ପୁଣି ଝୁମିବ ଭୁବନେଶ୍ୱର : ଫେବୃଆରୀ ୩ରୁ ଏକାମ୍ର ଉତ୍ସବ

ଭୁବନେଶ୍ୱର: ପୁଣି ଝୁମିବ ଭୁବନେଶ୍ୱର। ଡଟ୍‌ଫେଷ୍ଟ ଭଳି ରଙ୍ଗାରଙ୍ଗ୍‌ କାର୍ଯ୍ୟକ୍ରମ ସାଙ୍ଗକୁ ନିଆରା ଖାଦ୍ୟର ମଜା ନେବେ ଭୁବନେଶ୍ୱରିଆ। ତା’ ସାଙ୍ଗକୁ ରାସ୍ତା କଡ଼ ଓ ଗଳିକନ୍ଦିରେ ଓଡ଼ିଆ ସଂସ୍କୃତିର ଯାବତୀୟ ପରମ୍ପରା, ଚଳଣୀ ଓ ସଂସ୍କୃତିର ଝଲକ ଦେଖିବାକୁ ପାଇବେ। ମୋଟାମୋଟି କହିବାକୁ ଗଲେ ସାରା ଭୁବନେଶ୍ୱରରେ ସୃଷ୍ଟି ହେବ ଉତ୍ସବର ମା‌ହୋଲ୍‌। ଗୋଟିଏ ପଟେ ରାଜ୍ୟ ସରକାର ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରୁଥିବା ବେଳେ ଏହାର ସମାନ୍ତରାଳ ଭାବରେ ବିଡିଏ ଆୟୋଜନ କରିବ ‘ଏକାମ୍ର ଉତ୍ସବ’। ଫେବୃଆରୀ ୩ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆ ସମେତ ଭୁବନେଶ୍ୱରର ବିଭିନ୍ନ ଜାଗାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସୂଚନା ମିଳିଛି। ଏକାମ୍ର ଉତ୍ସବ ତିନିଟି ଭାଗରେ ଆୟୋଜନ ହେବ। ଏହାର ମୁଖ୍ୟ ଇଭେଣ୍ଟ ହେଉଛି ‘ଭୁବନ୍-ଏ-ସ୍ୱର୍’। ଏହା ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବ। ଏଥିରେ ଜାତୀୟ ଓ ରାଜ୍ୟସ୍ତର ସମେତ ସ୍ଥାନୀୟ କଳାକାରମାନେ ସଙ୍ଗୀତ, ନୃତ୍ୟ ସହ ମନୋରଞ୍ଜନ କରିବେ। ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ପ୍ରଚ୍ଛଦପଟ୍ଟ ଗାୟକ ଗାୟିକା ମଧ୍ୟ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଗୀତ ନାଚ ଛଡ଼ା ପ୍ରସିଦ୍ଧ କଳାକାରମାନେ ମ୍ୟାଜିକ୍ ‌ସୋ’ ଓ ବହୁମୁଖୀ ପ୍ରତିଭା ଆକର୍ଷଣୀୟ କାର୍ଯ୍ୟକ୍ରମ ପରିବଷେଣ କରିବେ।
ସେହିଭଳି ‘ସିଟି କାର୍ନିଭାଲ୍’ବା ‘ଲୋକ ଉତ୍ସବ’ରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବାର୍ତ୍ତାବହ ହେବ। ଏହା ଭୁବନେଶ୍ୱରର ପ୍ରମୁଖ ରାସ୍ତା ସମେତ ଗଳିକନ୍ଦିରେ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି। ରାହାଗିରି, ପଥୋତ୍ସବ ଠାରୁ ଏହା ଆହୁରି ଉନ୍ନତମାନର ହେବ। ପ୍ରତ୍ୟେକ ପ୍ରଦର୍ଶନ ଏକ ଥିମ୍‌ ଆଧାରିତ ହେବ। ପ୍ରତିଟିରେ ଓଡ଼ିଶାର ସଂସ୍କୃତି ପ୍ରତିଫଳିତ ହେବ। ଏଥିରେ ଭଳିକିଭଳି ଖାଦ୍ୟ ଷ୍ଟଲ୍‌ ସହ କ୍ରୀଡ଼ା, ମନୋରଞ୍ଜନ, ଫେସ୍‌ ପେଣ୍ଟିଂ, ଟାଟୁ, ଆତସବାଜି ଭଳି କାର୍ଯ୍ୟକ୍ରମ ରହିବ। ସହରର ସବୁ ବର୍ଗର ଲୋକଙ୍କୁ ଯେଭଳି ସାମିଲ କରାଯାଇ ପାରିବ ସେହିଭଳି ଥିମ୍‌ ପ୍ରସ୍ତୁତ ହେବ।
ଓଡିଶା ହାଣ୍ଡିଶାଳର ସୁଆଦିଆ ଖାଦ୍ୟର ମଜା ମଧ୍ୟ ଏହି ଏକାମ୍ର ଉତ୍ସବରେ ମିଳିବ। ହାତ ତିଆରି ଆଞ୍ଚଳିକ ଖାଦ୍ୟର ପ୍ରଚାର ପ୍ରସାର କରିବା ପାଇଁ ‘ଆମ ବ୍ୟଞ୍ଜନ’ କାର୍ଯ୍ୟକ୍ରମ ଏଥିରେ ସାମିଲ କରାଯାଇଛି। ଓଡିଆ ଘରର ପାରମ୍ପରିକ ଖାଦ୍ୟ ସାଙ୍ଗକୁ କେବଳ ଗ୍ରାମାଞ୍ଚଳରେ ଉପଲବ୍ଧ ହେଉଥିବା ବିଭିନ୍ନ ସାମଗ୍ରୀରେ ପ୍ରସ୍ତୁତ ଖାଦ୍ୟ ମଧ୍ୟ ଉପଲବ୍ଧ ହେବ। ବାରିପଦା ମୁଢ଼ି ମାଂସ ଠାରୁ ଆରମ୍ଭ କରି ସାଲେପୁର ରସଗୋଲା ଯାଏଁ ପ୍ରତ୍ୟେକ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ(ଜଳଖିଆ/ମୁଖ୍ୟ ଖାଦ୍ୟ) ଗୋଟିଏ ଗୋଟିଏ ଷ୍ଟଲ୍‌ରେ ଉପଲବ୍ଧ ହେବ। ଏହା ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବ। ଏହି ଖାଦ୍ୟ ବଜାର ସହ ଏକ ଫ୍ଲି ମାର୍କେଟ୍‌ ମଧ୍ୟ ବସିବ। ଏଠାରେ ଯାବତୀୟ ଜିନିଷ ଶସ୍ତାରେ ଉପଲବ୍ଧ ହେବ। ଏହି ଏକାମ୍ର ଉତ୍ସବ ଆୟୋଜନ କରିବାକୁ ବିଡିଏ ଟେଣ୍ଡର ଜରିଆରେ ଠିକା ସଂସ୍ଥା ଚୟନ କରୁଛି। ଜାନୁଆରୀ ୨୫ ତାରିଖ ସୁଦ୍ଧା ଏହି ଉତ୍ସବର ରୂପରେଖ କିଭଳି ହେବ ତାହା ନିଶ୍ଚିତ ହୋଇ ସାରିଥିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

ଯାଜପୁର ଜିଲ୍ଲାରେ ହାତୀ ଆତଙ୍କ : ଶୌଚ ପାଇଁ ଯିବା ବେଳେ ବୃଦ୍ଧଙ୍କୁ ଦଳିଦେଲା ହାତୀ

Thu Jan 18 , 2024
ଯାଜପୁର: ଯାଜପୁର ଜିଲ୍ଲାରେ ହାତୀ ଆତଙ୍କ ଜାରି ରହିଛି। ଗତ ଦୁଇଦିନରେ ହାତୀ ନେଲାଣି ଦୁଇଟି ଜୀବନ। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଉପେନ୍ଦ୍ର କର (୫୫)। ପାଣିକୋଇଲି ଥାନା ଅନ୍ତର୍ଗତ କୋରେଇ ବ୍ଲକ ଅଧୀନ ତଣ୍ଡରା ଗାଁର ଉପେନ୍ଦ୍ର କର ଆଜି ସକାଳେ ଶୌଚ ପାଇଁ ପଡ଼ିଆକୁ ଆଜି ସକାଳେ ଯାଇଥିବା ବେଳେ ହାତୀ ତାଙ୍କୁ ଦଳିଦେଇଥିଲା। ହାତୀ ଆକ୍ରମଣରେ ଉପେନ୍ଦ୍ରଙ୍କ ମୃତ୍ୟୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial