ସୁନ୍ଦରପଦା-ଜଟଣୀ ରାସ୍ତାରେ ବାଉଁଶ ପକାଇ ଲୁଟ

ସୁନ୍ଦରପଦା-ଜଟଣୀ ରାସ୍ତାରେ ଲୁଟେରାଙ୍କ ଆତଙ୍କରାଜ୍‌

ପୁରୁଣା ଭୁବନେଶ୍ୱର: କିଛି ଦିନ ହେଲା ପୁଣି ସୁନ୍ଦରପଦା-ଜଟଣୀ ରାସ୍ତାରେ ଲୁଟେରାଙ୍କ ଆତଙ୍କରାଜ୍ ଦେଖିବାକୁ ମିଳିଛି। ବୋତଣ୍ଡା, କାଳିଆଶନି ଭଳି କିଛି ଛକରେ ଦୁର୍ବୃତ୍ତମାନେ ଲୋକଙ୍କୁ ଅଟକାଇ ଲୁଟ୍‌ପାଟ୍‌ କରୁଥିବା ଅଭିଯୋଗ ହୋଇଆସୁଛି। କିଛି ଜେଲ୍‌ ଫେରନ୍ତା ଦୁର୍ବୃତ୍ତ ଏହି ରାସ୍ତାରେ ଲୁଟ୍‌ତରାଜରେ ମାତିଥିବା କୁହାଯାଉଛି। ଅଭିନବ ଢଙ୍ଗରେ ସେମାନେ ଲୋକଙ୍କୁ ଲୁଟୁଥିବା ଜଣାପଡ଼ିଛି। ରାସ୍ତାର ନିଛାଟିଆ ସ୍ଥାନରେ ବାଉଁଶ ପକାଇ ଗାଡ଼ି ଚାଳକଙ୍କୁ ରୋକିବା ପରେ ମାରଣାସ୍ତ୍ର ଦେଖାଇ ମୋବାଇଲ୍‌, ପର୍ସ, ଚେନ୍‌ ଆଦି ଛଡ଼ାଇ ନେଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବୋତଣ୍ଡା ଅଞ୍ଚଳର ଦୁର୍ଦ୍ଦାନ୍ତ ଭିକି ପାଇକରାୟ ଓ ତା’ର ଦୁଇ ସହଯୋଗୀ ଏପରି କାଣ୍ଡ କରୁଛନ୍ତି। କିଛି ଦିନ ତଳେ ଭିକି ଜେଲ୍‌ରୁ ବାହାରିଛି ଏବଂ ପୁଣି ଲୁଟ୍‌ପାଟ୍‌ ଆରମ୍ଭ କରିଦେଇଛି।
ସୂଚନାନୁସାରେ, ଗତ ମଙ୍ଗଳବାର ରାତିରେ ୩ଜଣ ଦୁର୍ବୃତ୍ତ ହାଇଟେକ୍‌ ଛକ ନିକଟରେ ଦୁଇ ବାଇକ୍‌ ଆରୋହୀଙ୍କ ଆଗକୁ ବାଉଁଶ ଫୋପାଡ଼ିଥିଲେ। ଜଟଣୀ ଯାଉଥିବା ବାଇକ୍‌ ଆରୋହୀଦ୍ୱୟ ବାଧ୍ୟ ହୋଇ ଅଟକି ଯାଇଥିଲେ। ଏହାପରେ ତିନି ଦୁର୍ବୃତ୍ତ ସେମାନଙ୍କୁ ମାଡ଼ ମାରି ମୋବାଇଲ୍‌ ଓ ପର୍ସ ଛଡ଼ାଇ ନେଇଥିଲେ। ବୁଧବାର ରାତିରେ ସମାନ ଘଟଣା ଘଟିଥିଲା ବୋତଣ୍ଡା ଛକ ନିକଟରେ। ତିନି ଦୁର୍ବୃତ୍ତ ଜଣେ ବାଇକ୍‌ ଆରୋହୀଙ୍କୁ ଅଟକାଇ ମୋବାଇଲ୍‌ ଓ ଟଙ୍କା ଛଡ଼ାଇ ନେଇଥିଲେ। ସେହି ରାତିରେ କାଳିଆଶନି ମନ୍ଦିର ନିକଟରେ ଜଣେ ଅଟୋ ଚାଳକ ଅନୁରୂପ ଭାବେ ଲୁଟ୍‌ର ଶିକାର ହୋଇଥିଲେ। ବାଙ୍କୀ ପାଟପୁର ଅଞ୍ଚଳର ସୂର୍ଯ୍ୟମଣି ବେହେରା ଅଟୋ ନେଇ ହାଇଟେକ୍‌ ନିକଟ ଭଡ଼ା ଘରକୁ ଫେରୁଥିବା ବେଳେ ସୁନ୍ଦରପଦା ଛକ ନିକଟରେ ତିନି ଦୁର୍ବୃତ୍ତ ତାଙ୍କଠାରୁ ମୋବାଇଲ୍‌ ଓ ଟଙ୍କା ଛଡ଼ାଇ ନେଇଥିଲେ। ଅବଶ୍ୟ ଏହି ମାମଲାରେ ପୁଲିସ ସ୍ଥାନୀୟ ଭୋଇସାହିର ବିକୁ ଭୋଇ ଓରଫ୍ ଢୋଲକୁ ଗିରଫ କରିଥିଲା। ଉକ୍ତ ରାସ୍ତାରେ ଘଟୁଥିବା ଏଭଳି ଘଟଣାକୁ ନେଇ ଥାନା ଅଧିକାରୀ ଅଶୋକ କୁମାର ନାୟକ କୁହନ୍ତି ଯେ ବୋତଣ୍ଡା ଓ ହାଇଟେକ୍‌ ଛକ ନିକଟରେ ଘଟିଥିବା ଲୁଟ୍‌ପାଟ୍‌ ସମ୍ପର୍କରେ ସେ ଅବଗତ ଅଛନ୍ତି। ଭିକି ପାଇକରାୟ ଜଣେ ପୁରୁଣା ଅପରାଧୀ। ତା’ ନାମରେ ବହୁ ଅଭିଯୋଗ ଆସିଛି। ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ।

Share Now:

Kalinga News Beuro

Next Post

ଭିନ୍ନ ଶୈଳୀରେ ‘ଆଦିପୁରୁଷ’କୁ ଆକ୍ଷେପ କଲେ କଙ୍ଗନା

Sat Jun 17 , 2023
ମୁମ୍ବାଇ: ଆଦିପୁରୁଷ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବଦେନ ଦାଖଲ କରାଯାଇଛି ବୋଲି ଖବର ରହିଛି। ଏହି ଆବେଦନରେ କୁହାଯାଇଛି କି, ମହର୍ଷୀ ବାଲ୍ମିକୀଙ୍କ ରାମାୟଣ ଓ ତୁଳସୀଦାସଙ୍କ ରାମଚରିତମାନସରେ ହିନ୍ଦୁ ଧର୍ମର ଦେବାଦେବୀଙ୍କୁ ଯେମିତି ପ୍ରଦର୍ଶନ କରାଯାଇଛି, ତା’ଠାରୁ ସଂପୂର୍ଣ୍ଣ ଭିନ୍ନ ଭାବେ ସିନେମାରେ ସମସ୍ତଙ୍କୁ ଚିତ୍ରଣ କରାଯାଇଛି। ଏମିତି କି ଭୁଲ ତଥ୍ୟ ବି ସିନେମାରେ ପ୍ରଦର୍ଶନ କରାଯାଇଛି। ତେବେ ଏସବୁକୁ ନେଇ ‘ଆଦିପୁରୁଷ’ ବିବାଦ ଘେରରେ ଛନ୍ଦି […]
‘ଆଦିପୁରୁଷ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial