ଓଡ଼ିଶାରେ ମୁଙ୍ଗେର ଓ ମାଲ୍‌ଦା ମାଫିଆଙ୍କ ଚୋରା ବନ୍ଧୁକ କାରବାର

ଲେଡି ଡନ୍‌ ସାଧନା କିଙ୍ଗ୍‌ପିନ, ୫ ବର୍ଷରେ ୯୨୮ ବନ୍ଧୁକ, ୧୪୧୫ ଗୁଳି ଜବତ

କଟକ: ଓଡ଼ିଶା ସମେତ ସାରା ଦେଶକୁ ଚୋରା ବନ୍ଧୁକ ଚାଲାଣ ପାଇଁ କୁଖ୍ୟାତି ଅର୍ଜିଛି ବିହାରର ମୁଙ୍ଗେର। ପୂର୍ବରୁ ‌ମୁଙ୍ଗେରର ୧୩ଟି ଗାଁରେ ଚୋରା ବନ୍ଧୁକ ପ୍ରସ୍ତୁତି କାରବାର ଚାଲିଥିବା ବେଳେ ଏବେ ଏହି କାରବାରରେ ଯୋଡ଼ି ହେଲାଣି ବିହାରର ଆଉ ୮ଟି ଜିଲ୍ଲା। ଏହି ଚୋରା ବନ୍ଧୁକ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ମାଫିଆଙ୍କ ମାଧ୍ୟମରେ ସାରା ଦେଶକୁ ଚାଲାଣ ହେଉଛି। ବିହାର ଭାଗଲପୁର ଜିଲ୍ଲାର ସାହୁ ପାର୍ବତଟା ଅଞ୍ଚଳର ଜଣେ ମହିଳା ସାଧନା ଦେବୀ ଏବେ ଏହି ଚୋରା ବନ୍ଧୁକ କାରବାରକୁ ନିୟନ୍ତ୍ରଣ କରୁଥିବା କୁହାଯାଉଛି। ଓଡ଼ିଶାରେ ଗଲା ୫ ବର୍ଷ ଭିତରେ ମୋଟ ୯୨୮ଟି ଚୋରା ବନ୍ଧୁକ ଓ ୧୪୧୫ଟି ଗୁଳି ଜବତ ହେବା ଘଟଣା ରାଜ୍ୟ ପୁଲିସ ପାଇଁ ଚିନ୍ତାର କାରଣ ହେଇଛି।
ସୂଚନା ଅନୁଯାୟୀ, ବଙ୍ଗଳାର ନବାବ ମୀର କାସିମ୍ ବିହାରର ମୁଙ୍ଗେର ଜିଲ୍ଲାରେ ପ୍ରଥମ ବନ୍ଧୁକ କାରଖାନା ଖୋଲିଥିଲା। ଏହି କାରଖାନାର କର୍ମଚାରୀ ବରଦାହ ଗାଁର ଥିଲେ। କାରଖାନାରୁ କାମ ସାରିବା ପରେ ସେମାନେ ଘରେ ବନ୍ଧୁକ ତିଆରି କରୁଥିଲେ। ସମୟକ୍ରମେ ବରଦାହ ସହିତ ବେଲାନ ବଜାର, ମିର୍ଜାପୁର, ସାନଦଳପୁର, ବାରା ବଜାର, ମାକାସପୁର, ତୌଫିର, ଚୁରମ୍ବା, ବକରପୁର, ବିନ୍ଦୱାରା ଆରାଜି, ଶଙ୍କରପୁର, ଲାଲ ଦରୱାଜା ଏବଂ ସୁତୁରଖାନା ଗାଁକୁ ଏହି କାରବାର ଲମ୍ବିଥିଲା। ମୁଙ୍ଗେରର ଏହି ଗାଁ ଗୁଡିକ ସହିତ ପରବର୍ତ୍ତୀ ସମୟରେ ଯୋଡ଼ି ହେଇଛି ବାଙ୍କା ଜିଲ୍ଲାର ବାରବାଡ, ଆରଵାଲା ଜିଲ୍ଲାର ରାଧେ ବିଘା, ଗୟା ଜିଲ୍ଲା ଟେକାରିର ରାଣୀବିଘା ଗାଁ, ପୂର୍ଣ୍ଣିଆ ଜିଲ୍ଲା ଧାମଦା ଥାନା ଅନ୍ତର୍ଗତ କୁକ୍ରୋନ୍‌, ରୋହତସ୍ ଜିଲ୍ଲା, ଗୋପାଳଗଞ୍ଜ ଜିଲ୍ଲା, ସରଣ ଜିଲ୍ଲା, ପାଟନା ଜିଲ୍ଲା। ମୁଙ୍ଗେର ଜିଲ୍ଲା ଦେଇ ଗଙ୍ଗା ନଦୀ ପ୍ରବାହିତ ହେଉଥିବା ବେଳେ ଗଙ୍ଗା ନଦୀ କୂଳରେ ଚୋରା ବନ୍ଧୁକ କାରଖାନା ଖୋଲିଛି। ପୁଲିସ ନଦୀ ପାର୍ ହୋଇ କାରଖାନାରେ ପହଞ୍ଚିବା ପୂର୍ବରୁ ବାଲିରେ ବନ୍ଧୁକକୁ ଲୁଚାଇ ଦିଆଯାଏ। କାରଖାନା କର୍ମଚାରୀମାନେ ପରେ ସେଠାରୁ ଗାଏବ ହୋଇଯାଆନ୍ତି। ଏଭଳି ପରିବେଶ ହିଁ ମୁଙ୍ଗେରର ବନ୍ଧୁକ କାରଖାନା କର୍ମଚାରୀଙ୍କୁ ଅଧିକ ସୁହାଏ। ଗୋଟିଏ ସମୟରେ ଏହି ଅଞ୍ଚଳରେ ଦେଶୀ କଟ୍ଟା(ଦେଶୀ ବନ୍ଧୁକ) ତିଆରି ହେଉଥିଲା। ମାତ୍ର ୧୦୦ ରୁ ୨୦୦ ଟଙ୍କାରେ ଦେଶୀ କଟ୍ଟା ମିଳୁଥିବା ବେଳେ ଏବେ ଏଠାକାର ବ୍ୟବସାୟୀ ରାଇଫଲ୍(ମାସ୍କେଟ୍), ରିଭଲଭର, ପିସ୍ତଲ, ମାଉଜର ଏବଂ କାର୍ବାଇନ୍ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ତିଆରି କଲେଣି। ଏହି କାରବାରରେ ଯୁବକ, ଯୁବତୀଙ୍କ ସମେତ ମହିଳା ଏବଂ ବୟସ୍କମାନେ ମଧ୍ୟ ସାମିଲ ହୋଇଛନ୍ତି। ସେମାନେ ପ୍ରସ୍ତୁତ କରୁଥିବା ବନ୍ଧୁକରେ ମେଡ୍ ଇନ୍ ଇଂଲଣ୍ଡ, ମେଡ୍ ଇନ୍ ଚାଇନା, ମେଡ୍ ଇନ୍ ଆମେରିକା, ମେଡ ଇନ୍ ଜାପାନ, ମେଡ୍ ଇନ୍ ଜର୍ମାନ ଇତ୍ୟାଦି ଲେଖି ବଜାରକୁ ଛାଡ଼ୁଛନ୍ତି। ଏହାକୁ ନକଲି ବୋଲି ଜାଣିବା କଷ୍ଟକର ହୋଇପଡ଼ୁଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲା ଖମାରିଆରେ ଥିବା ଅର୍ଡିନାନ୍ସ ଫ୍ୟାକ୍ଟ୍ରିରୁ ବରଦାହକୁ ଏକେ-୪୭ ରାଇଫଲ୍‌ ଚୋରା ଚାଲାଣ ହେଉଥିବା କୁହାଯାଉଛି। ବିହାରର ମୁଙ୍ଗେର ଓ ପଶ୍ଚିମବଙ୍ଗ ମାଲଦାର ମାଫିଆଙ୍କ ଜରିଆରେ ଚୋରା ବନ୍ଧୁକ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାନା, ପଞ୍ଜାବ, ଝାଡ଼ଖଣ୍ଡ ଇତ୍ୟାଦି ରାଜ୍ୟକୁ ଚାଲାଣ ହେଉଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ମୁଙ୍ଗେରରେ ଏବେ ତିନୋଟି ସ୍ୱୀକୃତିପ୍ରାପ୍ତ ବନ୍ଧୁକ କାରଖାନା କାମ କରୁଛି। ଏହି କାରଖାନାରେ କେବଳ ସିଙ୍ଗଲ୍ ଓ ଡବଲ ବ୍ୟାରେଲ୍ ବନ୍ଧୁକ ପ୍ରସ୍ତୁତ ହେଉଛି। କିନ୍ତୁ ଗଲା ୪/୫ବର୍ଷ ଭିତରେ କେବଳ ମୁଙ୍ଗେର ଜିଲ୍ଲାରେ ପ୍ରାୟ ୯୦ଟି ବେଆଇନ ବନ୍ଧୁକ କାରଖାନା ଠାବ ହୋଇସାରିଲାଣି। ଏହି କାରଖାନାରେ ରିଭଲଭରଠୁ କାର୍ବାଇନ୍ ଯାଏ ଅତ୍ୟାଧୁନକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରାଯାଉଛି।
ଓଡ଼ିଶା ପୁଲିସର ତଥ୍ୟ ଅନୁଯାୟୀ, ୨୦୨୨ରେ ରାଜ୍ୟରେ ୯୩ଟି ବନ୍ଧୁକ ଓ ୨୧୬ ରାଉଣ୍ଡ ଗୁଳି ଜବତ ହୋଇଥିବା ବେଳେ ୨୦୨୧ରେ ୩୪୮ ବନ୍ଧୁକ ଓ ୫୩୨ ଗୁଳି, ୨୦୨୦ରେ ୨୦ ବନ୍ଧୁକ ଓ ୭ ଗୁଳି, ୨୦୧୯ରେ ୧୧୦ ବନ୍ଧୁକ ଓ ୧୨୧ ଗୁଳି, ୨୦୧୮ରେ ୩୫୭ ବନ୍ଧୁକ ଓ ୫୩୯ ଗୁଳି ଜବତ ହୋଇଥିଲା। ବିହାରରେ ବିକ୍ରି ହେଉଥିବା ସିଙ୍ଗଲ୍-ସଟ୍ ପିସ୍ତଲ ସାଧାରଣତଃ କଟ୍ଟା ଭାବରେ ଜଣାଶୁଣା। ଏହା ୨ ହଜାର ଟଙ୍କାରେ ବିକ୍ରି ହେଉଛି। ଶସ୍ତା ହୋଇଥିବାରୁ ଏହାର ଚାହିଦା ଛୋଟ ଅପରାଧୀଙ୍କ ମଧ୍ୟରେ ଅଧିକ ରହିଛି। ସେମି-ଅଟୋମେଟିକ୍ ପିସ୍ତଲର ମୂଲ୍ୟ ୧୫ ହଜାରରୁ ୨୦ ହଜାର ଟଙ୍କା ରହିଛି। କାର୍ବାଇନ୍ ଏକ ଲକ୍ଷ ଟଙ୍କାରେ ଏବଂ ମଧ୍ୟପ୍ରଦେଶରୁ ଆସୁଥିବା ଏକେ-୪୭ ରାଇଫଲ୍‌ ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ଏହି ଅସ୍ତ୍ରଶସ୍ତ୍ର ବିହାର ସୀମା ଡେଇଁ ଓଡ଼ିଶା ଏବଂ ଅନ୍ୟ ରାଜ୍ୟରେ ପହଞ୍ଚିଲା ବେଳକୁ ଏହାର ମୂଲ୍ୟ ଦୁଇରୁ ତିନି ଗୁଣ ବଢ଼ିଯାଉଛି।

Share Now:

Kalinga News Beuro

Next Post

ଶଙ୍ଖ ଭବନରେ ଡାକ୍ତର ଦାମୋଦର ରାଉତଙ୍କ ଅନ୍ତିମ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

Fri Mar 22 , 2024
ଭୁବନେଶ୍ୱର: ଶଙ୍ଖ ଭବନରେ ଡାକ୍ତର ଦାମୋଦର ରାଉତଙ୍କ ପାର୍ଥୀବ ଶରୀର ରହିଛି। ଏଠାରେ ତାଙ୍କୁ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ମଧ୍ୟ ତାଙ୍କର ଶେଷ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦୀର୍ଘଦିନ କାର୍ଯ୍ୟ କରିଥିଲେ ବରିଷ୍ଠ ନେତା ଦାମୋଦର ରାଉତ। ଏହା ପୂର୍ବରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial