୨୦୨୩ରେ କଟକିଆଙ୍କ ସ୍ୱପ୍ନ ପୂରଣ ହେବ ତ ?

୨୦୨୩ରେ କଟକିଆଙ୍କ ସ୍ବପ୍ନ ପୂରଣ ହେବ ତ

କଟକ: କଟକ ପାଇଁ ଅନେକ ରଙ୍ଗୀନ ସ୍ୱପ୍ନ ଅଙ୍କା ଯାଇଛି। ଯଦି ସେ ସ୍ୱପ୍ନ ବାସ୍ତବ ରୂପ ନିଏ, ତେବେ କଟକର ଚିତ୍ର ହୁଏତ ସଂପୂର୍ଣ୍ଣ ବଦଳି ଯିବ। କିନ୍ତୁ ସେଥିରେ ଏମିତି କିଛି ପ୍ରକଳ୍ପ ରହିଛି, ଯାହା ବର୍ଷ ବର୍ଷ ଧରି ଚାଲିଛି। ୨୦୨୨ରେ ସରିବାର ଥିଲେ ବି ସରିନି। ବରଂ ତାହା ୨୦୨୩କୁ ଗଡ଼ି ଯାଇଛି। କଟକ ପୌର ନିଗମ ଅଞ୍ଚଳରେ ଚାଲିଥିବା ଏହି ପ୍ରକଳ୍ପ ମଧ୍ୟରେ ରହିଛି ଜାଇକା, ବକ୍ସ ଡ୍ରେନ, ନେତାଜୀ ବସ୍‌ ଟର୍ମିନାଲ, ତାଳଦଣ୍ଡା କେନାଲ ସଂପ୍ରସାରଣ ସହ ଚଣ୍ଡୀମନ୍ଦିର ସୌନ୍ଦର୍ଯ୍ୟୀକରଣ, ୭ଲକ୍ଷ ଲୋକଙ୍କୁ ଡ୍ରିଙ୍କିଙ୍ଗ୍ ଫ୍ରମ୍‌ ଟ୍ୟାପ ଭଳି ଯୋଜନା। ଏହା ସହିତ ନୂଆ ବ‌ର୍ଷରେ ପୌର ନିଗମ ପକ୍ଷରୁ ସହରବାସୀଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା‌ରେ ଉନ୍ନତି ଆଣିବାକୁ ମଧ୍ୟ ନିଗମ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।
୨୦୨୩ କଟକ ପାଇଁ ଗର୍ବ ଓ ଗୌରବର ବର୍ଷ ହେବ; କଟକବାସୀଙ୍କ ପାଇଁ ୨୦୨୩ ଏକ ଗର୍ବ ଓ ଗୌରବ ବର୍ଷ ହେବ। ବର୍ଷ ଆରମ୍ଭରୁ କଟକ ବିଶ୍ୱ ମାନଚିତ୍ରରେ ଏକ ମୁଖ୍ୟ ସ୍ଥାନ ଭାବେ ଉଭାହେବ। ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ଯୋଜନାକ୍ରମେ ଆସନ୍ତା ଜାନୁଆରି ୧୧ରେ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରାଯାଉଛି। କଟକକୁ ୨୦ରୁ ଅଧିକ ଦେଶରୁ ଅତିଥି ଆସିବା ସହ ୨୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ କେନ୍ଦ୍ରମନ୍ତ୍ରୀ ଆସିବେ। ୨୦୨୨‌ ବାଲିଯାତ୍ରାରେ କାଗଜ ଡଙ୍ଗା କରି କଟକ ବିଶ୍ୱ ରେକର୍ଡ କରିଥିଲା। ୨୦୨୩ରେ ବିଶ୍ୱକପ୍‌ ହକି ଉଦ୍‌ଘାଟନୀ ଉତ୍ସବ ଏଠାରେ ଆୟୋଜନ କରାଯାଉଛି। ଏହାର ସଫଳତା ପାଇଁ ସମସ୍ତ ରାଜନୈତିକ ଦଳ, ବୁଦ୍ଧିଜୀବୀ, ପୂଜା କମିଟି, ଶାନ୍ତି କମିଟି ସହ ସହରବାସୀଙ୍କ ସହଯୋଗ କାମନା କରାଯାଉଛି। ଆଗାମୀ ୨ ବର୍ଷରେ ୩୬୦ କୋଟି ଟଙ୍କାରେ ସହରର ରାସ୍ତାକୁ ନବୀକରଣ କରାଯିବ। ୨୦୨୩ରେ ବକ୍ସ ଡ୍ରେନ, ଜାଇକା, ‌ନେତାଜୀ ବସ୍‌ ଟର୍ମିନାଲ, ତାଳଦଣ୍ଡା କେନାଲ ସଂପ୍ରାସରଣ, ଚଣ୍ଡୀମନ୍ଦିର ସୌନ୍ଦର୍ଯ୍ୟୀକରଣ ପରି ବହୁ ପ୍ରକଳ୍ପ ଶେଷ ହେବାକୁ ଯାଉଛି। ଆସନ୍ତା ଆର୍ଥିକ ବର୍ଷରେ ନିଗମର ରାଜସ୍ୱକୁ ଶହେ କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ବହୁ ଯୋଜନା ହାତକୁ ନିଆଯାଇଛି। ୨୦୨୩ରେ ମଶା, ଜଳବନ୍ଦୀ, ପରିମଳ, ଆବର୍ଜନାର ସୁପରିଚାଳନା ପରି ବହୁ ଆହ୍ୱାନ ରହିଛି। ସେଗୁଡିକର ମୁକାବିଲା ପାଇଁ ନିଗମ ତରଫରୁ ବିଭିନ୍ନ ଯୋଜନା କରାଯାଇ କାମ ଆରମ୍ଭ ହୋଇଛି। କଟକ ସହରର ରୂପକୁ କିଛି ମାତ୍ରାରେ ସୁନ୍ଦର କରିବା ପାଇଁ ସହରବାସୀଙ୍କ ସହଯୋଗ କାମନା କରୁଛି ବୋଲି କହିଛନ୍ତି ମେୟର ସୁବାସ ସିଂହ।
କଟକକୁ ଏକ ସୁନ୍ଦର ସହର କରିବା ପାଇଁ ଉଦ୍ୟମ ହେବ: ସହରବାସୀଙ୍କୁ ପୌର ନିଗମ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବାରେ ଉନ୍ନତି ଆଣିବାକୁ ୨୦୨୩ରେ ଉଦ୍ୟମ କରାଯିବ। ନିଗମରେ ଆବଶ୍ୟକତାକୁ ଦେଖି ଭେଣ୍ଡିଂ ଜୋନ୍‌, ପାର୍କିଂ ସ୍ଥାନ, ପାଠାଗାର, ଶୌଚାଳୟ ପରି ବିଷୟ ନିର୍ମାଣ କରାଯିବ। ଏହାସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଯେଉଁ ସମସ୍ତ ପ୍ରକଳ୍ପର କାମ ସହରରେ ଚାଲିଛି, ତାହା ଯେପରି ସମୟରେ ଶେଷ ହେବ ତାହାକୁ ଆସନ୍ତା ବର୍ଷ ଅଧିକ ଗୁରୁତ୍ବ ଦିଆଯିବ। ନିଗମର ଆପ୍‌ ଓ ଆଇଟି ସେଲ୍‌ରେ ସହରବାସୀଙ୍କୁ ଯୋଡିବା ଦିଗରେ ଉଦ୍ୟମ ହେବ। ଅନେକ ସୁବିଧା ଓ ସୁବ୍ୟବସ୍ଥା ମଧ୍ୟରେ କଟକକୁ ହଜା‌ର ବର୍ଷର ଏକ ସୁନ୍ଦର ସହର କରିବା ପାଇଁ ୨୦୨୩ରେ ପୌର ନିଗମ ପକ୍ଷରୁ ଉଦ୍ୟମ କରାଯିବ। ଏଥିପାଇଁ ସହରବାସୀଙ୍କୁ ନିଗମକୁ ସହଯୋଗ କରିବା ପାଇଁ ନିବେଦନ କରୁଛି ବୋଲି କହିଛନ୍ତି ନିଖିଲ ପୱନ କଲ୍ୟାଣ, କମିସନର, କଟକ ପୌର ନିଗମଳ।
ହକି ବିଶ୍ୱକପ୍‌- ୨୦୨୩ ବର୍ଷ ଆରମ୍ଭରେ କଟକବାସୀଙ୍କ ପାଇଁ ଖୁସିର ଖବର ରହିଛି। ଜାନୁଆରି ୧୧ ତାରିଖରେ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରାଯିବ। ବିଶ୍ୱକପରେ ଅଂଶ ଗ୍ରହଣ କରୁଥିବା ୧୬ଟି ଦେଶର ଖେଳାଳିଙ୍କ ସହିତ ୨୦ରୁ ଅଧିକ ଦେଶରୁ ଶତାଧିକ ନିମନ୍ତ୍ରିତ ଅତିଥି କଟକକୁ ଆସିବେ। ଭାରତର ୨୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୫ରୁ ଅଧିକ କେନ୍ଦ୍ରମନ୍ତ୍ରୀଙ୍କୁ ବି ଆମନ୍ତ୍ରଣ କରାଯାଇଛି। ହକି ଉଦ୍‌ଘାଟନୀ ଉତ୍ସବ ପାଇଁ କଟକ ସହରକୁ ସଜାଯାଉଛି। ବିଶେଷ ଭାବେ ୧୦ କୋଟି ଟଙ୍କାରେ ଶିଖରପୁରରୁ ଚହଟା ଗୋଲେଇଛକ ପର୍ଯ୍ୟନ୍ତ ରିଂ ବନ୍ଧର ସୌନ୍ଦର୍ଯ୍ୟକରଣ କାମ ଚାଲିଛି।
୨୦୨୩ ନଭେମ୍ବରରେ ବକ୍ସଡ୍ରେନ୍‌- ସହରର ପଟ୍ଟାପୋଲରୁ ମାତୃଭବନ ପର୍ଯ୍ୟନ୍ତ ଏମ୍‌ଏସ୍‌ଡବ୍ଲୁ-୧ ମୁଖ୍ୟ ଡ୍ରେନକୁ ବକ୍ସ ଡ୍ରେନରେ ପରିଣତ କରିବା କାମ ୨୦୨୩ ନଭେମ୍ବରରେ ଶେଷ ହେବ। ୩.୪ କିଲୋମିଟର ବକ୍ସ ଡ୍ରେନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୨ ସେପ୍ଟେମ୍ବର ୧ ତାରିଖରେ ଭିତ୍ତିପ୍ରସ୍ତର ପକାଇଥିଲେ। ପ୍ରକଳ୍ପର ମୂଲ୍ୟ ୩ଶହ କୋଟିରୁ ଆରମ୍ଭ ହୋଇ ଏବେ ୪୫୦.୪୪ କୋଟି ଟଙ୍କାରେ ପହଞ୍ଚି। ୩ ବର୍ଷ ମଧ୍ୟରେ ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ସରକାର, ପ୍ରଶାସନ ଓ ଠିକା ସଂସ୍ଥାର ଖାମଖିଆଲ ନୀତି ଯୋଗୁଁ ଏହା ଶେଷ ହେବାକୁ ୧୧ ବର୍ଷରୁ ଅଧିକ ସମୟ ନେଲାଣି।
୨୦୨୩ ମାର୍ଚ୍ଚରେ ଜାଇକା- ସହରବାସୀଙ୍କୁ ନର୍କ ଯନ୍ତ୍ରଣାର ଅନୁଭୂତି ଦେଇଥିବା ଜାଇକା ପ୍ରକଳ୍ପ ୨୦୨୩ ମାର୍ଚ୍ଚରେ ଶେଷ ହେବ। ପ୍ରକଳ୍ପ କାମ ଶେଷ ହେବା ପରେ ଏହାର କାର୍ଯ୍ୟକ୍ଷମ ଓ ମରାମତି କାମ ୱାଟକୋ ପକ୍ଷରୁ ନିୟନ୍ତ୍ରଣ କରାଯିବ। ୨୦୧୧ରେ ଆରମ୍ଭ ହୋଇଥିବା ପ୍ରକଳ୍ପରେ ୩୬ଟି ପମ୍ପିଂ ଷ୍ଟେସନ୍‌, ୨ଟି ଏସ୍‌ଟିଭି(ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ଷ୍ଟେସନ୍‌, ୩୫୩ କିଲୋମିଟର ସ୍ୱେରେଜ କାମ ଶେଷ ହୋଇଛି। ବାକି ୪ କିଲୋମିଟର ସ୍ୱେରେଜ କାମକୁ ଆସନ୍ତା ମାର୍ଚ୍ଚ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ୧୫ଶହ କୋଟି ଟଙ୍କାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଏବେ ୨୩ଶହ ‌କୋଟି ଟଙ୍କାରେ ପହଞ୍ଚିଛି।
ଡ୍ରିଙ୍କିଙ୍ଗ୍‌ ଫ୍ରମ୍‌ ଟ୍ୟାପ୍‌: କଟକର ୧ଲକ୍ଷ ୪୦ ହଜାର ଘରକୁ ‘ସୁଜାଲା-ଡ୍ରିଙ୍କିଙ୍ଗ୍‌ ଫ୍ରମ୍‌ ଟ୍ୟାପ୍‌’ ଯୋଜନାରେ ୨୦୨୩ ଡିସେମ୍ବର ମଧ୍ୟରେ ୨୪ ଘଣ୍ଟା ପାଇଁ ପାଣି ଯୋଗାଇ ଦିଆଯିବ। ଏଥିରେ ୭ଲକ୍ଷରୁ ଅଧିକ ଲୋକେ ସିଧାସଳଖ ଭାବେ ଟ୍ୟାପରୁ ପାଣି ପିଇ ପାରିବେ। ମାଟିତଳ ଜଳ ବଦଳରେ କଟକବାସୀଙ୍କୁ ବିଶୁଦ୍ଧ ନଦୀପାଣି ଯୋଗାଇ ଦିଆଯିବ। ଏଥିପାଇଁ ସହରକୁ ୫୫ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଜୋନ୍‌ରେ ଗୋଟିଏ ଓଭର ହେଡ୍‌ ପାଣି ଟାଙ୍କି କରିବାକୁ ସ୍ଥିର ହୋଇଥିବା ବେଳେ ଏବେ ସୁଦ୍ଧା ୪୨ଟି ଟାଙ୍କୀ ନିର୍ମାଣ ଶେଷ ହୋଇଛି। ପ୍ରକଳ୍ପ ପାଇଁ ଏହା ମଧ୍ୟରେ ୭ଶହ କିଲୋମିଟର ପୁରୁଣା ପିଭିସି ପାଇପ୍‌କୁ ବଦଳା ଯାଇ ଡିଆ (ଡକ୍‌ଟାଇଲ୍‌ ଆଇରନ) ପାଇପ ବିଛା ଯାଇଛି। ଆଗାମୀ ଦିନରେ ବାକି ୧୯୭ କିଲୋମିଟର ପୁରୁଣା ପାଇପକୁ ବଦଳାଯିବ ବୋଲି ୱାଟ୍‌କୋ ପକ୍ଷରୁ ସୂଚନା ଦିଆଯାଇଛି।
୨୦୨୩ ନ‌ଭେମ୍ବର ସୁଦ୍ଧା ଚଣ୍ଡୀମନ୍ଦିର ସୌନ୍ଦର୍ଯ୍ୟୀକରଣ: କଟକ ଚଣ୍ଡୀମନ୍ଦିରର ସୌନ୍ଦର୍ଯ୍ୟୀକରଣ କାମ ୨୦୨୩ ନଭେମ୍ବରରେ ଶେଷ ହେବ। ୭୦ କୋଟି ଟଙ୍କାର ବଜେଟରେ ତିନି ମହଲା ବିଶିଷ୍ଟ ଏକ କୋଠା, ରାସ୍ତା, ପାର୍କିଂ ସ୍ଥାନ, ମନ୍ଦିର ବେଢା, ଷ୍ଟ୍ରଙ୍ଗରୁମ୍‌, ପୂଜକଙ୍କ ବିଶ୍ରାମ କକ୍ଷ ପରି ବିଭିନ୍ନ ନିର୍ମାଣ କରାଯିବ। ପ୍ରକଳ୍ପ ପାଇଁ ଏବେ ମନ୍ଦିର ପାର୍ଶ୍ଵରେ ଓ ସମ୍ମୁଖରେ ଥିବା ‌ପୁରୁଣା କୋଠାକୁ ଭଙ୍ଗାଯାଉଛି।
୨୦୨୩, ଜାନୁଆରି ୨୩ରେ ନେତାଜୀ ବସ୍‌ ଟର୍ମିନାଲ୍‌: ଜାନୁଆରି ୨୩ ତାରିଖ ନେତାଜୀ ଜୟନ୍ତୀରେ ଖାନନଗର ନେତାଜୀ ବସ୍‌ ଟର୍ମିନାଲକୁ ଉଦ୍‌ଘାଟନ କରାଯିବ। ୮୪ କୋଟି ଟଙ୍କାରେ ନିର୍ମାଣ ଚାଲିଥିବା ଉକ୍ତ ପ୍ରକଳ୍ପର କାମ ୯୦ ପ୍ରତିଶତ ଶେଷ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଟର୍ମିନାଲ ମଧ୍ୟକୁ କେଉଁ ବାଟ ଦେଇ ବସ୍‌ ଚଳପ୍ରଚଳ କରିବ ଏହାର ରୂପରେଖ ଏବେ ସୁଦ୍ଧା ପ୍ରସ୍ତୁତ ହୋଇନାହିଁ।
ପୌର ନିଗମର ଯୋଜନା: ଭେଣ୍ଡିଂ ଜୋନ୍‌, ପାଠାଗାର, ପାର୍କିଂ-ନିଗମର ଆବଶ୍ୟକତାକୁ ଦେଖି ଭେଣ୍ଡିଂ ଜୋନ ଓ ପାଠାଗାର ନିର୍ମାଣ ସହ ଛତ୍ରବଜାରର ପରିବା ବ୍ୟବସାୟୀଙ୍କ ପାଇଁ ନୂତନ ମାର୍କେଟର ନିର୍ମାଣ ହେବ। ଏହାସହ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ପାର୍କିଂ ସ୍ଥାନ ପ୍ରସ୍ତୁତ ପରି ବିଭିନ୍ନ କାମ କରାଯିବ। ଏହାସହ ସହରବାସୀଙ୍କୁ ନିଗମର ମୋବାଇଲ୍‌ ଆପ୍‌ ସହିତ ଯୋଡିବା ଦିଗରେ ବିଶେଷ ଉଦ୍ୟମ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।
ରାଜସ୍ବ ବଢ଼ିବ ୨ଗୁଣ: ପୌର ନିଗମର ରାଜସ୍ବ ଗତ ବର୍ଷମାନଙ୍କରେ ୫୦ରୁ ୫୫ ‌କୋଟି ଟଙ୍କା ମଧ୍ୟରେ ସୀମିତ ରହିଛି। ଆସନ୍ତା ୨୦୨୩-୨୦୨୪ ଆର୍ଥିକ ବର୍ଷରେ ଏହାକୁ ଶହେ କୋଟିରେ ପହଞ୍ଚାଇବା ପାଇଁ ନିଗମ ଅଣ୍ଟା ଭିଡିଛି। ଏଥିପାଇଁ ଅଧିକ ସଂଖ୍ୟାରେ ଟ୍ୟାକ୍ସ କଲେକ୍ଟରଙ୍କୁ ନିଯୁକ୍ତ କରାଯିବା ସହ ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ୱାରା ଟିକସ ଆଦାୟ କାମ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିସହ ଅନ୍‌ଲାଇନ୍‌‌ ବ୍ୟବସ୍ଥା‌ରେ ଟିକସ ଆଦାୟ ପାଇଁ ନିଗମର ନିଜସ୍ୱ ଆପ୍‌ର ପ୍ରସ୍ତୁତି ଚାଲିଛି ବୋଲି ପୌର ନିଗମ ତରଫରୁ କୁହାଯାଇଛି।
ରାସ୍ତା ପାଇଁ ଖର୍ଚ୍ଚ ହେବ ୩୬୦ କୋଟି
କଟକ ସହରର ରାସ୍ତାକୁ ୨୦୨୩ ଓ ୨୦୨୪ ୨ବର୍ଷ ମଧ୍ୟରେ ନୂଆ ରୂପ ଦିଆଯିବ। ଏଥିପାଇଁ ୩୬୦ କୋଟି ଟଙ୍କାର ବଜେଟ ରଖାଯାଇଛି। ସହରର ମୁଖ୍ୟ ରାସ୍ତାରୁ ଆରମ୍ଭ କରି ସାହି ବସ୍ତିର ରାସ୍ତାକୁ ନୂତନ ଭାବେ ନିର୍ମାଣ କରାଯିବ। ଜାଇକା, ଅମୃତ, କେବୁଲ ଓ ଗ୍ୟାସ ଲାଇନ୍‌ ପରି ବିଭିନ୍ନ କାମ ଶେଷ ହେବା ପରେ ନୂତନ ରାସ୍ତା ନିର୍ମାଣ କରାଯିବ। ୨୦୨୩ରେ ସହରର ଯେଉଁ ଅଞ୍ଚଳରେ ଉକ୍ତ କାମ ଶେଷ ହୋଇଥିବ ସେଠାରେ ରାସ୍ତା ନିର୍ମାଣ କାମ ଆରମ୍ଭ ହେବ ବୋଲି ପୌର ନିଗମ ପକ୍ଷରୁ କୁହାଯାଇଛି।
୬ଥାକିଆ ‌ହେବ ରିଂ ବନ୍ଧ ରାସ୍ତା
ସହର ମଧ୍ୟର ଟ୍ରାଫିକ କମାଇବା ପାଇଁ ମହାନଦୀ ଓ କାଠଯୋଡୀ ନଦୀର ରିଂ ବନ୍ଧ ରାସ୍ତାକୁ ୬ ଥାକିଆ କରିବାକୁ ସରକାରଙ୍କ ପକ୍ଷରୁ ଯୋଜନା ହୋଇଛି। ୨୦୨୩ରେ ଏହି କାମ ଆରମ୍ଭ କରାଯିବ। ପ୍ରଥମେ କାଠଯୋଡି ରିଂ ବନ୍ଧରେ ଏହି କାମ କରାଯିବ ବୋଲି ସୂଚନା ରହିଛି।
ପୌର ନିଗମର ଆହ୍ୱାନ : ବର୍ଷତମାମ ପଙ୍କ ସଫେଇ- କଟକ ସହର ପାଇଁ ଜଳବନ୍ଦୀ ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ପୌର ନିଗମ ପକ୍ଷରୁ ବିଶେଷ ଯୋଜନା ପ୍ରସ୍ତୁତ ହୋଇଛି। ନିଗମ ପକ୍ଷରୁ ୨୦୨୩ ବର୍ଷରେ ସହରର ସମସ୍ତ ଡ୍ରେନକୁ ବର୍ଷ ତମାମ ସଫା କରିବାକୁ ସ୍ଥିର ହୋଇଛି। ସାହିବସ୍ତିର ଡ୍ରେନକୁ ମଣିଷ ଲଗାଇ ସଫା କରାଯିବା ସହ ବିଏସ୍‌ଡବ୍ଲୁସି ଓ ଏମ୍‌ଏସ୍‌ଡବ୍ଲୁସି ଡ୍ରେନକୁ ମେସିନ ସାହାଯ୍ୟରେ ସଫା କରାଯିବ।
ମଶା ନିୟନ୍ତ୍ରଣ: ସହରରେ ମଶା ବୃଦ୍ଧି ୨୦୨୨ରେ ସବୁ ରେକର୍ଡ ଭାଙ୍ଗିଛି। ପୂର୍ବରୁ ମଶା ଘନତ୍ଵ ୫୦ରୁ ୫୫ ଥିବା ବେଳେ ଚଳିତ ବର୍ଷ ଏହା ୬୩ ଘନତ୍ଵକୁ ଛୁଇଁଛି। ୨୦୨୩ରେ ମଶା ବଂଶ ନିୟନ୍ତ୍ରଣ ନିଗମ ପାଇଁ ଏକ ବଡ ଆହ୍ୱାନ ରହିବ। ଏଥିପାଇଁ ନିଗମ ପକ୍ଷରୁ ଆସନ୍ତା ବର୍ଷରେ ସହରର ଶତାଧିକ ଜଳାଶୟକୁ ସଫା କରାଯିବ। ସେହିପରି ସହରରେ ମଶାଙ୍କ ବିଡିଂ ସେଣ୍ଟରକୁ ଚିହ୍ନଟ କରାଯାଇ ସେଗୁଡିକର ସଫେଇକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଏହାସହ ମଶା ଧୂଆଁ ଓ ତେଲର ବ୍ୟବସ୍ଥା ବିଡିଂ ସମୟ ଆରମ୍ଭରୁ କାର୍ଯ୍ୟକ୍ଷମ କରାଯିବ ବୋଲି ପୌର ନିଗମ ତରଫରୁ ସୂଚନା ଦିଆଯାଇଛି।
୨୦୨୩ରେ ହେବ କି ସିଡିଏ ଫ୍ରି ହୋଲ୍‌ଡ? ସିଡିଏର ବିଭିନ୍ନ ସେକ୍ଟର‌‌ରେ ଆବଣ୍ଟନ ହୋଇଥିବା ଜମିକୁ ଲିଜ ହୋଲ୍ଡରୁ ଫ୍ରି ହୋଲ୍ଡ କରିବା ପାଇଁ ଗତବର୍ଷ ଡିସେମ୍ବର ୨୮ରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ସେତେବେଳେ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଥିବା ପ୍ରତାପ ଜେନାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ପୌର ନିଗମ ନିର୍ବାଚନ ପୂର୍ବରୁ ଏଭଳି ଉଦ୍ୟମ କରାଯାଇଥିଲା। ନିର୍ବାଚନରେ ବିଜେଡି ବିପୁଳ ବିଜୟ ହାସଲ କଲା। କିନ୍ତୁ ସିଡିଏ ଫ୍ରି ହୋଲ୍‌ଡ ଦାବି ପୂରଣ ଦିଗରେ ସାମାନ୍ୟ ପ୍ରୟାସ ବି ହୋଇ ନାହିଁ। ସିଧାସଳଖ ମେୟର ନିର୍ବାଚିତ ହୋଇଥିବା ସୁବାସ ସିଂହ ବି ଏ ଦିଗରେ କି ପ୍ରୟାସ କରିଛନ୍ତି, ତାହା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ପୌର ନିଗମ ନିର୍ବାଚନକୁ ଦୃଷ୍ଟିରେ ରଖି ସିଡିଏ ବାସିନ୍ଦାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏପରି ଉଦ୍ୟମ କରାଯାଇଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ସିଡ଼ିଏ ଜମିକୁ ବିଡ଼ିଏ ଓ ମହାନଦୀବିହାର ପରି ଫ୍ରି ହୋଲ୍ଡ କରିବାକୁ ବହୁ ବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉ ନଥିବା ଅସନ୍ତୋଷର କାରଣ ହୋଇଛି। ସିଡ଼ିଏ ବାସୀଙ୍କୁ ଏଥିପାଇଁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପିଲାଙ୍କ ଉଚ୍ଚଶିକ୍ଷା ଓ ଚାକିରି ପାଇଁ ଦରକାର ପଡୁଥିବା ରେସିଡେନ୍ସିଆଲ ସାର୍ଟିଫିକେଟ ମିଳିବାରେ ଓ ସ୍ୱାସ୍ଥ୍ୟଗତ କିମ୍ବା ସ୍ଵରୋଜଗାର ପାଇଁ ବ୍ୟାଙ୍କ ଲୋନ୍‌ ସିଡ଼ିଏ ଲିଜ୍‌ ଜମି ଉପରେ ମିଳୁନାହିଁ।

Share Now:

Kalinga News Beuro

Next Post

ଛତିଶଗଡର କୋକରାଲ ଡ୍ୟାମକୁ ବିରୋଧ : ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ଏକତ୍ରିତ ହେଲେ ଆଦିବାସୀ

Thu Dec 29 , 2022
ପୁଣି ୭ଟି ପଞ୍ଚାୟତର ୫୮ ଗ୍ରାମକୁ ବୁଡ଼ାଇବ ଛତିଶଗଡର ନୂଆ ଡ୍ୟାମ ମାଲକାନଗିରି: ମାଥିଲି ବ୍ଲକର ସୀମାନ୍ତ କମାରପାଲୀ ପଞ୍ଚାୟତ ଓ ଛତିଶଗଡ ସୀମାକୁ ଲାଗି ରହିଥିବା ଚକାବକା ନଦୀ ଉପରେ ଛତିଶଗଡ଼ ସରକାର କୋକରାଲ ଡ୍ୟାମ ନିର୍ମାଣ କରିବାକୁ ଯାଉଥିବା ବେଳେ ଏହାକୁ ସ୍ଥାନୀୟ ଅଞ୍ଚଳର ଲୋକେ ବିରୋଧ କରିଛନ୍ତି। ଏହି ଡ୍ୟାମ ନିର୍ମାଣ ହେଲେ ମାଥିଲି ବ୍ଲକର ମହୁପଦର, ସାଲିମି, ଟେମରୁପାଲୀ,କୋତାପାଲୀ, କିଆଙ୍ଗ, କମାରପାଲୀ ଏବଂ ମେକା […]
ଛତିଶଗଡର କୋକରାଲ ଡ୍ୟାମକୁ ବିରୋଧ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial