ବିଭୂକଲ୍ୟାଣ ଭାରତର ପ୍ରଥମ ହକି ବିଶ୍ୱକପ୍‌ ସ୍ୱାସ୍ଥ୍ୟ ଅଧିକାରୀ

ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ଆୟୋଜିତ ହେବାକୁ ଥିବା ଦ୍ୱାଦଶ ହକି ବିଶ୍ୱକପ ଲାଗି ଓଡ଼ିଶାର କର୍ନେଲ ବିଭୂ କଲ୍ୟାଣ ନାୟକ ସ୍ୱାସ୍ଥ୍ୟ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଜଣେ ଦକ୍ଷ କ୍ରୀଡ଼ା ଆଘାତ ବିଜ୍ଞାନ ଏବଂ କ୍ରୀଡ଼ା ଓ ଶାରୀରିକ କ୍ରିୟା ବିଜ୍ଞାନ ବିଶେଷଜ୍ଞ ଭାବେ ପରିଚିତ ବିଭୂକଲ୍ୟାଣ ଏହି ସମ୍ମାନଜନକ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଅନ୍ତର୍ଜାତୀୟ ହକି ମହାସଂଘ ଦ୍ୱାରା ବୁଧବାର ସ୍ୱାସ୍ଥ୍ୟ ଅଧିକାରୀ ନିଯୁକ୍ତ ହେବା ରାଜ୍ୟ ପାଇଁ ଗର୍ବ ଏବଂ ଗୌରବର ବିଷୟ। ବିଭୂକଲ୍ୟାଣ ସେନା ପୃଷ୍ଠଭୂମିରୁ ଆସିଥିଲା ବେଳେ ଅତୀତରେ ଭାରତୀୟ ହକି ଦଳର ଡାକ୍ତରଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି। ଶ୍ରୀ ନାୟକ ହାଭାନା, କ୍ୟୁବା ଓ ସ୍ପେନର ମାଦ୍ରିଦରେ କ୍ରୀଡ଼ା ଶାରୀରିକ ବିଜ୍ଞାନରେ ଶିକ୍ଷା ଲାଭ କରିଛନ୍ତି। ହକି ବିଶ୍ୱକପ୍‌ରେ ଏଫ୍‌ଆଇଏଚ୍‌ ତରଫରୁ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ନିଯୁକ୍ତ ହେବାରେ ସେ ପ୍ରଥମ ଭାରତୀୟ ହୋଇଛନ୍ତି। ୧୯୯୫ ମସିହାରେ ବିଭୂକଲ୍ୟାଣ ଭାରତୀୟ ସେନାର ସ୍ୱାସ୍ଥ୍ୟ ବିଭାଗରେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପୁନେରେ ଥିବା ସେନା କ୍ରୀଡ଼ା ସଂସ୍ଥାନରେ ସେ ୬ ବର୍ଷ ଧରି ଭାରତର ବଛା ବଛା ଖେଳାଳିଙ୍କ ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ପିଲାବେଳେ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ୱପ୍ନ ଦେଖିଥିବା ବିଭୂକଲ୍ୟାଣ ସେଥିପାଇଁ କ୍ରୀଡ଼ାବିତଙ୍କ ସହ କାମ କରିବା ଆଡ଼କୁ ଢଳିଥିଲେ। ଶେଷରେ ସେ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜାତୀୟ ଦଳର ଚିକିତ୍ସକ ଭାବେ ଦେଶର ପ୍ରତିନିଧିତ୍ୱ କରିଥିଲେ। ରିଓ ଅଲିମ୍ପିକ୍ସରେ ମଧ୍ୟ ସେ ଭାରତୀୟ ହକି ଦଳର ଚିକିତ୍ସକ ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ। ୨୦୦୭ ମସିହାରେ ଭାରତୀୟ ଯୁବ ମୁଷ୍ଟିଯୁଦ୍ଧ ଦଳ ସହ କାର୍ଯ୍ୟ କରିବା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଦାୟିତ୍ୱ ଥିଲା। ବିଭୂକଲ୍ୟାଣ ଲଗାତାର ପାଞ୍ଚ ବର୍ଷ ଧରି ହକି ଇଣ୍ଡିଆ ଲିଗର ସ୍ୱାସ୍ଥ୍ୟ ଅଧିକାରୀ ଥିଲେ। ସେ ମଧ୍ୟ ଦିଲ୍ଲୀ ବିଶ୍ୱକପରେ ଭାରତୀୟ ଦଳ ସହ କାର୍ଯ୍ୟ କରିଥିଲେ। ବିଭୂକଲ୍ୟାଣଙ୍କର ୨୦୦୯-୧୦ ସୁଲତାନ ଆଜଲାନ ସାହା ହକି ୨୦୧୦ ଏସୀୟ କ୍ରୀଡ଼ା, ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳ ସହ କାମ କରିବାର ଅଭିଜ୍ଞତା ମଧ୍ୟ ରହିଛି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ଓ ୨୦୧୬ ରିଓ ପାରାଲିମ୍ପିକ୍ସରେ ମଧ୍ୟ ସେ ଭାରତୀୟ ଦଳର ମୁଖ୍ୟ ଫିଜିସିଆନ୍‌ ଥିଲେ। ଭୁବନେଶ୍ୱର ବିଶ୍ୱକପ୍‌ ପାଇଁ ବିଭୂକଲ୍ୟାଣ ଆସନ୍ତାମାସ ୯ ତାରିଖରେ ଓଡ଼ିଶା ଆସିବେ। ସେ ଏଠାରେ ୧୭ ତାରିଖ ପର୍ଯ୍ୟନ୍ତ ରହିବା ସହ ଷ୍ଟାଡିୟମ୍‌, ଖେଳାଳି ରହୁଥିବା ହୋଟେଲ ଏବଂ ପ୍ରତିଯୋଗିତା ବେଳେ ଖେଳାଳିମାନଙ୍କୁ ପ୍ରଦାନ କରାଯିବାକୁ ଥିବା ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବେ।

ଭଦ୍ରକ ଜିଲ୍ଲାର ବିଲଣା ଗ୍ରାମ ବାସିନ୍ଦା ସିତାକାନ୍ତ ନାୟକ ଏବଂ ମଞ୍ଜରୀ ନାୟକଙ୍କ ସୁପୁତ୍ର ବିଭୂକଲ୍ୟାଣ ନେତାଙ୍ଗ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକୁଲେସନ କରିଥିଲେ। ବ୍ରହ୍ମପୁରର ଖଲିକୋଟ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ୍‌ କରିବା ପରେ ବୁର୍ଲାର ଭିଏସ୍‌ଏସ୍‌ ମେଡିକାଲ କଲେଜରେ ସେ ଡାକ୍ତରୀ ପଢ଼ିବା ଆରମ୍ଭ କରିଥିଲେ। ପରେ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜରୁ ନିଜ ଏମବିବିଏସ୍‌ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ୧୯୯୫ରେ ସେନା ବାହିନୀରେ ଯୋଗ ଦେଇଥିଲେ। ବିଭୂକଲ୍ୟାଣଙ୍କ ପିତା ମୁଖ୍ୟଯନ୍ତ୍ରୀ ଭାବେ ଅବସର ନେଇଥିଲା ବେଳେ ତାଙ୍କ ମା’ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଭାବେ ଅବସର ଗ୍ରହଣ କରିଛନ୍ତି। ଭାରତୀୟ ଜୀବନ ବିମାରେ କାର୍ଯ୍ୟ କରୁଥିବା ପତ୍ନୀ ସଂଘମିତ୍ରା ବିଭୂକଲ୍ୟାଣଙ୍କୁ ସବୁ କ୍ଷେତ୍ରରେ ସାହଯ୍ୟ କରି ଆସୁଛନ୍ତି। ଏକମାତ୍ର ପୁଅ ସିଦ୍ଧାର୍ଥ ସଂପ୍ରତି ଦ୍ୱାଦଶ ଶ୍ରେଣୀରେ ପଢ଼ୁଛି। ସେ ବରମୁଣ୍ଡା ଅଞ୍ଚଳରେ ରହୁଥିବା ତ୍ରିଲୋକନାଥ ପଣ୍ଡା ଏବଂ ପୁଷ୍ପଲତା ପଣ୍ଡାଙ୍କ ଜ୍ୱାଇଁ।

Share Now:

Kalinga News Beuro

Leave a Reply

Next Post

ଦୁର୍ଘଟଣାରୁ ବିବାଦ: ବିଚ୍‌ ରାସ୍ତାରେ ଡାକ୍ତର ଓ ନର୍ସଙ୍କୁ ମାଡ଼

Thu May 31 , 2018
ଅନୁଗୋଳ: ରାସ୍ତା ମଝିରେ ଜଣେ ଡାକ୍ତରଙ୍କୁ ମାଡ଼ ମାରିବା ସହ ନର୍ସଙ୍କୁ ଟଣାଓଟରା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଅନୁଗୋଳ ସହରରେ। ଏକ ଘରୋଇ କ୍ଲିନ୍‌କର ଜଣେ ଡାକ୍ତର ଓ ନର୍ସ ବୋଲେରୋରେ କ୍ଲିନିକ୍‌ ଯାଉଥିବା ବେଳେ ତାଙ୍କ ଗାଡ଼ି ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍କୁଟି ଚାଳକ ଉଭୟ ଡାକ୍ତର, ନର୍ସ ଓ ଗାଡି ଡ୍ରାଇଭରଙ୍କୁ ବୋଲେରୋରୁ ଟାଣି ଆଣି ରାସ୍ତା ଉପରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial