ହାଇକୋର୍ଟରେ ମମିତା ମେହେର ହତ୍ୟା ମାମଲା : ମୁଦା ଲଫାପାରେ ଦାଖଲ ହେଲା ତଦନ୍ତର ଷ୍ଟାଟସ୍ ରିପୋର୍ଟ

ହାଇକୋର୍ଟ

କଟକ: ମମିତା ମେହେର ହତ୍ୟା ମାମଲାରେ ତଦନ୍ତର ଅଗ୍ରଗତି ସମ୍ପର୍କରେ ସରକାର ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି। ଆଜି ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଓ ଭାଇ ବଣ୍ଟି ମେହେରଙ୍କ ଆବେଦନର ଶୁଣାଣି ସମୟରେ ସରକାରଙ୍କ ତରଫରୁ ମୁଦା ଲଫାପାରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଥିଲା। ତଦନ୍ତର ତଦାରଖ ପାଇଁ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏ.ବି.ଏସ. ନାଇଡୁଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଭାରତୀୟ ବିକାଶ ପରିଷଦ ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶଙ୍କ ତରଫରୁ ଇଣ୍ଟରଭେନସନ୍ ପିଟିସନ୍ ଦାଖଲ କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ଏହି ମାମଲାରେ ପକ୍ଷଭୁକ୍ତ ପାଇଁ କଳାହାଣ୍ଡି ମେହେର ସମାଜ ପକ୍ଷରୁ ଏକ ଇଣ୍ଟରଭେନସନ୍ ପିଟିସନ୍ ଦାଖଲ କରାଯାଇଥିଲା। ୨୦୨୨, ଜାନୁଆରି ୨୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ, ମମିତା ମେହେରଙ୍କ ମୃତ୍ୟୁ ଘଟଣା ନେଇ ସିନ୍ଧେକେଲା ଥାନାରେ ରୁଜୁ ମାମଲାର ତଦନ୍ତ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଶେଷ କରାଯାଉ ବୋଲି ଦର୍ଶାଇ ମମିତାଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ଦାୟର ଆବେଦନରେ ଦର୍ଶାଯାଇଛି ଯେ ମମିତାଙ୍କ ହତ୍ୟା ସମ୍ପର୍କିତ ମାମଲାର ତଦନ୍ତ ଚାଲିଥିବା ବେଳେ ଏହାକୁ ଚାଞ୍ଚଲ୍ୟକର ଘଟଣା ଭାବେ ଗଣମାଧ୍ୟମ ଓ ରାଜନୈତିକ ଦଳ ଦର୍ଶାଉଛନ୍ତି। ମମିତାଙ୍କ ଚରିତ୍ର ଉପରେ ଆପତ୍ତିଜନକ କଥା କୁହାଯାଉଛି। ପୀଡିତ ପରିବାରର ଭାବନା ଓ ମୃତକଙ୍କ ପ୍ରତି କୌଣସି ସମ୍ମାନ ପ୍ରସଙ୍ଗକୁ ବିଚାରକୁ ନିଆଯାଉ ନାହିଁ। ଏହି ଘଟଣାରେ ଅକ୍ଟୋବର ୨୦ରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିଲା। ଏଥି ସହିତ ରାଧେଶ୍ୟାମକୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଥିଲା। ଅପରାଧରେ ଅଭିଯୁକ୍ତ ଗୋବିନ୍ଦ ସମ୍ପୃକ୍ତ ଥିବା ନେଇ ସ୍ବୀକାର କରିଥିଲା। ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମୃତ ପୀଡିତାଙ୍କ ଚରିତ୍ରକୁ ନେଇ ଅପମାନଜନକ ମନ୍ତବ୍ୟ ଦିଆଯାଇଥିଲା। ଏହି ସମଗ୍ର ମାମଲାର ରାଜନୈତିକ ଦଳ ଗୁଡିକ ରାଜନୀତିକରଣ କରିଛନ୍ତି। ପୀଡିତ ଓ ଶୋକସନ୍ତପ୍ତ ପରିବାରର ମର୍ଯ୍ୟାଦା ହାନି ହୋଇଛି। କେତେକ ଗଣମାଧ୍ୟମରେ ମିଛ ଖବର ପ୍ରସାରଣ କରାଯାଇଥିଲା। ଏଭଳି ଘଟଣା ଆବେଦନକାରୀ ଓ ଅନ୍ୟ ପରିବାର ସଦସ୍ୟଙ୍କୁ ଗଭୀର ଆଘାତ ଦେଇଛି। ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ପୁଲିସ ଚାର୍ଜସିଟ୍ ଦାଖଲ କରି ନାହିଁ। ତଦନ୍ତ ଚାଲିଥିବା ସ୍ଥିତିକୁ ରାଜନୈତିକ ଦଳ ଓ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ପୀଡିତାଙ୍କ ଚିରିତ୍ର ସଂହାର କରାଯାଉଛି। ଘର ବାହାରେ ଗଣମାଧ୍ୟମ ଭ୍ୟାନ ଗୁଡିକ କ୍ୟାମ୍ପ୍ କରି ଆବେଦନକାରୀଙ୍କ ମତାମତ ନେବାକୁ ଉଦ୍ୟମ କରୁଛନ୍ତି।
ଆବେଦନକାରୀଙ୍କ ଭାବନାକୁ ବିଚାରକୁ ନିଆଯାଉ ନାହିଁ। ଆବେଦନକାରୀଙ୍କ ବ୍ୟକ୍ତିଗତ ‌ଜୀବନରେ ହସ୍ତକ୍ଷେପ କରିବାରୁ ଗଣମାଧ୍ୟମକୁ ନିବୃତ୍ତ ରଖିବା ପ୍ରସଙ୍ଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ଏ ନେଇ କୌଣସି ସହଯୋଗ ମିଳୁ ନାହିଁ। ଏଭଳି ସ୍ଥିତିରେ ପୀଡିତାଙ୍କ ବାପା‌ ଓ ଭାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ବାଧ୍ୟ ହୋଇଛନ୍ତି। ଯଥାଶୀଘ୍ର ଘଟଣାର ତ୍ବରିତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଉ। ଏହାଦ୍ବାରା ପୀଡିତା ତ୍ବରିତ ନ୍ୟାୟ ପାଇ ପାରନ୍ତି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ବ୍ୟକ୍ତିଗତ ଗୋପନୀୟତା ପ୍ରସଙ୍ଗରେ ଆବେଦନକାରୀଙ୍କ ରହିଥିବା ମୌଳିକ ଅଧିକାର ସୁରକ୍ଷିତ ରଖିବା ଲାଗି ତଥା ଗଣମାଧ୍ୟମ ଓ ରାଜନୈତିକ ଦଳ ନିକଟରୁ ପୀଡିତ ପରିବାରକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ଆବେଦନକାରୀ ଓ ପୀଡିତ ପରିବାର ସଦସ୍ୟଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାର ସୁରକ୍ଷିତ ରଖିବା ପ୍ରସଙ୍ଗରେ ଅନ୍ତରୀଣ ନିର୍ଦ୍ଦେଶ ପ୍ରାର୍ଥନା କରି ଏକ ଅନ୍ତରୀଣ ଆବେଦନ ମଧ୍ୟ ଦାଖଲ କରାଯାଇଛି। ମାମଲାରେ ରାଜ୍ୟ ଗୃହ ବିଭାଗ, ପୁଲିସ ଡିଜି, ବଲାଙ୍ଗୀର ଏସପି, ଜିଲ୍ଲାପାଳ ଓ ସି‌ନ୍ଧେକେଲା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ ମହାନ୍ତି ଓ ଆଇନଜୀବୀ ସୌମ୍ୟରଞ୍ଜନ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

Share Now:

Kalinga News Beuro

Next Post

ଖରସ୍ରୋତା ପାନୀୟଜଳ ପ୍ରକଳ୍ପ ବିରୋଧରେ ରାସ୍ତାରୋକ

Thu Dec 23 , 2021
ନିର୍ମାଣ କାମ ବନ୍ଦ ନହେଲେ ପ୍ରକଳ୍ପ ଭାଙ୍ଗିବାକୁ ଚେତାବନୀ କେନ୍ଦ୍ରାପଡ଼ା: ଖରସ୍ରୋତା ନଦୀରେ ନିର୍ମାଣ ହେଉଥିବା ମେଗା ପାନୀୟଜଳ ପ୍ରକଳ୍ପ ବିରୋଧରେ ପୁଣି ରାସ୍ତାରୋକ କରାଯାଇଛି। କେନ୍ଦ୍ରାପଡା ରାଜକନିକା ବ୍ଲକର ବରୁଣାଡ଼ିଆ ପଡ଼ିଆରେ ନିର୍ମାଣ ହେଉଥିବା ମେଗା ପାନୀୟଜଳ ପ୍ରକଳ୍ପକୁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଦୀର୍ଘ ୨ ବର୍ଷ ହେବ ବିରୋଧ କରି ଆସୁଛି। ଏହି ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନକାରୀମାନେ ଜେଲ ମଧ୍ୟ ଯାଇଛନ୍ତି। ତଥାପି ପ୍ରକଳ୍ପ […]
ଖରସ୍ରୋତା ପାନୀୟଜଳ ପ୍ରକଳ୍ପ ବିରୋଧରେ ପୁଣି ରାସ୍ତାରୋକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial