୧୫ରୁ ଅଧିକ ପଜିଟିଭ୍ ପାଇଁ ହଟ୍‌ସ୍ପଟ୍‌ରେ ଭୁବନେଶ୍ୱର

ଭୁବନେଶ୍ୱର : ସ୍ଥାନୀୟ ସଂକ୍ରମଣ ପାଇଁ ନୁହେଁ ବରଂ ୧୫ରୁ ଅଧିକ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ଭୁବନେଶ୍ୱରକୁ କେନ୍ଦ୍ର ସରକାର ହଟସ୍ପଟ୍ ଘୋଷଣା କରିଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଧଳ କହିଲେ, ଚଳିତ ମାସ ୩ ତାରିଖରେ ୧୦ଜଣ ଓ ୫ ତାରିଖରେ ୧୮ଜଣ କରୋନା ପଜିଟିଭ୍ ଭୁବନେଶ୍ୱରରେ ଚିହ୍ନଟ ହୋଇଥିଲେ। ସେମାନଙ୍କ ଯାତ୍ରା ଇତିହାସ ସହିତ କେଉଁ ବ୍ୟକ୍ତିମାନେ ସଂସ୍ପର୍ଶ‌‌ରେ ଆସିଛନ୍ତି, ସେମାନଙ୍କୁ ଚିହ୍ନଟ କରାଯିବା ସହିତ ‌ନମୁନା ସଂଗ୍ରହ କରାଯାଇଛି। ଭୁବନେଶ୍ୱରର ବମିଖାଲ, ସୂର୍ଯ୍ୟନଗର ଓ ସତ୍ୟନଗରକୁ ସଂକ୍ରମଣ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯିବା ସହ ସେଠାରୁ ମଧ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ହୋଇଛି। ଏପରିକି ଯେଉଁ ବ୍ୟକ୍ତିମାନଙ୍କର କୌଣସି ଲକ୍ଷଣ ନ ଥିଲା, ସେମାନଙ୍କର ସେକେଣ୍ଡାରି କଣ୍ଟାକ୍ଟ ଭାବେ ନମୁନା ମଧ୍ୟ ସଂଗ୍ରହ ହୋଇଛି। ସେହିପରି ଦେଶର ଦିଲ୍ଲୀ ଓ ମୁମ୍ବାଇ ଭଳି ସହର ତୁଳନାରେ ଭୁବନେଶ୍ୱରରେ ଅଧିକ ସଂଖ୍ୟାରେ ନମୁନା ସଂଗ୍ରହ ହୋଇଛି। ପ୍ରତି ୧ଲକ୍ଷ ଜନସଂଖ୍ୟାରେ ମୁମ୍ବାଇରେ ୧୮୦.୫, ଦିଲ୍ଲୀରେ ୯୨, ଥାନେରେ ୧୧୯.୩ ଓ ପୁନେରେ ୬୯.୮ ନମୁନା ପରୀକ୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୧୮୯.୮ ନମୁନା ପରୀକ୍ଷା କରାଯାଇଛି। ଏସବୁ ଦୃଷ୍ଟିରେ ଦେଖିଲେ ଭୁବନେଶ୍ୱର ସୁରକ୍ଷିତ ଅଛି। ଶ୍ରୀ ଧଳ କହିଥିଲେ ଯେ ଗତ ୨୧ରୁ ୨୭ ମାର୍ଚରେ ରାଜ୍ୟରେ ଗୋଟିଏ ମାତ୍ର କୋଭିଡ୍‌ ନମୁନା ପରୀକ୍ଷା କେନ୍ଦ୍ର ରହିଥିଲା। ସେହି ସମୟରେ ୨୨୬ଟି ନମୁନା ପରୀକ୍ଷା ହୋଇଥିଲା। ୨୮ ମାର୍ଚରୁ ୩ ଏପ୍ରିଲ ଭିତରେ ୧୧୬୯, ୪ ଏପ୍ରିଲରୁ ୧୦ ଏପ୍ରିଲରେ ୨୧୫୨ ଓ ୧୧ ଏପ୍ରିଲରୁ ୧୭ଏପ୍ରିଲ ଭିତରେ ୫୦୭୨ ନମୁନା ପରୀକ୍ଷା ହୋଇପାରିଛି। ଏହା ଭିତରେ ରାଜ୍ୟରେ ୭ଟି କୋଭିଡ୍‌ ନମୁନା ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଥିବା ଶ୍ରୀ ଧଳ କହିଥିଲେ। ଅପରପକ୍ଷରେ କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଥିଲେ ଯେ ରାଜ୍ୟରେ ଯେତେବେଳେ ଜଣେ ହେଲେ କରୋନା ପଜିଟିଭ୍ ଚିହ୍ନଟ ହୋଇ ନ ଥିଲେ, ସେ ସମୟରେ ରାଜ୍ୟ ସରକାର କରୋନାକୁ ଏକ ବିପତ୍ତି ଭାବେ ‌ଘୋଷଣା କରିଥିଲେ। ଏହା ଭିତରେ ୩୩ଦିନ ବିତିଗଲାଣି, ଆଗକୁ ଆହୁରି ସମୟ ବାକି ଅଛି। କୋଭିଡ୍‌ର ମୁକାବିଲା ପାଇଁ ୧.୭ ଲକ୍ଷ ଲୋକଙ୍କୁ ତାଲିମ ପ୍ରଦାନ କରାଯାଇଛି। ତେବେ ଯେ ପର୍ଯ୍ୟନ୍ତ ବିପତ୍ତି ଟଳି ନାହିଁ, ସେ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ହିଁ ସରକାର। ରାଜ୍ୟର ଅନ୍ୟ ବିଭାଗଗୁଡ଼ିକ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟ କରିବ। ସେ ଆହୁରି ମଧ୍ୟ କହିଥିଲେ ‌ଯେ ରାଜ୍ୟର ୧୧୪ ପୌରାଞ୍ଚଳରେ ୨୦୧୧ଜନଗଣନା ଅନୁଯାୟୀ, ୬୦ ଲକ୍ଷ ୩୫ ହଜାରରୁ ଅଧିକ ‌ଲୋକ ବାସ କରନ୍ତି। ଏଥିରେ ୫ଟି ମହାନଗର ନିଗମ, ୪୮ଟି ମ୍ୟୁନିସିପାଲଟି, ୬୧ଟି ଏନ୍‌ଏସି ରହିଛି। ଏ ସବୁରୁ ଦିନକୁ ୨୧ଶହ ମେଟ୍ରିକ୍ ଟନ୍‌ର ଆବର୍ଜନା ବାହାରୁଛି। ପ୍ରାୟ ୧୪୪୫୦ଜଣ ପୌର କର୍ମଚାରୀ ଏଥିପାଇଁ କାର୍ଯ୍ୟ କରୁଛି। ତହିଁରୁ ଭୁବନେଶ୍ୱର ଓ କଟକରେ ୯ଶହ ମେଟ୍ରିକ୍ ଟନ ଆବର୍ଜନା ବାହାରୁଛି। ୪୭୩୧ଜଣ ପୌର କର୍ମଚାରୀ ଏଥିପାଇଁ କାର୍ଯ୍ୟରତ ଅଛନ୍ତି। ତେବେ କରୋନା ଭଳି ମହାମାରୀ ସମୟରେ ଏହି ପୌର କର୍ମଚାରୀଙ୍କ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଥିବା ଶ୍ରୀ ବାଗଚୀ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ରାଜ୍ୟର ୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ଫେରିଛନ୍ତି ୨୪ ଜଣ

Mon Apr 20 , 2020
ଭୁବନେଶ୍ୱର: ରାଜ୍ୟର ୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ୨୪ ଜଣ ଫେରିଛନ୍ତି। ଏମାନଙ୍କୁ ପଞ୍ଚାୟତ ସ୍ତରରେ ନିର୍ମାଣ ହୋଇଥିବା କ୍ୱାରେଣ୍ଟାଇନରେ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଏହି ସୂଚନା ଦେଇଛନ୍ତି। ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି, ପ୍ରତ୍ୟେକ ପଞ୍ଚାୟତରେ କରୋନା ମୁକାବିଲା ପାଇଁ ବ୍ୟବସ୍ଥା ହୋଇଛି। ବାହାରୁ ଫେରିଥିବା ଲୋକେ ୧୪ ଦିନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial