ୱେବ୍‌ ପୋର୍ଟାଲ ନାଁରେ ଅପହରଣ ଓ ଟଙ୍କା ଆଦାୟର ପର୍ଦ୍ଦାଫାସ୍‌: ସାମ୍ବାଦିକା ସମେତ ୫ ବନ୍ଧା ହେଲେ

ସାମ୍ବାଦିକା ସମେତ ୫ ବନ୍ଧା ହେଲେ

ମାଷ୍ଟରମାଇଣ୍ଡ୍ ରାଜ୍ ଓ ୩ ସହଯୋଗୀ ଫେରାର୍‌,ସାମ୍ବାଦିକାଙ୍କୁ ତଡ଼ିପାର୍ କରାଯିବ: ଡିସିପି

ଭୁବନେଶ୍ବର/ବାରଙ୍ଗ : ‘ତୁ ହେଲୁ ଆମର ୨୮ ନମ୍ବର ଶିକାର। ତୋରି ପାଇଁ ଆମର ଖଣିମାଲିକ ସହ ହୋଇଥିବା କୋଟିଏ ଟଙ୍କାର ଡିଲ୍ ବାତିଲ ହୋଇଗଲା। ତେଣୁ ତମେ ଦି’ଟା ୫ ଲକ୍ଷ ଲେଖାଏଁ ମୋଟ ୧୦ ଲକ୍ଷ ଦେଲେ ଏଠାରୁ ଛାଡ଼ ପାଇବ। ନଚେତ୍ ଏଠାରୁ ଯାଇପାରିବନି। ସେମିତିରେ ମାସକୁ ମାସ ଥାନାକୁ ମୁଁ ଲକ୍ଷଲକ୍ଷ ଟଙ୍କା ଦେଉଛି। ପୁଲିସ ମୋର କିଛି କହିପାରିବ ନାହିଁ।’ ଇଏ ‌କୌଣସି କ୍ରାଇମ୍‌ ଥ୍ରିଲର୍‌ ଚଳଚ୍ଚିତ୍ରର ସଂଳାପ ନୁହେଁ। ‘ଲାଇଭ୍ କଳିଙ୍ଗ ନିଉଜ୍’ ନାଁରେ ଏକ ୱେବ୍‌ପୋର୍ଟାଲ ଖୋଲି ‌ଲୋକଙ୍କୁ ଅପହରଣ କରି ନିର୍ଯାତନା ଦେଉଥିବା ଏବଂ ମୁଣ୍ଡଜାମିନ ରଖି ଲକ୍ଷଲକ୍ଷ ଟଙ୍କା ଆଦାୟ କରୁଥିବା ଏକ ଆପରାଧିକ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍ ରଘୁରାମ ସାହୁ ଓରଫ୍ ରାଜ ଏବଂ ତା’ର ସହଯୋଗୀ ସାମ୍ବାଦିକା ପ୍ରିୟମ୍ବଦା ନାୟକ ଓରଫ ଗୁଡ୍ଡିର ଧମକପୂର୍ଣ୍ଣ ବା‌ର୍ତ୍ତାଳାପର କିଛି ଅଂଶ। କିଛି ଦିନ ତଳେ ଏହି ଗ୍ୟାଙ୍ଗ୍‌ର ୧୦ରୁ ଅଧିକ ସଦସ୍ୟ ଜଣେ ଟ୍ରକ୍ ମାଲିକ ଓ ତା‌ଙ୍କ ସହଯୋଗୀକୁ ଅପହରଣ କରି ନେଇ ୨ ଦିନ କାଳ ଅକଥନୀୟ ନିର୍ଯାତନା ଦେବା ଏବଂ ବ୍ଲାକ୍‌ମେଲ୍ କରି ୧୦ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ସଂପୃକ୍ତ ସାମ୍ବାଦିକା ସମେତ ୫ ଜଣଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ପୋର୍ଟାଲ ଲାଇଭ୍ କଳିଙ୍ଗ ନ୍ୟୁଜ୍‌ର ସାମ୍ବାଦିକା ପ୍ରିୟମ୍ବଦା ଓରଫ୍ ଗୁଡ୍ଡି, କ୍ୟାମେରାମ୍ୟାନ୍ ରାକେଶ, ସହଯୋଗୀ ଅବିନାଶ ପାତ୍ର, ସୁରକ୍ଷା କର୍ମୀ ମମତା ସାହୁ ଓ ସୋନୁ। ତେବେ ୱେ୍‌ ପୋର୍ଟାଲର ମାଲିକ ରାଜ୍‌ ଓ ୩ ସହଯୋଗୀମାନେ ଫେରାର୍ ହୋଇଯାଇଛନ୍ତି। ପୁଲିସ ସେମାନଙ୍କୁ ଧରିବା ପାଇଁ ତନାଘନା ଚଳାଇଥିବାବେଳେ ରାଜ ଓ ଗୁଡ୍ଡିଙ୍କୁ ତଡ଼ିପାର୍ କରିବ ବୋଲି ଡିସିପି ଉମାଶଙ୍କର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।
ଏମିତି ହୋଇଥିଲା ଅପହରଣ
ଅଗଷ୍ଟ ୨ ତାରିଖରେ କେନ୍ଦ୍ରାପଡ଼ାର ଜଣେ ଟ୍ରକ୍‌ ମାଲିକ ପୂର୍ଣ୍ଣଚନ୍ଦ୍ର ସାହୁ ଖଣି କାରବାରରେ ଫାଇନାନ୍ସ ଯୋଗାଡ଼ ଲାଗି ଭୁବନେଶ୍ବରରେ କିଛି ଲୋକଙ୍କ ସହ ସାକ୍ଷାତ କରିବାକୁ ଆସିଥିଲେ। ଏଠାରେ ପୂର୍ଣ୍ଣଚନ୍ଦ୍ରଙ୍କ ସହ ପୂର୍ବରୁ ପରିଚିତ ଥିବା ପଶ୍ଚିମବଙ୍ଗ ଆସାନସୋଲ୍‌ର ଭିଗୁନାଥ ସିଂହଙ୍କର ଭେଟ ହୋଇଥିଲା ଏବଂ ସେ ତାଙ୍କୁ ଏଥିରେ ସହଯୋଗ କରିବେ ବୋଲି କହିଥିଲେ। ଭିଗୁନାଥ ତାଙ୍କୁ ବିଭିନ୍ନ ବ୍ୟକ୍ତିଙ୍କ ନିକଟକୁ ନେଇ ଦେଖା କରାଇଥିଲେ ମଧ୍ୟ ଆବଶ୍ୟକ ପରିମାଣର‌ରେ ଫାଇନାନ୍ସିଂ ଯୋଗାଡ଼ ହୋଇ ପାରି ନଥିଲା। ଶେଷରେ ଭିଗୁନାଥ ତାଙ୍କର ଜଣେ ସାଙ୍ଗ ରାମାନୁଜ ମିଶ୍ରଙ୍କ ସହଯୋଗରେ ରଘୁରାମ ସାହୁ ଓରଫ୍‌ ରାଜଙ୍କ ଠିକଣା ପାଇଥିଲେ ଏବଂ ଅଗଷ୍ଟ ୫ତାରିଖରେ ପୂର୍ଣ୍ଣଚନ୍ଦ୍ରଙ୍କ ସହ ଯୋଗାଯୋଗ କରାଇଥିଲେ। ସେହିଦିନ ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ର ରାଜଙ୍କୁ ଭେଟିବାକୁ ଯାଇଥିବାବେଳେ ସେ ତାଙ୍କୁ ଗହଣା ବ୍ୟବସାୟୀ ସଂଜୟ ହଂସଙ୍କ ଖାସ୍ ଲୋକ ବୋଲି ପରିଚୟ ଦେଇଥିଲେ ଏବଂ ସଂଜୟ ହଂସଙ୍କୁ ଦେଖାକଲେ ୫୦ଲକ୍ଷ ଟଙ୍କା ଫାଇନାନ୍ସ ମିଳିବ ବୋଲି କହିଥିଲେ। ତେବେ ରାଜ ସେମାନଙ୍କୁ ଫସାଇବା ଲାଗି ଭିଗୁନାଥ ଓ ପୂର୍ଣ୍ଣଚନ୍ଦ୍ରଙ୍କୁ ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରସ୍ଥିତ ପେଟ୍ରୋଲ ପମ୍ପ ପାଖକୁ ଡକାଇଥିଲା। ଉଭୟ ସେଠାରେ ପହଞ୍ଚିବା ପରେ ରାଜ୍ ନିଜର କିଛି ସୁରକ୍ଷାକର୍ମୀଙ୍କୁ ପଠାଇ ସେମାନଙ୍କୁ ନିକଟସ୍ଥ ମାରୁତି ରେସଡେନ୍ସିକୁ ନେଇଯାଇଥିଲା। ସେଠାରେ ରାଜଙ୍କ ୱେବପୋର୍ଟାଲର କାର୍ଯ୍ୟାଳୟ ଚାଲୁଥିଲା। ପୂର୍ଣ୍ଣଚନ୍ଦ୍ର ଓ ଭିଗୁନାଥ ‌ସେଠାରେ ପହଞ୍ଚିବା ମାତ୍ରେ ମମତା ସାହୁ ନାମକ ଜଣେ ଜଣେ ମହିଳା ସୁରକ୍ଷାକର୍ମୀ ଉଭୟଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲା ଏବଂ ସେମାନଙ୍କୁ ଗୋଟିଏ ରୁମ୍‌ରେ ବନ୍ଦ କରି ଦେଇଥିଲା। ଏହାପରେ ରାଜ, ସାମ୍ବାଦିକା ଗୁଡ୍ଡିଙ୍କ ସହ ଅନ୍ୟ ସହଯୋଗୀମାନେ ସେମାନଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ପୂର୍ଣ୍ଣ ଓ ଭିଗୁନାଥଙ୍କୁ ସେମାନେ ନିସ୍ତୁକ ମାଡ଼ ମାରିବା ସହିତ ଉଭୟଙ୍କୁ ଉଲଗ୍ନ କରି ଦେହରେ ସିଗାରେଟ୍ ଚେଙ୍କ ମଧ୍ୟ ଦେଇଥିଲେ। କେବଳ ସେତିକି ନୁହେଁ, ସମସ୍ତେ ମଦ ନିଶାରେ ଚୂର୍‌ ହୋଇ ସାଉଣ୍ଡ ସିଷ୍ଟମ୍‌ରେ ଗୀତ ବଜାଇ ଦୁଇଜଣଙ୍କୁ ନଚାଇଥିଲେ। ଆଉ ନାଚ ବନ୍ଦ କଲେ ଆରମ୍ଭ ହେଉଥିଲା ମାଡ଼। ରଡ୍ ଓ ବାଡ଼ିରେ ମାରି ଉଭୟଙ୍କ ଶରୀର ସାରା ନୋଳା ବସାଇ ଦେଇଥିଲେ। ସେମାନେ ଉଭୟଙ୍କ ପକେଟରେ ଥିବା ପ୍ରାୟ ୩୦ହଜାର ଟଙ୍କା ଛଡ଼ାଇନେବା ପରେ ୧୦ଲକ୍ଷ ଟଙ୍କା ନଦେଲେ ଏଠାରୁ ଯାଇପାରିବ ନାହିଁ ବୋଲି କହିଥିଲେ। ଖଣି ମାଲିକ ପାଖରୁ ରାଜ୍ ପାଇବାକୁ ଥିବା କୋଟିଏ ଟଙ୍କାର ଡିଲ୍ ପୂର୍ଣ୍ଣଚନ୍ଦ୍ରଙ୍କ ପାଇଁ ବାତିଲ ହୋଇଥିବା କହି ସେମାନେ ଉଭୟଙ୍କ ଘରୁ ଆଣି ଟଙ୍କା ଦେଲେ ଏଠାରୁ ଛାଡ଼ ପାଇବେ ବୋଲି କହିଥିଲେ। ଏମାନଙ୍କ କବଳରୁ ବର୍ତ୍ତିବା ପାଇଁ ପୂର୍ଣ୍ଣଚନ୍ଦ୍ର ବାଧ୍ୟ ହୋଇ ତାଙ୍କ ସ୍ତ୍ରୀଙ୍କୁ ଫୋନ୍ କରିବାରୁ ସେ ଅନ୍‌ଲାଇନ୍‌ରେ ରାଜଙ୍କ ଆକାଉଣ୍ଟକୁ ୫୦ ହଜାର ଟଙ୍କା ପଠାଇଥିଲେ। ମାତ୍ର ଏତିକିରେ ସେମାନଙ୍କ ମନ ଭରି ନ ଥିଲା। ଦୁଇଦିନ କାଳ ଅଟକ ରଖି ସେମାନଙ୍କୁ ମାରଧର ଜାରି ରଖିଥିଲେ ରାଜ ଓ ତାଙ୍କ ସହଯୋଗୀ। ଏହାରି ଭିତରେ ପୂର୍ଣ୍ଣଚନ୍ଦ୍ର ଓ ଭିଗୁନାଥଙ୍କୁ ରାଜ ଅପହରଣ କରିଥିବା କଥା ଜାଣିବାକୁ ପାଇ ରାମାନୁଜ ଏ ବିଷୟରେ ପୁଲିସକୁ ଜଣାଇଦେବେ ବୋଲି ଧମକ ଦେଇଥିଲେ। ଫଳରେ ରାଜ୍ ଉଭୟଙ୍କୁ ଛାଡ଼ିଦେଇ ଫେରାର୍ ହୋଇଯାଇଥିଲା। ଏହାପରେ ଉଭୟ ଘରକୁ ଫେରି ପରିବାର ଲୋକଙ୍କୁ ସବୁକଥା କହିଥିଲେ। ତେବେ ଉଭୟଙ୍କ ଅବସ୍ଥା ଗୁରୁତର ଥିବା ସହ ଭିଗୁନାଥଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିବାରୁ ସେମାନେ ସଂଗେ ସଂଗେ ଏ ନେଇ ପୁଲିସରେ ଅଭିଯୋଗ କରି ନ ଥିଲେ। ଉଭୟ ସାମାନ୍ୟ ସୁସ୍ଥ ହେବା ପରେ ଗତକାଲି ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଚଢ଼ାଉ କରି ଗୁଡ୍ଡି ସମେତ ୫ଜଣଙ୍କୁ ଗିରଫ କରିଥିଲା। ଏହା ସହିତ ପୁଲିସ ପୂର୍ଣ୍ଣଚନ୍ଦ୍ର ଓ ଭିଗୁନାଥଙ୍କୁ ଯେଉଁ ଭଡ଼ା ଘରେ(ମାରୁତି ରେସିଡେନ୍ସି) ବନ୍ଦ ରଖି ମାଡ଼ ମରାଯାଇଥିଲା; ଉକ୍ତ ଘରକୁ ସିଲ୍ କରିବା ସହ ଅଫିସ୍‌ରୁ ଅନେକ କମ୍ପ୍ୟୁଟର, ଟଙ୍କା ଗଣିବା ମେସିନ୍, କ୍ୟାମେରା, ବୁମ୍, ଆଇକାର୍ଡ, ସୁରକ୍ଷା କର୍ମଚାରୀଙ୍କ ବନ୍ଧୁକ, ଲୁହା ରଡ୍, ପାଇପ୍ ଏବଂ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା।
ଆଜି ଏ ସଂପର୍କରେ ସୂଚନା ଦେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଖୁବ୍ ଶୀଘ୍ର ମୁଖ୍ୟ ଅଭିଯୁକ୍ତ ରାଜ୍ ସମେତ ଅନ୍ୟ ଅପରାଧୀଙ୍କୁ ଗିରଫ କରାଯିବ। ଏହାଛଡ଼ା ସାମ୍ବାଦିକ ପରିଚୟ ଦେଇ ଦାଦାବଟିଠୁ ଆରମ୍ଭ କରି ଏଭଳି ଆପରାଧିକ କାଣ୍ଡରେ ଲିପ୍ତ ଥିବା ସମସ୍ତଙ୍କୁ ତଡ଼ିପାର୍‌ କରାଯିବ। ଏଥିପାଇଁ ସିଆର୍‌ପିସିର ଧାରା ୧୧୦ରେ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସେ କହିଛନ୍ତି।

Share Now:

Kalinga News Beuro

Next Post

ପାକିସ୍ତାନରେ ଜନ୍ମାଷ୍ଟମୀ ପାଳନକୁ ବିରୋଧ: ମନ୍ଦିର ଭାଙ୍ଗିଲେ ଧର୍ମାନ୍ଧ ଜନତା

Mon Aug 30 , 2021
ଇସଲାମାବାଦ : ପାକିସ୍ତାନରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର, ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ସାରା ବିଶ୍ବରେ ଭଗବାନ ଶ୍ରୀକୃଷ୍ଣଙ୍କ ଧରାବତରଣ ପାଳନ କରାଯାଉଥିବାବେଳେ ପାକିସ୍ତାନର ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରାଯାଇଛି। ପାକିସ୍ତାନର ସିନ୍ଧ ପ୍ରଦେଶସ୍ଥିତ ଖିପ୍ରୋଠାରେ ହିନ୍ଦୁମାନେ ଏକ ମନ୍ଦିରରେ ଜନ୍ମାଷ୍ଠମୀ ପାଳନ କରୁଥିବାବେଳେ କିଛି ସ୍ଥାନୀୟ ଲୋକ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେମାନେ ମନ୍ଦିରର ଶ୍ରୀବିଗ୍ରହ […]
ପାକିସ୍ତାନରେ ଜନ୍ମାଷ୍ଟମୀ ପାଳନକୁ ବିରୋଧ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial