କ୍ୟାପିଟାଲ ହସ୍ପିଟାଲର ବିକଳ ଚିତ୍ର: ଓପିଡି ଟିକେଟ୍‌ ପାଇଁ ରାତିରୁ ଧାଡ଼ି, ୪୦ ପରେ ହତାଶ

କ୍ୟାପିଟାଲ ହସ୍ପିଟାଲର ବିକଳ ଚିତ୍ର

ଭୁବନେଶ୍ବର: ପିପିଲିରୁ ଆସିଥିଲେ ରମେଶ ପଢ଼ିହାରୀ। ରାତି ୧୦ଟାରୁ ଲାଇନ୍‌ରେ ଠିଆ ହେଲେ। ଅଧିକ ସମୟ ନିଜେ ଧାଡ଼ିରେ ଠିଆ ହେବାକୁ ସକ୍ଷମ ହେଉନଥିବାରୁ ହେଲ୍‌ମେଟ୍‌ ରଖି ପାଖରେ ବସିଥିଲେ। ଧାଡ଼ିରେ ତାଙ୍କ ନମ୍ବର ଥିଲା ୩୨। ସେହିଭଳି ଖୋର୍ଦ୍ଧାରୁ ଆସିଥିଲେ ସୁନୀଲ ବେହେରା। ଧାଡ଼ିରେ ଠିଆ ହୋଇଥିଲେ। ତାଙ୍କ ନମ୍ବର ଥିଲା ୩୮। ୪୦ ନମ୍ବରରେ ଥିଲେ ଖଣ୍ଡଗିରି ଅଞ୍ଚଳର ଯୁବକ ସୁମନ୍ତ। ଧାଡ଼ିଟି ସେଇଠି ସରି ଯାଇଥିଲା। କିନ୍ତୁ ଆଉ କିଛି ଲୋକ ଧାଡ଼ି ନିକଟରେ ଏପଟସେପଟ ହେଉଥିଲେ। କାଳେ କିଏ ଧାଡ଼ିରୁ ବାହାରିଯିବ ଓ ସେମାନେ ୪୦ ଭିତରେ ରହିଯିବେ ବୋଲି ବଡ଼ ବିକଳ ହୋଇ ଅପେକ୍ଷା କରିଥିଲେ। ଏହା କୌଣସି ସିନେମା ହଲ୍‌ ଟିକେଟ୍‌ କାଉଣ୍ଟର ଲାଇନ୍‌ର କଥା ନୁହେଁ। କ୍ୟାପିଟାଲ ହସ୍ପିଟାଲ୍‌ରେ ନ୍ୟୁରୋଲୋଜି ଓପିଡି ଟିକେଟ୍‌ ପାଇଁ କାଉଣ୍ଟରରେ ଲାଗିଥିବା ଲାଇନ୍‌ର ଚିତ୍ର। ଗୁରୁବାର ଡାକ୍ତରଙ୍କୁ ଦେଖା କରିବାକୁ ବୁଧବାର ରାତିରୁ ହୋଇଥିବା ଧାଡ଼ିର ଚିତ୍ର। ୪୦ ଜଣିଆ ଏହି ଧାଡ଼ିରେ କେତେଜଣ ଠିଆ ହୋଇଥିବା ବେଳେ ଆଉ କିଛି ହେଲ୍‌ମେଟ୍‌, ଇଟା, ପଥର, ପାଣି ବୋତଲ ଓ ଚପଲ ରଖିଥିଲେ। ପିପିଲିର ରମେଶଙ୍କ କହିବା କଥା ତାଙ୍କ ବାପାଙ୍କର ମୁଣ୍ଡ ବିନ୍ଧିବା ସହିତ ‌ହାତ ଥରୁଛି। ତେଣୁ ସେ ନ୍ୟୁ‌ରୋଲୋଜି ବିଭାଗରେ ଡାକ୍ତରଙ୍କୁ ଦେଖାଇବାକୁ ବାପାଙ୍କୁ ଧରି ଆସିଛନ୍ତି। ପୂର୍ବରୁ ସେ ୩ ଥର ଆସି ଟିକଟ ନପାଇ ଫେରିଛନ୍ତି। ତେଣୁ ସେ ଆଜି ରାତି ୧୦ଟାରୁ ଆସିଥିଲେ। ସୌଭାଗ୍ୟକୁ ତାଙ୍କ ନମ୍ବର ୩୨ରେ ପଡ଼ିଛି। ସେହିପରି ଖୋର୍ଦ୍ଧାର ସୁନୀଲ କହିଥିଲେ ଯେ ତାଙ୍କ ସ୍ତ୍ରୀଙ୍କର ନ୍ୟୁରୋଲୋଜି ସମସ୍ୟା ଦେଖାଯାଇଛି। ତେଣୁ ଡାକ୍ତରଙ୍କୁ ଦେଖାଇବାକୁ ଆସିଛନ୍ତି। ପୂର୍ବରୁ ସେ ଦୁଇ ଥର ଫେରିଥିଲେ। ତେଣୁ ଆଜି ରାତି ସାଢ଼େ ୧୦ଟାରୁ ଧାଡ଼ିରେ ଠିଆ ହୋଇଛନ୍ତି। ସୌଭାଗ୍ୟକୁ ୩୮ ନମ୍ବରରେ ପାଳି ପଡ଼ିଛି। ଆଉ ଟିକିଏ ବିଳମ୍ବ ହୋଇଥିଲେ ପୁଣି ଫେରିବାକୁ ପଡ଼ିଥାଆନ୍ତା। ମଝିରେ ମଝିରେ ସେ ତାଙ୍କ ସ୍ଥାନରେ ପାଣି ବୋତଲ ଥୋଇ ବାହାରକୁ ଯାଉଥିଲେ। ସେମିତି ରାତି ୧୧ଟାରେ ପହଞ୍ଚିଥିବା ଖଣ୍ଡଗିରିର ସୁମନ୍ତ ନିଜ ଭାଗ୍ୟକୁ ପ୍ରଶଂସା କରୁଥିଲେ। ଠିକ୍‌ ୪୦ ନମ୍ବରରେ ଜାଗା ପାଇଥିବାରୁ ସେ ଭଗବାନଙ୍କୁ ଧନ୍ୟବାଦ ଦେଉଥିଲେ। ମାତ୍ର ତାଙ୍କ ପରେ ଯେଉଁମାନେ ଆସିଥିଲେ ସେମାନେ ଭାଗ୍ୟକୁ ନିନ୍ଦା କରୁଥିଲେ। ଆଉ ଟିକିଏ ପୂର୍ବରୁ ପହଞ୍ଚି ପାରିନଥିବାରୁ ନିଜକୁ ଧିକ୍କାର କରୁଥିଲେ।
ସୂଚନାଯୋଗ୍ୟ, ସକାଳ ୭.୩୦ ମିନିଟରେ ପଞ୍ଜୀକରଣ କାଉଣ୍ଟର ଖୋଲିବ ଓ ଧାଡ଼ିରେ ଥିବା ଲୋକେମାନେ ଟିକେଟ୍‌ ପାଇ‌‌ବେ। କିନ୍ତୁ ପୂର୍ବ ଦିନ ରାତିରୁ ଏମିତି ଦୟନୀୟ ଅବସ୍ଥାରେ ରୋଗୀଙ୍କ ସମ୍ପର୍କୀୟମାନେ ଧାଡ଼ି ଲଗାଉଛନ୍ତି। ଏହା ଗୋଟିଏ ଦିନର ଦୃଶ୍ୟ ନୁହେଁ। ସପ୍ତାହରେ ତିନି ଦିନ ଏମିତି ଲାଇନ୍‌ ଲାଗୁଛି। ନ୍ୟୁରୋଲୋଜି ଡାକ୍ତରଙ୍କୁ ଦେଖା କରିବା ପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ପୂର୍ବ ଦିନ ରାତି ୧୦ ଟାରୁ ଧାଡ଼ିବାନ୍ଧି ଅପେକ୍ଷା କରୁଛନ୍ତି। ପ୍ରଥମ ୪୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇବାକୁ ଏକପ୍ରକାର ପ୍ରତି‌ଯୋଗିତା କରୁଛନ୍ତି। ସୂଚନା ଅନୁସାରେ କ୍ୟାପିଟା‌ଲ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗରେ ମାତ୍ର ଜଣେ ଡାକ୍ତର ଅଛନ୍ତି। ସେ ସପ୍ତାହକୁ ୩ ଦିନ ଓପିଡିରେ ରୋଗୀ ଦେଖୁଛନ୍ତି। ସେ ଦିନକୁ ମାତ୍ର ୪୦ଜଣ ରୋଗୀଙ୍କୁ ଦେଖୁଛନ୍ତି। ତେଣୁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ପ୍ରଥମ ୪୦ ଜଣଙ୍କ ମଧ୍ୟରେ ରହିବାକୁ ପୂର୍ବ ରାତିରୁ ଶୀତ, କାକର‌, ବର୍ଷାରେ ଧାଡ଼ିବାନ୍ଧି ଅପେକ୍ଷା କରୁଛନ୍ତି। ଏବାବଦରେ କ୍ୟାପିଟାଲ ହସ୍ପିଟାଲର ଅଧିକାରୀଙ୍କ କହିବା କଥା ଯେଉଁ ଡାକ୍ତର ଆସୁଛନ୍ତି, ସେ ଦିନକୁ କେବଳ ୪୦ ଜଣ ରୋଗୀଙ୍କୁ ଦେଖୁଛନ୍ତି। ତେଣୁ ଧାଡ଼ିରେ ଥିବା ପ୍ରଥମ ୪୦ ଜଣଙ୍କୁ ହିଁ ଟିକଟ ପ୍ରଦାନ କରାଯାଉଛି। ତେବେ ଏନେଇ ଧାଡ଼ିରେ ଥିବା କିଛି ଲୋକଙ୍କ କହିବା କଥା ସରକାର ଏତେ ଯୋଜନା କରୁଛନ୍ତି, ଅଥଚ କ୍ୟାପିଟାଲ ହସ୍ପିଟାଲ ଭଳି ଡାକ୍ତରଖାନାରେ ଏହି ବିଭାଗରେ ଅଧିକ ଡାକ୍ତର ନିଯୁକ୍ତି କରିପାରୁନାହାନ୍ତି। ଏହା ବଡ଼ ଦୁର୍ଭାଗ୍ୟର କଥା।

Share Now:

Kalinga News Beuro

Next Post

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ : ୩ ବିଧାୟକଙ୍କ ପାଇଁ ଅଗ୍ନିପରୀକ୍ଷା

Thu Mar 3 , 2022
ଭୁବନେଶ୍ୱର : ସକାଳ ନ ହେଉଣୁ ବିଧାୟକଙ୍କ ଘରେ ଲମ୍ବା ଲାଇନ୍। ବାୟୋଡାଟା ଧରି ଛିଡ଼ା ହେଉଛନ୍ତି ଶହ ଶହ ଆଶାୟୀ। କିଏ ସମର୍ଥକଙ୍କୁ ଧରି ଶକ୍ତି ପ୍ରଦର୍ଶନ କରୁଛନ୍ତି ତ ଆଉ କିଏ ପତ୍ନୀଙ୍କ ବାୟୋଡାଟା ଧରି ବିଧାୟକଙ୍କ ନିକଟରେ ପହଞ୍ଚି ଯାଉଛନ୍ତି। ପୂର୍ବତନ କର୍ପୋରେଟରଙ୍କ ସମେତ ନବାଗତ ଆଶାୟୀ ବି ଏହି ତାଲିକାରେ ଯୋଡ଼ି ହୋଇଛନ୍ତି। ବିଜେଡିରେ ଆଶାୟୀଙ୍କ ସଂଖ୍ୟା ସର୍ବାଧିକ ଥିବାରୁ ଭୁବନେଶ୍ୱରର ତିନି ବିଧାୟକଙ୍କ […]
୩ ବିଧାୟକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial