ଲକଡାଉନ୍ ପରେ ରଥଯାତ୍ରା ନିଷ୍ପତ୍ତି, ମେ’ ୩ ପର୍ଯ୍ୟନ୍ତ ରଥ ନିର୍ମାଣ ଆରମ୍ଭ ହୋଇପାରିବ ନାହିଁ : ଗଜପତି ମହାରାଜ

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସଂପର୍କିତ ନିଷ୍ପତ୍ତି ମେ’ ୩ ତାରିଖ ପରେ ନିଆଯିବ। ଯେହେତୁ ମହାପ୍ରଭୁଙ୍କ ରଥଯାତ୍ରା ଓ ସ୍ନାନଯାତ୍ରା ଜୁନ୍ ମାସରେ ପଡ଼ୁଛି ତେଣୁ ମେ ୩ ତାରିଖରେ ଲକଡାଉନ୍ ଅବଧି ସରିବା ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନୂତନ ଗାଇଡଲାଇନ୍ ଅନୁସାରେ ନିଷ୍ପତ୍ତି ନିଆଯିବ। ମେ ୩ରେ କିମ୍ବା ଏହା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସି ରଥଯାତ୍ରା ଓ ସ୍ନାନଯାତ୍ରା ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଗଜପତି ମହାରାଜ କହିଛନ୍ତି, ପରିଚାଳନା କମିଟି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ନିବେଦନ କରିଛି ଯେ, ମେ’ ମାସ ୩ ତାରିଖରେ ଯେଉଁ ନିଷ୍ପତ୍ତି ଆସିବ, ଏଥିରେ ଦେବନୀତି ଉପରେ ଯେପରି କୌଣସି ପ୍ରଭାବ ନ ପଡ଼ିବ ଏଥି ପ୍ରତି ଗୁରୁତ୍ୱ ଦିଆଯାଉ। ଅନ୍ୟପଟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ, ଜୀବନକୁ ବିପଦରେ ନପକାଇ କୋଭିଡ-୧୯ର କୌଣସି ନିୟମ ଉଲଂଘନ ନ କରି ରଥାଯାତ୍ରା କରିହେବ କି ନାହିଁ, ତାହା ସରକାର ବିବେଚନା କରିବେ। ମେ’ ୩ ତାରିଖ ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଯାହା ଗାଇଡଲାଇନ ଦେବେ ସେହି ହିସାବରେ ନୂତନ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଗଜପତି ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟର ଗାଇଡଲାଇନ୍ ଅନୁସାରେ ମେ ୩ ତାରିଖ ଯାଏଁ କୌଣସି ସର୍ବସାଧାରଣସ୍ଥଳୀରେ କୌଣସି ଧାର୍ମିକ ଅନୁଷ୍ଠାନ ହୋଇପାରିବ ନାହିଁ। ଏହାକୁ ସଂପୂର୍ଣ୍ଣ ଭାବେ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁପାଳନ କରିବ। ତେଣୁ ରଥନିର୍ମାଣ କାର୍ଯ୍ୟ ଓ ଶ୍ରୀମନ୍ଦିର ବ‌ାହାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ହୋଇପାରିବ ନାହିଁ।

Share Now:

Kalinga News Beuro

Leave a Reply

Next Post

ରାସନ୍ କାର୍ଡ ନ ଥିଲେ ବି କିରାସିନି ମିଳିବ

Fri Apr 24 , 2020
ଭୁବନେଶ୍ବର: କରୋନା ମୁକାବିଲା ସମୟରେ ଦେଶରେ ଲକ୍‌ ଡାଉନ୍ ଜାରି ଥିବାରୁ କିରାସିନି ‌ଯୋଗାଣ ସମ୍ପର୍କରେ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାସନ୍ କାର୍ଡ ନ ଥିଲେ ବି ଘରୋଇ ବ୍ୟବହାର ନିମନ୍ତେ ଖାଉଟିମାନଙ୍କୁ କିରାସିନି ଯୋଗାଇ ଦିଆଯିବ। ୨୦୨୦ ମାର୍ଚ୍ଚରେ ଜିଲ୍ଲାରେ କିରାସିନି ପାଇଁ ଧାର୍ଯ୍ୟ ହୋଇଥିବା ଦର ହିସାବରେ ଖାଉଟିମାନଙ୍କୁ ପ୍ରତି ପରିବାର ପିଛା ୨ ଲିଟର୍‌ ଲେଖାଏ କିରାସିନି ଯୋଗାଇ ଦିଆଯିବ ବୋଲି ଖାଦ୍ୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial