ନାଟର ଗୋବର୍ଦ୍ଧନ ୱାଟ୍‌କୋ: ଛୋଟିଆ ମରାମତି କରୁକରୁ ବଡ଼ ପାଇପ୍‌ ଫାଟିଥିଲା

ଭୁବନେଶ୍ୱର : ଖୋଦ୍‌ ରାଜଧାନୀରେ ପାଖାପାଖି ଲକ୍ଷେ ଲୋକଙ୍କୁ ପାନୀୟ ଜଳରୁ ବଞ୍ଚିତ କରିଛି ୱାଟ୍‌କୋ। ଘଣ୍ଟାଏ କିମ୍ବା ଦୁଇଘଣ୍ଟା ନୁହେଁ ବରଂ ପୂରା ୪୨ ଘଣ୍ଟା। ଆଜି ଅପରାହ୍ନ ୪ଟା ବେଳେ ପାନୀୟ ଜଳ ପହଞ୍ଚିଥିଲା। ତାହା ପୁଣି ସମସ୍ତ ପ୍ରଭାବିତ ଅଞ୍ଚଳରେ ନୁହେଁ। ଅଧିକାଂଶ ଅଞ୍ଚଳରେ ଅପେକ୍ଷାକୃତ କମ୍‌ ପାଣି ଆସୁଥିବା ବେ‌ଳେ କେତେକ ଅଞ୍ଚଳରେ ପାଣି ପହଞ୍ଚି ନାହିଁ। ଏଣେ ଗତକାଲିଠାରୁ ୮୦ ହଜାରରୁ ଊର୍ଦ୍ଧ୍ବ ବାସିନ୍ଦା ପାଣି ପାଇଁ ଚିତ୍କାର କରିଥିଲେ ମଧ୍ୟ ବିଏମ୍‌ସି ନିଦରେ ଥିଲା। ଆଜି ସକାଳେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମେୟର ସୁଲୋଚନା ଦାସ ସହରବାସୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ, ମୁଖ୍ୟ ଜଳ ଯୋଗାଣ ପାଇପ ଫାଟିଥିବା ଯୋଗୁଁ ଏହି ସମସ୍ୟା ଉପୁଜିଥିଲା। କାମ ସରିବା ପାଇଁ ଦୁଇଦିନ ଲାଗିଲା। ଜଣେ ଲୋକଙ୍କ ଦୁଇ ତାଲା ଘର ଥିବାରୁ ସତର୍କତା ସହ କାମ କରିବାକୁ ପଡ଼ିଲା। ଘର ଧସି ପଡ଼ିବାର ସମ୍ଭାବନା ଥିଲା। ଆଜି କାମ ସରିଯାଇଛି। ସନ୍ଧ୍ୟା ସୁଦ୍ଧା ପାଣି ଆସିବ। ଦୁଇ ଦିନ ଧରି ପାଣି ଟାଙ୍କି ପଠାଉଥିଲୁ। ତଥାପି ତାହା ପର୍ଯ୍ୟାପ୍ତ ନୁହେଁ। ଲୋକଙ୍କ ଅସୁବିଧା ପାଇଁ କ୍ଷମା ଚାହୁଛି।
ଏଣେ ଖୋଳତାଡ଼ ବେଳେ ଆଉ ଏକ ସାଂଘାତିକ ସତ୍ୟ ସାମ୍ନାକୁ ଆସିଛି। ଗତ ୮ ତାରିଖରେ ଅପରାହ୍ନ ୩ଟା ୨୨ ମିନିଟ୍‌ରେ ମାଟି ତଳେ ପାଇପ୍‌ ଲିକ୍‌ ହୋଇଥିବା ନେଇ ଖବର ମିଳିଥିଲା। ତାହାର ମରାମତି ହୋଇଥିଲେ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇନଥାନ୍ତା କିମ୍ବା ଯେତିକି ସମୟ ଲାଗିଥାନ୍ତା ତାହା ଜଳ ଯୋଗାଣକୁ ପ୍ରଭାବିତ କରିନଥାନ୍ତା। ସାଢ଼େ ୩ଟା ବେଳେ ୱାଟ୍‌କୋ ଖୋଳାଖୋଳି ଆରମ୍ଭ କରିଥିଲା। ମାଟି ଅତଡ଼ା ଖସିବା ଆଶଙ୍କାରେ ଚତୁଃପାର୍ଶ୍ବରେ ଲୁହା ଖୁମ୍ବ ପୋତା ଯାଉଥିଲା। ପୋତିବା‌ ବେଳେ ଏହି ଲୁହା ଖୁମ୍ବ ବାଜି ମୁଖ୍ୟ ଜଳ ଯୋଗାଣ ପାଇପ୍‌ ଫାଟି ଯାଇଥିଲା। ଫଳରେ ଭୁବନେଶ୍ବରର ଅଧା ଅଞ୍ଚଳକୁ ପାଣି ପହଞ୍ଚି ପାରିନଥିଲା। କେଉଁ ପରିସ୍ଥିତିରେ ମାଟି ତଳେ ଥିବା ପାଇପ୍‌ ବାବଦରେ ଅଧିକାରୀମାନେ ଜାଣିପାରିଲେ ନାହିଁ? ଅଧିକାରୀମାନେ ଏଭଳି ବେପରୁଆ କେମିତି ହୋଇପାରିଲେ? ଖୋଳାତଡ଼ା କାମ ଶ୍ରମିକଙ୍କ ହାତରେ ଛାଡ଼ି ଦେଇ କିଭଳି ବସିଗଲେ? ୮୦ ହଜାର ଲୋକଙ୍କୁ ପାଣିରୁ ବଞ୍ଚିତ କରିଥିବା ୱାଟ୍‌କୋ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ?
ମରାମତି ପାଇଁ ଏତେ ସମୟ ଲାଗିବ! ଲୋକମାନେ ହଇରାଣ ହେବେ! ସେ ନେଇ ୱାଟ୍‌କୋ ପକ୍ଷରୁ ସୂଚନା ଦିଆଯାଇନଥିଲା। ଛୋଟ ଛୋଟ ପ୍ରସଙ୍ଗରେ ଟ୍ବିଟ୍‌ କରୁଥିବା ବିଏମ୍‌ସି ମଧ୍ୟ ଏ କ୍ଷେତ୍ରରେ ନିରବ ରହିଥିଲା। କ’ଣ ହୋଇଛି? କେବେ ପାଣି ଆସିବ? କାହା ପାଖରେ ସୂଚନା ନଥିଲା। ୱାଟ୍‌କୋ ଅଧିକାରୀ ଫୋନ୍‌ ଉଠାଇନଥିଲେ। ସାଧାରଣ ଲୋକ ଖବର ପାଇବା ପାଇଁ କୌଣସି ସୂଚନା ନଥିଲା। ୱାଟ୍‌କୋର ଟୋଲ୍‌ ଫ୍ରି ନମ୍ବର ୧୫୫୩୫୯ରୁ ମଧ୍ୟ କୌଣସି ସ୍ପଷ୍ଟ ଉତ୍ତର ଆସି ପାରିନଥିଲା। ‘ଏହା ଆମ କାମ ନୁହେଁ’ ବୋଲି ବିଏମ୍‌ସିର ହେଲ୍ପଲାଇନ୍‌ ୧୯୨୯ରୁ ଉତ୍ତର ଆସିଥିଲା ଓ ‌ସେମାନେ ବିରକ୍ତି ମଧ୍ୟ ପ୍ରକାଶ କରିଥିଲେ। ଶେଷ‌ରେ ଜଣାପଡ଼ିଥିଲା ୱାଟ୍‌କୋ ତା’ର ଫେସ୍‌ବୁକ୍‌ ପେଜ୍‌ରେ ୮ ତାରିଖ ଅପରାହ୍ନରେ ସୂଚନା ଦେଇଥିଲା। ଏହି ପେଜ୍‌ର ମାତ୍ର ୧ହଜାର ଜଣ ଅନୁଗାମୀ ଅଛନ୍ତି। ଯେଉଁଠି କି ୮୦ ହଜାରରୁ ଊର୍ଦ୍ଧ୍ବ ପ୍ରଭାବିତ ହୋଇଥିଲେ। ୬୦ ବର୍ଷ ତଳେ ପାଇପ୍‌ ପଡ଼ିଥିଲା। ସେଗୁଡ଼ିକ ଦୁର୍ବଳ ହେଲାଣି। ଏଣୁ ଏଭଳି ସମସ୍ୟା ହେଉଛି। ସେଥିପାଇଁ ସାରା ସହରରେ ମାଟି ତଳେ ଥିବା ପାଇପ୍‌ର ଯାଞ୍ଚ ହେବାକୁ ଯୋଜନା ହୋଇଛି। ତା ଛଡ଼ା ଏହି ପୁରୁଣା ଲାଇନ୍‌ ବ୍ୟତୀତ ଆଉ ନୂଆ ପାଇପ୍‌ ଲାଇନ୍‌ ବିଛାଇବା ପାଇଁ ଯୋଜନା ହୋଇଛି। କେବଳ ଜାତୀୟ ରାଜପଥ କଡ଼ରେ ହିଁ କୁଆଖାଇରୁ ପାଣି ଆଣିବା ପାଇଁ ବାଟ ରହିଛି। ସେଥିପାଇଁ ଜାତୟ ରାଜପଥ ସହ ସମନ୍ବୟର ଆବଶ୍ୟକତା ରହିଛି। ଖୁବ୍‌ଶୀଘ୍ର ଏ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ରାମ ମନ୍ଦିରର ପୂଜାରୀ ପାଇଁ ଚୟନ ହେଲେ ମୋହିତ ପାଣ୍ଡେ

Tue Dec 12 , 2023
ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପଦ ପାଇଁ ଗାଜିଆବାଦସ୍ଥିତ ଶ୍ରୀ ଦୁଧେଶ୍ୱରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେଙ୍କୁ ବଛାଯାଇଛି। ୩୦୦୦ ପ୍ରାର୍ଥୀଙ୍କର ସାକ୍ଷାତ୍‌କାର ନିଆଯାଇ ସେମାନଙ୍କ ମଧ୍ୟରୁ ପ୍ରଥମେ ୫୦ ଜଣଙ୍କୁ ବଛାଯାଇଥିଲା। ସେହି ୫୦ ଜଣଙ୍କ ମଧ୍ୟରୁ ପାଣ୍ଡେଙ୍କୁ ଚୟନ କରାଯାଇଛି। ମୋହିତଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ ତାଙ୍କର ଜନ୍ମ ୨୦୦୨ ମସିହା ନଭେମ୍ବର ୧୦ ତାରିଖରେ ସୀତାପୁର ବେଲହାଉରାରେ ହୋଇଥିଲା। ଧର୍ମ ରାସ୍ତାରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial