ବୀର ଜୟରାମଙ୍କୁ ହରାଇ ଝୁରୁଛି ଶୋରିଷମାଳି ଗାଁ : ‘ପୁଲିସରେ ଭର୍ତ୍ତି ହୋଇ ପ୍ରତିଶୋଧ ନେବି’

ପୁଲିସ ପକ୍ଷରୁ ୧୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ

ମାଲକାନଗିରି : ଯେଉଁ ପୁଅକୁ ନେଇ ଗାଁ ଗର୍ବ କରୁଥିଲା ସେହି ବୀର ପୁଅକୁ ହରାଇ ଆଜି ସମସ୍ତେ ଝୁରୁଛନ୍ତି। ପୁଲିସ ଓ ନକ୍ସଲ ଗୁଳି ବିନିମୟରେ ଜୟରାମ ସହିଦ ହେବା ପରେ ତାଙ୍କ ନିଜ ଗ୍ରାମ ଶୋରିଷମାଳି ଆଜି ସ୍ତବ୍ଧ ହୋଇଯାଇଛି। ତେବେ ବୀର ଜୟରାମଙ୍କ ବିଧବା ପତ୍ନୀ ଚମ୍ପା ସ୍ୱାମୀଙ୍କ ମୃତ୍ୟୁରେ ମ୍ରିୟମାଣ ‌ହୋଇ ପଡ଼ିଥିଲେ ବି ନିଜ ନିର୍ଭୀକତା ଓ ପ୍ରତିବଦ୍ଧତାର ପରିଚୟ ଦେଇଛନ୍ତି। ପୁଲିସରେ ଭର୍ତ୍ତି ହୋଇ ସେ ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ସହ ସ୍ୱାମୀଙ୍କ ମୃତ୍ୟୁର ପ୍ରତିଶୋଧ ନେବେ ବୋଲି ‌ପ୍ରକାଶ କରିଛନ୍ତି।
ଦୁଇ ଦିନ ପୂର୍ବେ ଖଇରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡ଼ା ପଂଚାୟତର ପାକନାଗୁଡ଼ା ଠାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଜୟରାମଙ୍କ ଗୁଳିରେ ମାଓ ନେତା ରାକେଶ ଟଳି ପଡ଼ିଥିଲା ସତ, କିନ୍ତୁ ନକ୍ସଲଙ୍କ ପାଲଟା ଗୁଳିରେ ଜୟରାମ ବି ସହିଦ ହୋଇଯାଇଥିଲେ। ଜୟରାମଙ୍କ ଘର ମାଲକାନଗିରି ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତର ଶୋରିଷମାଳ ଗ୍ରାମରେ। ପୁଲିସ ଓ ନକ୍ସଲ ଗୁଳି ବିନିମୟ ବେଳେ ଜଂଗଲରେ ଜୟରାମ ଏବଂ ତାଙ୍କ ସାଥୀ ଯବାନ ରାମଚନ୍ଦ୍ର ଗୋଟିଏ ଜାଗାରେ ଥିଲେ। ଦୁହିଁଙ୍କ ଆଡକୁ ନକ୍ସଲ ଆସୁଥିବା ସେମାନେ ଜାଣିପାରି ନଥିଲେ। ହଠାତ୍ ନକ୍ସଲଙ୍କ ସହ ସାମ୍ନାସାମ୍ନି ହେବା ଫଳରେ ଦୁଇ ପଟୁ ଗୁଳି ଚଳିଥିଲା। ଜୟରାମ ଓ ରାମଚନ୍ଦ୍ର ବି ନକ୍ସଲଙ୍କୁ ଛାଡ଼ିନଥିଲେ। ଜୟରାମଙ୍କ ଦେହରେ ଗୁଳି ବାଜୁଥିଲେ ହେଁ ସେ ପାଲଟା ଗୁଳି ଚାଳନା କରୁଥିଲେ। ଶେଷରେ ତାଙ୍କ ମୁହଁରେ ଗୁଳି ବାଜିବା ପରେ ସେ ଟଳି ପଡ଼ିଥିଲେ। ସହିଦ ହେବା ପୂର୍ବରୁ କିନ୍ତୁ ମାଓ ସଂଗଠନର ଏକ ବଡ଼ମୁଣ୍ଡକୁ ନେଇଯାଇଥିଲେ।
ଜୟରାମକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ରୋଜଗାରିଆ ପୁଅ ଭାବେ ସେ ହିଁ ପରିବାରକୁ ଏକ ପ୍ରକାର ଚଳାଉଥିଲା। ଭାଇମାନେ ଚାଷ କରୁଥିବା ବେଳେ ସେ ଏସ୍‌ପିଓ ଭାବେ ୨୦୧୦ରେ ନିଯୁକ୍ତି ପାଇବା ପରେ ୨୦୧୪ରେ ଓଏଏଫ୍‌ରେ ଦାୟିତ୍ବ ନେଇଥିଲେ। ପରେ ସେ ଡିଭିଏଫ୍‌ରେ ସାମିଲ ହୋଇ ନକ୍ସଲ ଦମନରେ ସାମିଲ ହୋଇଥିଲେ। ଜୟରାମ ନକ୍ସଲ ଅପରେସନ୍ ପାଇଁ ବହୁଥର ଯାଇଛନ୍ତି କିନ୍ତୁ ଏହା ଥିଲା ତାଙ୍କର ଶେଷଯାତ୍ରା। ସହିଦ ଜୟରାମଙ୍କ ପତ୍ନୀ ଚମ୍ପା ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ବର୍ଷର ଝିଅକୁ କିପରି ପାଠ ପଢାଇବେ ଏବଂ ନିଜକୁ କିଭଳି ସମ୍ଭାଳିବେ ଭାବି ବାହୁନି ହେଉଛନ୍ତି। ତେବେ ଆଗାମୀ ଦିନରେ ତାଙ୍କୁ ପୁଲିସରେ ଭର୍ତ୍ତି କଲେ ସ୍ୱାମୀଙ୍କ ସ୍ୱପ୍ନ ପୂରଣ କରିବା ସହ ଏହାର ପ୍ରତିଶୋଧ ନେବେ ବୋଲି କହିଛନ୍ତି। ସେ ଦେଶ ପାଇଁ ସେ ଜୀବନ ଦେଇଛନ୍ତି। ମୁଁ ବି ଦେଶ ପାଇଁ କାମରେ ଲାଗିଲେ ଧନ୍ୟ ହେବି ବୋଲି ଚମ୍ପା ପ୍ରକାଶ କରିଛନ୍ତି।
ପୁଲିସ ପକ୍ଷରୁ ସହିଦ ଜୟରାମଙ୍କ ପତ୍ନୀ ଚମ୍ପାଙ୍କୁ ୧୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହାଛଡ଼ା ସହିଦଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ କେ ସହିଦ ଜୟରାମଙ୍କ ମର ଶରୀରକୁ କାନ୍ଧ ଦେଇଥିଲେ।

Share Now:

Kalinga News Beuro

Leave a Reply

Next Post

ଦୁଇ ଥର ବିବାହ କରିଥିଲେ ରାନୁ, ବ୍ୟକ୍ତିଗତ ଜୀବନକୁ ନେଇ ଆସିଲା ଏଭଳି ସତ

Sat Aug 31 , 2019
ମୁମ୍ବାଇ : ରେଳ ଷ୍ଟେସନରୁ ବଲିଉଡ୍‌ରେ ପହଞ୍ଚିବାରେ ସଫଳ ହୋଇଛନ୍ତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ରାନୁ ମଣ୍ଡଳ । ଅନେକଙ୍କ ପାଇଁ ଏହା ସ୍ୱପ୍ନ ହୋଇଥିବା ବେଳେ ରାତାତାତି ଷ୍ଟାର ବନି ଯାଇଛନ୍ତି ରାନୁ । ଏବେ ତାଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଥିବା ବେଳେ ପରିବାର ଲୋକ ମଧ୍ୟ ତାଙ୍କ ପାଖକୁ ଫେରୁଥିବା ଦେଖାଯାଇଛି । ୧୦ବର୍ଷ ତଳେ ଛାଡ଼ି ଚାଲି ଯାଇଥିବା ଝିଅ ଏବେ ରାନୁଙ୍କ ପାଖରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial