କାବୁଲ: ଆଫଗାନିସ୍ତାନ ଦଖଲ କରିବା ପରେ ଦେଶରେ ତାଲିବାନ ବିରୋଧରେ କ୍ରମାଗତ ବିରୋଧ ଜାରି ରହିଛି। ଏଥିସହିତ ସ୍ଥାନୀୟ ମୁଜାହିଦ୍ଦିନ ସଂଗ୍ରାମୀମାନେ କିଛି ତାଲିବାନଙ୍କୁ ହତ୍ୟା କରି ସେମାନଙ୍କୁ ପୋଲ-ଏ-ହେସାର, ଦେହ ସାଲାହ ଏବଂ ବାନୁ ଜିଲ୍ଲାରୁ ପଛକୁ ଫେରିବାକୁ ବାଧ୍ୟ କରିଥିବା ଜଣାପଡ଼ିଛି। ଏହି ସମସ୍ତ ଜିଲ୍ଲା ବାଗଲାନ୍ ପ୍ରଦେଶର ଅଟେ। ଖେର ମହମ୍ମଦ ଆଣ୍ଡ୍ରାବୀଙ୍କ ନେତୃତ୍ୱରେ ସଂଗ୍ରାମୀମାନେ ତାଲିବାନଙ୍କ ହାତରୁ ଏହି ଅଞ୍ଚଳ ଦଖଲ କରିଥିବା ଦାବି କରିଛନ୍ତି। ତେବେ ତାଲିବାନ ପକ୍ଷରୁ ଏ ସମ୍ପର୍କରେ କୌଣସି ବିବୃତି ଦିଆଯାଇ ନାହିଁ। ଆଫଗାନିସ୍ତାନ ନ୍ୟୁଜ୍ ଏଜେନ୍ସି ଅସବକା ଅନୁଯାୟୀ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ଅନେକ ତାଲିବାନ ଆହତ ହୋଇଛନ୍ତି କିମ୍ବା ମୃତ୍ୟୁବରଣ କରିଛନ୍ତି। ମୁଜାହିଦ୍ଦିନ ସଂଗ୍ରାମୀମାନେ କହିଛନ୍ତି ଯେ, ଏହି ୩ଟି ଜିଲ୍ଲା ଦଖଲ ପରେ ଏବେ ସେମାନେ ତାଲିବାନ ହାତରୁ ଅନ୍ୟ ଜିଲ୍ଲାକୁ ନେବା ପାଇଁ ଆଗକୁ ବଢୁଛନ୍ତି। ନ୍ୟୁଜ୍ ଏଜେନ୍ସି ଦ୍ୱାରା ପ୍ରକାଶିତ ଭିଡିଓରେ, ମୁଜାହିଦ୍ଦିନ ସଂଗ୍ରାମୀମାନେ ଦଖଲ କରିଥିବା ଜିଲ୍ଲାରେ ଲୋକମାନେ ଆଫଗାନିସ୍ତାନର ପତାକା ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି।
ତାଲିବାନ ହାତରୁ ୩ଟି ଜିଲ୍ଲା ଛଡ଼ାଇ ନେଲେ ମୁଜାହିଦ୍ଦିନ ସଂଗ୍ରାମୀ: ଏକାଧିକ ତାଲିବାନ ସଂଗ୍ରାମୀ ମୃତ

Share Now: