ଅନଲାଇନ୍‌ରେ ଅବଢ଼ା ବିକ୍ରି ବିରୋଧରେ ଏତଲା

ଅନଲାଇନ୍‌ରେ ଅବଢ଼ା ବିକ୍ରି ବିରୋଧରେ ଏତଲା

ଆମିଷ ସହ ଅବଢ଼ା ବିକ୍ରି ଅଭିଯୋଗ

ପୁରୁଣା ଭୁବନେଶ୍ୱର : ଅନଲାଇନ୍‌ରେ ଶ୍ରୀଅନନ୍ତ ବାସୁଦେବ ଓ ଶ୍ରୀଲିଙ୍ଗରାଜଙ୍କ ଅବଢ଼ା ବିକ୍ରି ଘଟଣା ପଦାକୁ ଆସିବା ପରେ ରାଜଧାନୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଓଡ଼ିଆ ଜାତିର ଭାବାବେଗକୁ ଆଘାତ ଲାଗିଥିବା ଅଭିଯୋଗ କରି ଆଜି ଏକାମ୍ର କ୍ଷେତ୍ରରେ ସେବାୟତମାନେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି। ଅନ୍‌ଲାଇନ୍‌ରେ ଆମିଷ ବିକ୍ରି ହେଉଥିବା ବେଳେ ଅବଢ଼ା ଭଳି ପବିତ୍ର ପ୍ରସାଦ ବିକ୍ରି କରି ଉକ୍ତ ସଂସ୍ଥା ଓଡ଼ିଆ ଜାତିର ଭାବାବେଗ ଉପରେ କୁଠାରଘାତ କରିଛି ବୋଲି ବ୍ରାହ୍ମଣ ନିଯୋଗ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ କମିସନରେଟ୍‌ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି। ବ୍ରାହ୍ମଣ ନିଯୋଗ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସା‌ରେ, ଆମିଷ ବିକ୍ରି କରୁଥିବା ଉକ୍ତ ସଂସ୍ଥା ଠାକୁରଙ୍କ ଅନ୍ନ ମହାପ୍ରସାଦ ବିକ୍ରି କରି ଉକ୍ତ ଅସାଧୁ ବ୍ୟବସାୟୀ ଓଡ଼ିଆ ଜାତିର ଭାବାବେଗ ସହ ଖେଳିଛନ୍ତି। ଏଥିପାଇଁ ପୁଲିସ ଓ ମନ୍ଦିର ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ହେବ। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତିଙ୍କ କହିବା ଅନୁଯାୟୀ, ଅନ୍‌ଲାଇନ୍‌ରେ ଏହି କାରବାର କରୁଥିବା କମ୍ପାନିମାନେ ଆମ ଧର୍ମୀୟ ଭାବନା ସହ ଖେଳୁଛନ୍ତି। ଅନ୍‌ଲାଇନ୍‌ ଯୋଗେ ପୁରୀରେ ନକଲି ନିର୍ମାଲ୍ୟ, ନକଲି ଅବଢ଼ା ବିକ୍ରି କରିବା ପରେ ଏବେ ଏକାମ୍ର କ୍ଷେତ୍ରରେ ମାତିଛନ୍ତି। ୩ରୁ ୪ଟି ସଂସ୍ଥା ଆମିଷ ସହ ଅବଢ଼ା ବିକ୍ରି କରୁଛନ୍ତି ବୋଲି ବିଭିନ୍ନ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି। ପ୍ରକାଶଯୋଗ୍ୟ, ଏବେ କରୋନା କଟକଣା ପାଇଁ ଭକ୍ତ ଆସୁ ନଥିବାରୁ ଅନନ୍ତ ବାସୁଦେବ ମନ୍ଦିରରେ ସୀମିତ ମହାପ୍ରସାଦ ପ୍ରସ୍ତୁତ ହେଉଛି। ବରାଦ ଅନୁସାରେ ଅବଢ଼ା ପ୍ରସ୍ତୁତ ହେଉଥିବାରୁ ବଳୁ ନାହିଁ। କିନ୍ତୁ କିଛି ଖଳ ପ୍ରକୃତିର ଲୋକ ହୋଟେଲ୍‌ରେ ରାନ୍ଧି ଲିଙ୍ଗରାଜ ଓ ଅନନ୍ତ ବାସୁଦେବଙ୍କ ଅବଢ଼ା ନାଁରେ ଅନ୍‌ଲାଇନ୍‌ରେ ବିକ୍ରି କରୁଛନ୍ତି। ନକଲି ପ୍ରସାଦ ହେଲେ ବି ଠାକୁରଙ୍କ ପ୍ରସାଦ ନାଁକୁ ବ୍ୟବହାର କରି ଉକ୍ତ ସଂସ୍ଥା ମହାପ୍ରସାଦର ଅପମାନ କରୁଛି ବୋଲି ଶ୍ରୀ ପତି ଅଭିଯୋଗ କରିଛନ୍ତି। ଉକ୍ତ ସଂସ୍ଥା ନକଲି ମହାପ୍ରସାଦ ବିକି ଠାକୁରଙ୍କୁ ଯେତିକି ଅପମାନିତ କରିଛନ୍ତି, ଗ୍ରାହକଙ୍କ ଭାବନା ସହ ଖେଳି ସେତିକି ଅପରାଧ କରୁଛନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ, ନିଯୋଗଠାରୁ ଅନୁମତି ନଥାଇ ଏପରି ସଂସ୍ଥା ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି କରିବା ଦଣ୍ଡନୀୟ ଅପରାଧ। ଏଥିପାଇଁ ଉକ୍ତ ସଂସ୍ଥା ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଆଇନଜୀବୀ ଭୀଷ୍ମ ନାରାୟଣ ନାୟକ ଓ ଉପସଭାପତି ତଥା ଯୁବ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଚେତାବନୀ ଦେଇଛନ୍ତି।

Share Now:

Kalinga News Beuro

Next Post

ଦ୍ୱିତୀୟ ‘ଡ୍ରାଗନ୍‌’ରେ ମହାକାଶ କେନ୍ଦ୍ରକୁ ବଡ଼ଦିନ ଉପହାର:୪୦ଟି ମୂଷା ଏବଂ ଅନ୍ୟାନ୍ୟ ସାମଗ୍ରୀ ପଠାଇଲା ‘ସ୍ପେସ୍‌ଏକ୍ସ’

Mon Dec 7 , 2020
କେପ୍‌ କେନାଭେରାଲ୍‌: ରବିବାର ଦିନ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ‘ସ୍ପେସ୍‌ଏକ୍ସ’ ତା’ର ମହାକାଶଯାନ ଦ୍ୱିତୀୟ ‘ଡ୍ରାଗନ୍‌’ରେ ବଡ଼ଦିନ ଉପହାର ସମେତ ୪୦ଟି ମୂଷା ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରେରଣ କରିଛି। ଏହି ଦ୍ୱିତୀୟ ମାଲବାହୀ ମହାକାଶଯାନଟି ପ୍ରଥମ ‘ଡ୍ରାଗନ୍‌’ ଠାରୁ ଉନ୍ନତ ଓ ବଡ଼। ଏହାକୁ ମିଶାଇ ପ୍ରଥମ ଥର ପାଇଁ ସମ୍ପ୍ରତି ‘ସ୍ପେସ୍‌’ ଏକ୍ସ୍‍ର ଦୁଇଟି ମହାକାଶଯାନ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ଚାରିପଟେ ପରିକ୍ରମା କରୁଛି। ବଡ଼ଦିନ ଖାଦ୍ୟପେୟ […]
ମହାକାଶ କେନ୍ଦ୍ରକୁ ବଡ଼ଦିନ ଉପହାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial