ଉପରେ ରୋପ୍‌ ୱେ, ତଳେ ବୋଟିଂ: କାଞ୍ଜିଆ ହ୍ରଦରେ ଜମିଲା ଭିଡ଼

ଉପରେ ରୋପ୍‌ ୱେ, ତଳେ ବୋଟିଂ

ବାରଙ୍ଗ: ପର୍ଯ୍ୟଟନ ଋତୁ ଆରମ୍ଭ ହେଉ ନ ହେଉଣୁ ନନ୍ଦନକାନନ କାଞ୍ଜିଆ ହ୍ରଦରେ ଜମିଲାଣି ଭିଡ଼। କାଞ୍ଜିଆ ହ୍ରଦର ଉପରେ ରୋପ୍‌ ୱେ ଓ ତଳେ ବୋଟିଂ ଆରମ୍ଭ ହୋଇଯାଇଥିବାରୁ ପର୍ଯ୍ୟଟକମାନଙ୍କ ଭିଡ଼ ଜମୁଛି। ଦୀର୍ଘ ସମୟ ଧରି ବନ୍ଦ ଥିବା ବୋଟିଂ ଓ ରୋପ୍‌ ୱେ ପୁଣି ଚାଲୁ ହୋଇଯାଇଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଗତକାଲି ରୋପ୍‌ ୱେ ଉଦ୍‌ଘାଟିତ ହୋଇଥିଲା ଏବଂ ଆଜି ପର୍ଯ୍ୟଟକମାନେ ସେଥିରେ ଯାତ୍ରା କରିଛନ୍ତି। ସେହିଭଳି ଆଜିଠାରୁ ମଧ୍ୟ ବୋଟିଂ ଆରମ୍ଭ ହୋଇଯାଇଛି ଏବଂ ପର୍ଯ୍ୟଟକମାନେ ନୌକାବିହାରର ମଜା ଉଠାଇଛନ୍ତି।
ହିସାବ କଲେ, ଆଜି ରୋପ୍‌ ୱେରେ ୫୬୪ ଜଣ ପର୍ଯ୍ୟଟକ ଯାତ୍ରା କରିଛନ୍ତି ଏବଂ ଟିକଟ ବିକ୍ରିରୁ ୫୯,୭୬୦ ଟଙ୍କା ମିଳିଛି। ସେହିଭଳି ବୋଟିଂ ପାଇଁ ୧୦୪ ଟିକଟ ବିକ୍ରି ହୋଇଥିଲା ଏବଂ ୧୦,୦୦୦ରୁ ଅଧିକ ଟଙ୍କା ଆଦାୟ କରାଯାଇଛି। ଦୀର୍ଘ ୧୭ ମାସ ଧରି ଏଠାରେ ବୋଟିଂ ବନ୍ଦ ରହିଥିଲା। ରୋପ୍‌ ୱେ ଉଦ୍‌ଘାଟନ ହେବାପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ନୌକାବିହାର ତୁରନ୍ତ ଚାଲୁ କରିବାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ରୋପ୍‌ ୱେ ଯାତ୍ରା ଭଳି ନୌକାବିହାର ପାଇଁ ମଧ୍ୟ ଉଭୟ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପାର୍ଶ୍ବରୁ ଟିକେଟ କାଉଣ୍ଟର ବ୍ୟବସ୍ଥା କରାଯାଇଛି। ୨ ସିଟ୍ ବିଶିଷ୍ଟ ବୋଟ୍‌ ପାଇଁ ଟିକଟ ମୂଲ୍ୟ ୫୦ ଟଙ୍କା, ୪ସିଟ୍ ପାଇଁ ୧୦୦ ଟଙ୍କା ଓ ପରିବାର ବା ଫ୍ୟାମିଲି ବୋଟ୍‌ ଟିକଟ ଦର ୧୫୦ ଟଙ୍କା ରଖାଯାଇଛି।
ପରିଭ୍ରମଣର ସମୟ ସୀମା ୩୦ ମିନିଟ୍ ଧାର୍ଯ୍ୟ କରାଯାଇଛି। ନୌକାବିହାର ଟିକଟ ମୂଲ୍ୟକୁ ନେଇ ପର୍ଯ୍ୟଟକ ମହଲରେ ସେଭଳି କିଛି ପ୍ରତିକ୍ରିୟା ନଥିବା ବେଳେ ରୋପ୍‌ ୱେ ଟିକଟ ଦରକୁ ନେଇ ବହୁ ପର୍ଯ୍ୟଟକ ଆପତ୍ତି ଉଠାଇଛନ୍ତି। ଓଡ଼ିଶା ବାହାରେ ଯେଉଁଠି ରୋପ୍‌ ୱେ ଯାତ୍ରା ସୁବିଧା ମିଳୁଛି, ତା’ଠାରୁ ନନ୍ଦନକାନନରେ ଟିକଟ ମୂଲ୍ୟ ଅଧିକ ରହିଛି ବୋଲି ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି। ବାହାରେ ରୋପ୍‌ ୱେ ଟିକଟ ଦର ୧୦୦ ଟଙ୍କା ଭିତରେ ଥିବା ବେଳେ ନନ୍ଦନକାନନରେ ୧୨୦ ଟଙ୍କା ପଡ଼ୁଛି। ପୁଣି ବଟନିକାଲ୍‌ ଗାର୍ଡେନ୍‌ ପାର୍ଶ୍ବରୁ ଯାତ୍ରା କଲେ ଅଧିକ ୨୦ ଟଙ୍କା ଗଣିବାକୁ ପଡ଼ୁଛି। ତେଣୁ ନନ୍ଦନକାନନ କର୍ତ୍ତୃପକ୍ଷ ଏହି ଟିକଟ ମୂଲ୍ୟ ହ୍ରାସ କରିବା ଦିଗରେ ପୁନର୍ବିଚାର କରିବାକୁ ବହୁ ପର୍ଯ୍ୟଟକ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀରେ ୫ ଆହାର କେନ୍ଦ୍ରରେ ରାତି ଭୋଜନ : ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ହେବ ସ୍ବତନ୍ତ୍ର ଆହାର କେନ୍ଦ୍ର

Sun Nov 19 , 2023
ଭୁବନେଶ୍ୱର: ଏମ୍‌ସ୍‌ ନିକଟରେ ଥିବା ୨ଟି ଆହାର କେନ୍ଦ୍ରରେ ଏଥର ରାତିରେ ଖାଇବାକୁ ମିଳିବ। ରୋଗୀଙ୍କ ସମ୍ପର୍କୀୟମାନେ ସୁଲଭ ମୂଲ୍ୟରେ ସୁଷମ ଖାଦ୍ୟ ପାଇ ପାରିବେ। ପ୍ରତ୍ୟେକ ଦିନ ଏହି ୨ ଆହାର କେନ୍ଦ୍ରରେ ୪୦୦ ଲେଖାଏଁ ମିଲ୍‌ ପ୍ରସ୍ତୁତ କରାଯିବ। ଏହି ବ୍ୟବସ୍ଥାକୁ ମେୟର ସୁଲୋଚନା ଦାସ ଉଦ୍‌ଘାଟନ କରିଥିଲେ। ଏହି ୨ଟି ଆହାର କେନ୍ଦ୍ର ଦୈନିକ ୭୫୦ଟି ଲେଖାଏଁ ଭୋଜନ ପ୍ରସ୍ତୁତ କରୁଥିଲେ।ଏବେ ବିଏମ୍‌ସି ଅଞ୍ଚଳରେ ମୋଟ୍‌ […]
ଏଥର ୫ ଆହାର କେନ୍ଦ୍ରରେ ରାତି ଭୋଜନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial