ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀଙ୍କୁ ହତ୍ୟା : ୨ ଅଭିଯୁକ୍ତ ଚିହ୍ନଟ, ୧୦ ଜଣଙ୍କୁ ଥାନାରେ ପଚରାଉଚରା

ଅଭୟାରଣ୍ୟରେ ବନ କର୍ମଚାରୀଙ୍କୁ ହତ୍ୟା

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ୧୦ ଜଣଙ୍କୁ ଠାକୁରମୁଣ୍ଡା ଥାନାରେ ଅଟକ ରଖାଯାଇଥିବାର ଖବର ମିଳିଛି। ଘଟଣା ସହ ଜଡ଼ିତ ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଅଟକ ଥିବା ୧୦ ଜଣଙ୍କୁ ଠାକୁରମୁଣ୍ଡା ଥାନାରେ ପଚରାଉଚରା କରାଯାଇଛି। ଏଥିସହ ୨ଟି ଦେଶୀ ବନ୍ଧୁକ ଜବତ କରାଯାଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଶିମିଳିପାଳରେ ପୁଣି ଜଣେ ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଶିକାରୀ। ମୃତକ ହେଲେ ବନପାଳ ମାଥି ହାଁସଦା (୪୫)। ତାଙ୍କ ଘର ରାଇରଙ୍ଗପୁର ଉପଖଣ୍ଡ ବହଳଦା ଅଞ୍ଚଳରେ। ବିଳମ୍ବିତ ରାତିରେ ଶିମିଳିପାଳ ବନ୍ୟପ୍ରାଣୀ ଉତ୍ତର ଡିଭିଜନ୍ କେନ୍ଦୁମୁଣ୍ଡି-ବାରାହାକାମୁଡା ଗାମୁଛାଝରଣ ନିକଟରେ ଘଟିଥିଲା ଏହି ଦୁର୍ଭାଗ୍ୟଜନକ ଘଟଣା। ରାତି ପ୍ରାୟ ୨ଟା ୩୦ ବେଳକୁ ବନ୍ଧୁକ ଓ ମାରଣାସ୍ତ୍ର ଧରି ୬ ଜଣ ଶିକାରୀ ଅଭୟାରଣ୍ୟରେ ଶିକାର ପାଇଁ ଯୋଜନା କରୁଥିବା ବେଳେ ଖବର ପାଇ ବନ କର୍ମଚାରୀ ସେଠାରେ ଚଢଉ କରିଥିଲେ। ଗାମୁଛାଝରଣ ବିଟ୍‌ ନିକଟରେ ବନ କର୍ମଚାରୀ ଓ ଶିକାରୀ ମୁହାଁମୁହିଁ ହେବା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଶିକାରୀଙ୍କ ଗୁଳିମାଡ଼ରେ ଉପରବାରହାକାମୁଡା ବିଟ୍‌ର ବନପାଳ ମାଥି ହାଁସଦା ଗୁରୁତର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଜବତ କରିଥିଲା ବନ ବିଭାଗ। ମାତ୍ର ଶିକାରୀଙ୍କୁ ଧରିବା ସମ୍ଭବ ହୋଇନଥିଲା।
ଗତକାଲି ସକାଳେ ବନ ବିଭାଗ ଓ ପୁଲିସ ଫୋର୍ସ ଘଟଣାସ୍ଥଳକୁ ଯାଇଥିଲେ। ଶିକାରୀଙ୍କୁ ଧରିବା ନିମନ୍ତେ ପୁଲିସ ଓ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା କହିଥିଲେ ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗୋଗିନାନୀ। ଅନ୍ୟପକ୍ଷରେ ମାସକ ମଧ୍ୟରେ ଶିକାରୀଙ୍କ ଗୁଳିରେ ଦୁଇଜଣ ବନ କର୍ମଚାରୀଙ୍କ ମୃତ୍ୟୁକୁ ନେଇ କର୍ମଚାରୀ ମହଲରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ଦେଖାଦେଇଛି।

Share Now:

Kalinga News Beuro

Next Post

ଅଗ୍ରସର ହେଉଛି ମୌସୁମୀ : ୨୪ଘଣ୍ଟାରେ ୨୦ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା

Mon Jun 19 , 2023
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସଂପ୍ରତି କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଆଉ କିଛି ଅଞ୍ଚଳକୁ ଅଗ୍ରସର ହୋଇଛି। ଗାଙ୍ଗେୟ ଉପତ୍ୟକାର ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର କିଛି ଅଂଶ ବିହାରର ଆଉ କିଛି ଅଂଶ ଏବଂ ଉପ-ହିମାଳୟ ପଶ୍ଚିମବଙ୍ଗ ଏବଂ ସିକ୍କିମର ଅବଶିଷ୍ଟ ଅଂଶକୁ ଆଜି (ଜୁନ୍‌ ୧୯) ଅଗ୍ରସର ହେଉଛି। ଏହି କ୍ରମରେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର […]
୨୦ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial