ଖୁଲମ୍‌ଖୁଲା ବିକ୍ରି ହେଉଛି ସରକାରୀ ଜମି : ୨୦ରେ ୨୦ ଫୁଟ୍‌ ଜାଗାକୁ ୬୦ ହଜାର

ଚନ୍ଦ୍ରଶେଖରପୁର: ରାଜଧାନୀ ଛାତି ଉପରେ ଜାଗା କିଣିବାକୁ ଚାହୁଛନ୍ତି କି? ବହୁତ ଶସ୍ତାରେ ମିଳିଯିବ। ଦାମ୍‌ ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ମାତ୍ର ୬୦ରୁ ୮୦ ହଜାର ଟଙ୍କାରେ ମିଳୁଛି ଗୋଟିଏ ବେଡରୁମ୍‌, ଗୋଟିଏ ଡ୍ରଇଁ ରୁମ୍‌, ରୋଷେଇ ଘର ଏବଂ ଗାଧୁଆ ଘର ନିର୍ମାଣ କରିବା ପାଇଁ ଜାଗା। ଡାହାଣ ହାତରେ ଟଙ୍କା ଦେବେ ବାମ ହାତରେ ଆପଣ ଜମି ମାଲିକ ହେଲେ ବୋଲି କାଗଜ ଖଣ୍ଡେ ପାଇଯିବେ। ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟକୁ ଯିବାକୁ ପଡ଼ିବନି କି ଘର କରିବା ପାଇଁ ବିଡିଏ ବା ବିଏମ୍‌ସିରୁ ପ୍ଲାନ୍‌ ଆଣିବାକୁ ପଡ଼ିବନି। ସଙ୍ଗେ ସଙ୍ଗେ ଯେମିତି ଡିଜାଇନ୍‌ର ଚାହିବେ, ସେମିତି ଘର ନିର୍ମାଣ କରିପାରିବେ। ହଁ ଜମି ବିକ୍ରେତା ବି ଘର ଭଙ୍ଗା ନହେବାର ପ୍ରତିଶ୍ରୁତି ଦେଉଛନ୍ତି। ଯଦି ବିଏମ୍‌ସି କିମ୍ବା ବିଡିଏ ପକ୍ଷରୁ ଭବିଷ୍ୟତରେ ଘର ଭଙ୍ଗାଯାଏ ତେବେ ତାହା ବଦଳରେ ଜାଗା ନଚେତ୍‌ ଘର କେମିତି ମିଳିବ ତା’ର ବାଟ କରିବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି।

ବିଡମ୍ବନାର ବିଷୟ; ଜମି ବିକ୍ରେତାଙ୍କର ଏହି ଜାଗା ନୁହେଁ କି ଜମି କ୍ରେତାଙ୍କୁ କିଣୁଥିବା ଜମିର ଦଲିଲ୍‌ କି ପଟ୍ଟା ମିଳୁନିି। ଜମି ମାଫିଆ ସରକାରୀ ଜମିକୁ ଦଖଲକୁ ନେଇ ଶାଗମାଛ ଦରରେ ବିକ୍ରି କରୁଛନ୍ତି। ଏହିଭଳି ସରକାରୀ ଜମି ବିକ୍ରି ଚାଲିଛି ଜୟଦେବ ବିହାରସ୍ଥିତ ଲୟଲା ସ୍କୁଲ ନିକଟରେ। ଜମି ମାଫିଆ ସରକାରୀ ଜମିକୁ ତାର ବାଡ଼ ଘେରାଇ ରଖିବା ପରେ ଏବେ ଗୋଟିଏ ପରେ ଗୋଟିଏ ପ୍ୟାଚ୍‌ ବିକ୍ରି କରି ଚାଲିଛନ୍ତି। ଜମି କିଣୁଥିବା ଲୋକ ଏବେ ସେହି ଜାଗାରେ ଘର ବି ନିର୍ମାଣ କରୁଛନ୍ତି। କିନ୍ତୁ ବିଡିଏ ଓ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ଖବର ନାହିଁ। ସରକାରୀ ଜମିରେ ବେଆଇନ ନିର୍ମାଣକୁ ପ୍ରଶୟ ଦିଆଯିବନି ବୋଲି କହୁଥିବା କର୍ତ୍ତୃପକ୍ଷ ଏବେ ନିରବଦ୍ରଷ୍ଟା ପାଲଟିଛନ୍ତି। ଯାହାର ଫାଇଦା ଏବେ ଜମି ମାଫିଆ ଉଠାଉଛନ୍ତି। କିଭଳି ଭାବେ ସରକାରୀ ଜମି ବିକ୍ରି ହେଉଛି ତାହାକୁ ନେଇ ଆମର ଅନୁସନ୍ଧାନ। 

ଲୟଲା ସ୍କୁଲର ପଛପାର୍ଶ୍ୱ ଫାଟକର ରାସ୍ତା ଆର ପାଖରେ ଥିବା ଖୋଲା ପଡ଼ିଆକୁ ଗତ ୬ରୁ ୭ ବର୍ଷ ହେଲା ଜମି ମାଫିଆମାନେ ଜବରଦଖଲ କରି ରଖିଛନ୍ତି। ୨୦ଫୁଟ ଲମ୍ବ ୨୦ଫୁଟ ଓସାରରେ ପ୍ଲଟିଂ ବି କରାଯାଇଛି। ଗରାଖ ପହଞ୍ଚିଲେ ୮୦ହଜାରରୁ ଆରମ୍ଭ ହେଉଛି ମୂଲଚାଲ। ଆଉ ସର୍ବନିମ୍ନ ୬୦ହଜାର ଟଙ୍କାରେ ବିକ୍ରି କରାଯାଉଛି। ରାସ୍ତା କଡ଼କୁ ଲାଗି ଜମି ନେଲେ ୮୦ ହଜାର ଟଙ୍କା। ଏଥିରୁ ଟଙ୍କାଟେ କମୁନି। ଜମି କିପରି ସହଜରେ ବିକ୍ରି ହେବ ଏବଂ ଚଢ଼ା ଦାମ୍‌ରେ ଯିବ ସେଥିପାଇଁ ଜମି କ୍ରେତାଙ୍କୁ ବି ମାଫିଆମାନେ ବଡ଼ ବଡ଼ ସ୍ୱପ୍ନ ସବୁ ଦେଖାଇଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ସୁବିଧା ପାଇଁ ସେଠାରେ ପାର୍କ, ଖେଳ ପଡ଼ିଆ, ଡାକ୍ତରଖାନା, ପୁଲିସ ଫାଣ୍ଡି, ପାଣିଟାଙ୍କି ହେବ ବୋଲି ବି ସ୍ୱପ୍ନ ଦେଖାଯାଇଛି। ରାଜଧାନୀ କେନ୍ଦ୍ରସ୍ଥଳୀରେ ୬୦ରୁ ୮୦ ହଜାର ଟଙ୍କାରେ ଜମି ମିଳୁଥିବା ଖବର ପାଇବା ପରେ ଆମେ ମଧ୍ୟ ଖଣ୍ଡେ ଜାଗା କିଣିବା ପାଇଁ ସେଠାରେ ପହଞ୍ଚିଥିଲୁ। ଦେଖିଲୁ କିଛି ଲୋକ ଏବେ ଘର ନିର୍ମାଣ କରୁଛନ୍ତି। ସେମାନଙ୍କୁ ପଚାରିଲୁ ଏଠାରେ ଘର କରିବାକୁ ଜାଗା ମିଳିବ କି? ଏକଥା ଶୁଣିବା ମାତ୍ରେ ୪ରୁ ୫ଜଣ ବ୍ୟକ୍ତି ରୋକଠୋକ୍‌ ମନାକଲେ। କହିଲେ, ଆଉ ଜାଗା ମିଳିବନି। ସବୁ ପ୍ରାୟ ବିକ୍ରି ହୋଇଗଲାଣି। ଏ ଜାଗାକୁ ଆମେ ୫ ମାସ ତଳେ କିଣିଥିଲୁ। ଏବେ ଘର କରୁଛୁ। କେତେ ଟଙ୍କା ଦେଇ କିଣିଥିଲେ ବୋଲି ପଚାରିବାରୁ କହିଥିଲେ ୨୦ଫୁଟରେ ୨୦ ଫୁଟ ଜାଗା ୬୨ହଜାର ଟଙ୍କା ପଡ଼ିଲା। କାହାକୁ ଯୋଗାଯୋଗ କଲେ ଜାଗା ମିଳିବ ବୋଲି ପଚାରିବାରୁ ଜଣେ ବ୍ୟକ୍ତି କହିଥିଲେ ଶିବ ମନ୍ଦିର ନିକଟରେ ଥିବା ଟୁଟୁ ବାବୁଙ୍କ ସହ ଯୋଗଯୋଗ କର। ଆମେ ଟୁଟୁ ବାବୁଙ୍କ ଫୋନ୍‌ ନମ୍ବର ମାଗିବାରୁ ସେ ଦେବାକୁ ମନା କରି ଦେଇଥିଲେ। ତଥାପି ଟୁଟୁ ବାବୁଙ୍କ ଫୋନ୍‌ ନମ୍ବର କୌଣସି ମତେ ଯୋଗାଡ଼ କରି ଯୋଗଯୋଗ କରିବାରୁ ଉତ୍ତର ମିଳିଥିଲା ଏବେ ଜାଗା ଫାଗା କିଛି ନାହିଁ। ଗୋଟିଏ ଜାଗା ସହ ଘର ବିକ୍ରି ହୋଇଗଲା। ଲକ୍ଷେ ୬୦ ହଜାର ଟଙ୍କାରେ ବିକ୍ରି ହୋଇଯାଇଛି। ଆପଣଙ୍କ କ୍ଲବ ପାଖରେ ଥିବା ଖାଲି ଜାଗାରୁ ଖଣ୍ଡେ ମିଳିବନି ବୋଲି ପଚାରିବାରୁ ସେ ଉତ୍ତର ଦେଇଥିଲେ ସେଠାରେ ଖେଳ ପଡ଼ିଆ ହେବ।

ଏହି ଅଞ୍ଚଳରେ ୬ ବର୍ଷ ତଳେ ଜାଗା କିଣିଥିବା ଜଣେ ମହିଳା କହିଥିଲେ, ଆମେ ରାସ୍ତା ପାଖରେ ସେତେବେଳେ ୫୦ରୁ ୬୦ ହଜାର ଟଙ୍କା ଦେଇ କିଣିଥିଲୁ। ଗତ ୫ ମାସ ମଧ୍ୟରେ ଏଠାରେ ୧୫ଟି ଜାଗା ବିକ୍ରି ହୋଇଛି। ୨୦ ଫୁଟରେ ୨୦ ଫୁଟ ପାଇଁ ୬୦ରୁ ୬୫ହଜାର ନେଉଛନ୍ତି। ବହୁ ଲୋକ ଜାଗା ନ ପାଇ ଫେରି ଯାଉଛନ୍ତି। ପ୍ରତିଦିନ ଲୋକ ଆସୁଛନ୍ତି , ଜମି ଦେଖିକି ଯାଉଛନ୍ତି। କେଳା ସାହିର କିଛି ଲୋକ ଏଠାରେ ଜାଗା କିଣାବିକା କରୁଛନ୍ତି। ତୁମେ ତାଙ୍କୁ ପଚାର, ସେମାନେ କହିପାରିବେ ଜାଗା ଅଛି କି ନାହିଁ।

ନେତା ଜାଣିକି ଚୁପ୍‌
ଏହି ସରକାରୀ ଜମି ନିକଟରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୋର୍ଡ ଲାଗିଛି। ଲେଖାଯାଇଛି ଯେ ‘ସରକାରୀ ସମ୍ପତ୍ତିରେ ଅନାଧିକାର ପ୍ରବେଶ ଦଣ୍ଡନୀୟ ଅପରାଧ’। ତଥାପି ସମସ୍ତଙ୍କ ଗୋଚରରେ ଘର ନିର୍ମାଣ ହେଉଛି। ନେତା ମଧ୍ୟ ଜାଣିଛନ୍ତି। ଏପରିକି ୧୦ରୁ ୧୫ ଦିନ ତଳେ ଏହି ଜମିରେ ନିର୍ମାଣ ହୋଇଥିବା ଏକ କ୍ଲବ ଉଦ୍‌ଘାଟନ କରିବାକୁ ସ୍ଥାନୀୟ ବିଧାୟକ ଆସିଥିଲେ। ତାଙ୍କ ସହ ସ୍ଥାନୀୟ କର୍ପୋରେଟର ବି ଉପସ୍ଥିତ ଥିଲେ। କ୍ଲବ ଉଦ୍‌ଘାଟନ ହୋଇଥିଲେ ବି କୌଣସି ସ୍ଥାନରେ ବିଧାୟକ କିମ୍ବା କର୍ପୋରେଟରଙ୍କ ନାମଫଳକ ନ ଥିଲା। ଯାହାର ଫଟୋ ଆମ ନିକଟରେ ଅଛି।

Share Now:

Kalinga News Beuro

Leave a Reply

Next Post

ଦ୍ୱୈତ ନଗରୀରେ ଟ୍ରାଫିକ୍‌ ଜାମ୍‌ ସମ୍ପର୍କରେ ମିଳିବ ତଥ୍ୟ: ଲୋକାର୍ପିତ ହେଲା ପୋର୍ଟାଲ୍‌, ନିୟମ ଭାଙ୍ଗିଲେ ଗୋଡ଼ାଇବ ବାଇକ୍‌

Mon Jul 30 , 2018
ଭୁବନେଶ୍ୱର: ଦ୍ୱୈତ ନଗରୀ ଭୁବନେଶ୍ୱର ଓ କଟକରେ ସବୁବେଳେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥାଏ। ସେଥିପାଇଁ ସହରବାସୀ ନାନା ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ଏବେ ଏଥିରୁ ମିଳିବ ନିସ୍ତାର। ଏଥିପାଇଁ ଆଉ କାହାକୁ ପଚାରିବାକୁ ପଡ଼ିବ ନାହିଁ। କମିଶନରେଟ୍‌ ପୁଲିସ ଏବେ ଆରମ୍ଭ କରିଛି ଅନ୍‌ଲାଇନ୍ ସେବା। କମିଶନରେଟ୍‌ ପୁଲିସର ଟ୍ରାଫିକ ୱେବ୍‌ ପୋର୍ଟାଲ୍‌କୁ ଯାଇ ଆପଣ ଭୁବନେଶ୍ୱର ଓ କଟକ ସହରର କେଉଁ ରାସ୍ତାରେ ଟ୍ରାଫିକ ଭିଡ଼ ରହିଛି ଓ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial