ଅପରିବର୍ତ୍ତିତ ରହିବ ଲୋକସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା

ନୂଆଦିଲ୍ଲୀ: ଓଡ଼ିଶାରେ ୨୦୨୪ର ଲୋକସଭା ନିର୍ବାଚନରେ ପ୍ରାର୍ଥୀମାନେ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ଜାନୁଆରୀ ୨୦୨୨ରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଲୋକସଭା ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ୯୫ ଲକ୍ଷ ଟଙ୍କାକୁ ବଢାଇବାର ସୁପାରିଶକୁ କେନ୍ଦ୍ର ଆଇନ ମନ୍ତ୍ରାଳୟ ଦ୍ୱାରା ଗ୍ରହଣ କରାଯାଇଥିଲା। ଖର୍ଚ୍ଚ ମୁଦ୍ରାସ୍ପୀତି ସୁଚକାଙ୍କ ବଢିବା ସହ ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟାରେ ବୃଦ୍ଧି ଘଟିବା ତଥା ଭର୍ଚ୍ଚୁଆଲ ପ୍ରଚାର ବୃଦ୍ଧି ପାଇବା ଦୂଷ୍ଟିରୁ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ବଢାଇବା ଜରୁରୀ ହୋଇପଡିଥିଲା। ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ଧାର୍ଯ୍ୟ କରାଯାଇଥିବା ଖର୍ଚ୍ଚ ସୀମା ୯୫ ଲକ୍ଷ ଟଙ୍କା ବଳବତ୍ତର ରହିବ ବୋଲି ସୁତ୍ରରୁ ଜଣାପଡିଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ ଦେଶ ସ୍ୱାଧୀନତା ପରେ ଆୟୋଗ ପ୍ରାର୍ଥୀଙ୍କର ସଂସଦୀୟ ନିର୍ବାଚନ ତଥା ଉପନିର୍ବାଚନ ପାଇଁ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଥିଲେ। ଦେଶର ପ୍ରଥମ ସାଧାରଣ ନିର୍ବାଚନ ବେଳେ ଭାରତୀୟ ନିର୍ବାଚନ ଆୟୋଗ ବିଭିନ୍ନ ରାଜ୍ୟର ଭୌଗୋଳିକ ସ୍ଥିତି ଓ ସଂପ୍ରସାରଣକୁ ବିବେଚନ କରି ନିର୍ବାଚନ ଖର୍ଚ୍ଚକୁ ଅଲଗା ଅଲଗା ଭାବେ ନିର୍ଦ୍ଧାରଣ କରିଥିଲେ। ତଦନୁସାରେ ଓଡ଼ିଶାରେ ୧୯୫୨ରେ ହୋଇଥିବା ସାଧାରଣ ନିର୍ବାଚନରେ ଭାରତର ନିର୍ବାଚନ ଆୟୋଗ ପ୍ରାର୍ଥୀଙ୍କ ପାଇଁ ୨୫ ହଜାର ଟଙ୍କାର ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଥିଲେ। ୧୯୫୭, ୧୯୬୨ ଓ ୧୯୬୭ ସାଧାରଣ ନିର୍ବାଚନରେ ୨୫ ହଜାର ଟଙ୍କା ଖର୍ଚ୍ଚ ସୀମା ଜାରି ରହିଥିବାବେଳେ ୧୯୭୧ରେ ଆୟୋଗଙ୍କ ଦ୍ୱାରା ଲୋକସଭା ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ରାଶି ସୀମାର ସଂଶୋଧନ କରାଯାଇଥିଲା। ସଂଶୋଧିତ ଖର୍ଚ୍ଚ ସୀମା ଅର୍ନ୍ତଗତ ଓଡ଼ିଶାରେ ୧୯୭୧ର ସାଧାରଣ ନିର୍ବାଚନରେ ପ୍ରାର୍ଥୀଙ୍କର ଖର୍ଚ୍ଚ ସୀମାକୁ ୨୫ ହଜାର ଟଙ୍କାରୁ ୩୫ ହଜାର ଟଙ୍କାକୁ ବୃଦ୍ଧି କରାଗଲା। ୧୯୭୭ ସାଧାରଣ ନିର୍ବାଚନରେ ୩୫ ହଜାର ଟଙ୍କା ଖର୍ଚ୍ଚ ସୀମା ବଳବତ୍ତର ରହିଥିଲା ବେଳେ ଆୟୋଗଙ୍କ ଦ୍ୱାରା ୧୯୭୯ରେ ପୁଣିଥରେ ଲୋକସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା।
୧୯୮୪ରେ ପୁଣିଥରେ ଲୋକସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମାକୁ ୧ ଲକ୍ଷ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ୧୯୯୪ରେ ପ୍ରାର୍ଥୀଙ୍କର ନିର୍ବାଚନ ଖର୍ଚ୍ଚ ୧ ଲକ୍ଷ ୫୦ ହଜାର ଟଙ୍କାରୁ ୪ ଲକ୍ଷ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ୧୯୯୭‌ରେ ପୁଣିଥରେ ଆୟୋଗଙ୍କ ଦ୍ୱାରା ଖର୍ଚ୍ଚ ସୀମାକୁ ୪ ଲକ୍ଷ ୫୦ ହଜାରରୁ ୧୫ ଲକ୍ଷ ଟଙ୍କା କରିଦିଆଗଲା। ୨୦୦୩ରେ ୪ ଲକ୍ଷ ୫୦ ହଜାର ଟଙ୍କାରୁ ୨୫ ଲକ୍ଷ ଟଙ୍କା ବୁଦ୍ଧି କରାଯାଇଥିବା ବେଳେ ୨୦୧୧ରେ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କା ନିର୍ବାଚନ ଖର୍ଚ୍ଚକୁ ବୂଦ୍ଧି କରାଯାଇଥିଲା। ହେଲେ ୨୦୧୪ ସାଧାରଣ ନିର୍ବାଚନରେ ଆୟୋଗ ଲୋକସଭା ପ୍ରାର୍ଥଙ୍କ ନିର୍ବାଚନ ଖର୍ଚ୍ଚକୁ ୪୦ ଲକ୍ଷ ଟଙ୍କାରୁ ୭୦ ଲକ୍ଷ ଟଙ୍କାକୁ ବୂଦ୍ଧି କରିଥିଲେ। ୨୦୨୦ରେ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ୭୭ ଲକ୍ଷ ଟଙ୍କାକୁ କୁ ବୁଦ୍ଧି କରାଯାଇଥିଲା। ଜାନୁଆରୀ ୨୦୨୨ରେ ଲୋକସଭା ପ୍ରାର୍ଥୀଙ୍କର ନିର୍ବାଚନ ଖର୍ଚ୍ଚ ସୀମା ୯୫ ଲକ୍ଷ ଟଙ୍କା ଓ ବିଧାନସଭା ପ୍ରାର୍ଥୀମାନଙ୍କର ଖର୍ଚ୍ଚ ସୀମା ୨୮ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୂଦ୍ଧି କରାଯାଇଥିଲା। ଓଡ଼ିଶାରେ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଧାୟକ ପ୍ରାର୍ଥୀମାନେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରାର୍ଥୀଙ୍କର ଲୋକସଭା ଓ ବିଧାନସଭା ନିର୍ବାଚନରେ ଖର୍ଚ୍ଚର ସୀମାକୁ ନିର୍ଦ୍ଧାରଣ କରାଯାଇଥିବାବେଳେ ନିର୍ଦ୍ଧାରିତ ସୀମାରୁ ପ୍ରାର୍ଥମାନେ ଯେଉଁଭଳି ଅଧିକ ଅର୍ଥ ଖର୍ଚ୍ଚ କରିବେ ନାହିଁ ତଥା ଧନବଳକୁ ‌ରୋକିବା ପାଇଁ ମଧ୍ୟ ଆୟୋଗଙ୍କ ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯାଉଛି। ଆୟୋଗଙ୍କ ପକ୍ଷରୁ ନିର୍ବାଚନରେ ବେଆଇନ ଅର୍ଥ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ବ୍ୟୟ ପର୍ଯ୍ୟବେକ୍ଷକ, ଭିଡିଓ ସର୍ଭିଲାନ୍ସ ଟିମ,ଜନ ଅଭିଯୋଗ ମନିଟରିଂ ସେଲ୍, ମିଡିଆ ସାର୍ଟିଫିକେସନ ମନିଟରିଂ କମିଟି ଅନ ପେଡ୍ ନିଉଜ, ଫ୍ଲାଇିଂ ସ୍କ୍ୱାର୍ଡ, ଷ୍ଟାଟିକ ସର୍ଭିଲାନ୍ସ ଟିମ ବ୍ୟତୀତ ଏନଫର୍ସମେଣ୍ଟ ଏଜେନ୍ସିରେ ସିବିଡିଟି, ସିବିଆଇସି, ଡିଜିଆଇଟି,ରାଜ୍ୟ ଅବକାରୀ ବିଭାଗର ଟିମ, ରାଜ୍ୟ ପୁଲିସ ଟିମ, ନାରକୋଟିକ କଂଣ୍ଟ୍ରୋଲ ବ୍ୟୁରୋ ,ଡିଆରଆଇ, ଇଡି, ଏଫଆଇକ୍ୟୁ, ଆଇଏନଡି,ବିସିଏଏସ, ଆରପିଏଫ,ବିଏସଏଫ, ଏସଏସବି, ଆଇଟିବିପି ତଥା କୋଷ୍ଟଗାର୍ଡ ଭଳି ସଂସ୍ଥାଙ୍କ ସହାୟତା ନେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ନିପା ଭାଇରସ୍ ଟୀକାର ମାନବ ପରୀକ୍ଷଣ କଲା ଅକ୍ସଫୋର୍ଡ ୟୁନିଭରସିଟି

Thu Jan 11 , 2024
ନୂଆଦିଲ୍ଳୀ: କରୋନା ଭୂତାଣୁ ପରେ ଯଦି କେଉଁଟି ବେଶି ମୁଣ୍ଡ ବିନ୍ଧାର କାରଣ ପାଲଟିଥାଏ ତ ତାହା ହେଉଛି ନିପା। ଏହି ନିପା ଭାଇରସ୍ ପାଇଁ ଟୀକା ପ୍ରସ୍ତୁତ କରିବାକୁ ଅକ୍ସଫୋର୍ଡ ୟୁନିଭରସିଟି କାର୍ଯ୍ୟ ଆରମ୍ଭ ବହୁ ପୂର୍ବରୁ କରି ଦେଇଥିବା ବେଳେ ଏବେ ଖୁସି ଖବର ହସ୍ତଗତ ହୋଇଛି। ସୂଚନା ରହିଛି ଯେ ଅକ୍ସଫୋର୍ଡ ୟୁନିଭରସିଟି ନିପା ଜୀବାଣୁ ବିରୋଧରେ ଏକ ଟୀକା ବାହାର କରିଛି, ଯାହାର ମାନବ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial