ରାଜଧାନୀରେ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଡାଏଗ୍ନୋଷ୍ଟିକ୍‌ ସେଣ୍ଟର

ଡାଏଗ୍ନୋଷ୍ଟିକ୍‌ ସେଣ୍ଟରରେ ରୋଗୀଙ୍କ ଜୀବନ ସହ ଖେଳ

ଭୁବନେଶ୍ୱର : ଡାଏଗ୍ନୋଷ୍ଟିକ୍ ସେଣ୍ଟରମାନେ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ଜଣଙ୍କର ନମୁନା ରିପୋର୍ଟକୁ ବଦଳାଇ ଅନ୍ୟକୁ ଦେଉଛନ୍ତି। ରୋଗୀଟିଏ ନିଜ ରୋଗକୁ ନେଇ ଦ୍ଵନ୍ଦରେ ପଡ଼ୁଛନ୍ତି। ରାଜଧାନୀର ଏକ ନାମୀ ହସ୍ପିଟାଲର ଡାଏଗ୍ନୋଷ୍ଟିକ ସେଣ୍ଟର ରୋଗୀଙ୍କ ରିପୋର୍ଟ ଅଦଳବଦଳ କରିଥିବା ନଜରକୁ ଆସିଛି। ରୋଗୀ ଜଣକ ଏନେଇ ମାମଲା କରିବା ଲାଗି ଧମକ ଦେଇଛନ୍ତି।
ରାଜଧାନୀର ସବିତାବାଳା ପଟ୍ଟନାୟକ ଗତ ନଭେମ୍ବର ୪ ତାରିଖରେ ସଂପୃକ୍ତ ଡାଏଗ୍ନୋଷ୍ଟିକ୍‌ ସେଣ୍ଟରରେ ନିଜର ରକ୍ତ ନମୁନା ପରୀକ୍ଷା କରିଥିଲେ। ଏଥିପାଇଁ ସଂପୃକ୍ତ ସଂସ୍ଥାର ଜଣେ କର୍ମଚାରୀ ଘରକୁ ଆସି ରକ୍ତ ନମୁନା ସଂଗ୍ରହ କରିଥିଲେ। ପରବର୍ତୀ ସମୟରେ ତାଙ୍କୁ ଦିଆଯାଇଥିବା ରିପୋର୍ଟରେ କୋଲେଷ୍ଟୋରଲ ଓ ଅନ୍ୟାନ୍ୟ ଉପାଦାନ ମାତ୍ରାଧିକ ରହିଥିବା ଜଣାପଡ଼ିଥିଲା। ଯାହାକୁ ନେଇ ସେ ଡାକ୍ତରଙ୍କ ପରାମର୍ଶ କରିଥିଲେ ଓ ଔଷଧ ଖାଇବାକୁ ଆରମ୍ଭ କରିଥିଲେ। ଏହାର ୧ମାସ ପରେ ପୁନର୍ବାର ସଂପୃକ୍ତ ସଂସ୍ଥା ନିକଟରେ ରକ୍ତ ନମୁନା ପରୀକ୍ଷା କରିଥିଲେ। ଏଥିରେ ତାଙ୍କର ସବୁ ନମୁନା ଠିକ୍ ଥିବା କୁହାଯାଇଥିଲା। ତେବେ ନିଜର ସ୍ୱାସ୍ଥ୍ୟକୁ ନେଇ ସଚେତନ ଥିବା ଶ୍ରୀମତୀ ପଟ୍ଟନାୟକ ଚଳିତମାସ ୪ତାରିଖରେ ପୁନର୍ବାର ରକ୍ତ ନମୁନା ପରୀକ୍ଷା କରିଥିଲେ। ହେଲେ ଏଥର ତାଙ୍କ ରିପୋର୍ଟରେ ପ୍ରଥମଥର ଯେଉଁ ସବୁ ସମସ୍ୟା ରହିଥିଲା ତାହା ଦର୍ଶାଯାଇଥିଲା। ଯାହାକୁ ନେଇ ସେ ଭୟଭୀତ ହୋଇ ପଡ଼ିଥିଲେ। ନିଜର ଜଣେ ସଂପର୍କୀୟଙ୍କୁ ରିପୋର୍ଟ ଦେଖାଇବା ପରେ ତାହା ରକ୍ତ ନମୁନା ବଦଳରେ ପରିସ୍ରା ରିପୋର୍ଟ ଦେଇଥିବା ଜଣାପଡ଼ିଥିଲା। ଏ ନେଇ ନମୁନା ସଂଗ୍ରହ କରୁଥିବା କର୍ମଚାରୀଙ୍କୁ ଯୋଗାଯୋଗ କରିବା ପରେ ସେ ଭୁଲ୍‌ରେ ଏହି ରିପୋର୍ଟ ଦେଇଥିବା କହିଥିଲେ। ମାତ୍ର ଶ୍ରୀମତୀ ପଟ୍ଟନାୟକଙ୍କ ପୁଅ ନମୁନା ରିପୋର୍ଟରେ ଯେଉଁ କ୍ବ୍ୟୁଆର କୋଡ୍‌କୁ ସ୍କାନ୍ କରିବା ପରେ ସଂପୃକ୍ତ ରିପୋର୍ଟ ଅନ୍ୟ ଜ‌ଣେ ମହିଳାଙ୍କର ଥିବା ସ୍ପଷ୍ଟ ହୋଇଥିଲା। ୩ଟି ପର୍ଯ୍ୟାୟରେ ନମୁନା ପରୀକ୍ଷା ପାଇଁ ସଂପୃକ୍ତ କର୍ମଚାରୀ ଜଣକ ତାଙ୍କଠାରୁ ୧୦ହଜାର ଟଙ୍କା ନେଇଥିବା ସେ କହିଛନ୍ତି। ସଂପୃକ୍ତ କର୍ମଚାରୀ ଜଣକ ପ୍ରକୃତରେ ନମୁନା ପରୀକ୍ଷା ନ କରି ଡାଏଗ୍ନୋଷ୍ଟିକ ସେଣ୍ଟରରେ ପୂର୍ବରୁ ଥିବା ରୋଗୀଙ୍କ ରିପୋର୍ଟର ନାଁ ବଦଳାଇ ଏଭଳି କାରସାଦି କରିଥିବା ସେ ଦାବି କରିଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ଦିଅର ମଧ୍ୟ ସେହି କର୍ମଚାରୀ ଜଣକଙ୍କ ଜରିଆରେ ନମୁନା ପରୀକ୍ଷା କରାଇଥିଲେ। ତାଙ୍କ ରିପୋର୍ଟ ମଧ୍ୟ ଭୁଲ୍‌ଭାଲ ରହିଥିବା ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି। ଏବେ କର୍ମଚାରୀ ଜଣକ ଏ ସଂପର୍କରେ ଡାଏଗ୍ନୋଷ୍ଟିକ୍ ସେଣ୍ଟରର ମୁଖ୍ୟଙ୍କୁ ନ ଜଣାଇବାକୁ ନେହୁରା ହେଉଛନ୍ତି। ତେବେ ପ୍ରଶ୍ନ ଉଠୁଛି ରୋଗୀଙ୍କ ଜୀବନ ସହ ଖେଳ ଖେଳିବା ଲାଗି ତାଙ୍କୁ କିଏ ଅନୁମତି ଦେଲା ? ରାଜଧାନୀରେ ଏବେ ବହୁ ସଂଖ୍ୟାରେ ଡାଏଗ୍ନୋଷ୍ଟିକ ସେଣ୍ଟର ଖୋଲିଛି। ପ୍ରତ୍ୟେକ ଦିନ ଶହ ଶହ ଲୋକ ନିଜର ନମୁନା ପରୀକ୍ଷା କରୁଛନ୍ତି। ଯଦି ଜଣଙ୍କର ଏଭଳି ରିପୋର୍ଟ ଅଦଳବଦଳ ହୋଇଛି ତାହାଲେ ଅନ୍ୟମାନେ କିଭଳି ନିଜର ରିପୋର୍ଟ ଉପରେ ଭରସା କରିବେ?

Share Now:

Kalinga News Beuro

Next Post

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ବାଲେଶ୍ଵରରେ ଜଣେ ଗିରଫ

Fri Feb 24 , 2023
ବାଲେଶ୍ଵର: ପ୍ରତିରକ୍ଷା ତଥ୍ୟ ପୁଣି ଥରେ ପ୍ରଘଟ ହୋଇଛି। ହନିଟ୍ରାପ୍‌ର ଶିକାର ହୋଇ ପାକିସ୍ତାନକୁ ଗୁପ୍ତ ତଥ୍ୟ ‌ଯୋଗାଇବା ଅଭିଯୋଗରେ ବାଲେଶ୍ଵର ପୁଲିସ ଜଣଙ୍କୁ ଗିରଫ କରିଥିବା ଶୁକ୍ରବାର ସୂଚନା ଦେଇଛି। ଆଇଟିଆର ତଥ୍ୟ ଲିକ୍ ଅଭିଯୋଗରେ ବାଲେଶ୍ୱର ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ଆଇଟିଆରର ବରିଷ୍ଠ ଅଧିକାରୀ ବୋଲି ସୂଚନା ମିଳିଛି। ଡିଆଡିଓ ତଥ୍ୟ ଲିକ୍ ପ୍ରସଙ୍ଗରେ ବାଲେଶ୍ୱର ପୁଲିସ ସାମ୍ବାଦିକ ସମ୍ମିଳନୀରେ […]
ପାକିସ୍ତାନକୁ ଗୁପ୍ତ ତଥ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial