ନିଶା‌ ‌ବେପାରୀଙ୍କ ଅଭୟାରଣ୍ୟ ଭୁବନେଶ୍ୱର : ବସ୍ତି ବସ୍ତିରେ ବ୍ରାଉନସୁଗାର

ବସ୍ତି ବସ୍ତିରେ ବ୍ରାଉନସୁଗାର

ଭୁବନେଶ୍ବର : ବାଲେଶ୍ବର ବ୍ରାଉନସୁଗାର ବେପାରୀଙ୍କ ପେଣ୍ଠସ୍ଥଳୀ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବର କିନ୍ତୁ ପାଲଟି ଯାଇଛି ନିଶା ସେବନକାରୀଙ୍କ ସହର। ଅଧା ରାଜଧାନୀକୁ କବ୍‌ଜା କରି ସାରିଲେଣି ନିଶା ବେପାରୀ। ବ୍ରାଉନସୁଗାର କାରବାର ଆଉ ହଳଦୀପଡ଼ିଆ, ସାଲିଆସାହି କିମ୍ବା ମାଳିସାହି ବସ୍ତିରେ ସୀମିତ ନାହିଁ। ରାଜଧାନୀର ବିଭିନ୍ନ ବସ୍ତିକୁ ଏହାର ଚେର ମାଡ଼ି ଗଲାଣି। ବିଭିନ୍ନ ବସ୍ତିରେ ବେଧଡ଼କ ଚାଲିଛି ଧଳାଜହର କା‌ରବାର। ଗତ କେତେଦିନ ମଧ୍ୟରେ କ୍ରମାଗତ ଭାବେ ଚଢ଼ଉ କରି ପୁଲିସ ବିଭିନ୍ନ ବସ୍ତି ଅଞ୍ଚଳରୁ ନିଶା ବେପାରୀଙ୍କୁ ଗିରଫ କରିବା ସହ ବିପୁଳ ପରିମାଣରୁ ବ୍ରାଉନସୁଗାର ଜବତ କରିବା ଘଟଣାରୁ ଏହା ସ୍ପଷ୍ଟ ହେବାରେ ଲାଗିଛି। ତେବେ ଏବେ ବି ବିଭିନ୍ନ ବସ୍ତିରେ ଖୁଲମଖୋଲା ନିଶା ବେପାର ‌ହେଉଥିବା ଜଣାପଡ଼ିଛି। ଉଦ୍‌ବେଗର ବିଷୟ ‌ହେଲା, ଏବେ ରାଜଧାନୀରେ ବ୍ରାଉନସୁଗାର ସେବନକାରୀଙ୍କ ସଂଖ୍ୟା ପ୍ରାୟ ୫୦ ହଜାର ହୋଇଥିବା ବେଳେ ଦିନକୁ ୪ରୁ ୫ କେଜି ଧଳାଜହର ବିକ୍ରି ହେଉଛି। ବସ୍ତି ଇଲାକା ଏବେ ନିଶା ବେପାରର ପେଣ୍ଠସ୍ଥଳ ପାଲଟି ଯାଇଛି। ଅପରାଧୀ, ଅସାମାଜିକଙ୍କ ଆୟର ମୁଖ୍ୟ ସ୍ରୋତ ହୋଇଛି ବ୍ରାଉନସୁଗାର। ଏଭଳି ନିଷିଦ୍ଧ ବେପାରରୁ ଅର୍ଥ ରୋଜଗାର କରି ଅପରାଧୀମାନେ ନିଜର ନେଟ୍ଓ୍ଵର୍କ ଓ ଗ୍ୟାଙ୍ଗ ତିଆରି କରୁଛନ୍ତି। ଏପରିକି ନିଶା କାରବାରକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ହଣାକଟା ଘଟଣା ମଧ୍ୟ ବିଭିନ୍ନ ସମୟରେ ଆତଙ୍କ ସୃଷ୍ଟି କରିଛି। ଯାହା ପୁଲିସ ପାଇଁ ଚିନ୍ତାର କାରଣ ସାଜିଛି। ବସ୍ତିରୁ ବ୍ରାଉନସୁଗାର, ନିଶା କାରବାର ହଟାଇବା ସବୁଠୁ ବଡ଼ ଚାଲେଞ୍ଜ ହୋଇଛି।
ମଙ୍ଗ ଧରିଛନ୍ତି ଛାତ୍ର, ଯୁବକ, ସ୍ପିଡ୍ ବାଇକରେ ବୁଲୁଛନ୍ତି
ବସ୍ତିରେ ଚାଲିଥିବା ବ୍ରାଉନସୁଗାର କାରବାର ପଛରେ ଛାତ୍ର, ଯୁବକ ରହିଛନ୍ତି। ବିଶେଷ କରି ଅସାମାଜିକ ଇଞ୍ଜିନିୟରିଂ ଛାତ୍ର ଏହାର ମଙ୍ଗ ଧରିଛନ୍ତି। ନିଜେ ସିଧାସଳଖ ବେପାର ନ କରି ବସ୍ତି ଯୁବକଙ୍କ ଜରିଆରେ ବେପାର ଚଳାଇଛନ୍ତି। ସେମାନଙ୍କ ଢାଲ କରି ଟଙ୍କା ରୋଜଗାର କରୁଛନ୍ତି। ବ୍ରାଉନସୁଗାର ବିକ୍ରିର ଏଜେଣ୍ଟ ସାଜିଥିବା ଯୁବକଙ୍କୁ କମିସନ ବାବଦରେ ଟଙ୍କା ଦେଉଛନ୍ତି। ଏପରିକି ବ୍ରାଉନସୁଗାର ବେପାରରେ ସାମିଲ ଥିବା ଯୁବକମାନେ ସ୍ପିଡ୍ ବାଇକ୍ ଧରି ବୁଲୁଛନ୍ତି। ସହଜରେ ଧରା ନ ପଡ଼ିବା ପାଇଁ ମହିଳାମାନଙ୍କୁ ମଧ୍ୟ ବେପାରରେ ଅଧିକରୁ ଅଧିକ ନିୟୋଜିତ କରାଯାଉଛି।
କେମିତି ବସ୍ତିରେ ବଢ଼ୁଛି ବେପାରୀଙ୍କ ସଂଖ୍ୟା?
ରାଜଧାନୀରେ ବସ୍ତିରେ ସର୍ବାଧିକ ନିଶା ସେବନକାରୀ ରହିଛନ୍ତି। ଯେଉଁମାନେ ପ୍ରଥମେ ବ୍ରାଉନସୁଗାର ଖାଉଛନ୍ତି ସେମାନେ ପରବର୍ତ୍ତୀ ସମୟରେ ଖୁଚୁରା ବେପାରୀ ପାଲଟି ଯାଉଛନ୍ତି। ବାଲେଶ୍ବରରୁ ଏଜେଣ୍ଟମାନେ ବ୍ରାଉନସୁଗାର ଆଣି ଭୁବନେଶ୍ବରରେ ଥିବା ବେପାରୀଙ୍କୁ ଯୋଗାଉଛନ୍ତି। ରାଜଧାନୀରେ ବେପାରୀଙ୍କ ପାଖରେ ମାଲ ପହଞ୍ଚିବା ପରେ ବିଭିନ୍ନ ବସ୍ତିରେ ଖୁଚୁରା ବେପାରୀଙ୍କୁ ଯୋଗାଇ ଦେଉଛନ୍ତି। ସେଠାରେ ଛୋଟଛୋଟ ପୁଡ଼ିଆ କରି ବିକ୍ରି କରାଯାଉଛି। ଯିଏ ଯେଉଁଠି ମାଗୁଛି ସେଠାରେ ମାଲ୍ ପହଞ୍ଚି ଯାଉଛି।
ରାଜଧାନୀରେ ବେପାରର ପ୍ରମୁଖ ଅଞ୍ଚଳ
ହଳଦୀପଡ଼ିଆ, ସାଲିଆସାହି, ଶାନ୍ତିପଲ୍ଲୀ, ମଞ୍ଚେଶ୍ବର, ଭୁବନେଶ୍ବର-ପୁରୀ ବାଇପାସ୍, ବୁଦ୍ଧେଶ୍ବରୀ, ଗଣ୍ଡମୁଣ୍ଡା, କାରଗିଲ୍ ବସ୍ତି, ଶିଖରଚଣ୍ଡି, ଭରତପୁର, ମାଳିସାହି, ୟୁନିଟ୍-୬, ନାରାୟଣୀ ବସ୍ତି, ଖଣ୍ଡଗିରି ତପୋବନ ବସ୍ତି, ୟୁନିଟ୍-୮, ଜାଗମରା, ଫୁଲେଶ୍ବରୀ ବସ୍ତିନିଶା କାରବାରର ଚେର ଖୋଜିପାଉନି ପୁଲିସ ଧଳାଜହରର ପେଣ୍ଠସ୍ଥଳୀ କୁହାଯାଉଥିବା ବାଲେଶ୍ବର ଓ କଟକ ପରେ ଏବେ ଭୁବନେଶ୍ବର ନିଶା କାରବାରକୁ ନେଇ ନୂଆ ପରିଚୟ ସୃଷ୍ଟି କଲାଣି। ଭୁବନେଶ୍ବର ଯୁବଗୋଷ୍ଠୀ ବ୍ରାଉନସୁଗାର ସେବନରେ ଶୀର୍ଷରେ ପହଞ୍ଚିଥିବାରୁ ନିଶା ବେପାରୀମାନେ ମଧ୍ୟ ସେମାନଙ୍କ ଠିକଣା ବଦଳାଇଛନ୍ତି। ବାଲେଶ୍ବରରୁ କଟକ ଦେଇ ଖୋର୍ଦ୍ଧା ଆସୁଥିବା ବ୍ରାଉନସୁଗାର ପରେ ଭୁବନେଶ୍ବରର ବସ୍ତି ଅଞ୍ଚଳରେ ଉପଲବ୍ଧ ହେଉଛି। ବାରମ୍ବାର ବିଭିନ୍ନ ବସ୍ତିରୁ ଆରମ୍ଭ କରି ଜିଲ୍ଲାଵାରୀ ଚଢ଼ଉ କରି ବ୍ରାଉନସୁଗାର ଜବତ କରୁଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ମୂଳ ବେପାରୀକୁ କାବୁ କରିପାରୁନାହିଁ କି ଧଳାଜହର କାରବାରରେ ପୁଲିସର ନିୟନ୍ତ୍ରଣ ନଥିବା ସ୍ପଷ୍ଟ ଜଣାପଡ଼ୁଛି।
ନିଶା କାରବାରର ଚେର ଖୋଜିପାଉନି ପୁଲିସ
ଧଳାଜହରର ପେଣ୍ଠସ୍ଥଳୀ କୁହାଯାଉଥିବା ବାଲେଶ୍ବର ଓ କଟକ ପରେ ଏବେ ଭୁବନେଶ୍ବର ନିଶା କାରବାରକୁ ନେଇ ନୂଆ ପରିଚୟ ସୃଷ୍ଟି କଲାଣି। ଭୁବନେଶ୍ବର ଯୁବଗୋଷ୍ଠୀ ବ୍ରାଉନସୁଗାର ସେବନରେ ଶୀର୍ଷରେ ପହଞ୍ଚିଥିବାରୁ ନିଶା ବେପାରୀମାନେ ମଧ୍ୟ ସେମାନଙ୍କ ଠିକଣା ବଦଳାଇଛନ୍ତି। ବାଲେଶ୍ବରରୁ କଟକ ଦେଇ ଖୋର୍ଦ୍ଧା ଆସୁଥିବା ବ୍ରାଉନସୁଗାର ପରେ ଭୁବନେଶ୍ବରର ବସ୍ତି ଅଞ୍ଚଳରେ ଉପଲବ୍ଧ ହେଉଛି। ବାରମ୍ବାର ବିଭିନ୍ନ ବସ୍ତିରୁ ଆରମ୍ଭ କରି ଜିଲ୍ଲାଵାରୀ ଚଢ଼ଉ କରି ବ୍ରାଉନସୁଗାର ଜବତ କରୁଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ମୂଳ ବେପାରୀକୁ କାବୁ କରିପାରୁନାହିଁ କି ଧଳାଜହର କାରବାରରେ ପୁଲିସର ନିୟନ୍ତ୍ରଣ ନଥିବା ସ୍ପଷ୍ଟ ଜଣାପଡ଼ୁଛି।
ରୋକିପାରିବ କି ପୁଲିସର ସ୍ବତନ୍ତ୍ର ଡ୍ରାଇଭ୍?
ବସ୍ତିରେ ଅପରାଧୀ ଓ ଅସାମାଜିକ କାର୍ଯ୍ୟକଳାପ, ନିଶା କାରବାର ରୋକିବା ଲାଗି କମିସନରେଟ ପୁଲିସର ଚାଲିଛି ସ୍ବତନ୍ତ୍ର ଡ୍ରାଇଭ୍। ମାତ୍ର ଏଯାଏ ପୁଲିସକୁ ଆଶାନୁରୂପ ସଫଳତା ମିଳିପାରି ନାହିଁ। ବସ୍ତିରେ ଅପରାଧୀ କାର୍ଯ୍ୟକଳାପ ଓ ନିଶା କାରବାର ବଢ଼ି ବଢ଼ି ଚାଲିଛି। ଅନେକ ସମୟରେ ପୁଲିସ, ଏସଟିଏଫ୍, ଅବକାରୀ ସ୍କ୍ବାଡ୍ ବ୍ରାଉନସୁଗାର ଜବତ କରିଥିଲେ ମଧ୍ୟ ବିଶେଷ କିଛି ପ୍ରଭାବ ପଡ଼ିପାରି ନାହିଁ। ଏପରିକି ପେସାଦାର ନିଶା ବେପାରୀଙ୍କ ଘର ଭଙ୍ଗା ଯାଇ ସେମାନଙ୍କୁ ତଡ଼ିପାର୍ କରାଯାଇଥିଲେ ମଧ୍ୟ କିଛି ଲାଭ ହୋଇ ନାହିଁ। ପୁଲିସର ଏହି ସ୍ବତନ୍ତ୍ର ଡ୍ରାଇଭ୍ ନିଶା କାରବାର ଉପରେ ରୋକ୍ ଲଗାଇ ପାରିବ କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share Now:

Kalinga News Beuro

Next Post

୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା : ୧୯ ଜିଲ୍ଲାରେ ୟେଲୋୱାର୍ଣ୍ଣିଂ ଜାରି

Sun Aug 15 , 2021
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ,ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ଢ଼େଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ କାଳବୈଶାଖୀ ସହ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଆଜି ଅପରାହ୍ନରେ […]
୨୪ ଘଣ୍ଟା ମଧ୍ୟରେ ୧୯ ଜିଲ୍ଲାରେ କାଳବୈଶାଖୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial