ପଥରବନ୍ଧରେ ଭାସୁଛି ବର୍ଜ୍ୟଜଳ : ଡେଙ୍ଗୁ ମଶାଙ୍କ ପାଇଁ ଅନୁକୂଳ ପରି‌ବେଶ

ଡେଙ୍ଗୁ ମଶାଙ୍କ ପାଇଁ ଅନୁକୂଳ ପରି‌ବେଶ

ମଇଳା ପାଣି ସାଙ୍ଗକୁ ଅଳିଆ ଗନ୍ଧରେ ‌ଲୋକେ ହନ୍ତସନ୍ତ

ଭୁବନେଶ୍ୱର: ରାଜ୍ୟବ୍ୟାପୀ ଏବେ ଡେଙ୍ଗୁକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବାବେଳେ ରାଜଧାନୀରେ ପ୍ରତ୍ୟହ ପାଖାପାଖି ୭୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ବିଏମ୍‌ସି ପକ୍ଷରୁ ସଚେତନତାଠାରୁ ଆରମ୍ଭ କରି ଡ୍ରାଏ ଡେ’ ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନିଆ ଯାଉଥିଲେ ମଧ୍ୟ ତା’ର କାଣିଚାଏ ସଫଳତା ରାଜଧାନୀବାସୀ ଅନୁଭବ କରିପା‌ରୁନାହାନ୍ତି। ଏଭଳି କ୍ଷେତ୍ରରେ ଡେଙ୍ଗୁ ମଶାଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଛି ବିଏମ୍‌ସିର ୧୭ ନମ୍ବର ୱାର୍ଡର ପଥରବନ୍ଧ ସ୍ଲମ୍‌ କ୍ୱାର୍ଟର୍ସ ଅଞ୍ଚଳ। ସ୍ଲମ୍‌ କ୍ୱାର୍ଟର୍ସ ନିକଟ ରାସ୍ତାରେ ଲୋକଙ୍କ ଘରର ପାଇଖାନା ଟାଙ୍କି ପାଣି ବର୍ଷ ବର୍ଷ ଧରି ଭାସୁଥିଲେ ହେଁ ବିଏମ୍‌ସି କି ସ୍ୱାସ୍ଥ୍ୟ ବିଭାଗ କେହି ହେ‌ଲେ ଏଥିପ୍ରତି ସାମାନ୍ୟତମ ଦୃଷ୍ଟି ଦେଉନାହାନ୍ତି। ଏହାକୁ ନେଇ ଅଞ୍ଚଳବାସୀ ଚିନ୍ତାରେ ଅଛନ୍ତି। ଏହାସହ ଆଖପାଖ ପ୍ରତି ଘରେ ଥଣ୍ଡା ଜ୍ୱର ଲାଗି ରହିଛି। ସ୍ଲମ୍‌ କ୍ୱାର୍ଟର୍ସକୁ ଲାଗି ଥିବା ଆଜ୍‌ବେଷ୍ଟସ୍‌ ଘର କରି ରହିଥିବା ଶହ ଶହ ଲୋକ ପ୍ରତି ଦିନ ଏହି ବର୍ଜ୍ୟଜଳ ମାଡ଼ି ଯା’ ଆସ କରୁଛନ୍ତି। ବର୍ଷ ବର୍ଷ ଧରି ବିଏମ୍‌ସି, ସ୍ଥାନୀୟ ଜନ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କ‌ଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ସୂଚନା ଅନୁସାରେ, ଏହି କ୍ୱାର୍ଟର୍ସରେ ୨୪୦ ପରିବାର ରହୁଛନ୍ତି। ଏହି‌ ଲୋକମାନଙ୍କ ବର୍ଜ୍ୟଜଳ ଅହରହ ରାସ୍ତାରେ ଭାସୁଛି। ଏତେ ସଂଖ୍ୟକ ଲୋକଙ୍କ ଗୋଟିଏ ସ୍ଥାନରେ ମଇଳା ଟାଙ୍କି ହୋଇଥିବାରୁ କେହି ସେସ୍‌ପୁଲ୍‌ ଟାଙ୍କିକୁ ଡାକି ସଫା‌ କରୁନାହାନ୍ତି। ଯଦି ବା କିଏ କେବେ ଡାକି ସଫା କରୁଛି, ପୁଣି ମାସେ ଦୁଇ ମାସ ଭିତରେ ଟାଙ୍କି ଫୁଲ୍‌ ହୋଇଯାଇ ମଇଳା ପାଣି ରାସ୍ତାରେ ଭାସୁଛି। ଏହାର ସ୍ଥାୟୀ ସମାଧାନ ପାଇଁ ସେମାନେ ଦୀର୍ଘ ଦିନ ଧରି ଦାବି କରି ଆସୁଛନ୍ତି। ହେଲେ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ମଇଳା ପାଣି ରାସ୍ତାରେ ଭାସୁଥିବା‌ରୁ ଲୋକମାନେ ନାକରେ ହାତ ଦେଇ ଘରୁ ବାହାରୁଛନ୍ତି। ଅଭିଭାବକମା‌ନେ ଛୋଟ ଛୁଆଙ୍କୁ ଖେଳିବା ବୁଲିବା ପାଇଁ ବାହାରକୁ ଛାଡ଼ି ପାରୁନାହାନ୍ତି। ଅତ୍ୟନ୍ତ ଅସ୍ବାସ୍ଥ୍ୟକର ତଥା ଅପରିଷ୍କାର ପରିବେଶ ଭିତରେ ଅତି ଦୁର୍ଦ୍ଦିନ ଅବସ୍ଥାରେ ଜୀବନଯାପନ କରୁଥିଲେ ହେଁ କେହି ଦୁଃଖ ବୁଝୁନାହାନ୍ତି। ଏନେଇ ସ୍ଥାନୀୟ ବାସିନ୍ଦା ବୈଶାଖୀ ବେହେରା କହିଛନ୍ତି, ସହର ସାରା ଡେଙ୍ଗୁ ରୋଗ ବ୍ୟାପୁଥିବାବେଳେ ଆମକୁ ପ୍ରତିଦିନ ଭୟ ଘାରୁଛି। ମଇଳା ପାଣି ସାଙ୍ଗକୁ କୁଢ଼ କୁଢ଼ ଅଳିଆ ପରିବେଶକୁ ଆହୁରି ବିଗାଡ଼ି ଦେଉଛି। କାରଣ ଦୀର୍ଘ ୨ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏଭଳି ଅବସ୍ଥା ହେଉଥିଲେ ହେଁ କେହି ଏହାର ସ୍ଥାୟୀ ସମା‌ଧାନ କରୁନାହାନ୍ତି। ଅନ୍ୟ ଜଣେ ବାସିନ୍ଦା ଜ୍ୟୋତ୍ସ୍ନାରାଣୀ ନାୟକଙ୍କ କହିବାନୁସାରେ, ସହର ସାରା ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବାବେଳେ ଏହି ସ୍ଥାନ ଅଧିକାରୀମାନଙ୍କ ଆଖିକୁ ଦେଖାଯାଉନି ନା ଜାଣିଶୁଣି ଅଧିକାରୀମାନେ ଲୋକଙ୍କୁ ଏମିତି ବିପଦ ମୁହଁକୁ ଠେଲି ଦେଇଛନ୍ତି ତାହା ବୁଝା ପଡ଼ୁନି। ଦୀର୍ଘ ବର୍ଷ ଧରି ଲୋକମାନେ ଏମିତି ଅତ୍ୟନ୍ତ ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିଲେ ହେଁ କେହି ଦୃଷ୍ଟି ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବିଏମ୍‌ସି କାର୍ଯ୍ୟଳୟ ଆଗରେ ଧାରଣା ଦେବୁ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି।

Share Now:

Kalinga News Beuro

Next Post

ଏସିଆ କପ୍ : ଉଦଘାଟନୀ ମ୍ୟାଚରେ ନେପାଳ ଆଗରେ ୩୪୩ ରନର ବିଶାଳ ଲକ୍ଷ୍ୟ ରଖିଲା ପାକିସ୍ତାନ

Wed Aug 30 , 2023
ମୁଲତାନ : ଆରମ୍ଭ ହୋଇଛି ବହୁଚର୍ଚ୍ଚିତ ଏସିଆ କପ୍। ପ୍ରଥମ ମ୍ୟାଚ ପାକିସ୍ତାନ ଓ ନେପାଳ ମଧ୍ୟରେ ପାକିସ୍ତାନର ମୁଲତାନ କ୍ରିକେଟ ଷ୍ଟାଡିୟମଠାରେ ଅନୁଷ୍ଠିତ ହେଉଛି। ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ବାବର ଆଜମଙ୍କ ଦେଢ ଶତକ ବଳରେ ନେପାଳ ଆଗରେ ୩୪୩ରନର ଏକ ବିଶାଳ ବିଜୟ ଲକ୍ଷ୍ୟ ସ୍ଥାପନ କରିଛି।ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନେପାଳ ଦ​ଳ […]
ଏସିଆ କପ୍ ଉଦଘାଟନୀ ମ୍ୟାଚ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial