କଳାପଥରର କଳା କାରନାମା : ଭିଜିଲାନ୍ସ ରିପୋର୍ଟକୁ ନେଇ ପ୍ରଶାସନ ଅଡ଼ୁଆରେ

କଳାପଥରର କଳା କାରନାମା-1

୪ ଅଣଲିଜ୍ ଖାଦାନରୁ ୧୯୫କୋଟି ଟଙ୍କାର ପଥର ଲୁଟ୍‌ ପାଇଁ ଦାୟୀ କିଏ?

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର କଳାପଥର କେଳେଙ୍କାରୀକୁ ନେଇ ଜିଲ୍ଲା ପ୍ରଶାସନ ଅଡୁଆ ବଢ଼ିଛି। ଏଠାରେ କଳାପଥର ଖନନରେ କିପରି ହରିଲୁଟ୍‌ ହୋଇଛି ଓ ରାଜସ୍ୱ ବିଭାଗ ଅଧିକାରୀ କିପରି ମାଫିଆଙ୍କୁ ସହଯୋଗ କରି ଆସୁଛନ୍ତି ତାହା ଆଉ ଅଛପା ହୋଇ ରହିନାହିଁ। ଭିଜିଲାନ୍ସର ତଦନ୍ତ ରିପୋର୍ଟ ଲୋକାୟୁକ୍ତରେ ଦାଖଲ ହେବା ପରେ ରାଜ୍ୟର ଏକ ବଡ଼ କେଳେଙ୍କାରୀର ଗୁମର ଖୋଲିଛି। ବିଛାଖଣ୍ଡି ପାହାଡ଼ରେ ୮ଜଣ ଲିଜଧାରୀଙ୍କ ଅଧୀନରେ ଥିବା ୧୨ଟି ସୈରାତରୁ ୧୨କୋଟିରୁ ଅଧିକ ଟଙ୍କାର କଳାପଥର ଚୋରା ଚାଲାଣ ହୋଇଛି ବୋଲି ମାପଚୁପରୁ ଜଣାପଡ଼ିଥିବା କୁହାଯାଉଛି। ଅପରପକ୍ଷରେ ୪ଟି ଅଣଲିଜ୍ ଖାଦାନରୁ ପ୍ରାୟ ୧୯୫କୋଟି ଟଙ୍କାର କଳାପଥର ଲୁଟ୍ ହୋଇଛି। ଏହି ୪ଟି ଖାଦାନକୁ ଲୁଟ୍ କରିଛି କିଏ ? ବର୍ଷ ବର୍ଷ ଧରି ଏହି ଅଣଲିଜ୍ ଖାଦାନରୁ ଲୁଟ୍ ବେଳେ ପ୍ରଶାସନ ନିରବ ସମର୍ଥନ ଦେଉଥିଲା କାହିଁକି? ରାଜସ୍ବ, ପୁଲିସ, ଜଙ୍ଗଲ, ପରିବେଶ, ପରିବହନ ଓ ଖଣି ବିଭାଗକୁ ନେଇ ସୃଷ୍ଟି ହୋଇଥିବା ସ୍କ୍ବାଡ୍‌ କରୁଥିଲେ କଣ? ବର୍ତ୍ତମାନ ଏହି ୧୯୫ କୋଟି ଟଙ୍କା କାହାଠା​ରୁ ଆଦାୟ ହେବ ତାହା ଏକ ବଡ଼ପ୍ରଶ୍ନ।
ଲୋକାୟୁକ୍ତରେ ଦାଖଲ ହୋଇଥିବା ତଦନ୍ତ ରିପୋର୍ଟ ଅନୁଯାୟୀ ଲିଜ୍ ଦିଆଯାଇ ନଥିବା ୪ଟି କଳାପଥର ସୈରାତ ମଧ୍ୟରୁ ସୈରାତ ନମ୍ବର ୧୮/୨୦୧୬-୧୭ ରୁ ୧୪୮୩୧୨ ଘନମିଟର ପଥର ଚୋରି ହୋଇଛି। କଳାପଥର ରୟାଲଟି ପ୍ରତି ଘନମିଟର କୁ୧୩୦ ଟଙ୍କା ହିସାବରେ ଏହି ଖାଦାନରୁ ଚୋରି ହୋଇଥିବା କଳାପଥର ବାବଦରେ ସରକାର ୧୯କୋଟି ୨୮ଲକ୍ଷ ୬ହଜାର ୭୩୧ଟଙ୍କା ରୟାଲଟି ହରାଇଛନ୍ତି। ସେହିପରି ଖାଦାନ ନମ୍ବର ବିଏସକ୍ୟୁ -୬(୧/୨୦୧୮-୧୯)ରୁ ୩୭୩୧୨୯୮ଘନମିଟର କଳାପଥର ଚୋରି ବାବଦକୁ ୪୮କୋଟି ୫୦ଲକ୍ଷ ୬୮ହଜାର ୭୬୬ଟଙ୍କା, ବିଏସ୍‌କ୍ୟୁ-୧୧(୨/୨୦୧୬-୧୭) ରୁ ୯୨୯୧୨୫୮ ଘନମିଟର କଳାପଥର ବାବଦକୁ ୧୨୦କୋଟି ୭୮ଲକ୍ଷ ୬୩ହଜାର ୫୫୩ଟଙ୍କା ଓ ସୈରାତ ନମ୍ବର ବିଏସ୍‌କ୍ୟୁ-୨୧(୨/୨୦୧୮-୧୯) ରୁ ୪୯୧୪୭୦ ଘନମିଟର ପଥର ଚୋରି ବାବଦରେ ୬କୋଟି ୩୮ଲକ୍ଷ ୯୧ହଜାର ୨୧୭ଟଙ୍କା ସରକାର ରାଜସ୍ୱ ହରାଇଛନ୍ତି। କେବଳ ଏହି ୪ଟି ସୈରାତରୁ ଚୋରି ହୋଇଥିବା କଳାପଥର ବାବଦକୁ ସରକାର ମୋଟ ୧୯୪କୋଟି ୯୬ଲକ୍ଷ ୩୦ହଜାର ୨୬୭ଟଙ୍କା ହରାଇଛନ୍ତି ବୋଲି ଭିଜିଲାନ୍ସ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଧର୍ମଶାଳା ତହସିଲ ଅଧୀନରେ ଥିବା ରାହାଡ଼ପୁର, ଡଙ୍କାରୀ, ଲୁଣିବର, ବରଡ଼ା, ବାଜବାଟି, ବାଘୁଆ, ଅଞ୍ଜିରା, ଆରୁହା ଆଦି ସମସ୍ତ ପାହାଡ଼ର ଶତାଧିକ ଅଣଲିଜ୍ ଖାଦାନରୁ କେତେ କୋଟି ଟଙ୍କାର କଳାପଥର ଲୁଟ୍ ହୋଇଛି ସେ ସଂପର୍କରେ ତଦନ୍ତର ଆବଶ୍ୟକତା ରହିଛି। କଳାପଥରର କଳା କାରନାମାରେ ଜଡ଼ିତ ମାଫିଆ,ରାଜନେତା ଓ ସରକାରୀ ଅଧିକାରୀଙ୍କ ସଂପର୍କରେ ଖୋଳତାଡ଼ ହେଲେ କାହା ଭାଗରେ କେତେ ପଡ଼ିଛି ପଦାକୁ ଆସିବ ବୋଲି ଦାବି ଉଠୁଛି।

Share Now:

Kalinga News Beuro

Next Post

ରାଜସ୍ଥାନରେ ମିଳିଲା ଜମ୍ମୁଠାରୁ ବଡ଼ ଲିଥିୟମ ଭଣ୍ଡାର

Mon May 8 , 2023
ନୂଆଦିଲ୍ଲୀ : ଲିଥିୟମ୍ ଭଣ୍ଡାର କ୍ଷେତ୍ରରେ ଭାରତକୁ ଆଉ ଏକ ବଡ଼ ସଫଳତା ମିଳିଛି। ରାଜସ୍ଥାନର ଦେଗାନା (ନାଗୌର)ରେ ଏକ ନୂତନ ଲିଥିୟମ୍ ଭଣ୍ଡାର ଆବିଷ୍କୃତ ହୋଇଛି, ଯାହାର ଆକାର ବର୍ତ୍ତମାନର ଜମ୍ମୁ-କଶ୍ମୀରରେ ଆବିଷ୍କୃତ ଭଣ୍ଡାରଠାରୁ ବି ଅଧିକ ବୋଲି ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଜିଏସଆଇ) ଦାବି କରିଛି।ଜିଏସଆଇ ଏବଂ ଖଣି ଅଧିକାରୀମାନେ ଦାବି କରିଛନ୍ତି ଯେ ଏହି ଭଣ୍ଡାରରେ ଥିବା ଲିଥିୟମର ପରିମାଣ ଭାରତର ମୋଟ ଚାହିଦାର […]
ଜମ୍ମୁଠାରୁ ବଡ଼ ଲିଥିୟମ ଭଣ୍ଡାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial