ବନ୍ଦେ ଭାରତ ଏକ୍ସପ୍ରେସ ଚକରେ ବ୍ରେକ ଲଗାଇଛି ୟୁକ୍ରେନ

ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ରେଳବାଇର ଆତ୍ମନିର୍ଭରଶୀଳ ଭାରତ ଯୋଜନା ଅଧୀନରେ ପ୍ରସ୍ତୁତ ହେଉଥିବା ‘ବନ୍ଦେ ଭାରତ’ ଏକ୍ସପ୍ରେସ ଟ୍ରେନ ନିର୍ମାଣ ଉପରେ ୟୁକ୍ରେନ ବ୍ରେକ୍ ଲଗାଇଛି। ବାସ୍ତବରେ, ବନ୍ଦେ ଭାରତ ଟ୍ରେନରେ ବ୍ୟବହାର ହେବାକୁ ଥିବା ୩୬,୦୦୦ ଚକ ପାଇଁ ୧୬ ମିଲିୟନ୍ ଡଲାର ମୂଲ୍ୟରେ ୟୁକ୍ରେନର ଏକ କମ୍ପାନିକୁ ଭାରତ ଅର୍ଡର ଦେଇଥିଲା। ତେବେ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଯୋଗୁଁ ଏବେ ଚକ ଉତ୍ପାଦନ ବନ୍ଦ ହୋଇଯାଇଛି। ୟୁକ୍ରେନର ବ୍ଲାକ୍ ସି ବନ୍ଦରରୁ ମହାରାଷ୍ଟ୍ରର ଜବାହରଲାଲ୍ ନେହେରୁ ପୋର୍ଟ ଟ୍ରଷ୍ଟକୁ ଏହି ଚକଗୁଡିକ ଆଣିବାର ଯୋଜନା ଥିଲା, କିନ୍ତୁ ବର୍ତ୍ତମାନ ଯୁଦ୍ଧ ଯୋଗୁଁ ଏହା ବିଳମ୍ବ ହେବ। ତେବେ ରେଳ ମନ୍ତ୍ରାଳୟର ରାଷ୍ଟ୍ର ମନ୍ତ୍ରୀ ଦର୍ଶନଶାବେନ ଜାରଡୋଶଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧୨୮ଟି ଚକର ନିର୍ମାଣ ସରିଛି। ଆଉ ଜାହାଜ ଏବଂ ବିମାନ ଦ୍ୱାରା ୟୁକ୍ରେନରୁ ଚକ ଆଣିବାକୁ ବିଚାର କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏହା ଉପରେ ଶୀଘ୍ର ନିଷ୍ପତ୍ତି ନେଇପାରେ। ରାଷ୍ଟ୍ର ମନ୍ତ୍ରୀଙ୍କ ସୂଚନା ମୁତାବକ ବର୍ତ୍ତମାନ ୟୁକ୍ରେନରୁ ପଡୋଶୀ ଦେଶ ରୋମାନିଆକୁ ୧୨୮ ଟି ଚକ ଆଣିବାକୁ ବିଚାର କରାଯାଉଛି। ସେଠାରୁ ବିମାନ ସାହାଯ୍ୟରେ ଏହି ସବୁ ଚକ ଅଣାଯାଇ ବନ୍ଦେ ଭାରତ ଟ୍ରେନର ଟ୍ରାଏଲ କରାଯିବ। ସୂଚନାନୁସାରେ, ୟୁକ୍ରେନରେ ଯୁଦ୍ଧ ହେତୁ ଏବେ ବଳକା ଚକ ନିର୍ମାଣ ପାଇଁ ଚେକ ଗଣତନ୍ତ୍ର, ପୋଲାଣ୍ଡ ଏବଂ ଆମେରିକାରେ ଥିବା କିଛି କମ୍ପାନିକୁ ଭାରତ ଅର୍ଡର ଦେଇଛି। ସୂଚନାଯୋଗ୍ୟ ଯେ ରେଳବାଇ ସ୍ଲିପର ବନ୍ଦେ ଭାରତର ତିନିଟି ଶ୍ରେଣୀ ଚଳାଇବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଏସି, ଦ୍ୱିତୀୟ ଏସି ଏବଂ ତୃତୀୟ ଏସି ଭଳି ତିନୋଟି ଶ୍ରେଣୀରେ ଏହି ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହା ସହ କୁହାଯାଉଛି ଯେ ଭାରତୀୟ ରେଳବାଇ ୧୬, ୨୦ ଏବଂ ୨୪ କୋଚ୍ ସ୍ଲିପର ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ଯୋଜନା କରୁଛି। ଆଉ ଭାରତୀୟ ରେଳବାଇ ୨୦୦ ସ୍ଲିପର ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ଟେଣ୍ଡର ଜାରି କରିଛି। ଟେଣ୍ଡର ପାଇଁ ଶେଷ ତାରିଖ ୨୬ ଜୁଲାଇ ୨୦୨୨ ଭାବରେ ସ୍ଥିର କରାଯାଇଛି। ତେବେ ନୂତନ ଭାବରେ ଆସୁଥିବା ବନ୍ଦେ ଭାରତ ଏକ୍ସପ୍ରେସର ନିର୍ମାଣ କାର୍ଯ୍ୟ ମହାରାଷ୍ଟ୍ରର ଲାଟୁର ସ୍ଥିତ ମରାଠୱାଡା ରେଳ କୋଚ କାରଖାନା ଓ ଚେନ୍ନାଇର ଇଣ୍ଟିଗ୍ରାଲ କୋଚ କାରଖାନାରେ କରାଯିବ।

Share Now:

Kalinga News Beuro

Next Post

ଲମ୍ବା ସମୟ ଧରି ୟୁକ୍ରେନକୁ ସାମରିକ ସହାୟତା କରିବାକୁ ପ୍ରସ୍ତୁତ : ନାଟୋ

Thu Apr 28 , 2022
କିବ୍ : ରୁଷ ବିରୋଧୀ ଯୁଦ୍ଧରେ ୟୁକ୍ରେନକୁ ଲମ୍ବା ସମୟ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ପ୍ରସ୍ତୁତ ବୋଲି ନାଟୋ କହିଛି। ନାଟୋର ମହାସଚିବ ଜେନ୍ସ ଷ୍ଟୋଟେନବର୍ଗ କହିଛନ୍ତି ଯେ ବର୍ଷ ବର୍ଷ ଧରି ୟୁକ୍ରେନକୁ ସହାୟତା ପାଇଁ ନାଟୋ ପ୍ରସ୍ତୁତ ଅଛି। ୟୁକ୍ରେନ ପାଖରେ ଥିବା ସୋଭିଏତ ସମୟର ଅସ୍ତ୍ରଅସ୍ତ୍ରକୁ ବଦଳାଇ ଅତ୍ୟାଧୁନିକ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ନାଟୋ ପ୍ରସ୍ତୁତ ଅଛି। ବ୍ରସେଲ୍ସଠାରେ ସେ କହିଛନ୍ତି ଯେ ଆମକୁ […]
ୟୁକ୍ରେନକୁ ସାମରିକ ସହାୟତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial