ସମୁଦ୍ରରେ ବୁଡ଼ିଯିବ ପାରାଦୀପ: ନାସା

ସମୁଦ୍ରରେ ବୁଡ଼ିଯିବ ପାରାଦୀପ

ନୂଆଦିଲ୍ଲୀ: ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଅନ୍ତଃସରକାରୀ କମିଟି (ଆଇପିସିସି)ର ରିପୋର୍ଟ ଗତକାଲି ପ୍ରକାଶ ପାଇଛି। ପ୍ରଦୂଷଣ ଓ ଅନ୍ୟାନ୍ୟ କାରଣ ପାଇଁ ଆଗାମୀ ଦିନରେ ବିଶ୍ବର ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇବ। ଏହାଦ୍ବାରା ବାତ୍ୟା, ବନ୍ୟା, ସମୁଦ୍ର ପତନ ବୃଦ୍ଧି, ମେରୁ ଅଞ୍ଚଳରେ ବରଫ ତରଳିବା ଏବଂ ଉଚ୍ଚ ପାର୍ବତ୍ୟାଞ୍ଚଳରେ ହିମସ୍ଫଳନ ଭଳି ଭୟଙ୍କର ବିପର୍ଯ୍ୟୟ ବାରମ୍ବାର ଭାରତ ସମେତ ବିଶ୍ବର ବିଭିନ୍ନ ଅଞ୍ଚଳରେ ଦେଖାଦେବ ବୋଲି ସତର୍କ କରାଇ ଦିଆଯାଇଛି। ତେବେ ଉକ୍ତ ରିପୋର୍ଟକୁ ବ୍ୟବହାର କରି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଆଜି ଆଉ ଏକ ଭୟଙ୍କର ଆକଳନ କରିଛି। ଉପଗ୍ରହ ଏବଂ ଅନ୍ୟାନ୍ୟ ସାଧନକୁ ଉପଯୋଗ କରି ନାସା ଭାରତ ସଂପର୍କରେ କରିଥିବା ବିଶ୍ଳେଷଣରେ କହିଛି ଯେ ଚଳିତ ଶତାବ୍ଦୀ ଶେଷବେଳକୁ ଭାରତର ଉପକୂଳରେ ଥିବା ୧୨ଟି ସହର ପ୍ରତି ଭୀଷଣ ବିପଦ ରହିଛି। ସମୁଦ୍ର ପତନ ବୃଦ୍ଧି ଦ୍ବାରା ଭାରତର ଏହି ୧୨ଟି ସହର ୩ ଫୁଟ ପର୍ଯ୍ୟନ୍ତ ପାଣିରେ ବୁଡ଼ିଯିବ। ସେଗୁଡ଼ିକ ମଧ୍ୟରେ ପାରାଦୀପ ସହିତ ମୁମ୍ବାଇ, ଚେନ୍ନାଇ, କୋଚି, ବିଶାଖାପାଟଣା, ଖିଦିରିପୁର, ତୁତି‌କୋରିନ, ମାଙ୍ଗାଲୋର, ମାର୍‌ମାଗାଓ, ଓଖା, କାଣ୍ଡଲା ଏବଂ ଭାଉନଗର। ଜଳବାୟୁ ପରିବର୍ତ୍ତନକୁ ରୋକାନଗଲେ ଏହି ସହରଗୁଡ଼ିକ ବୁଡ଼ିଯିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। ଆଇପିସିସି ରିପୋର୍ଟରେ କୁହାଯାଇଛି ବିଶ୍ବରେ ସମୁଦ୍ର ପତନ ହାରାହାରି ଯେତିକି ବୃଦ୍ଧି ପାଉଛି ଏସିଆ ମହାଦେଶରେ ତାହା ତୁଳନାରେ ଅଧିକ ବୃଦ୍ଧି ଘଟୁଛି। ପୂର୍ବରୁ ସମୁଦ୍ର ପତନରେ ଅସ୍ବାଭାବିକ ପରିବର୍ତ୍ତନ ପ୍ରତି ୧୦୦ ବର୍ଷରେ ଥରେ ଦେଖିବାକୁ ମିଳୁଥିବା ବେଳେ ଆସନ୍ତା ୨୦୫୦ ମସିହା ସୁଦ୍ଧା ଏହା ପ୍ରତି ୬ରୁ ୯ ବର୍ଷ ଭିତରେ ଦେଖିବାକୁ ମିଳିବ। ଏକବିଂଶ ଶତାବ୍ଦୀ ସାରା ଉପୂକଳ ଅଞ୍ଚଳରେ ସମୁଦ୍ର ସ୍ତର ବୃଦ୍ଧି ଘଟିବ। ବର୍ତ୍ତମାନର ପ୍ରାରମ୍ଭିକ ଆକଳନ ଅନୁଯାୟୀ ଶତାବ୍ଦୀ ଶେଷବେଳକୁ ପାରାଦୀପରେ ସମୁଦ୍ର ପତନ ୧.୯୩ ଫୁଟ ବୃଦ୍ଧି ପାଇବାକୁ ଥିବାବେଳେ କାଣ୍ଡଲାରେ ୧.୮୭ ଫୁଟ, ଓଖାରେ ୧.୯୬ ଫୁଟ, ଭାଉନଗରରେ ୨.୭୦ ଫୁଟ, ମୁମ୍ବାଇରେ ୧.୯୦ ଫୁଟ, ମାର୍‌ମାଗାଓରେ ୨.୦୬ ଫୁଟ, ମାଙ୍ଗାଲୋରରେ ୧.୮୭ ଫୁଟ, କୋଚିନ ୨.୩୨ ଫୁଟ, ଖିଦିରପୁର ୦.୪୯ ଫୁଟ, ବିଶାଖପାଟଣା ୧.୭୭ ଫୁଟ, ଚେନ୍ନାଇ ୧.୮୭ ଫୁଟ ଏବଂ ତୁତିକୋରିନରେ ୧.୯ ଫୁଟ ବୃଦ୍ଧି ପାଇବ। ଗୋଟିଏ ପଟେ ସମୁଦ୍ର ପତନ ବୃଦ୍ଧି ଏବଂ ଅନ୍ୟପଟେ ହିମାଳୟରେ ଗ୍ଲାସିୟର ତରଳିବା ଫଳରେ ୧୦୦ କୋଟି ଲୋକ ପ୍ରଭାବିତ ହେବେ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

Share Now:

Kalinga News Beuro

Next Post

ସାଲିଆସାହିରୁ ୧୦ଲକ୍ଷର ଧଳାଜହର ଜବତ : ମହିଳା ଗିରଫ

Wed Aug 11 , 2021
ଗ୍ରାହକ ବେଶରେ ଯାଇ ଧରିଲା ଅବକାରୀ ବିଭାଗ ଭୁବନେଶ୍ବର: କରୋନା ବଦଳାଇଦେଲା ବେଉସା। ୧୦ଲକ୍ଷ ଟଙ୍କାର କରଜରେ ବୁଡ଼ିବା ପରେ ବାଧ୍ୟ ହୋଇ ଜଣେ ମହିଳା ୬ମାସ ତଳେ ବ୍ରାଉନସୁଗାର କାରବାରକୁ ଆପଣାଇ ନେଇଥିଲେ। ଯୁବପିଢ଼ି ଉପରେ ନିଶାର କୁପ୍ରଭାବ ସଂପର୍କରେ ସଚେତନ ଥିଲେ ବି ତାଙ୍କ ପାଖରେ କୌଣସି ବିକଳ୍ପ ନ ଥିଲା। ତାଙ୍କ ସ୍ବାମୀ ଓ ପୁଅ ଏହା ଜାଣିଥିଲେ ଏବଂ ଏଥିରୁ ସେ ବେଶ୍ ଭଲ […]
ସାଲିଆସାହିରୁ ୧୦ଲକ୍ଷର ଧଳାଜହର ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial