‘‘ଭବିଷ୍ୟତ ଲାଗି ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବାକୁ ହେବ’’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱରଠାରେ ଆୟୋଜିତ ହୋଇଛି ଦୁଇଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’। ସୋମବାର ଦିନ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏଭଳି ପଦକ୍ଷେପ ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ତଥା ଭବିଷ୍ୟତ ଲାଗି ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ଲାଗି ଏକ ମାର୍ଗଦର୍ଶନ ହେବ ବୋଲି କହିଛନ୍ତି।‘‘ବର୍ତ୍ତମାନ ସମୟରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟୁଛି। ତେଣୁ ଏହା ସହିତ ତାଳ ଦେଇ ଆମକୁ ଆମର ସାମାଜିକ ଓ ଅର୍ଥନୈତିକ ଧାରାକୁ ସମୃଦ୍ଧ କରିବାକୁ ହେବ। ଭବିଷ୍ୟତ ଲାଗି ଆମ ଯୁବପିଢ଼ିକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ସମ୍ମିଳନୀ ଆମକୁ ରାଜ୍ୟର ଦ୍ରୁତ ଅଭିବୃଦ୍ଧି, ଭବିଷ୍ୟତ ଲାଗି ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତି ଏବଂ ଯୁବପିଢ଼ିଙ୍କ ଲାଗି ନୂତନ ଓ ବ୍ୟାପକ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବା ଦିଗରେ ବିଶେଷ ସହାୟକ ହେବ’’, କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ଦ୍ରୁତ ବିକାଶ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ‘‘ରୂପାନ୍ତରଣ ଆମ ପାଇଁ କେବଳ ଏକ ନୂଆ ବାଟ ନୁହେଁ, ଏହା ଏକ ଆବଶ୍ୟକତା।’’ ପ୍ରମୁଖ ଶିଳ୍ପ ନେତୃତ୍ୱ ଏବଂ ବିଭିନ୍ନ ଅଂଶୀଦାରମାନେ ଏକାଠି ହୋଇ ଭବିଷ୍ୟତର ମାନବ ସମ୍ବଳ ଲାଗି ଅପାର ସମ୍ଭାବନା ତଥା ଓଡ଼ିଶା ପାଇଁ ଅସୀମ ସମୃଦ୍ଧି ସୃଷ୍ଟି ଲାଗି ରାସ୍ତା ପ୍ରସ୍ତୁତ କରିବା ଏଭଳି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଯୋଗ ଦେଇଥିଲେ। ସେ କହିଥିଲେ, ‘‘ଆଜି ସ୍କିଲ୍ଡ-ଇନ୍-ଓଡ଼ିଶା ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ହୋଇଥିବା ବେଳେ ଓଡ଼ିଶା ଏକ ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର ଭାବେ ପରିଗଣିତ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଶିଖର ସମ୍ମିଳନୀ ଦେଶ ବିଦେଶର ନିଯୁକ୍ତିଦାତା ଏବଂ ନିବେଶକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ।’’ଏହି ଅବସରରେ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ପ୍ରମୁଖ ସଂସ୍ଥା ସହିତ ଏମଓୟୁ ସ୍ୱାକ୍ଷର କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଏବଂ ନାନୋ ୟୁନିକର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦେଶରେ ଓଡ଼ିଶାର ଯୁବପିଢ଼ିଙ୍କ ନିଯୁକ୍ତି ସୁଯୋଗ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ଏବେ ଏକ ରିକ୍ରୁଟମେଣ୍ଟ ଏଜେନ୍ସି ଭାବେ କାମ କରିବ। ଏହି କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ହୋଇଥିଲା।

Share Now:

Kalinga News Beuro

Next Post

ମହାରାଷ୍ଟ୍ର ବିଧାନସଭାରେ ମରାଠା ସଂରକ୍ଷଣ ବିଲ୍ ଗୃହୀତ

Tue Feb 20 , 2024
ମୁମ୍ବାଇ : ମହାରାଷ୍ଟ୍ରରେ ମରାଠା ସମ୍ପ୍ରଦାୟ ପାଇଁ ୧୦ଟି ସଂରକ୍ଷଣ ପାଇଁ ବାଟ ସଫା ହୋଇଯାଇଛି। ମଙ୍ଗଳବାର ଅପରାହ୍ନରେ ଏକନାଥ ସିନ୍ଦେ ସରକାର ବିଧାନସଭାରେ ସଂରକ୍ଷଣ ବିଲ୍ ଆଗତ କରିଥିଲେ, ଯାହାକି ଗୃହୀତ ହୋଇଛି। ଏହି ବିଲ୍ ଏବେ ବିଧାନ ପରିଷଦରେ ଉପସ୍ଥାପିତ ହେବ ଏବଂ ତାପରେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେବ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଧାନସଭାରେ ଏହି ସଂରକ୍ଷଣ ବିଲ୍ ଉପସ୍ଥାପନ କରିବା ସମୟରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial