ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡର ଦୁରାବସ୍ଥା : ବସ୍‌ଷ୍ଟାଣ୍ଡରେ ପଶିବାକୁ ନାକରେ ରୁମାଲ ବାନ୍ଧିବା ଜରୁରୀ

ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର: ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରେ ମାଷ୍ଟରକ୍ୟାଣ୍ଟିନସ୍ଥିତ ମୋ’ ବସ୍‌ଷ୍ଟାଣ୍ଡ ରାଜଧାନୀର ଅନ୍ୟତମ ଜନବହୁଳ ବସ୍‌ଷ୍ଟାଣ୍ଟ। ଏଠାରୁ ରାଜଧାନୀର ବିଭିନ୍ନ ସ୍ଥାନକୁ ମୋ’ ବସ୍‌ ଯାଉଥିବା ବେଳେ ଖୋର୍ଦ୍ଧା, ପୁରୀ, ଜଟଣୀ, କଟକ ଆଦି ବହୁ ଦୂର ସ୍ଥାନକୁ ବସ୍‌ ଯାତୟାତ କରୁଛି। ପ୍ରତିଦିନ ରେଳଷ୍ଟେସନକୁ ଆସୁଥିବା ଶହଶହ ଯାତ୍ରୀ ବସ୍‌ରେ ଆସି ଏଠାରେ ଓହ୍ଲାନ୍ତି। ତେଣୁ ପ୍ରତିଦିନ ହଜାର ହଜାର ଲୋକ ଏହି ବସ୍‌ଷ୍ଟାଣ୍ଡ ଉପରେ ନିର୍ଭର କରନ୍ତି। କିନ୍ତୁ ସ୍ମାର୍ଟ ସିଟିକୁ ଲାଗି ରହିଥିବା ଏହି ବସ୍‌ଷ୍ଟାଣ୍ଡର ଚିତ୍ର ଦେଖିଲେ, ଏହା ରାଜଧାନୀର ବୋଲି କେହି ବି ସହଜରେ ବିଶ୍ୱାସ କରିବ ନାହିଁ। ଆବର୍ଜନା ଗଦା ଏହାକୁ ସବୁ ଦିଗରୁ ଘେରିରହିଛି। ଏହି ବସ୍‌ଷ୍ଟପ୍‌ର ଉଭୟ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ସବୁଆଡ଼େ ଖାଲଖମା ଭର୍ତ୍ତି। ସେହିଭଳି ଯାତ୍ରୀଙ୍କ ପାଇଁ ଭଲ ଶୌଚାଳୟଟିଏ ନାହିଁ। ବହୁ କଦର୍ଯ୍ୟ ସମସ୍ୟା ଘେରରେ ଥିବା ଏହି ବସ୍‌ଷ୍ଟାଣ୍ଡର ସ୍ଥିତି କେବେ ବଦଳିବ, ସେନେଇ କାହା ପାଖରେ ଉତ୍ତର ନାହିଁ। ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏହି ବସ୍‌ଷ୍ଟାଣ୍ଡକୁ ପଡ଼ିଥିବା ଉଭୟ ରାସ୍ତାରେ ମାଳମାଳ ଖାଲ। କିଛି କିଛି ସ୍ଥାନରେ ବଡ଼ବଡ଼ ଖାଲ ଗଡ଼ିଆ ଭଳି ହୋଇଛି।
ବର୍ଷାଦିନ ହୋଇଥିବାରୁ ସେସବୁ ଖାଲରେ ପାଣି ଭର୍ତ୍ତି ହୋଇ ରହିଛି ଏବଂ ଗଡ଼ିଆ ଭ୍ରମ ସୃଷ୍ଟି କରୁଛି। ରାସ୍ତା ସାରା କାଦୁଅ। ଛୋଟ ଖାଲଗୁଡ଼ିକରେ ପାଣି ଜମିରହିଥିବାରୁ ଗାଡ଼ି ଯିବାଆସିବା ସମୟରେ ପାଦଚଲା ଯାତ୍ରୀଙ୍କ ଉପରକୁ କାଦୁଅ ଛିଟିକିବା ଏକ ସବୁଦିନିଆ ଘଟଣା ହୋଇଗଲାଣି। ବସ୍‌ଷ୍ଟପ୍‌ ଚାରିପଟେ ଡ୍ରେନ୍‌ ମୁକୁଳା ପଡ଼ିଛି। ଡ୍ରେନ୍‌ ମଧ୍ୟରେ ଗଦା ହୋଇଛି କୁଢ଼କୁଢ଼ ଆବର୍ଜନା। ସ୍ଥାନୀୟ ହୋଟେଲ୍‌ଗୁଡ଼ିକର ଆବର୍ଜନା ଓ ଅପରିଷ୍କାର ପାଣି ଡ୍ରେନ୍‌ରେ ଜମି ରହୁଛି, ନିଷ୍କାସନ ହୋଇପାରୁ ନାହିଁ। ଫଳରେ ପଚା ଗନ୍ଧ ଯେତିକି କଷ୍ଟକର, ମଶାଙ୍କ ଉପଦ୍ରବ ସେତିକି ଯନ୍ତ୍ରଣାଦାୟକ ହୋଇପଡ଼ୁଛି। ଯାତ୍ରୀମାନଙ୍କ କହିବା ଅନୁଯାୟୀ କେବଳ ସନ୍ଧ୍ୟା ନୁହେଁ, ଦିନ ବେଳା ବି ଏଠାରେ ମଶା ଠିଆ କରାଇଦେଉନାହାନ୍ତି। ସେହିପରି ବସ୍‌ଷ୍ଟପ୍‌ ମଧ୍ୟରେ ଶୌଚାଳୟ ସୁବିଧା ମଧ୍ୟ ନାହିଁ। ପ୍ରାୟ ୬ ମାସ ଧରି ତିଆରି ଚାଲୁଥିଲେ ସୁଦ୍ଧା ଏଯାବତ୍‌ ଶୌଚାଳୟ ତିଆରି ସରୁନାହିଁ। ଫଳରେ ଲୋକେ ବାହାରେ ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି। ଆବର୍ଜନା ଗଦା ସାଙ୍ଗକୁ ପରିସ୍ରା, ସମଗ୍ର ଅଞ୍ଚଳକୁ ଦୁର୍ଗନ୍ଧରେ ଫଟାଉଛି। ବସ୍‌ଷ୍ଟାଣ୍ଡରେ ପଶିବାକୁ ହେଲେ ନାକରେ ରୁମାଲ୍‌ ବାନ୍ଧିବାକୁ ପଡ଼ୁଛି।
ଶୌଚାଳୟ ନଥିବାରୁ ମହିଳା ଯାତ୍ରୀମାନେ ବେଶି ହଇରାଣ ହେଉଛନ୍ତି। ରାସ୍ତା ଓ ଡ୍ରେନ୍‌ ମରାମତି ନେଇ ଭିନ୍ନଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ୩ ବର୍ଷ ହେଲା ଏମିତି ଦୟନୀୟ ଅବସ୍ଥାରେ ବସ୍‌ଷ୍ଟପ୍‌ ରହିଛି। ବିଏମ୍‌ସି, ପୂର୍ତ୍ତ ବିଭାଗ ଓ ସ୍ମାର୍ଟ ସିଟି ଲିମିଟେଡ୍‌କୁ ଲୋକେ ଦାୟୀ କରିଛନ୍ତି। ତେବେ ଏନେଇ ସ୍ମାର୍ଟ ସିଟି ଲିମିଟେଡ୍‌ର ଜଣେ ଅଧିକାରୀଙ୍କ କହିବା କଥା ଏଠାରେ ଥିବା ଦୁଇ ରୋଡ୍‌ ମଧ୍ୟରୁ ଗୋଟିଏ ସ୍ମାର୍ଟ ସିଟି ଲିମିଟେଡ୍‌ର। ଏହାକୁ ମରାମତି ବା ନବୀକରଣ କରିବାକୁ ଯୋଜନା ସରିଛି। ଖୁବ ଶୀଘ୍ର କରାଯିବ। କିନ୍ତୁ ଅନ୍ୟ ରାସ୍ତାଟି ବିଏମ୍‌ସି କିମ୍ବା ପୂର୍ତ୍ତ ବିଭାଗ ଅଧୀନରେ ଥିବାରୁ ସେନେଇ ସେ କିଛି କହିପାରିବେ ନାହିଁ ବୋଲି କହିଥିଲେ।

Share Now:

Kalinga News Beuro

Next Post

ମହାନଦୀରେ ବନ୍ୟା: ତଳିଆ ଅଞ୍ଚଳରେ ପସିଲା ପାଣି, ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

Thu Aug 3 , 2023
ବାଙ୍କୀ: ମହାନଦୀରେ ବନ୍ୟା ଜଳ ଆସିଛି। ଅନେକ ଗାଁକୁ ବନ୍ୟାଜଳ ପ୍ରବେଶ କରିଛି। ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହାର ପ୍ରଭାବରେ ବାଙ୍କୀ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଖାଲୁଆ ସ୍ଥାନ ବର୍ଷାଜଳରେ ପରିପୂର୍ଣ୍ଣ ରହିଥିବା ଦେଖିବାକୁ ମିଳିଥିଲା। ମହାନଦୀରେ ବୁଧବାର ସଂଧ୍ୟାସୁଦ୍ଧା ବନ୍ୟାଜଳ ପ୍ରବାହିତ ହେଉଥିଲେ ମଧ୍ୟ ବାଙ୍କୀରେ ବିପଦ ସଂକେତ ୭.୬ ମିଟରରୁ ଯଥେଷ୍ଟ ତଳେ ପ୍ରବାହିତ ହେଉଥିଲା। ମାତ୍ର ୧୨ ଘଣ୍ଟା ମଧ୍ୟରେ ମହାନଦୀର ରୂପରେଖ ସମ୍ପୂର୍ଣ୍ଣ […]
ମହାନଦୀରେ ବନ୍ୟା-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial