର ମୃତ୍ୟୁ ହୋଇଗଲା। ତେଣୁ ତୃତୀୟଥର ଟେଣ୍ଡର୍‌ ଡକା ହୋଇଥିଲା। କିନ୍ତୁ ଏଥର ଯିଏ କାର୍ଯ୍ୟାଦେଶ ପାଇଛନ୍ତି, ସେ କାମ ଆରମ୍ଭ କରୁନାହାନ୍ତି। ସରକାରୀ ଧାର୍ଯ୍ୟ ଖର୍ଚ୍ଚଠାରୁ ବାସ୍ତବ ଖର୍ଚ୍ଚ ଢେର୍‌ ଅଧିକ ବୋଲି ସେ ଦର୍ଶାଇଛନ୍ତି।
ଅଦାଲତରେ ପକ୍ଷ ରଖିଲା ପୂର୍ତ୍ତ ବିଭାଗ
ମିଳିଥିବା ସୂଚନାନୁଯାୟୀ, ଟେଣ୍ଡର୍‌ ପାଇଥିବା ଠିକାଦାର ଯୁକ୍ତି ବାଢ଼ିଥିଲେ ଯେ ଜିଏସ୍‌ଟି ବୃଦ୍ଧି ଓ ବିଭିନ୍ନ ନିର୍ମାଣ ସାମଗ୍ରୀର ବୃଦ୍ଧି ଘଟିଥିବାରୁ ସରକାରୀ ଧାର୍ଯ୍ୟ ଖର୍ଚ୍ଚ ତାଙ୍କୁ ପୋଷେଇବ ନାହିଁ। ତେଣୁ ଏହି କାମ ପାଇଁ ସେ ଅଧିକ ୩୪ଲକ୍ଷ ଟଙ୍କା ଦାବି କରିଥିଲେ। କିନ୍ତୁ ବିଭାଗ ପକ୍ଷରୁ ଏହାକୁ ମଞ୍ଜୁର କରାଯାଇନଥିବାରୁ କାମ ଆରମ୍ଭ ହୋଇନଥିବା ଜଣାଯାଇଛି। ଏପଟେ କାମ ଆରମ୍ଭ କରୁନଥିବାରୁ ସମ୍ପୃକ୍ତ ଠିକାଦାରଙ୍କଠାରୁ ଜରିମାନା ଆଦାୟ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଏହି କାମ ପାଇଁ ବିଏମ୍‌ସି ୨୦୨୦ ନଭେମ୍ବର ୫ ତାରିଖରେ ପୂର୍ତ୍ତ ବିଭାଗକୁ ୬୬ ଲକ୍ଷ ୭୯ହଜାର ଟଙ୍କା ପ୍ରଦାନ କରିଥିଲା। ପୁଷ୍କରିଣୀର ପବିତ୍ରତା ଫେରାଇ ଆଣିବାକୁ ପର୍ଯ୍ୟଟନ ବିଭାଗ ବି ୧କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲା। ଏହି ଅନୁଦାନରୁ କୁଣ୍ଡର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେଲା। ମାତ୍ର ବିଭିନ୍ନ କାରଣ ଯୋଗୁଁ ଅଧାରୁ କାମ ବନ୍ଦ ପଡ଼ିଛି। ମନ୍ଦିରର ଚଟାଣ ମରାମତି ପରଠାରୁ ଆଉ ପୁନରୁଦ୍ଧାର କାର୍ଯ୍ୟ ଆଗେଇ ପାରିନାହିଁ। ଜନଶୃତି ଅନୁଯାୟୀ, ମନ୍ଦିର ପରିସରରେ ଥିବା ଏହି ୪ କୁଣ୍ଡ ମଧ୍ୟରୁ ଦୁଧକୁଣ୍ଡର ପାଣିରେ ଔଷଧୀୟ ଗୁଣ ଅଛି। ଏହି କୁଣ୍ଡର ପାଣି ପିଇଲେ ବହୁ ପେଟ ରୋଗ ଭଲ ହୋଇଥାଏ। ତେଣୁ ଲୋକେ କାହିଁ କେଉଁ ଆବାହମାନ କାଳରୁ ଏହାର ପାଣି ନେଇ ପିଅନ୍ତି। ମାତ୍ର ଏବେ ସେ ପାଣିକୁ ପାଟିରେ ଦେବା ଅସମ୍ଭବ ହୋଇପଡ଼ିଛି। ସେହିପରି ଦୁଧକୁଣ୍ଡରୁ ବଳକା ପାଣି ଗୌରୀକୁଣ୍ଡକୁ ବହିଥାଏ। ଗୌରୀକୁଣ୍ଡରେ ଲୋକେ ସ୍ନାନ କରିଥା’ନ୍ତି। ଗୌରୀ କୁଣ୍ଡର ମଇଳା ପାଣି ଏକ ଅସୁରଣୀ ମୁହଁ ମଧ୍ୟ ଦେଇ ସାବୁନ କୁଣ୍ଡକୁ ବହେ। ସାବୁନ କୁଣ୍ଡ ପାଣିରେ ଲୋକେ ଲୁଗାପଟା ସଫା କରନ୍ତି। ଶେଷରେ ସାବୁନ କୁଣ୍ଡର ମଇଳା ପାଣି ଜାତୀୟ ରାଜପଥ କଡ଼ରେ ଯାଇଥିବା ଏକ ବଡ଼ ନଳାକୁ ନିର୍ଗତ ହୋଇଥାଏ। କିନ୍ତୁ ଗତ ୮ ବର୍ଷ ହେଲା, ଉକ୍ତ ୪ଟି ଯାକ କୁଣ୍ଡର ପାଣି ନିଷ୍କାସନ ହୋଇପାରୁନଥିବାରୁ ତାହା ପୂରାପୂରି ନଷ୍ଟ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କୁଣ୍ଡରୁ ପାଣି ନିଷ୍କାସନକୁ ପ୍ରାଥମିକତା ଦିଆଯିବା କଥା। କୁଣ୍ଡର ପୁନରୁଦ୍ଧାର ମୂଳ ପ୍ରସଙ୍ଗ ହୋଇଥିବା ବେଳେ ପର୍ଯ୍ୟଟନ ବିଭାଗ ଅନୁଦାନ କେବଳ ପଥର ବିଛାଇବାରେ ସୀମିତ ରହିଛି। ଡ୍ରେନ୍‍ ପ୍ଲାନ୍‍ ଅନୁଯାୟୀ କାମ ହୋଇନାହିଁ। ଫଳରେ ଏହାର ପାଣି ନିଷ୍କାସନ ହୋଇପାରୁନାହିଁ। ଡ୍ରେନ୍‍ର ଉଚ୍ଚତା ଓ ଜାତୀୟ ରାଜପଥରେ ଯାଇଥିବା ଡ୍ରେନ୍‍ର ଉଚ୍ଚତା ସମାନ ଥିବା ଯୋଗୁଁ ମଇଳା ପାଣି ବାହାରକୁ ଯାଇ ପାରୁନାହିଁ। ଏହାର ତୁରନ୍ତ ସମାଧାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି।

Share Now:

Kalinga News Beuro

Next Post

ବିଲ ଭିତରୁ ଦନ୍ତାର ମୃତଦେହ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

Mon Oct 24 , 2022
ଟାଙ୍ଗୀ: ବିଲ ଭିତରୁ ଦନ୍ତାର ମୃତଦେହ ଉଦ୍ଧାର ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ ଗଛପତ୍ର ଗାଁ ନିକଟ ବିଲରେ ଆଜି ଅପରାହ୍ନରେ ‘ଦନ୍ତା’ର ମୃତଦେହ ଠାବ ହୋଇଛି। ତେବେ ଦନ୍ତାର ମୃତ୍ୟୁର କାରଣ ଅସ୍ପଷ୍ଟ ଅସ୍ପଷ୍ଟ ଥିଲା ବେଳେ ଘଟଣାସ୍ଥଳରେ ବନବିଭାଗ ଟିମ୍ ପହଞ୍ଚି ତଦନ୍ତ କରୁଛି। ସୂଚନା ଅନୁସାରେ ‌ପଟିଆ ପଞ୍ଚାୟତ ଅଧିନ ଗଛପତ୍ର ରାଜସ୍ବ ଗ୍ରାମ କୋଦଳାପଲ୍ଲୀର ଏକ ଧାନବିଲ ଭିତରେ ଦନ୍ତାର ମୃତଦେହ ଆଜି […]
ବିଲ ଭିତରୁ ଦନ୍ତାର ମୃତଦେହ ଉଦ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial