ରାଜଧାନୀରୁ ଦୁଇ ଶିଶୁ ନିଖୋଜ ଘଟଣା : ଭଦ୍ରକ ଷ୍ଟେସନ୍‌ରୁ ଉଦ୍ଧାର, ଚିଙ୍ଗୁଡ଼ି ଫାର୍ମରେ ଦିଆଯାଉଥିଲା ନିର୍ଯାତନା

ଭୁବନେଶ୍ୱର/ଭଦ୍ରକ : ଇନ୍‌ଫୋସିଟି ଥାନା ଅଧୀନ ପଟିଆ ଚିରଗାଲଟୋଲା ବସ୍ତିରୁ ଶେଷ ରଜ ଦିନଠାରୁ ନିଖୋଜ ହୋଇଥିବା ଦୁଇ ଶିଶୁଙ୍କୁ ଆଜି ଭଦ୍ରକ ଷ୍ଟେସନ୍‌ରୁ ଉଦ୍ଧାର କରାଯାଇଛି। ଖବର ପାଇ ଇନ୍‌ଫୋସିଟି ଥାନା ପୁଲିସ ଭଦ୍ରକ ଯାଇଛି। ସେଠାରେ ଶିଶୁ ଦୁହେଁ ଚାଇଲ୍‌ଡ ଲାଇନ କର୍ତୃପକ୍ଷଙ୍କ ହେପାଜତରେ ଅଛନ୍ତି। ଆସନ୍ତାକାଲି ଉଭୟଙ୍କୁ ଭୁବନେଶ୍ୱର ଅଣାଯିବ। ତେବେ ଦୁହେଁ କେଉଁ ପରିସ୍ଥିତିରେ ଭୁବନେଶ୍ୱରରୁ ଭଦ୍ରକ ଗଲେ ତାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ। ସେମାନଙ୍କୁ କେହି ଭଦ୍ରକ ନେଇ ଗଲେ ନା ସେମାନେ ଆପଣାଛାଁଏ ଭଦ୍ରକ ଯାଇଛନ୍ତି ପୁଲିସ ତାର ଖୋଳତାଡ଼ ଆରମ୍ଭ କରିଛି ବୋଲି ଡିସିପି ଅନୁପ ସାହୁ କହିଛନ୍ତି।

ଅନ୍ୟପକ୍ଷରେ ଭୁବନେଶ୍ୱରର ଏକ ଚିଙ୍ଗୁଡ଼ି ଫାର୍ମରେ ଉଭୟ ଶିଶୁ ଶ୍ରମିକ ଭାବେ କାମ କରୁଥିଲେ ବୋଲି କୁହାଯାଉଛି। ଉଭୟଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ। ଫାର୍ମରେ ନିର୍ଯାତନା ଓ ଅଧିକ ଖଟଣି ସହି ନ ପାରି ସେମାନେ ଟ୍ରେନ୍‌ରେ ମୟୂରଭଞ୍ଜ ପଳାଉଥିଲେ। ମାତ୍ର ଭଦ୍ରକ ଷ୍ଟେସନ୍‌ରେ ଟ୍ରେନ୍‌ରୁ ଓହ୍ଲାଇ କାନ୍ଦୁଥିବା ବେଳେ ଉଭୟଙ୍କୁ ଉଦ୍ଧାର କରାଯାଇଥିବା ଚାଇଲ୍‌ଡଲାଇନ୍‌ ପକ୍ଷରୁ ସୂଚନା ମିଳିଛି।

ଡିସିପି ଶ୍ରୀ ସାହୁଙ୍କ ସୂଚନା ମୁତାବକ, ଦୁହେଁ ଘଟଣା ଦିନ ଚାଲି ଚାଲି ପଟିଆ ଷ୍ଟେସନ୍‌କୁ ଚାଲି ଯାଇଥିଲେ। ସେଠାରୁ ସେମାନେ ବାରିପଦା ଯିବେ ବୋଲି ଚିନ୍ତା କରି ଏକ ଟ୍ରେନ୍‌ରେ ବସି ପଡ଼ିଥିଲେ। ଟ୍ରେନ୍‌ ଚାଲିବା ପରେ ଦୁହେଁ କାନ୍ଦିବା ଆରମ୍ଭ କରିଥିଲେ। ଏ ନେଇ ଯାତ୍ରୀମାନେ ଚାଇଲ୍‌ଡ ଲାଇନ କର୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଚାଇଲ୍‌ଡ ଲାଇନ୍‌ କର୍ତୃପକ୍ଷ ଷ୍ଟେସନ୍‌ରେ ପହଞ୍ଚି ଶିଶୁ ଦ୍ୱୟଙ୍କୁ ଉଦ୍ଧାର କରିଥିଲେ। ଗତକାଲି ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଫଟୋ ସହିତ ଖବର ପ୍ରକାଶ ପାଇବା ପରେ ଭଦ୍ରକ ଚାଇଲ୍‌ଡ ଲାଇନ୍‌ କର୍ତୃପକ୍ଷଙ୍କ ନଜରରେ ଆସିଥିଲା। ସେମାନେ ଭୁବନେଶ୍ୱର ସାମନ୍ତରାପୁର ଚାଇଲ୍‌ଡ ଲାଇନ କର୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଏହା ପରେ ଇନ୍‌ଫୋସିଟି ଥାନାକୁ ଖବର ଦିଆଯାଇଥିଲା। ଇନ୍‌ଫୋସିଟି ପୁଲିସର ଏକ ଟିମ୍‌ ଆଜି ଭଦ୍ରକ ଯାଇଛି। ଆସନ୍ତାକାଲି ସେମାନଙ୍କୁ ଭୁବନେଶ୍ୱର ଅଣାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଇନ୍ସପେକ୍ଟର ବିଜୟନୀ ସିଂହ କହିଛନ୍ତି। ତେବେ ଶିଶୁ ଦ୍ୱୟଙ୍କୁ କେହି ଅପହରଣ କରି ନ ଥିଲେ କିମ୍ବା ଚାଲାଣ ହେଉ ନ ଥିଲେ ବୋଲି ଇନ୍ସପେକ୍ଟର ସିଂହ ସୂଚନା ଦେଇଛନ୍ତି।

ତେବେ ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ଦୁଇ ଭିନ୍ନ ପରିବାରର ପିଲା ଦୁଇଟି ଭୁବନେଶ୍ୱରର ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିଲେ। ଫାର୍ମରେ ସେମାନଙ୍କୁ ଶୋଷଣ କରାଯିବା ସହ ଅଧିକ ଖଟିବାକୁ ବାଧ୍ୟ କରାଯାଉଥିଲା। ଏଭଳି ନିର୍ଯାତନାରୁ ରକ୍ଷା ପାଇବା ଲାଗି ସେମାନେ ଫାର୍ମରୁ ଲୁଚି ହାଓ୍ଵଡ଼ା ଆସୁଥିବା ଏକ ଟ୍ରେନ୍‌ରେ ଚଢ଼ି ଯାଇଥିଲେ। ତେବେ ଭଦ୍ରକ ଷ୍ଟେସନ୍‌ରେ ଓହ୍ଲାଇ ପଡ଼ି କୁଆଡ଼େ ଯିବେ ବାଟ ନ ପାଇ କାନ୍ଦୁଥିଲେ। ଭଦ୍ରକ ଜିଆର୍‌ପି ଏହି ଦୁଇ ଶିଶୁଙ୍କୁ ସେଠାରୁ ଉଦ୍ଧାର କରି ଭଦ୍ରକର ଚାଇଲ୍‌ଡ ଲାଇନ୍‌କୁ ହସ୍ତନ୍ତର କରିଥିଲା। ଚାଇଲଡ୍‌ ଲାଇନ୍‌ କର୍ମକର୍ତ୍ତାମାନେ ସେମାନଙ୍କ ବାପା, ମା’ଙ୍କ ସହିତ ଯୋଗାଯୋଗ କରିଥିଲେ। ଆର୍ଥିକ ଅନଟନ ପାଇଁ ଶିଶୁମାନେ ବାହାରକୁ କାମ ଧନ୍ଦା କରିବାକୁ ପଳାଇ ଆସୁଥିବା ବେଳେ ନିଜ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇ ମଣିଷ କରିବାକୁ ଭଦ୍ରକ ଚାଇଲ୍‌ଡ ଲାଇନ୍‌ର ଅଧ୍ୟକ୍ଷ ପ୍ରଫେସର ଡ. ସୁଦର୍ଶନ ବାରିକ ପରାମର୍ଶ ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ବୁଡ଼ିଯିବ ମୁମ୍ବାଇ:ଲଗାଣ ବର୍ଷରେ ଉବୁଟୁବୁ ଓ ୧୧ ମୃତ

Tue Jun 26 , 2018
ମୁମ୍ବାଇ: ଲଗାଣ ବର୍ଷାରେ ମୁମ୍ବାଇ ସହର ଉଟୁଟୁବୁ। ଗତ ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବର୍ଷାରେ ସାରା ସହରର ଅବସ୍ଥା ବେହାଲ୍‌ ହୋଇପଡ଼ିଛି। ମାତ୍ର ୨୪ ଘଣ୍ଟାର ବର୍ଷାରେ ମୁମ୍ବାଇ ସହରର ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ିବା ସହ ଗଛ ଉପୁଡ଼ି ୫ ଜଣଙ୍କର ମୃତ୍ୟୁ ହୋଇଛି। ସହରର ମୁଖ୍ୟ ରାସ୍ତା ଗୁଡ଼ିକରେ ପାଣିର ସୁଅ ଛୁଟୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁଁ ଅନେକ ଟ୍ରେନ୍‌ ବିଳମ୍ବରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial