ମୁମ୍ବାଇ: ଏକ ଇ-କମର୍ସ ୱେବସାଇଟରୁ ସପିଂ କରି ଜଣେ ଗ୍ରାହକ ଠକେଇର ଶିକାର ହୋଇଛନ୍ତି। ବାସ୍ତବରେ ସେ ଅନଲାଇନରେ ଏକ ଲାପଟପ୍ ଅର୍ଡର କରିଥିଲେ, କିନ୍ତୁ ତାଙ୍କୁ ଲାପଟପ ବଦଳରେ ଲୁଗା ସଫା ସାବୁନ ମିଳିଥିବାର ଜଣାପଡିଛି। କେବଳ ଏତିକି ନୁହେଁ, ଯେତେବେଳେ ସେ କମ୍ପାନିକୁ ଏନେଇ ଅଭିଯୋଗ କରିଥିଲେ, ତାଙ୍କୁ ‘ରିଟର୍ନ ପଲିସି’ ନଥିବା ଦର୍ଶାଇ ଜିନିଷ ଫେରାଇହେବନାହିଁ ବୋଲି କୁହାଯାଇଥିଲା। ସୂଚନା ଥାଉ କି ଯେ ଅନଲାଇନ୍ ସପିଂରେ ଠକେଇ ମାମଲା ଅତୀତରେ ଅନେକ ଥର ସାମ୍ନାକୁ ଆସିଛି। ତେବେ ଏଥର ଆଇଆଇଏମ୍ ସ୍ନାତକୋତ୍ତର ଯଶସ୍ବୀ ଶର୍ମାଙ୍କ ସହ ଏଭଳି ଘଟିଛି। ଯଶସ୍ବୀ ଏନେଇ ସୋସିଆଲ ମିଡ଼ିଆ ଲିଙ୍କଡଇନରେ ଏକ ପୋଷ୍ଟ ଲେଖି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଫ୍ଲିପକାର୍ଟର ‘ବିଗ୍ ବିଲିୟନ ଡେ ସେଲ’ ସମୟରେ ସେ ଏକ ଲାପଟପ୍ ଅର୍ଡର କରିଥିଲେ, କିନ୍ତୁ ଏହା ବଦଳରେ ତାଙ୍କୁ ଲୁଗା ସଫା ସାବୁନ ମିଳିଥିଲା। ଯେତେବେଳେ ସେ ଫ୍ଲିପକାର୍ଟ କଷ୍ଟ୍ୟୁମର କେୟାରକୁ ନେଇ ଅଭିଯୋଗ କରିଥିଲେ, ସେତେବେଳେ ଅଧିକାରୀମାନେ ସେମାନଙ୍କ ଭୁଲକୁ ସ୍ୱୀକାର କରିବାକୁ ମନା କରିଦେଇଥିଲେ। ସେ କହିଛନ୍ତି ଯେ ପ୍ୟାକେଜକୁ ଖୋଲିବା ସମୟର ସିସିଟିଭି ଫୁଟେଜ୍ ମଧ୍ୟ ଯଶସ୍ୱୀଙ୍କ ପାଖରେ ଅଛି। ଯେଉଁଥିରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ପ୍ୟାକେଟରେ ଲାପଟପ୍ ବଦଳରେ ସାବୁନ୍ ରହିଛି।
ଏହାର ପ୍ରମାଣ ଥାଇ ମଧ୍ୟ ଫ୍ଲିପକାର୍ଟର କଷ୍ଟମର କେୟାର ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବର୍ତ୍ତମାନ ଗ୍ରାହକ ସୋସିଆଲ ମିଡିଆ ମାଧ୍ୟମରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ସେ ତାଙ୍କ ପୋଷ୍ଟରେ ଫ୍ଲିପକାର୍ଟ ସିଇଓ କଲ୍ୟାଣ କୃଷ୍ଣମୂର୍ତ୍ତି ଏବଂ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି।
ହାଇଟେକ ଠକେଇ : ଫ୍ଲିପକାର୍ଟରୁ ଲାପଟପ ବଦଳରେ ଆସିଲା ସାବୁନ

Share Now: