ବେଙ୍ଗାଲୁରୁ : କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବେଙ୍ଗାଲୁରୁର ଏକ ମିଲିଟାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ଗୃପ କ୍ୟାପଟେନ ବରୁଣ ସିଂଙ୍କ ସ୍ବସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ଲାଇଫ୍-ସପୋର୍ଟ ସିଷ୍ଟମ (ଜୀବନ ରକ୍ଷାକାରୀ ବ୍ୟବସ୍ଥା)ରେ ରଖାଯାଇଛି। ତେବେ ଭୋପାଳରେ ରହୁଥିବା ତାଙ୍କ ପିତା ତଥା ଭାରତୀୟ ସେନାରୁ ଅବସରନେଇଥିବା କର୍ଣ୍ଣେଲ କେ.ପି.ସିଂ କହିଛନ୍ତି ଯେ ବରୁଣ ବଞ୍ଚିଯିବେ କାରଣ ସେ ଜଣେ ଯୋଦ୍ଧା। ଗତ ବୁଧବାରଦିନ କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ଏମଆଇ-୧୭ ହେଲିକପ୍ଟରରେ ସିଡିଏସ ବିପିନ ରାଓ୍ବତଙ୍କ ସମେତ ମୋଟ ୧୪ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣ ପ୍ରାଣ ହରାଇଥିବାବେଳେ କେବଳ ବରୁଣ ହିଁ ଏପର୍ଯ୍ୟନ୍ତ ମୃତ୍ୟୁ ସହ ଲଢେଇ କରିଚାଲିଛନ୍ତି। ତାଙ୍କ ପିତା କର୍ଣ୍ଣେଲ କେ.ପି.ସିଂ କହିଛନ୍ତି ଯେ ବରୁଣଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅସ୍ଥିରତା ଦେଖାଦେଉଛି। ତେବେ କମାଣ୍ଡ ହସପିଟାଲର ବିଶେଷଜ୍ଞ ଡାକ୍ତରମାନେ ପ୍ରତି ଘଣ୍ଟାରେ ତାଙ୍କ ସ୍ବାସ୍ଥ୍ୟବସ୍ଥାର ଯାଞ୍ଚ କରୁଛନ୍ତି। ସଂକଟାପନ୍ନ ଥିବା ସତ୍ତ୍ବେ ବରୁଣ ବଞ୍ଚିଯିବେ ବୋଲି ସେ ଆଶା କରିଛନ୍ତି। କାରଣ ସେ ଜଣେ ଯୋଦ୍ଧା ଓ ସାରାଦେଶବାସୀ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ଏଣୁ ମୃତ୍ୟୁ ସହ ଯୁଦ୍ଧରେ ସେ ନିଶ୍ଚିତଭାବେ ବିଜୟୀ ହୋଇ ଫେରିବେ। ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ବରୁଣଙ୍କୁ ଶୌର୍ଯ୍ୟ ଚକ୍ର ପୁରସ୍କାର ଦିଆଯାଇଥିଲା। ଏକ ଏଲଏସି ତେଜସ୍ ଲଢୁଆ ବିମାନ ଉଡ଼ାଉଥିବାବେଳେ ସେଥିରେ ତ୍ରୁଟି ଦେଖାଯାଇଥିଲା। କିନ୍ତୁ ବରୁଣ ଅସାଧାରଣ ଦକ୍ଷତା ଓ ସାହସର ପ୍ରଦର୍ଶନ କରି ସମ୍ଭାବ୍ୟ ବିମାନ ଦୁର୍ଘଟଣାକୁ ଏଡ଼ାଇଦେଇଥିଲେ।
ମୃତ୍ୟୁ ସହ ଲଢେଇରେ ମୋ ପୁଅ ଜିତିବ : ଗୃପ କ୍ୟାପଟେନ୍ ବରୁଣଙ୍କ ପିତା
Share Now: