ବିଏମ୍‌ସି ମେୟର୍‌ ପଦ ପାଇଁ ଚିତ୍ର ସ୍ପଷ୍ଟ ସୁଲୋଚନା-ସୁନୀତି-ମଧୁସ୍ମିତା

ବିଏମ୍‌ସି ମେୟର୍‌ ପଦ ପାଇଁ ସୁଲୋଚନା-ସୁନୀତି-ମଧୁସ୍ମିତା

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଛକାପଞ୍ଝା ମଧ୍ୟରେ ଉଭୟ ବିଜେଡି ଓ ବିଜେପି ଆଜି ବିଏମ୍‌ସି ନିର୍ବାଚନ ଲାଗି ମେୟର୍‌ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସାମ୍ବାଦିକତାରୁ ରାଜନୀତିରେ ପାଦ ଥାପିଥିବା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଏନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ୫ ଘଣ୍ଟା ପରେ ବିଜେପି ତାହାର ମେୟର୍‌ ପ୍ରାର୍ଥୀଙ୍କୁ ମଇଦାନକୁ ଆଣିଛି। ସାମ୍ବାଦିକତାରୁ ସାହିତ୍ୟ ଜଗତ ଦେଇ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ସାହିତ୍ୟିକା ସୁନୀତି ମୁଣ୍ଡ୍‌। ଗତକାଲି କଂଗ୍ରେସ ପକ୍ଷରୁ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର୍‌ ପ୍ରାର୍ଥୀ ଭାବେ ଘୋଷଣା କରାଯାଇସାରିଛି। ତେଣୁ ଏବେ ମେୟର୍‌ ପଦ ପାଇଁ ଚିତ୍ର ସ୍ପଷ୍ଟ ହୋଇଛି। ଭୁବନେଶ୍ୱର ମେୟର୍‌ ପଦ ଲାଗି ମଇଦାନରେ ସୁଲୋଚନା, ସୁନୀତି ଓ ମଧୁସ୍ମିତାଙ୍କ ମଧ୍ୟରେ ଲଢ଼େଇ ହେବା ଏକପ୍ରକାର ଫାଇନାଲ। କ୍ୟାରିଅରକୁ ଯଦି ଦେଖିବା ଯାଜପୁରରେ ଜନ୍ମିତ ସୁଲୋଚନା ୧୯୯୧ରେ ଦିଲ୍ଲୀ ମିଡ୍‌-ଡେ’ରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପରବର୍ତୀ ସମୟରେ ଦିଲ୍ଲୀ ଓ ଓଡ଼ିଶାର ପ୍ରମୁଖ ଟିଭି ଚ୍ୟାନେଲ୍‌ରେ କାର୍ଯ୍ୟ କରିଥିଲେ। ୨୦୧୪ରେ ସାମ୍ବାଦିକତା ଜଗତରୁ ମୁହଁ ଫେରାଇବା ସହ ରାଜନୀତିରେ ପାଦ ଥାପି କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସର ମୁଖପାତ୍ର ହେବା ସହ ଧୀରେଧୀରେ ସମସ୍ତଙ୍କ ନଜରକୁ ଆସିଥିଲେ। ୨୦୧୭ରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ସହ ମହିଳା ବିଜେଡିର କାର୍ଯ୍ୟକାରୀ ସଭାପତି ହୋଇଥିଲେ। ୨୦୧୯ରୁ ରାଜ୍ୟ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଛନ୍ତି। ନିଜ ଦାୟିତ୍ବକୁ ସୁଚାରୁରୂପେ ତୁଲାଉ ଥିବାରୁ ଭୁବନେଶ୍ୱର ମେୟର୍‌ ପଦ ଲାଗି ଦଳ ତାଙ୍କୁ ଚୟନ କରିଛି। ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍‌ଙ୍କ ନାଁ ଘୋ‌ଷଣା କରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଦଳର ନେତାମାନଙ୍କ ସହ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନେଇଛୁ। ସୁନୀତି ସାହିତ୍ୟ କ୍ଷେତ୍ରରୁ ରାଜନୀତିକୁ ଆସିଛନ୍ତି। ସେ ଜଣେ ଉଚ୍ଚଶିକ୍ଷିତା‌ ମହିଳା। ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ପିଜି କରିବା ସହ ସାମ୍ବାଦିକତାରେ ଶିକ୍ଷା ଗ୍ରହଣ କରିଛନ୍ତି। ବହୁ ବର୍ଷ ଧରି ସାମ୍ବାଦିକ ଭାବେ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ହିନ୍ଦୀ ଭାଷାରେ ରତ୍ନ ପାଇଛନ୍ତି। ଚଳଚ୍ଚିତ୍ର ଜଗତ ସହ ମଧ୍ୟ ଜଡ଼ିତ ରହିଛନ୍ତି।
ପାଖାପାଖି ୨୮ଟି ବହି ଲେଖିବା ସହ ହିନ୍ଦୀ ଓ ଓଡ଼ିଆ ଭାଷାରେ ସେ ଦକ୍ଷ। ଦକ୍ଷ ୱେଲଫେୟାର ଟ୍ରଷ୍ଟ ମାଧ୍ୟମରେ ଲୋକଙ୍କୁ ସେବା ଯୋଗାଉଛନ୍ତି। ମେୟର୍‌ ପ୍ରାର୍ଥୀ ହେବା ଲାଗି ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ୨୫ଜଣ ମହିଳା ଆବେଦନ କରିଥିଲେ। ବିଜେପିରେ ସଦସ୍ୟା ନ ଥିବା ବହୁ ମହିଳା ଆଗ୍ରହ ଦେଖାଇଥିଲେ। ଏମିତିକି ବହୁ ବର୍ଷ ଧରି ଦଳରେ କାର୍ଯ୍ୟ କରିଥିବା ମହିଳା ବି ଆଗ୍ରହ ଦେଖାଇଥିଲେ। ସମସ୍ତଙ୍କ ସହ ଆଲୋଚନା କରାଯିବା ପରେ ସୁନୀତିଙ୍କୁ ଆମେ ପ୍ରାର୍ଥୀ କରିଛୁ। ସୁନୀତି ଭୁବନେଶ୍ୱର ବାସିନ୍ଦା। ପାଖାପାଖି ୨୦ ବର୍ଷ ହେଲା ବିଏମ୍‌ସିର ୩୨ ନମ୍ବର ୱାର୍ଡ ଝାରପଡ଼ା ଅଞ୍ଚଳରେ ରହୁଛନ୍ତି। ବହୁ ଭାବିଚିନ୍ତି ନୂଆ ଚେହେରା ସାମ୍ନାକୁ ଆଣିଛୁ। ଶୁକ୍ରବାର କଂଗ୍ରେସ ପକ୍ଷରୁ ଘୋଷଣା ହୋଇଥିବା ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ। କଲେଜ ଜୀବନରେ ମଧୁସ୍ମିତା ରାଜନୀତି ସହ ଜଡ଼ିତ ହୋଇଥିଲେ। କମଳା ନେହରୁ ମହିଳା ମହାବିଦ୍ୟାଳୟର ଛାତ୍ର ସଂସଦର ସଭାପତି ଓ ସମ୍ପାଦକ ହୋଇଥିଲେ। ଏଥିସହ ଏନ୍‌ଏୱାଇଏର ଜଣେ ସଦସ୍ୟ। ତାଙ୍କର ଅନ୍ୟ ଏକ ପରିଚୟ ହେଲା, ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ ସ୍ଵର୍ଗତ କାଙ୍ଗାଳୀ ଚରଣ ପଣ୍ଡାଙ୍କ ବୋହୂ। କାଙ୍ଗାଳୀ ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ। ସେହି ଦୃଷ୍ଟିକୋଣରୁ କଂଗ୍ରେସ ତାଙ୍କ ଉପରେ ଭରସା କରିଛି ବୋଲି ଦଳ ପକ୍ଷରୁ କୁହାଯାଉଛି। ତେବେ କିଏ ଭୁବନେଶ୍ୱରବାସୀଙ୍କ ଭରସା ଜିତି ବିଏମ୍‌ସିର ପ୍ରଥମ ମହିଳା ମେୟର୍‌ ହେବ, ତା’ ଉପରେ ସମସ୍ତଙ୍କ ନଜର।

Share Now:

Kalinga News Beuro

Next Post

ପୌର ନିର୍ବାଚନ : ଶେଷ ହେଲା ମନୋନୟନ ପତ୍ର ଦାଖଲ ପ୍ରକ୍ରିୟା

Mon Mar 7 , 2022
ରାଜ୍ୟରେ ପୌରାଧ୍ୟକ୍ଷ/ମେୟର ପଦ ପାଇଁ ମୋଟ ୬୯୩ ଜଣ ପ୍ରାର୍ଥୀ ଭୁବନେଶ୍ବର :ପୌର ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲ କରିବାର ଆଜି ଥିଲା ଶେଷ ଦିବସ। ଶେଷ ଦିନରେ କାଉନସିଲର ଓ କର୍ପୋରେଟର ପଦବୀ ପାଇଁ ମୋଟ ୪୫୪୧ଟି ମନୋନୟନ ପତ୍ର ଦାଖଲ ହୋଇଛି। ପୌରାଧ୍ୟକ୍ଷ ଓ ମେୟର ପଦ ପାଇଁ ଆଜି ମୋଟ ୫୦୪ଟି ମନୋନୟନ ପତ୍ର ଦାଖଲ କରାଯାଇଛି। ଏହାକୁ ମିଶାଇ ଗତ ୨ ତାରିଖରୁ […]
ପୌର ନିର୍ବାଚନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial