ଲୋକ ଚାହିଲେ ସେମାନଙ୍କ କୋଭିଡ୍‌ ପରୀକ୍ଷା ହେବ, ଆଗ ଦୋକାନୀଙ୍କଠୁ ଆରମ୍ଭ

ଭୁବନେଶ୍ୱର: ଅଙ୍ଗନବାଡ଼ି କର୍ମୀ ଯେଉଁଠି ସର୍ଭେ କରି ରିପୋର୍ଟ ଦେଉଥିଲେ ବା ୧୦୪କୁ ଫୋନ୍‌ କରି ଯିଏ କରୋନା ଲକ୍ଷଣ ଥିବା କହୁଥିଲେ, ସେମାନଙ୍କର କୋଭିଡ୍‌-୧୯ ପରୀକ୍ଷା ହେଉଥିଲା। କିନ୍ତୁ ଏବେ ଲୋକମାନେ ଚାହିଲେ, ସେମାନଙ୍କର କୋଭିଡ୍‌-୧୯ ପରୀକ୍ଷା କରିପାରିବେ। ତାହା ବି ମାଗଣା‌ରେ। ଅଧିକରୁ ଅଧିକ ଲୋକଙ୍କ ଯେପରି ପରୀକ୍ଷା ହୋଇପାରିବ, ସେନେଇ ବ୍ୟବସ୍ଥା କରିବାକୁ ବିଏମ୍‌ସିର ତିନିଟି ଜୋନ୍‌ର ଜୋନାଲ ଡେପୁଟି କମିସନରଙ୍କୁ କୁହାଯାଇଛି। ୬ଜଣ ଆଇଏଏସ୍ ଅଧିକାରୀଙ୍କୁ ବିଏମ୍‌ସିର ତିନିଟି ଜୋନ୍‌ର ଦାୟିତ୍ବ ଦିଆଯିବା ପରେ ସେମାନେ କ୍ଷେତ୍ର ପରିଦର୍ଶନ କରିବା ସହ ଜୋନାଲ ଡେପୁଟି କମିସନରମାନଙ୍କ ସହ ନିୟମିତ ଆଲୋଚନା କରୁଛନ୍ତି। ଏପରିକି ସ୍ଥିତିର ସମୀକ୍ଷା କରି ପଦକ୍ଷେପ ନେଇଛନ୍ତି। ୬ ଆଇଏଏସ୍‌ମାନେ ସ୍ଥିତିର ସମୀକ୍ଷା କରିବା ପରେ ନିଷ୍ପତ୍ତି ନେଇଛନ୍ତି ଯେ ଯଥାସମ୍ଭବ ଅଧିକରୁ ଅଧିକ ଲୋକଙ୍କର କୋଭିଡ୍‌-୧୯ ପରୀକ୍ଷା ହେବ। ଏଥିପାଇଁ ତିନିଟି ଜୋନ୍‌ର ଜୋନାଲ ଡେପୁଟି କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ପରିବା ଦୋକାନ, ଔଷଧ ଦୋକାନ, ଓମଫେଡ୍‌ ଦୋକାନ, ସଉଦା ଦୋକାନକୁ ଅଧିକ ଲୋକଙ୍କ ଚଳପ୍ରଚଳ ରହୁଥିବାରୁ ସେମାନଙ୍କ ନମୁନା ସଂଗ୍ରହ କରାଯିବ। ସେହିପରି ଆବାସିକ କଲ୍ୟାଣ ସଂଘ ଦ୍ୱାରା ବିଭିନ୍ନ ଆପାର୍ଟମେଣ୍ଟ ଓ ସୋସାଇଟିରୁ ନମୁନା ସଂଗ୍ରହ ହେବ। ଏହାସହ ସାଧାରଣ ଲୋକ ସେମାନଙ୍କର ନମୁନା ପରୀକ୍ଷା କରିବାକୁ ଚାହୁଥିଲେ ବି ପରୀକ୍ଷା କରିପାରିବେ।
ବିଏମ୍‌ସିର ଦକ୍ଷିଣ-ପଶ୍ଚିମ ଜୋନାଲ ଡେପୁଟି କମିସନର୍‌ ରବି ନାରାୟଣ ଜେଠୀ କହିଛନ୍ତି ଯେ ଆମେ ବସ୍ତି ଅଞ୍ଚଳରେ ସର୍ଭେ କରି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝୁଛୁ। ଆବଶ୍ୟକସ୍ଥଳେ ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ ହେଉଛି। ଏହାବାଦ୍ ସମସ୍ତ ଆବାସିକ କଲ୍ୟାଣ ସଂଘ/ଆପାର୍ଟମେଣ୍ଟରେ ଥିବା ସଂଘକୁ ଜଣାଇ ଦିଆଯାଇଛି। ସେମାନେ ସେମାନଙ୍କ ଆପାର୍ଟମେଣ୍ଟ ବା ସୋସାଇଟିରେ ଯଦି କୌଣସି ବ୍ୟକ୍ତିଙ୍କର ଥଣ୍ଡା, ଜ୍ୱର, କାଶ ହେଉଥିବ ବା କରୋନା ଲକ୍ଷଣ ଥିବ, ତେବେ ସେମାନଙ୍କର ନମୁନା ସଂଗ୍ରହ ପାଇଁ ଆମକୁ ଜଣାଇବେ। ଏହାବାଦ୍ କାହା ଉପରେ ସନ୍ଦେହ ଥିଲେ, ଆମକୁ ଜଣାଇଲେ, ତାଙ୍କର ନମୁନା ସଂଗ୍ରହ କରାଯିବ। କେବଳ ଏତିକି ନୁହେଁ, ସାଧାରଣ ଲୋକ ଚାହିଲେ ବି ସେମାନେ କିଛି ଲୋକଙ୍କୁ ଏକାଠି କରି ଆମ ଜୋନ୍ କାର୍ଯ୍ୟାଳୟ (ଜେଡ୍‌ଡିସି)ରେ ପରୀକ୍ଷା ପାଇଁ ଆବେଦନ କରିପାରି‌‌ବେ। କେଉଁଠିକୁ ଆସି ନମୁନା ଦେବାକୁ ହେବ, ତାହା ଆମେ ଜଣାଇବୁ। ଏହାପରେ ସେମାନଙ୍କର ମାଗଣାରେ ନମୁନା ସଂଗ୍ରହ ହୋଇ କୋଭିଡ୍-୧୯ ପରୀକ୍ଷା ହେବ। ଦୁଇ ଆଇଏଏସ୍ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବା ପରେ ସ୍ଥିତି ସମୀକ୍ଷା କରିଛନ୍ତି। ଆମ ଜୋନ୍‌ରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ହେଁ ଲୋକଙ୍କୁ ଯେପରି ସମସ୍ତ ସାମଗ୍ରୀ ସୁବିଧାରେ ମିଳିବ, କେହି କ୍ଷୁଧାରେ ରହିବେନି, ସେ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହାସହ ଅଧିକରୁ ଅଧିକ ଲୋକଙ୍କର କୋଭିଡ୍‌-୧୯ ପରୀକ୍ଷା ହେବ। ସେହିପରି ବିଏମ୍‌ସିର ଉତ୍ତର ଜୋନ୍‌ ଡେପୁଟି କମିସନର୍‌ ପ୍ରମୋଦ ପୃଷ୍ଟି କହିଛନ୍ତି ଯେ ଆମେ ଏବେ ଆବାସିକ କଲ୍ୟାଣ ସଂଘ (ଆର୍‌ଡବ୍ଲ୍ୟୁଏସ୍‌) ଓ ବସ୍ତିଗୁଡ଼ିକରୁ ନମୁନା ସଂଗ୍ରହକୁ ଗୁରୁତ୍ୱ ଦେଉଛୁ। ଯେପରି ସବୁ ଅଞ୍ଚଳରେ ସର୍ଭେ ହେବ ଏବଂ ସବୁ ଘରୁ ନମୁନା ସଂଗ୍ରହ ହେବ, ତାହାକୁ ଗୁରୁତ୍ୱ ଦେଉଛୁ। ଯେଉଁଠି ସନ୍ଦେହ ହେଉଛି, ସେଠାରୁ ନମୁନା ସଂଗ୍ରହ ହେଉଛି। ଆଇଏଏସ୍‌ ଅଧିକାରୀମାନେ ନିୟମିତ କଥା ହୋଇ ସ୍ଥିତି ଉପରେ ନଜର ରଖିଛନ୍ତି। କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି।
ବିଏମ୍‌ସି ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିସର୍‌ ଅଂଶୁମାନ ରଥ କହିଛନ୍ତି ଯେ ଆମ ଜୋନ୍‌ ଦାଇତ୍ୱରେ ଥିବା ଆଇଏଏସ୍‌ ଅଧିକାରୀମାନେ ବୁଧବାର ସ୍ଥିତିର ସମୀକ୍ଷା କରିଥିଲେ। କିପରି ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ସୁବିଧାରେ ମିଳିବ, ଅଧିକ ନମୁନା ସଂଗ୍ରହ ହେବ, ଲୋକ ଭୟଭୀତ ହେବେନି, ସମସ୍ତଙ୍କୁ ଖାଦ୍ୟ ସାମଗ୍ରୀ ମିଳିବ, ସେନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି। ପ୍ରଥମେ ରାଜଧାନୀରେ ଥିବା ଔଷଧ ଦୋକାନୀ ଏବଂ ସେଠାରେ କାମ କରୁଥିବା କର୍ମଚାରୀଙ୍କର କୋଭିଡ୍‌-୧୯ ପରୀକ୍ଷା ହେବ। ଏହା ପରେ ପରିବା ଦୋକାନୀ, ସଉଦା ଦୋକାନୀଙ୍କର ନମୁନା ପରୀକ୍ଷା ହେବ। ପର୍ଯ୍ୟାୟକ୍ରମେ ସମସ୍ତ ଆବାସିକ କଲ୍ୟାଣ ସଂଘ ମାଧ୍ୟମରେ ଆପାର୍ଟମେଣ୍ଟଗୁଡ଼ିକରୁ ନମୁନା ସଂଗ୍ରହ ହେବ। ଶୁକ୍ରବାର ଆମ ଜୋନରେ ବରିଷ୍ଠ ଆଇଏଏସ୍‌ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେମାନେ ଯାହା ନୂଆ ନିର୍ଦ୍ଦେଶ ଦେବେ, ସେହି ଅନୁଯାୟୀ ପଦକ୍ଷେପ ନିଆଯିବ।

Share Now:

Kalinga News Beuro

Leave a Reply

Next Post

ସହରରେ ଗଡୁନି ଗାଡ଼ି, ଚାଲୁନି ଶିଳ୍ପାନୁଷ୍ଠାନ, ତଥାପି ପାରଦ ୪୦ ଡେଇଁଲାଣି

Fri Apr 17 , 2020
ଭୁବନେଶ୍ୱର : ଲକଡାଉନ୍‌ ପାଇଁ ଗାଡ଼ି ମଟର ଚାଲୁନି। ଶିଳ୍ପାନୁଷ୍ଠାନ ବି ବନ୍ଦ। ତା’ ପରେ ବି ଏପ୍ରିଲ ଅଧାରେ ରାଜଧାନୀରେ ଅସମ୍ଭାଳ ହେଲାଣି ଗ୍ରୀଷ୍ମପ୍ରବାହ। ସପ୍ତାହେ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ସକାଳ ୧୦ଟା ହେବା କ୍ଷଣି ନିଆଁ ବର୍ଷିବା ଭଳି ଟାଣ ଖରା ହେଉଛି ଏବଂ ମଧ୍ୟାହ୍ନ ସମୟରେ ସ୍ଥିତି ଆହୁରି ବିଗିଡ଼ି ଯାଉଛି। ଲୋକେ ଘରୁ ବାହାରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial