ପରଲୋକରେ ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ

ଅଜିତ ମଙ୍ଗରାଜଙ୍କ ପରଲୋକ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ତଥା ପିପିଲି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ହୋଇଯାଇଛି। କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ରାଜଧାନୀ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। କିଛିଦିନ ଧରି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ଅପରାହ୍ଣରେ ହସ୍ପିଟାଲ୍ ପକ୍ଷରୁ ଅଜିତ ମଙ୍ଗରାଜଙ୍କର ପରଲୋକ ଖବର ଦିଆଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ହୋଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଥିବା ଶ୍ରୀ ମଙ୍ଗରାଜ ପିପିଲି-ଡେଲାଙ୍ଗ ଅଞ୍ଚଳର ଜଣେ ଲୋକପ୍ରିୟ ନେତା ଥିଲେ। ତାଙ୍କର ବିୟୋଗରେ ପିପିଲି-ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅଜିତ‌ ମଙ୍ଗରାଜଙ୍କ ମୃତ୍ୟୁ ଖବର ଶୁୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସର ବହୁ ବରିଷ୍ଠ ନେତା ଆପୋଲୋ ହସ୍‌ପିଟାଲରେ ପହଞ୍ଚିଥିଲେ। ଅନ୍ୟ ପକ୍ଷରେ ପିପିଲି ଉପନିର୍ବାଚନ ସ୍ଥଗିତ ହେବା ନେଇ ପରିସ୍ଥିତି ସୃଷ୍ଟି ହୋଇଛି। ସାଧାରଣଭାବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ପ୍ରାର୍ଥୀଙ୍କର ମୃତ୍ୟୁ ହେଲେ ମତଦାନ ବାତିଲ୍ କରାଯାଇଥାଏ। ଶ୍ରୀ ମଙ୍ଗରାଜଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ତାରାପ୍ରସାଦ ବାହିିନୀପତି, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଶୋକପ୍ରକାଶ କରିଛନ୍ତି। ଅଜିତ ମଙ୍ଗରାଜ ନିର୍ବାଚନ ପ୍ରଚା‌ର ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଡେଲାଙ୍ଗ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ବେରବୋଇଠାରେ କଂଗ୍ରେସର ପ୍ରଚାର ଚାଲିଥିଲା ଓ ଅଜିତ ଏଥିରେ ଯୋଗ ଦେଇଥିଲେ। ପ୍ରବଳ ଗରମ ଯୋଗୁ ପ୍ରଚାର ବେଳେ ହଠାତ୍‌ ଅଜିତ ଅସୁସ୍ଥ ହୋଇ ପଡ଼ିଥିଲେ। ମୁଣ୍ଡ ବୁଲାଇବା ସହ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଉପସ୍ଥିତ କର୍ମୀମାନେ ତାଙ୍କୁ ତୁରନ୍ତ ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ପ୍ରାୟ ୮ ଘଣ୍ଟାର ଚିକିତ୍ସା ପରେ ଅଜିତ ଘରକୁ ଫେରିଥିଲେ। ଏହାପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା ଓ ୭ ତାରିଖ ଦିନ ତାଙ୍କୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସେ ‌କରୋନାରେ ଗୁରୁତର ଆକ୍ରାନ୍ତ ଥିଲେ ଏବଂ ତାଙ୍କୁ କୋଭିଡ୍ ଆଇସିୟୁରେ ରଖାଯାଇ ଏକ ବିଶେଷଜ୍ଞ ଦଳ ଦ୍ବାରା ଚିକିତ୍ସା କରାଯାଉଥିଲା। ପରିସ୍ଥିତି ସଂକଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲେ ମଧ୍ୟ ବଞ୍ଚାଇ ରଖିବା ସମ୍ଭବ ହୋଇ ନ ଥିଲା। ଅଖିଳ ଭାରତୀୟ କଂଗ୍ରେସ୍‌ କମିଟି (ଏଆଇସିସି)ର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀତ୍ବ ପାଇଁ ଅଜିତ୍‌ ମଙ୍ଗରାଜ୍‌ଙ୍କ ନାଁରେ ମୋହର୍‌ ମାରିଥିଲେ। ପିପିଲି ଉପନିର୍ବାଚନ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ୍‌ (ପିସିସି) ପକ୍ଷରୁ ୩ ଜଣ ଜଣଙ୍କ ନାଁକୁ ସୁପାରିସ କରାଯାଇଥିଲା। ଶେଷରେ ଅଜିତ୍‌ ମଙ୍ଗରାଜ୍‌ଙ୍କୁ ପ୍ରାର୍ଥୀ ଭାବେ କଂଗ୍ରେସ୍‌ ହାଇକମାଣ୍ଡ ସୋନିଆ ଗାନ୍ଧୀ ଚୟନ କରିଥିଲେ। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ୍‌ ପକ୍ଷରୁ ଯୁଧିଷ୍ଠିର ସାମନ୍ତରାୟଙ୍କ ବଦଳରେ ଅଜିତ୍‌ ମଙ୍ଗରାଜଙ୍କୁ ପ୍ରାର୍ଥୀ କରାଯାଇଥିଲା।

Share Now:

Kalinga News Beuro

Next Post

ପିପିଲିରେ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ : ମୁଖ୍ୟ ନିର୍ବାଚନ ଅଧିକାରୀ

Wed Apr 14 , 2021
ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ପଦକ୍ଷେପ ଭୁବନେଶ୍ବର: ପିପିଲିରେ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ଏ ଦିଗରେ ପଦକ୍ଷେପ ନିଆଯିବ। ରିପୋର୍ଟ ମିଳିବା ପରେ ମୁଖ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଯିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ(୫୨)ଙ୍କ ଆଜି ଦେହାନ୍ତ […]
ପିପିଲିରେ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial