ପଞ୍ଜାବର ବଠିଣ୍ଡା ସାମରିକ କେନ୍ଦ୍ରରେ ଗୁଳିକାଣ୍ଡ ଘଟି ୪ ମୃତ

ବଠିଣ୍ଡା ସାମରିକ କେନ୍ଦ୍ର ଭିତରେ ଗୁଳିକାଣ୍ଡ

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରେ ପଞ୍ଜାବର ବଠିଣ୍ଡାସ୍ଥିତ ସାମରିକ କେନ୍ଦ୍ରରେ ଗୁଳିକାଣ୍ଡ ଘଟି ’୮୦ ମିଡିୟମ୍‌ ରେଞ୍ଜ୍‌’ର ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ପାହାନ୍ତ ୪.୩୫ରେ ସାମରିକ କେନ୍ଦ୍ର ଭିତରେ ଗୁଳିକାଣ୍ଡ ଘଟିବା କଥା ରିପୋର୍ଟ ହେବା ପରେ ଉକ୍ତ କେନ୍ଦ୍ରର ‘କୁଇକ୍‌ ରିଆକ୍‌ସନ୍‌ ଟିମ୍‌’ ତତ୍ପର ହୋଇ ସେ ଅଞ୍ଚଳକୁ କର୍ଡନ୍‌ କରି ସିଲ୍‌ କରି ପକାଇଛି। ସଦ୍ୟତମ ସୂଚନା ଅନୁସାରେ, ସାମରିକ କେନ୍ଦ୍ରର ଅଫିସର୍ସ ମେସ୍‌ ଭିତରେ ଗୁଳିକାଣ୍ଡ ଘଟିଛି। ନିହତ ବ୍ୟକ୍ତିମାନଙ୍କର ପରିଚୟ ଜାଣିବାକୁ ଉଦ୍ୟମ ଚାଲିଛି। ଗୁଳି ଚଳାଇଥିବା ବ୍ୟକ୍ତିଜଣକ ବେସାମରିକ ପୋଷାକ ପିନ୍ଧିଥିଲେ ବୋଲି କୁହାଯାଉଛି।
କିନ୍ତୁ, ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ପଞ୍ଜାବ ‘ଏସ୍‌ଏସ୍‌ପି’ କହିଛନ୍ତି। ସେ କହିଛନ୍ତି, ଗୁଳିକାଣ୍ଡ ଘଟଣା ଆତଙ୍କବାଦୀ ଆକ୍ରମଣ ନୁହେଁ। ଏହା ଆତଙ୍କବାଦୀ ଆକ୍ରମଣ ପରି ମନେ ହେଉନାହିଁ। ସହକର୍ମୀ ହତ୍ୟା ବା ଆକସ୍ମିକ ଦୁର୍ଘଟଣା ପରି ମନେ ହେଉଛି ବୋଲି ପଞ୍ଜାବ ପୁଲିସ ଓ ଗୁଇନ୍ଦାସୂତ୍ର ଅନୁମାନ କରୁଛନ୍ତି। ବଠିଣ୍ଡା ସାମରିକ କେନ୍ଦ୍ରର ‘ଆର୍ଟିଲେରି ୟୁନିଟ୍‌’ରେ ଗୁଳିକାଣ୍ଡ ଘଟିଛି ବୋଲି ପ୍ରଥମେ ସୂଚନା ମିଳିଥିଲା। ସେ ଅଞ୍ଚଳରେ କେତେକ ପରିବାର ମଧ୍ୟ ବାସ କରନ୍ତି ବୋଲି ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି। ଦୁଇ ଦିନ ତଳେ ସେ ୟୁନିଟ୍‌ର ଗାର୍ଡ ରୁମ୍‌ରୁ ଗୋଟାଏ ‘ଇନ୍‌ସାସ୍‌’ ଆସଲ୍‌ଟ୍‌ ରାଇଫଲ୍‌ ଗାଏବ ହୋଇଯାଇଥିଲା। ବଠିଣ୍ଡା କ୍ୟାଣ୍ଟନ୍‌ମେଣ୍ଟ୍‌ ବା ସାମରିକ କେନ୍ଦ୍ର ଭିତରକୁ ପୁଲିସକୁ ମଧ୍ୟ ଛଡ଼ା ଯାଉନାହିଁ। ସମ୍ପ୍ରତି ଘଟଣାସ୍ଥଳରେ ତଲାସ ଅଭିଯାନ ଚାଲିଛି।

Share Now:

Kalinga News Beuro

Next Post

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଏସ୍‌ଓପି ଜାରି କଲେ ଏସ୍‌ଆର୍‌ସି

Wed Apr 12 , 2023
ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଆଜି ସ୍ବତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ ଏସ୍‌ଓପି ଜାରି କରିଛନ୍ତି। ଜିଲ୍ଲାସ୍ତରରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଗତ ଦୁଇଦିନ ହେଲା ତାତି ବଢ଼ିଥିବାବେଳେ ଜୁନ୍‌ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ। ତେଣୁ ଲୋକଙ୍କୁ ଏନେଇ ଅଧିକରୁ ଅଧିକ ସଚେତନ କରିବାକୁ କୁହାଯାଇଛି। ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ କ’ଣ କରିବେ, କ’ଣ କରିବେନି ସେନେଇ ବିଭିନ୍ନ […]
ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଏସ୍‌ଓପି ଜାରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial