ରାଜ୍ୟରେ ବଢ଼ୁଛି ବାଲ୍ୟବିବାହ : ୩ ବର୍ଷରେ ୧୧୨ ଘଟଣା, ଥାନାରେ ମାତ୍ର ୪ ମାମଲା

କଟକ: ବାଲ୍ୟ ବିବାହକୁ ପ୍ରୋତ୍ସାହିତ କରୁଛନ୍ତି ବାପା-ମା’। ଏଭଳି ଉଦବେଗଜନକ ଚିତ୍ର ଆସିଛି କଟକରୁ। ଗଲା ତିନି ବର୍ଷ ଭିତରେ ୧୧୨ ଶିଶୁ କନ୍ୟାଙ୍କୁ ଅପ୍ରାପ୍ତ ବୟସରେ ପରିବାର ଲୋକେ ବିବାହ କରାଇଛନ୍ତି। ଏହାଠାରୁ ଆହୁରି ଉଦବେଗଜନକ ପରିସ୍ଥିତି ହେଉଛି ଯେ ଏଭଳି ନିୟମ ବିରୋଧ କାମ ପାଇଁ ପରିବାର ଲୋକଙ୍କ ବିରୋଧରେ ମାତ୍ର ୪ଟି ଅଭିଯୋଗ ଥାନାରେ ରୁଜୁ ହୋଇଛି। ଅବଶିଷ୍ଟ ବାଲ୍ୟ ବିବାହ ମାମଲାରେ ରଫାଦଫା କରିବାକୁ ଉଦ୍ୟମ କରାଯାଇଛି। ବାଲ୍ୟ ବିବାହ ପରେ ଅପ୍ରାପ୍ତ ବୟସ୍କା ଶିଶୁ ମା’ ହେବା ଦ୍ବାରା ତା’ର ଜୀବନ ପ୍ରତି ବିପଦ ରହୁଥିବାରୁ ଏଭଳି ସମ୍ବେଦନଶୀଳ ପ୍ରସଂଗରେ ସଚେତନତା ଅଭାବ ସମସ୍ୟା ସୃଷ୍ଟି କରିଛି। ବାଲ୍ୟ ବିବାହ ନିରୋଧ ଆଇନର ଧାରା ୧୧(୧)ରେ ବାଲ୍ୟ ବିବାହ କରାଉଥିବା ପୁଅର ବାପା, ନାବାଳିକା ଝିଅର ବାପା, ମନ୍ଦିର ପୂଜକ କିମ୍ବା ମଣ୍ଡପ ମାଲିକ, ମଧ୍ୟସ୍ଥି କିମ୍ବା ମୁରବୀ ଏବଂ ବିବାହରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବାର ନିୟମ ରହିଛି। ଏଭଳି ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଓ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରିବ। ଏଥିପାଇଁ ବ୍ଲକ ସ୍ତରରେ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କୁ ବାଲ୍ୟ ବିବାହ ବନ୍ଦ କରିବାର କ୍ଷମତା ଦିଆଯାଇଛି। ସେ ହିଁ ଥାନାରେ ଉଭୟ ବର ଓ କନ୍ୟା ପକ୍ଷଙ୍କ ବିରୋଧରେ ଏତଲା ଦେବାକୁ ସ୍ବୀକୃତିପ୍ରାପ୍ତ ଅଧିକାରୀ ଅଟନ୍ତି। କିନ୍ତୁ କଟକର ୧୪ଟି ବ୍ଲକ ଓ ସହରରେ ଥିବା ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କ ଭୂମିକା ଏବେ ସନ୍ଦେହକୁ ଆସିଛି।
ସିଡବ୍ଲୁସି ପକ୍ଷରୁ ନିକଟରେ ଜାରି ତଥ୍ୟ ମୁତାବକ, ଜିଲ୍ଲାରେ ୨୦୨୦ରେ ୧୫ଟି ବାଲ୍ୟ ବିବାହ ବନ୍ଦ ହୋଇଥିବା ବେଳେ ୨୦୨୧ରେ ୪୧ଟି, ୨୦୨୨ରେ ୫୬ଟି ବନ୍ଦ କରାଯାଇଛି। ଏହାକୁ ଉଭୟ ସିଡବ୍ଲୁସି ଓ ଚାଇଲ୍ଡ ଲାଇନ୍ ମିଳିତ ଭାବେ ବନ୍ଦ କରିଥିବା ବେଳେ ଏଥିରେ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କ ନିଷ୍କ୍ରିୟତା ଏବେ ସମସ୍ୟା ସୃଷ୍ଟି କରୁଛି। ଗୋଟିଏ ପଟେ କଟକ ଜିଲ୍ଲାରେ ବାଲ୍ୟ ବିବାହ ହାର ଗଲା ତିନି ବର୍ଷ ଭିତରେ କ୍ରମାଗତ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଲିଙ୍ଗଗତ ଅସମାନତା ହାର ମଧ୍ୟ ଉଦବେଗ ଜନକ ସ୍ଥିତିରେ ପହଞ୍ଚିଛି। ଚଳିତ ବର୍ଷ ଜିଲ୍ଲାରେ ପ୍ରତି ୧ ହଜାର ପୁରୁଷ ଅନୁପାତରେ ୯୪୦ ଜଣ ମହିଳା ଅଛନ୍ତି। ଏଥିପାଇଁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ ଯଦିଓ ‘ବେଟି ବଚାଓ ଓ ବେଟି ପଢ଼ାଓ’ କାର୍ଯ୍ୟକ୍ରମ ଜିଲ୍ଲାରେ ହାତକୁ ନେଇ ଲୋକଙ୍କୁ ସଚେତନ କରାଯାଉଛି, କିନ୍ତୁ ବିଭାଗୀୟ ଅଧିକାରୀ ବାଲ୍ୟ ବିବାହ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ ନକରିବା ଚିନ୍ତାଜନକ ପ୍ରସଙ୍ଗ ହୋଇଛି। ସିଡବ୍ଲୁସି ପୂର୍ବତନ ସଦସ୍ୟ ଅମୀୟ ବିଶ୍ୱାଳ କହିଛନ୍ତି ଯେ ଯେଉଁ ହାରରେ ବାଲ୍ୟ ବିବାହ ମାମଲାରେ କନ୍ୟାକୁ ଉଦ୍ଧାର କରାଯାଉଛି ଏବଂ ବିବାହ ବନ୍ଦ କରାଯାଉଛି, ସେହି ହାରରେ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଉ ନାହିଁ। କରୋନା ସମୟରେ ଚାଇଲ୍ଡ ଲାଇନ୍ ପକ୍ଷରୁ ଗୁରୁଡ଼ିଝାଟିଆ, ଜଗତପୁର, ଚୌଦ୍ୱାର, ନରସିଂହପୁର ଅଞ୍ଚଳର ଚାରିଟି ଏତଲା ଥାନାରେ ନିଜ ଆଡ଼ୁ ଦେଇଛି। ବାଲ୍ୟ ବିବାହ ସମ୍ପର୍କିତ ଖବର ଆସିଲେ ବି ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ବନ୍ଦ କରିବା ଏବଂ ପୁଲିସର ସହାୟତା ନେବା କ୍ଷେତ୍ରରେ ନିଷ୍କ୍ରିୟତାକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ଶ୍ରୀ ବିଶ୍ୱାଳ କହିଛନ୍ତି।

Share Now:

Kalinga News Beuro

Next Post

ଶୋଇବା ଘରୁ ୭ ଫୁଟିଆ ଛୁଆ ଅଜଗର ଉଦ୍ଧାର

Mon Jan 30 , 2023
ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତର ମାଦି ଗ୍ରାମରେ ଜଣେ ଲୋକଙ୍କ ଶୋଇବା ଘରୁ ୭ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ବୈପାରିଗୁଡ଼ା ବ୍ଲକର ମାଦି ଗ୍ରାମର ସମାରି ସୀସା ନାମକ ଜଣେ ବୃଦ୍ଧା ଏକୁଟିଆ ନିଜ ଶୋଇବା ଘରେ ଶୋଇଥିବା ବେଳେ ରାତି ପ୍ରାୟ ସାଢେ଼ ବାରଟା ବେଳକୁ ତାଙ୍କ ମୁଣ୍ଡ ପାଖରେ ଶବ୍ଦ ଶୁଣିବାକୁ ପାଇଲେ। କାଳେ ବିଲେଇ […]
ଶୋଇବା ଘରୁ ୭ ଫୁଟିଆ ଛୁଆ ଅଜଗର ଉଦ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial