ଇଜିପ୍ଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ: ଦ୍ୱିପାକ୍ଷିକ ଆଲୋଚନା ସହ ଅଲ୍‌-ହକିମ୍‌ ମସ୍‌ଜିଦ୍‌ ପରିଦର୍ଶନ କରିବେ

ଇଜିପ୍ଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ‘ଷ୍ଟେଟ୍‌ ଭିଜିଟ୍‌’ ଶେଷ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ‘ଷ୍ଟେଟ୍‌ ଭିଜିଟ୍‌’ରେ ଇଜିପ୍ଟ ଯାଇଛନ୍ତି। ଏହା ହେଉଛି ଇଜିପ୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ଗସ୍ତ। ରା‌ଷ୍ଟ୍ରପତି ଅବ୍‌ଦେଲ୍‌ ଫତା ଏଲ୍‌-ସିସିଙ୍କ ଆମନ୍ତ୍ରଣକ୍ରମେ ସେ ଇଜିପ୍ଟ ଗସ୍ତରେ ଯାଇଛନ୍ତି। ୧୯୯୭ପରେ ଦ୍ୱିପାକ୍ଷିକ ଆଲୋଚନା ନିମନ୍ତେ ଇଜିପ୍ଟ ଗସ୍ତ କରିବାରେ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଆଜି ସନ୍ଧ୍ୟା ୬.୧୫ରେ ପ୍ରଧାନମନ୍ତ୍ରୀ ମୋଦୀ ଇଜିପ୍ଟର ରାଜଧାନୀ କାଇରୋରେ ପହଞ୍ଚିବେ। ଏହାପରେ, ରାତି ପ୍ରାୟ ୮.୪୦ରେ ଇଜିପ୍ଟର ପ୍ରଧାନମନ୍ତ୍ରୀ ମୋସ୍ତାଫା ମଦବୌଲିଙ୍କ ସହିତ ତାଙ୍କର ଗୋଲ୍‌ ଟେବୁଲ୍‌ ବୈଠକ ବସିବ। ତା’ପରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ଉପସ୍ଥିତ ଭାରତୀୟ ସମ୍ପ୍ରଦାୟଙ୍କ ସିହତ ଭାବବିନିମୟ କରିବେ।
ରାତି ପ୍ରାୟ ୧୦.୨୦ରେ ପ୍ରଧାନମନ୍ତ୍ରୀ ମୋଦୀ ଇଜିପ୍ଟର ଗ୍ରାଣ୍ଡ୍‌ ମୁଫ୍‌ତିଙ୍କୁ ଭେଟି ଇଜିପ୍ଟୀୟ ଚିନ୍ତାନାୟକମାନଙ୍କ ସହିତ ଆଳାପ କରିବେ। ଆସନ୍ତାକାଲି ଅର୍ଥାତ୍, ରବିବାର ଦିନ ପ୍ରାୟ ୧ଟା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦାଉଦି ବୋରା ସମ୍ପ୍ରଦାୟଦ୍ବାରା ପୁନରୁଦ୍ଧାର ‌କରାଯାଇଥିବା ୧୧ଶ ଶତାବ୍ଦୀର ଅଲ୍‌-ହକିମ୍‌ ମସ୍‌ଜିଦ୍‌ ପରିଦର୍ଶନ କରିବେ। ଅପରାହ୍ନ ୨ଟାରେ ସେ ‘ହେଲିଓପଲିସ୍‌ ୱାର୍‌ ସିମେଟେରି’କୁ ଯାଇ ପ୍ରଥମ ବିଶ୍ୱଯୁଦ୍ଧରେ ଇଜିପ୍ଟ ପାଇଁ ସହିଦ ହୋଇଥିବା ଭାରତୀୟ ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହାପରେ, ପ୍ରଧାନମନ୍ତ୍ରୀ ମୋଦୀ ଇଜିପ୍ଟର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଅବ୍‌ଦେଲ୍‌ ଫତା ଏଲ୍‌-ସିସିଙ୍କୁ ଭେଟିବେ। ଦୁଇନେତା ଦ୍ୱିପାକ୍ଷିକ ରାଜିନାମାରେ ସ୍ଵାକ୍ଷର କରିବେ ଓ ସନ୍ଧ୍ୟା ପ୍ରାୟ ୫.୩୦ର ମିଳିତ ପ୍ରେସ ବିବୃତିରେ ଉଦ୍‌ବୋଧନ ଦେବେ। ସେହିଦିନ, ସନ୍ଧ୍ୟା ୬.୩୦ରେ ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Share Now:

Kalinga News Beuro

Next Post

ରବିବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ : ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

Sat Jun 24 , 2023
ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଏକ ଲଘୁଚାପରେ ପରିଣତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଭାରତୀୟ ପାଣିପାଗ ବିଭାଗ ନୁହେଁ, ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ବି ଏହି ଲଘୁଚାପ ସଂପର୍କରେ ସୂଚନା ଦେଇଛି।ପାଣିପାଗ କେନ୍ଦ୍ରର ମଧ୍ୟାହ୍ନ ବୁଲେଟିନରେ କୁହାଯାଇଛି […]
ବଙ୍ଗୋପସାଗରରେ ଲଘୁଚାପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial