୩ ଦଶନ୍ଧିର ଲଢ଼େଇ ୧୧ ଘଣ୍ଟାରେ ଦଖଲ

ମାଟିରେ ମିଶିଲା ଇନ୍ଦିରା ସ୍କୁଲ୍‌ , ମ୍ୟୁଜିୟମ୍‌ ଅଫ୍‌ ଅର୍ବାନ ହିଷ୍ଟ୍ରି ପାଇଁ ବାଟ ଫିଟିଲା

ଭୁବନେଶ୍ୱର: ତିନି ଦଶନ୍ଧି ଧରି ଲାଗି ରହିଥିବା ଲଢ଼େଇରେ ଯବନିକା ପଡ଼ିଛି। ୩୦ ବର୍ଷର ନ୍ୟାୟିକ ଲଢ଼େଇ ପରେ ଏଜି ଛକରେ ଜବରଦଖଲରେ ଥିବା ଜମିକୁ ଦଖଲ କରିଛନ୍ତି ରାଜ୍ୟ ସରକାର। ସେଣ୍ଟ୍ରାଲ୍‌ ଏନ୍‌ଫୋର୍ସମେଣ୍ଟ୍‌ ମନିଟରିଂ କମିଟି (ସିଇଏମ୍‌ସି) ସକାଳ ୬ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୧୧ ଘଣ୍ଟାର କସରତ ପରେ ଇନ୍ଦିରା ଇଂରାଜୀ ମାଧ୍ୟମ ସ୍କୁଲ୍‌ ମାଡ଼ି ବସିଥିବା ୧.୩ ଏକର ଜାଗାକୁ ଉଚ୍ଛେଦ କରି ଦଖଲକୁ ଆଣିଛି। ଏଥିସହ ‘ଭୁବନେଶ୍ୱର ମ୍ୟୁଜିୟମ ଅଫ୍‌ ଅର୍ବାନ ହିଷ୍ଟ୍ରି’ ପାଇଁ ପଥ ପରିଷ୍କାର ହୋଇଛି। ଖାଲି ସେତିକି ନୁହେଁ, ଏହି ଜମିର ଚତୁଃପାର୍ଶ୍ୱରେ ପାଚେରି କରି ତୁରନ୍ତ କାନ୍ଥ କରିବା ପାଇଁ ନିଅଁ ଖୋଳିଛି।

ଏହି ଜମି ଉପରେ ଭୁବନେଶ୍ୱରର ଐତିହ୍ୟ ସମେତ ଇତ୍ତିବୃତ୍ତିର ପରିପ୍ରକାଶ ପାଇଁ ଦେଶରେ ପ୍ରଥମ ଥର ପାଇଁ ଏହିଭଳି ଏକ ସଂଗ୍ରହାଳୟର ପରିକଳ୍ପନା କରାଯାଇଥିବା ବେଳେ ସିଇଏମ୍‌ସି ସମେତ ସାଧାରଣ ପ୍ରଶାସନ, ବିଡିଏ, ବିଏମ୍‌ସି ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପାଇଁ ଏହା ଥିଲା ଏକ ବିରଳ ସଫଳତା। ଏଜି ଛକ ନିକଟରେ ଭୁବନେଶ୍ୱର କ୍ଲବ୍‌କୁ ଲାଗି ମୋଟ୍‌ ୨.୩ ଏକର ଜମି ରହିଥିଲେ ହେଁ ରଘୁ ରାୟ ନାମକ ଜଣେ ବ୍ୟକ୍ତି ୧୯୮୮ ମସିହାରେ ଉକ୍ତ ଜମିରୁ ୧.୩ ଏକର ଜମି ଜବରଦଖଲ କରି ଇନ୍ଦିରା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସ୍ଥାପନ କରିଥିଲେ। ଏଥିସହ ସମ୍ପୃକ୍ତ ବ୍ୟକ୍ତି ଉକ୍ତ ଜମିର ଜାଲିଆତି(ଜିଏ ଲ୍ୟାଣ୍ଡ୍‌) ରେକର୍ଡ ପ୍ରସ୍ତୁତ କରି ତା ଉପରେ ସିବିଏସ୍‌ଇ ଅନୁବନ୍ଧିତ ସ୍କୁଲ୍‌ ଚଳାଉଥିଲେ। କିନ୍ତୁ ଏହି ଜାଲିଆତି ମାମଲା କୋର୍ଟକୁ ଯିବା ପରେ ସିବିଏସ୍‌ଇ ତାଙ୍କ ସ୍କୁଲ୍‌ ସହ ହୋଇଥିବା ଆଫିଲିଏସନ୍‌କୁ ପ୍ରତ୍ୟାହାର କରିନେଇଥିଲା। ଯଦିଓ ୨୦୦୭ ମସିହାରୁ ସେଠାରେ ସ୍କୁଲ୍‌ ବନ୍ଦ କରି ଦିଆଯାଇଥିଲା, ମାତ୍ର ସଂପୃକ୍ତ ଜାଗା ଏଯାବତ ଜବରଦଖଲରେ ରହିଥିଲା। ଜମି ଜାଲିଆତି କରିଥିବାରୁ ସାଧାରଣ ପ୍ରଶାସନ (ଜିଏ) ବିଭାଗ ଜବରଦଖଲକାରୀ ରଘୁ ରାୟଙ୍କ ବିରୋଧରେ ଏତଲା ଦାୟର କରିଥିଲା। ପରେ ଜିଏ ପକ୍ଷରୁ ଓଡ଼ିଶା ପବ୍ଲିକ୍‌ ପ୍ରେମିସେସ୍‌ (ଏଭିକ୍ସନ୍‌ ଅଫ୍‌ ଅନ୍‌ ଅଥରାଇଜ୍‌ଡ ଅକୁପାଣ୍ଟ୍‌ସ ଆକ୍ଟ ୧୯୭୨) ଓପିପିଇ ଅନୁସାରେ ଏକ କେସ୍‌ କରାଯାଇଥିଲା। ରଘୁ ରାୟ ଓପିପିଇର ନୋଟିସ୍‌କୁ ଚ୍ୟାଲେଞ୍ଜ୍‌ କରିଥିଲେ। ୨୦୦୬ରୁ ଏହା ଉପରେ ଉଚ୍ଚନ୍ୟାୟାଳୟର ସ୍ଥଗିତାଦେଶ ଥିଲା। ତେବେ ଦୀର୍ଘ ବର୍ଷର ନ୍ୟାୟିକ ଲଢ଼େଇ ପରେ ମେ ୩୧ ତାରିଖ ମଧ୍ୟରେ ସଂପୃକ୍ତ ଜାଗା ଖାଲି କରିବାକୁ ଗତ ମେ ୫ ଓ ୧୮ ତାରିଖରେ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିଲେ। ଫଳ ସ୍ୱରୂପ ଆଜି ୨ଶହ ଅଧିକାରୀ, ପୁଲିସ୍‌, ଅଗ୍ନିଶମ ବାହିନୀର ଉପସ୍ଥିତିରେ ୪ଟି ପୋକ୍ଲେନ୍‌ ମେସିନ୍‌, ୮ଟି ଏକ୍ସକାଭେଟର୍‌ ଏବଂ ୮ଟି ଟିପର ଲଗାଇ ଜବରଦଖଲରେ ଥିବା ସ୍କୁଲ୍‌ ଘରକୁ ମାଟିରେ ମିଶାଇ ଦେଇଥିଲା।

ମ୍ୟୁଜିୟମ୍‌ରେ ସ୍ଥାନ ପାଇବ ରାଜଧାନୀର ଅତୀତ ଓ ବର୍ତମାନ
ଜବରଦଖଲ ଉଚ୍ଛେଦ ପରେ ମ୍ୟୁଜିୟମ ଅଫ୍‌ ଅର୍ବାନ୍‌ ହିଷ୍ଟ୍ରି ପାଇଁ ବାଟ ଖୋଲିଛି। ଏଜି ଛକ ନିକଟରେ ଗଙ୍ଗନଗର ମୌଜାର ଖାତା ନଂ ୧୧୨ରେ ଥିବା ପ୍ଲଟ୍‌ ନଂ-୫୫୪ର ୨.୩୪୩ଏକର ଜମିରେ ହେବ ଏହି ମ୍ୟୁଜିୟମ। ସ୍ମାର୍ଟ ସିଟି ପ୍ରକଳ୍ପରେ ଏହି ସଂଗ୍ରହାଳୟ ସ୍ଥାପନ ହେବ। କେବେଠୁ ଡିପିଆର୍‌ ପ୍ରସ୍ତୁତ ସରିଥିଲେ ହେଁ ସ୍ମାର୍ଟ ସିଟି ଯୋଜନାରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ଇନ୍ଦିରା ଇଂରାଜୀ ମାଧ୍ୟମ ସ୍କୁଲ୍‌ ବାଧକ ସାଜିଥିଲା। ଏହି ସଂଗ୍ରହାଳୟରେ ଅତୀତର ଶିଶୁପାଳଗଡ଼ଠୁ ନେଇ ଆଜିର ଆଧୁନିକ ରାଜଧାନୀ ପର୍ଯ୍ୟନ୍ତ ବିବରଣୀ ଦେଖିବାକୁ ମିଳିବ। କେଉଁଠି କେଉଁ କୀର୍ତ୍ତିରାଜି, ମନ୍ଦିର, ପ୍ରମୁଖ ଅନୁଷ୍ଠାନ ଅଛି ତାହାର ନକ୍ସା ଓ ମ୍ୟାପ୍‌ ଗୋଟିଏ ଜାଗାରେ ରହିବ। ଯେ କେହିବି ଏଠାକୁ ଆସିବ ସେ ଭୁବନେଶ୍ୱରର ଆରମ୍ଭରୁ ବର୍ତମାନ ଯାଏଁ ଘଟିଥିବା ଘଟଣ ଜାଣି ପାରିବ। ଏଥିସହିତ ଭୁବନେଶ୍ୱର ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏଇଠି ପାଇପାରିବ।

Share Now:

Kalinga News Beuro

Leave a Reply

Next Post

ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଭାବପ୍ରବଣ ହୋଇ କାନ୍ଦି ପକାଇଲେ ପ୍ରଭାତ ବିଶ୍ୱାଳ

Sat Jun 2 , 2018
କଟକ : କ୍ୟାମେରା ଆଗରେ କୋହକୁ ନିୟନ୍ତ୍ରଣ କରିପାରିଲେନି ବିଧାୟକ ପ୍ରଭାତ ବିଶ୍ୱାଳ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କର ସିଟି ସ୍କାନ କରାଯାଇଥିଲା। ଏଥିଲାଗି କଟକ ବଡ଼ ଡାକ୍ତରଖାନା ଆସିଥିବା ବେଳେ ପ୍ରତିକ୍ରିୟା ଦେବାକୁ ଯାଇ କାନ୍ଦିପକାଇଛନ୍ତି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ । ସେ ଗଣମାଧ୍ୟମକୁ କହିଥିଲେ, ମୋତେ ଭାରି ନିସ୍ତେଜ ଲାଗୁଛି । ଆଉ ବଂଚିବାକୁ ଇଛା ନାହିଁ । ସତ୍ୟର ଜୟ ହେଉ। ସିସୋର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial