ବାଜିରେ ଲାଗିଛି ‌ସଫେଇ କର୍ମଚାରୀଙ୍କ ଜୀବନ

ବାଜିରେ ଲାଗିଛି ‌ସଫେଇ କର୍ମଚାରୀଙ୍କ ଜୀବନ

ବିନା ସୁରକ୍ଷାରେ ୪ ଫୁଟ୍‌ ନର୍ଦ୍ଦମା ପାଣିରେ କରୁଛନ୍ତି ସଫେଇ

କଟକ: ସହରର ଡ୍ରେନ୍‌ ସଫେଇରେ ଅସୁରକ୍ଷିତ ଭାବେ ନିୟୋଜିତ ହେଉଛନ୍ତି ସଫେଇ କର୍ମଚାରୀ। ପଙ୍କୋଦ୍ଧାର ସମୟରେ ସଫେଇ କର୍ମଚାରୀଙ୍କ ସୁରକ୍ଷା ପ୍ରତି ପୌର ନିଗମ କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି। ସହରର ପିଲିଗ୍ରିମ୍‌ ରୋଡ୍‌ସ୍ଥିତ ଡ୍ରେନ୍‌ ସଫେଇ କାମ ଏବେ ଚାଲିଛି। ଏଠାରେ ସଫେଇ କର୍ମଚାରୀ ୪ ଫୁଟ୍‌ରୁ ଅଧିକ ଉଚ୍ଚ ନର୍ଦ୍ଦମା ପାଣି ଓ ପଙ୍କ ଭିତରେ ବିନା ସୁରକ୍ଷା ବ୍ୟବସ୍ଥାରେ ସଫେଇ କାମ କରୁଥିବା ଦେଖିବାକୁ ମିଳିଛି। ଏପରିକି ଡ୍ରେନ୍‌ ଉଭୟପାର୍ଶ୍ଵର ଦୁର୍ବଳ ପାଚେରି ମଝିରେ ସଫେଇ କାମ କରାଯାଉଛି। ସେପଟେ ଲକ୍ଷାଧିକ ଟଙ୍କାରେ ଡ୍ରେନ୍‌ ସଫେଇ ପାଇଁ ପୌର ନିଗମ ମିନି ଏସ୍କାଭେଟର୍‌ କଣିଛି। ହେଲେ ସେଗୁଡ଼ିକ କେଉଁ କାମରେ ଲାଗିଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ପୌର ନିଗମ ୩୮ ନମ୍ବର ୱାର୍ଡସ୍ଥିତ ପିଲିଗ୍ରିମ୍‌ ରୋଡ୍‌ର ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଚେରିକୁ ଲାଗିକି ଥିବା ଡ୍ରେନ୍‌ରେ ପ‌ଙ୍କୋଦ୍ଧାର କାମ ଚାଲିଛି। କଲେଜ ଛକ ଓ ରେଭେନ୍ସାର ବର୍ଜ୍ୟପାଣି ସହ ବର୍ଷାଜଳ ଉକ୍ତ ଡ୍ରେନ୍‌ ଦେଇ ଛତ୍ରବଜାର ହୋଇ ନିଷ୍କାସିତ ହୋଇଥାଏ।
ଦୀର୍ଘଦିନର ଦାବି ପରେ ଏହାକୁ ଚଳିତବର୍ଷ ସଫେଇ କରାଯାଉଛି। ୱାର୍ଡର ସଫେଇ କାମ କରୁଥିବା ମଞ୍ଜୁଶ୍ରୀ ଘରୋଇ ସଂସ୍ଥାକୁ ଡ୍ରେନ୍‌ ସଫେଇ ଦାୟିତ୍ୱ ଦିଆଯାଥିଲା। ମାତ୍ର ସମୟରେ ସଂସ୍ଥା ପ‌ଙ୍କଦ୍ଧୋର କାମ କରି ନଥିବାରୁ ଏବେ ନିଗମ ଇଂଜିନିୟରିଂ ବିଭାଗ ଏହାର ସଫେଇ କାମ କରୁଛି। ସଫେଇ କାମରେ ୭ରୁ ଅଧିକ ସଫେଇ କର୍ମଚାରୀ ଏଠାରେ ନିୟୋଜିତ ହୋଇଛନ୍ତି। ସଫେଇ କର୍ମଚାରୀ ୪ ଫୁଟ୍‌ରୁ ଅଧିକ ଉଚ୍ଚ ‌ନର୍ଦ୍ଦମା ପାଣିରେ ପଶି କାମ କରୁଥିବା ବେଳେ ସେମାନଙ୍କ ହାତ ଓ ଗୋଡ଼ର ସୁରକ୍ଷା ପାଇଁ ଗ୍ଲୋବସ୍ କିମ୍ବା ବୁଟ୍‌ ଦିଆଯାଇ ନାହିଁ। ଏପରିକି ଫୁଙ୍ଗୁଳା ଦେହରେ ସଫେଇ କର୍ମଚାରୀ କାମ କରୁଥିବା ବେଳେ ଡ୍ରେନ ପାଣି ବାଜି ଚର୍ମ ରୋଗ ହେବାର ଆଶଙ୍କା ରହିଛି। ସେହିପରି ଡ୍ରେନ୍‌ର ଉଭୟପାର୍ଶ୍ଵ ଦୁର୍ବଳ ପାଚେରି ମଧ୍ୟରେ ଲୋକେ ସଫେଇ କାମ କରୁଥିବା ବେଳେ କେଉଁ ସମୟରେ ଏହା ପଡ଼ିଯିବ, ତାହା କହିବା କଷ୍ଟକର। ପିଲିଗ୍ରିମ୍‌ ରୋଡ୍‌ଠାରେ ବିପଦସଂକୁଳ ଅବସ୍ଥାରେ ଡ୍ରେନ୍‌ ମଧ୍ୟରେ ସଫେଇ କର୍ମଚାରୀ କାମ କରୁଥିବା ଅଭିଯୋଗ ଆସିଛି। ତେବେ, ଏହା ଉପରେ ତୁରନ୍ତ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯିବ ବୋଲି ମେୟର୍‌ ସୁବାସ ସିଂହ କହିଛନ୍ତି।

Share Now:

Kalinga News Beuro

Next Post

ଗିରଫ ହେଲେ‌ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ

Sat Jun 24 , 2023
୫ କୋଟିରୁ ଅଧିକ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଭୁବନେଶ୍ୱର: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ। ତାଙ୍କ ଘରୁ ୩ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା। ପ୍ରଶାନ୍ତ କୁମାର ରାଉତଙ୍କର ୫ କୋଟିରୁ ଅଧିକ ପରିମାଣର ହିସାବ ବହିର୍ଭୂତ ସଂପତ୍ତି ଅଛି। ନିଜ […]
ବନ୍ଧା ହେଲେ‌ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial