ସରକାରଙ୍କ ଅଜବ ନିଷ୍ପତ୍ତି: ସବୁ ଖୋଲା, ରେସ୍ତୋରାଁ ବନ୍ଦ

ସବୁ ଖୋଲା, ରେସ୍ତୋରାଁ ବନ୍ଦ

ଭୁବନେଶ୍ବର: ବାର୍‌ରେ ବସି ମଦ ପିଇପାରିବେ, ଚାଖଣା ଖାଇପାରିବେ, ଯାହା ଖାଇବା କଥା ଅର୍ଡର କରି ଖାଇପାରିବେ। ପବ୍‌ରେ ଦେହକୁ ଦେହ ଘସି ନାଚିପାରିବେ, ମଦ ପିଇ ମତୁଆଲା ହୋଇପାରିବେ। କିନ୍ତୁ ହୋଟେଲ୍‌, ରେସ୍ତୋରାଁରେ ବସି ଖାଇପାରିବେନି। ଏଠାରୁ କେବଳ ପାର୍ସଲ ନେଇପାରିବେ। ରାଜ୍ୟ ସରକାରଙ୍କ କଟକଣା ଦେଖିଲେ ଲାଗୁଛି ହୋଟେଲ୍, ରେସ୍ତୋରାଁରେ ବସି ଖାଇଲେ ଯେମିତି ସଙ୍ଗେସଙ୍ଗେ କରୋନା ହୋଇଯିବ। ରାଜ୍ୟ ସରକାର ଓ ବିଏମ୍‌ସିର ନିୟମାବଳି ଅନୁଯାୟୀ, ସିନେମା ହଲ୍‌ରେ ୫୦% ପର୍ଯ୍ୟନ୍ତ ଦର୍ଶକ ବସିପାରିବେ, ମଲ୍‌କୁ ଯେତେ ଇଚ୍ଛା ଲୋକ ଯାଇପାରିବେ, ଜିମ୍‌ରେ ସମସ୍ତେ ବ୍ୟାୟାମ କରିପାରିବେ, ବାର୍‌‌ ଓ ମଦ କାଉଣ୍ଟର ଖୋଲିବ। ହେଲେ ରେସ୍ତୋରାଁ ଓ ହୋଟେଲ ଖୋଲିଲେ ବି କେହି ବସି ଖାଇବେନି, କେ‌ବଳ ପାର୍ସଲ ନେବେ। ରାଜଧାନୀରେ ଏବେ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଖୋଲା ରହୁଛି। ବିଭିନ୍ନ ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟ ଚାଲିଛି। ବିଭିନ୍ନ ଦରକାରୀ କାର୍ଯ୍ୟ, ହସ୍ପିଟାଲ କାମରେ ହଜାର ହଜାର ‌େଲାକ ପ୍ରତିଦିନ ରାଜଧାନୀ ଆସୁଛନ୍ତି। ହେଲେ ସେମାନେ କେଉଁଠି ଖାଇବେ ସେ ଚିନ୍ତା ଘାରିଛି। ପାର୍ସଲ ନେଲେ କ’ଣ ରାସ୍ତାରେ ଖାଇବେ ନା କେଉଁ ପିଣ୍ଡାରେ ବସି ଖାଇବେ ସେ ପ୍ରଶ୍ନ ଏବେ ଲୋକ ପଚାରିଲେଣି। ଏପରିକି ହୋଟେଲରୁ ଖାଦ୍ୟ କିଣିଲେ ଲୋକ ଏବେ ଖଲି, ଦନା କିଣିବାକୁ ବିଭିନ୍ନ ଛକ ବୁଲୁଛନ୍ତି। ନଚେତ୍ ସେହି ପଲିଥିନ୍‌ରେ ମୁହଁ ଲଗାଇ ଖାଉଛନ୍ତି।
ଯେଉଁ ଅଧିକାରୀମାନେ ମଲ୍‌, ସିନେମା ହଲ୍‌, ବାର୍‌ ଆଦି ପାଇଁ କିଛି କଟକଣା ରଖିଲେ ସେମାନେ ହୋଟେଲ/ରେସ୍ତୋରାଁ ପାଇଁ ସେମିତି ୫୦% କ୍ଷମତାରେ ଖାଇବାକୁ ଦେବା, ହାତ ଧୋଇବା, ବିଶୋଧନ ବ୍ୟବସ୍ଥା କରିବା ଆଦି ନିୟମ ରଖିବା ବଦଳାରେ ପୂର୍ବ ବର୍ଷ ଯେଉଁ କଟକଣା ଲାଗିଥିଲା ତାହାକୁ ସିଧା ନକଲ କରିଦେଲେ। ହେଲେ ପୂର୍ବ ବର୍ଷ ଲକ୍‌ଡାଉନ୍, ସଟ୍‌ଡାଉନ୍‌ ଜାରି ରହିଥିବାରୁ ଯେଉଁ ସବୁ କଟକଣା ହୋଇଥିଲା, ଏବେ ସବୁ ଖୋଲାମେଲା ଥିବାବେଳେ କିପରି ସେହିଭଳି କଟକଣା ଲାଗିବ ବୋଲି ପ୍ରଶ୍ନ କଲେଣି। କେବଳ ଏତିକି ନୁହେଁ; ରାଜଧାନୀରେ ଅଧିକାଂଶ କଲେଜ ଛାତ୍ରଛାତ୍ରୀ, ଏଠାରୁ ରହୁଥିବା ଲୋକ ପାର୍ସଲ ନିଅନ୍ତି। ଯାହା ଏବେ ନାହିଁ। ଯେଉଁମାନେ ରାଜଧାନୀକୁ ବିଭିନ୍ନ କାମରେ ଆସନ୍ତି ବା ଯେଉଁମାନେ ଭଲ ଖାଇବାକୁ ରେସ୍ତୋରାଁକୁ ଯାଆନ୍ତି ସେମାନେ ପାର୍ସଲ ନେବା ଅପେକ୍ଷା ହୋଟେଲ/ରେସ୍ତୋରାଁରେ ବସି ଖାଇବାକୁ ପସନ୍ଦ କରନ୍ତି। ଅପରପକ୍ଷେ ବିଭିନ୍ନ ବ୍ରାଣ୍ଡର ରେସ୍ତୋରାଁ, ବଡ଼ ରେସ୍ତୋରାଁରୁ ଲୋକ ପାର୍ସଲ କ୍ବଚିତ ନିଅନ୍ତି, ଏଠାରେ ଲୋକ ବସି ଖାଆନ୍ତି। ବସିକି ଖାଇବା ମନା ହୋଇଯିବା ପରେ ଏବେ ଏହି ସବୁ ରେସ୍ତୋରାଁରେ ତାଲା ଝୁଲିବା ପରିସ୍ଥିତି ସୃଷ୍ଟି ହୋଇଯାଇଛି।

Share Now:

Kalinga News Beuro

Next Post

ଖୋର୍ଦ୍ଧାରୁ ସର୍ବାଧିକ ୧୧୩୨ କରୋନା ସଂକ୍ରମିତ: ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୧୬୪ଜଣ

Thu Apr 22 , 2021
ଭୁବନେଶ୍ୱର: ପୁଣି ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନାର ଦୈନିକ ସଂକ୍ରମଣ। ଗୋଟିଏ ଦିନରେ ୬ ହଜାର ଟପିଲା ନୂଆ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୬୧୬୪ ଜଣ ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରୁ ସ୍ଥାନୀୟ ମାମଲା ୩୩୭୫ଟି ହୋଇଥିବାବେଳେ ୨୫୮୯ଟି କ୍ଵାରେଣ୍ଟିନ ମାମଲା ବୋଲି ଜଣାପଡ଼ିଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୩୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୧୩୬, ବାଲେଶ୍ୱରରୁ ୭୮, ବରଗଡ଼ରୁ ୨୩୬, […]
ଗତ ୨୪ ଘଣ୍ଟାରେ ୬୧୬୪ଜଣ କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial