ସେଦିନର ଜିଲ୍ଲାପାଳ ଆଜିର ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀ

ଭୁବନେଶ୍ୱର: ବିଳାସପୂର୍ଣ୍ଣ ଜୀବନରୁ ଏବେ ଢେର୍‌ ଦୂରରେ ସେ। ଗେରୁଆ ବସ୍ତ୍ର ସହ ସାତ୍ତ୍ଵିକ ଆହାର। ବେଲ୍‌ ମାରିଲେ ଅଫିସ୍‌ ସହାୟକ ଆସୁନାହାନ୍ତି କି ବାହାରେ ଗାଡ଼ି ଅପେକ୍ଷା କରି ରହୁନି। ଉପରୁ ଆସୁଥିବା ନିର୍ଦ୍ଦେଶକୁ ଅପେକ୍ଷା ରହୁନି କି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳର କିଂ କର୍ତ୍ତବ୍ୟ ବିମୁଢ଼ ସ୍ଥିତି ଆସୁନି। ତାଙ୍କ ଚାରିପାଖରେ ଏବେ ଆଉ ଅଫିସ୍‌ ଅଫିସ୍‌ର ସେ ଔପଚାରିକତାର ଗନ୍ଧ ନାହିଁ। ଏବେ ଚାରିପାଖରେ ଘଣ୍ଟ ଓ ଘଣ୍ଟି ନାଦ ସାଙ୍ଗକୁ ଭଜନ, ଜଣାଣ, କୀର୍ତ୍ତନ। ଏକଦା ଜିଲ୍ଲାପାଳ ଭାବରେ ଭରପୂର କ୍ଷମତା ଉପଭୋଗ କରୁଥିବା ଏ ବାବୁ ଜଣକ ଏବେ ବାବା। ସୁନୀଲ କୁମାର ପଟ୍ଟନାୟକ ବର୍ତ୍ତମାନ ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀ। ଭୋଗବିଳାସ ପ୍ରତି ନିର୍ଲିପ୍ତ ସ୍ୱାମୀ ନିର୍ଲିପ୍ତାନନ୍ଦଙ୍କର ବର୍ତ୍ତମାନର ଠିକଣା ହେଉଛି ଭୁବନେଶ୍ୱରସ୍ଥିତ ଶିବାନନ୍ଦ ଶତବାର୍ଷିକୀ ବାଳକ ଉଚ୍ଚବିଦ୍ୟାଳୟ ଆଶ୍ରମ।
ନିର୍ଲିପ୍ତାନନ୍ଦ ଓରଫ ସୁନୀଲ କୁମାର ଭଲ ଛାତ୍ର ଥିଲେ। ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ପ୍ରଥମ ଥରରେ ଉତ୍ତୀର୍ଣ୍ଣ ହୋଇ ୧୯୬୬ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥି‌ଲେ। ୧୯୬୯ ମସିହାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଉପଖଣ୍ଡ ଅଧିକାରୀ ଭାବରେ ଚାକିରି ଆରମ୍ଭ କରିଥିଲେ। ପ୍ରୋବେସନ ପରେ ସେହିଠାରେ ହିଁ ଉପଜିଲ୍ଲାପାଳ ପଦରେ ନିଯୁକ୍ତ ହେଲେ। ପରେ ବଲାଙ୍ଗୀରର ଜିଲ୍ଲାପାଳ ହେଲେ। ଏହିଭଳି ସରକାରଙ୍କ ବିଭିନ୍ନ ବିଭାଗରେ ୨୩ ବର୍ଷ ଧରି ବହୁ ଗୁରୁତ୍ୱପୂର୍ଣ୍ଣ ପଦବିରେ କାମ କରିଥିଲେ। କିନ୍ତୁ କ୍ରମଶଃ ଏହି ପଦପଦବି ତାଙ୍କୁ ଭାରାକ୍ରାନ୍ତ କରିବା ଆରମ୍ଭ କରିଥିଲା। ଜନ୍ମ-ମୃତ୍ୟୁର ଚକ୍ରରୁ ମୁକ୍ତ ହେବାକୁ ଇଚ୍ଛା କରି ୧୯୯୨ ମସିହାରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଲେ। ଏତେ ବଡ଼ ଚାକିରିକୁ କିଭଳି ଛାଡ଼ିଦେଲେ ପ୍ରଶ୍ନରେ ସେ କହନ୍ତି, ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ପୂର୍ବରୁ ସେ ଶିବାନନ୍ଦ ମହାରାଜଙ୍କ ବହି ପଢ଼ୁଥିଲେ। ଋଷିକେଶଠାରେ ଥିବା ଦିବ୍ୟ ଜୀବନ ସଂଘର ଆଶ୍ରମକୁ ମଧ୍ୟ ପରିଦର୍ଶନ କରିଥିଲେ। ତାଙ୍କ ପୁସ୍ତକ ଓ ବାଣୀ ସବୁବେଳେ ତାଙ୍କ ମନରେ ଗଭୀର ପ୍ରଭାବ ପକାଉଥିଲା। ତେଣୁ ସେ ସେହି ବ୍ୟସ୍ତତା ଭରା ଜଞ୍ଜାଳରୁ ବିରାମ ନେବାକୁ ଚାହିଲେ। ସମସ୍ତଙ୍କ ଭଳି ପ୍ରଭୁଙ୍କ ପାଦରେ ଲୀନ ହୋଇ ମୋକ୍ଷ ପାଇବା ତାଙ୍କର ଲକ୍ଷ୍ୟ ବୋଲି ସେ କହନ୍ତି।
ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଥିବା ଆତ୍ମହତ୍ୟା ପ୍ରବଣତାକୁ ନେଇ ସେ କହିଛନ୍ତି, ଆତ୍ମହତ୍ୟା ମହାପାପ। ଯେ ଏଭଳି କରେ ସେ କେବେ ସଂସାରରୁ ମୁକ୍ତ ହୋଇପାରେ ନାହିଁ। ତେବେ ସରକାରୀ ଚାକିରି ଜୀବନର ଏକମାତ୍ର ବିକଳ୍ପ, ତାହା ଯୁବପିଢ଼ି ଭାବିବା ଉଚିତ ନୁହେଁ। ସବୁବେଳେ କିଛି ନା କିଛି ବିକଳ୍ପ ରଖିବା ଏକାନ୍ତ ଆବଶ୍ୟକ। ଯାହାଦ୍ୱାରା ଗୋଟିଏ ନହେଲେ ଅନ୍ୟ କିଛି କରିହେବ। ଉତ୍ତମ ବିଦ୍ୟାର୍ଥୀମାନଙ୍କର ପାଞ୍ଚଟି ଲକ୍ଷଣକୁ ସମସ୍ତେ ଅନୁସରଣ କରିବା ଆବଶ୍ୟକ। ଏହା ପାଳନ କଲେ ତାଙ୍କ ଜୀବନରେ ଏକାଗ୍ରତା ବଢ଼ିବା ସହିତ ସେମାନେ ସଫଳତା ପାଇ ପାରିବେ। ସମସ୍ତଙ୍କର ସ୍ମରଣଶକ୍ତି ଓ ପାଠପଢ଼ା ଢଙ୍ଗ ଅଲଗା ଅଲଗା। କେହି ଅଳ୍ପ ସମୟ ପଢ଼ି ବହୁତ ମନେ ରଖନ୍ତି ତ କେହି ଅଧିକ ‌ମନେ ରଖିବାକୁ ଅଧିକ ସମୟ ପଢ଼ନ୍ତି। ନିଜ ଅନୁସାରେ ଏକାଗ୍ରତା ଓ ଧୈର୍ଯ୍ୟ ରଖି ପାଠ ପଢ଼ିଲେ ସଫଳତା ଆପେ ଆପେ ମିଳିବ ବୋଲି ସେ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି।

Share Now:

Kalinga News Beuro

Next Post

ବନ୍ଧାହେଲା ନକଲି ଥାନା ଅଧିକାରିଣୀ : ମାଷ୍ଟରମାଇଣ୍ଡ ସ୍ୱାମୀ ଚମ୍ପଟ

Sun Jan 28 , 2024
ଭୁବନେଶ୍ୱର: ପୂର୍ବତନ ପ୍ରେମିକ ସାଜି ସ୍ୱାମୀ ମହିଳାମାନଙ୍କୁ ଧମକ ଦେଉଥିଲା। ସ୍ତ୍ରୀ ସାଇବର ଥାନାର ଅଧିକାରିଣୀ ପରିଚୟରେ ସେମାନଙ୍କୁ ଉଦ୍ଧାର କରିବାକୁ କହି ବ୍ଲାକ୍‌ମେଲ୍‌ କରୁଥିଲା। ଏମିତି ଏକ ଧୂର୍ତ୍ତ ଦମ୍ପତିଙ୍କ ଖେଳ ବିଗାଡ଼ି ଦେଇଛି ଭୁବନେଶ୍ୱର ସାଇବର ଥାନା ପୁଲିସ। ସ୍ତ୍ରୀ ତଥା ନକଲି ସାଇବର ଥାନା ଅଧିକାରିଣୀକୁ ଗିରଫ କରାଯାଇଛି। କିନ୍ତୁ ଏହି ଗେମ୍‌ର ମାଷ୍ଟରମାଇଣ୍ଡ ସ୍ୱାମୀ ଫେରାର୍ ହୋଇଯାଇଛି। ଆଜି କୋର୍ଟ ଚାଲାଣ ହୋଇଥିବା ମହିଳା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial