ଯାଁଳା ଫାଣ୍ଡିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା: ପୋଷ୍ଟର ଲଗାଇଲା କମିସନରେଟ୍‌ ପୁଲିସ

ପୋଷ୍ଟର ଲଗାଇଲା କମିସନରେଟ୍‌ ପୁଲିସ

ଭୁବନେଶ୍ବର: ଯାଁଳା ଫାଣ୍ଡି ପରିସରରେ ଥିବା ଏକ ଜବତ ଗାଡ଼ିରୁ ଜଣେ ମହିଳାଙ୍କ କଙ୍କାଳ ମିଳିବା ମାମଲାକୁ ମାସେ ବିତିବାକୁ ବସିଛି। ହେଲେ ଏଯାଏ ପରିଚୟ ମିଳିପାରୁ ନାହିଁ। ଏଣୁ ଗତକାଲିଠାରୁ ମୃତ ମହିଳାଙ୍କର ସ୍କେଚ୍‌ ଓ ଫଟୋ ଥିବା ପୋଷ୍ଟର ଜାରି କରିଛି କମିସନରେଟ୍‌ ପୁଲିସ। ଭୁବନେଶ୍ବର ଓ ଯାଁଳା ଅଞ୍ଚଳରେ ଏହି ପୋଷ୍ଟର ସବୁ ଲଗା ଯାଇଛି। ବସ୍‌ ଓ ଅଟୋଷ୍ଟାଣ୍ଡ ସମେତ ବିଭିନ୍ନ ଗହଳି ଜାଗାରେ ଥିବା ପାଚେରିରେ ପୋଷ୍ଟର ଲଗାଯିବା ସହ ଲୋକମାନଙ୍କୁ ସୂଚନା ଦେବାକୁ କୁହାଯାଇଛି। ପୋଷ୍ଟରରେ ଥିବା ସୂଚନା ମୁତାବକ, ୨୦୨୦ ମସିହା ସେପ୍ଟେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ଏହି ମହିଳା ନିଖୋଜ ହୋଇଥିବା ଅନୁମାନ କରାଯାଉଛି। ତାଙ୍କର ବୟସ ୩୫ରୁ ୪୫ ବର୍ଷ ହେବ। ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ମୃତ ମହିଳା ଯକ୍ଷ୍ମାରୋଗରେ ପୀଡ଼ିତ ଥିଲେ। ତାଙ୍କ ଉଚ୍ଚତା ୧୬୪ ସେଣ୍ଟିମିଟର ଓ ମୁଣ୍ଡବାଳ ୩୫ ସେମି ଲମ୍ବା। ସେ ପିନ୍ଧିଥିବା ଡାହାଣ ହାତରେ ୪ଟି ଆଲୁମିନିୟମ ଚୁଡ଼ି, ସବୁଜ ରଙ୍ଗର ଫୁଲ୍‌ ହାତ ସ୍ବେଟର ଆଦିର ଫଟୋ ମଧ୍ୟ ପୋଷ୍ଟରରେ ଦିଆଯାଇଛି। ମୃତ ମହିଳାଙ୍କୁ ଚିହ୍ନିଥିଲେ ସୂଚନା ଦେବାକୁ ଘଟଣାର ତଦନ୍ତକାରୀ ଅଧିକାରୀ ମହିଳା ଥାନା ଇନ୍‌ସ୍‌ପେକ୍ଟର ବନିତା ମହାରଣା, ଜଟଣୀ ଥାନା ଇନ୍‌ସ୍‌ପେକ୍ଟର ବିଶ୍ବ ରଞ୍ଜନ ସାହୁ ଓ ଡିସିପିଙ୍କ କାର୍ଯ୍ୟାଳୟ ଏଭଳି ୫ଟି ଟେଲିଫୋନ ନମ୍ବର ଦିଆଯାଇଛି। ମହିଳାଙ୍କୁ ଚିହ୍ନଟ କରି ଖବର ଦେଉଥିବା ଲୋକର ପରିଚୟ ଗୋପନ ରଖାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏ ନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ମହିଳାଙ୍କ ପରିଚୟ ପାଇବା ପାଇଁ ଆମେ ଉଦ୍ୟମ ଜାରି ରଖିଛୁ। ‌ସ୍କେଚ୍‌ ପହଞ୍ଚିବା ପରେ ବିଭିନ୍ନ ଜାଗାରେ ପୋଷ୍ଟର ମରାଯାଇଛି। ‌ବିଶେଷ କରି ଯାଁଳା ଅଞ୍ଚଳରେ ସବୁଠାରୁ ଅଧିକ ପୋଷ୍ଟର ଲଗାଯାଇଛି। ଏହା ସହ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ପୋଷ୍ଟର ଲଗାଯିବା ପାଇଁ ଯୋଜନା ହୋଇଛି। ଏହା ପରେ ଅନ୍ୟ ଭାଷାରେ ପୋଷ୍ଟର ପ୍ରସ୍ତୁତ କରାଯାଇ ରାଜ୍ୟ ବାହା‌ରେ ମଧ୍ୟ ଲଗାଯିବା ପାଇଁ ବ୍ୟବସ୍ଥା କରାଯିବ। ତେବେ ପ୍ରଥମେ ଓଡ଼ିଶାରେ ପରିଚୟ ଖୋଜିବା ପାଇଁ ବ୍ୟବସ୍ଥା ହୋଇଛି। ଏଥିରେ ଲୋକମାନଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

କଳିଙ୍ଗ ଷ୍ଟୁଡିଓର ନବୀକରଣ କାର୍ଯ୍ୟର ଶିଳାନ୍ୟାସ ଆଜି

Thu Mar 25 , 2021
ଭୁବନେଶ୍ବର : କଳିଙ୍ଗ ଷ୍ଟୁଡିଓକୁ ବିଶ୍ବସ୍ତରୀୟ ଷ୍ଟୁଡିଓରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥି ପାଇଁ ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଆଜି (ଗୁରୁବାର) ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନବୀକରଣ କାର୍ଯ୍ୟର ଶିଳାନ୍ୟାସ କରିବେ। କୋଭିଡ୍‌ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ସିନେ କଳାକାର ଓ ସିନେ ଜଗତ ସହ ଜଡ଼ିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ଅବସରରେ […]
କଳିଙ୍ଗ ଷ୍ଟୁଡିଓ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial