ରଥଦାଣ୍ଡରେ ରାଜନୀତି: ରଥାରୁଢ଼ ଶ୍ରୀଜୀଉଙ୍କୁ ଦର୍ଶନ ସହ ପ୍ରଚାର କଲେ ନେତା

ରଥଦାଣ୍ଡରେ ରାଜନୀତି

ଜୟ ଶ୍ରୀରାମ… ହର୍‌ ହର୍‌ ମହାଦେବ ନାରାରେ ପ୍ରକମ୍ପିତ ରଥଦାଣ୍ଡ

ଭୁବନେଶ୍ୱର: ଆଗକୁ ସାଧାରଣ ନିର୍ବାଚନ। ନିର୍ବାଚନ ରଣାଙ୍ଗନରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ନେତା। ଦଳୀୟ ଟିକେଟ୍‌ ପାଇଥିବା ଏବଂ ଆଶାୟୀ ନେତା ନିଜ ସପକ୍ଷରେ ପ୍ରଚାର କରିବାକୁ କୌଣସି ଅବସରକୁ ହାତଛଡ଼ା କରୁନାହାନ୍ତି। ପାର୍କ ହେଉ କିମ୍ବା ଜାନିଯାତ୍ରା, ସକାଳୁ ରାତି ଯାଏ ଯେଉଁଠି ଲୋକଙ୍କ ଗହଳି ସେଇଠି ଦଳବଳ ନେଇ ପହଞ୍ଚି ଯାଉଛନ୍ତି ସେମାନେ। ସାମାଜିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦେଇ ନିଜ ସପକ୍ଷରେ ପ୍ରଚାର କରୁଛନ୍ତି। ତେଣୁ ଆଜି ଅଶୋକାଷ୍ଟମୀ ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ରାଜନେତାମାନେ ହାତଛଡ଼ା କରନ୍ତେ ବା କେମିତି! ଆଜି ପ୍ରଭୁ ଲିଙ୍ଗରାଜଙ୍କ ରଥଦାଣ୍ଡରେ ଏଭଳି କିଛି ରୋଚକ ରାଜନୀତି ଦେଖିବାକୁ ମିଳିଥିଲା। ମଧ୍ୟାହ୍ନରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ରଥ ନିକଟରେ ପହଞ୍ଚିଥିଲେ। ବିଜେପି ନେତ୍ରୀ ରଶ୍ମି ମହାପାତ୍ରଙ୍କ ସମେତ ଅନେକ ବିଜେପି ନେତା ଓ କର୍ମୀଙ୍କ ଗହଣରେ ଶ୍ରଦ୍ଧାଳୁଙ୍କୁ ଦହିପାଣି ବାଣ୍ଟିଥିଲେ। ରଥ ଉପରକୁ ଯାଇ ଶ୍ରୀଜୀଉଙ୍କୁ ପୂଜାର୍ଚ୍ଚନା କରିବା ସହ ନିର୍ବାଚନରେ ବିଜୟ ପାଇଁ ଆଶୀର୍ବାଦ ନେଇଥିଲେ। ତେବେ ରଥ ଆଗରେ ବିଧାୟକ ସୁରେଶ ରାଉତରାୟଙ୍କ ସହ ମୁହାଁମୁହିଁ ହୋଇଥିଲେ ଅପରାଜିତା। ପୂର୍ବରୁ ଉଭୟ ପରସ୍ପର ସପକ୍ଷରେ ମତ ଦେଉଥିବା ବେଳେ ଆଜି ନଚିହ୍ନିଲା ପରି ବ୍ୟବହାର ଅନେକଙ୍କୁ ଚକିତ କରିଥିଲା। ଏହି ଅବସରରେ ଭୁବନେଶ୍ୱର ଏକାମ୍ର ବିଜେପି ପ୍ରାର୍ଥୀ ବାବୁ ସିଂ, ମଧ୍ୟ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ଉତ୍ତର ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ରଥଦାଣ୍ଡରେ ପହଞ୍ଚି ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ।
ଏହି ପ୍ରକ୍ରିୟାରେ ପଛରେ ନଥିଲା ବିଜେଡି। ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଏକାମ୍ର ବିଜେଡି ପ୍ରାର୍ଥୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପହଣ୍ଡିଠାରୁ ରଥଟଣା ହେବା ପର୍ଯ୍ୟନ୍ତ ଏକାଠି ‌ଦେଖିବାକୁ ମିଳିଥିଲା। ଦୁହେଁ ରଥ ଉପରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ରଥ ତଳେ ରହି ସେବାୟତଙ୍କ ଭଲ ମନ୍ଦ ବୁଝିଥିଲେ। ରଥ ଦଉଡ଼ି ଧରି ଆନନ୍ଦର ସହ ରଥ ଟାଣିଥିଲେ। ଏଥିରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଦାସ ଓ ସ୍ଥାନୀୟ କର୍ପୋରେଟରମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରଥର ଡାହାଣ ପାଖ ରଥ ଦଉଡ଼ିକୁ ଧରି ରଥ ଟାଣୁଥିଲେ। ତାଙ୍କର ଏକହାତ ଦୂରରେ ଥିଲେ କର୍ପୋରେଟର ତଥା ବିଜେଡି ଟିକେଟ୍‌ ଆଶାୟୀ ଥିବା ବିରଞ୍ଚି ନାରାୟଣ ମହାସୁପକାର। ଦୁହେଁ ଦୁହିଁଙ୍କୁ ‌ଦେଖିଲେ, ଆଖିରେ ଆଖି ମିଶିଲା। ହେଲେ କେହି କାହା ସହ ପଦୁଟିଏ କଥା ବି ହୋଇ ନଥିଲେ। ବିଧାୟକ ସୁରେଶ ରାଉତରାୟ ପହଣ୍ଡି ଠାରୁ ଆରମ୍ଭ କରି ସନ୍ଧ୍ୟା ସାଂସ୍ମୃତିକ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ। ଏକାମ୍ର କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ ଚମ୍ପତି ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ଅନ୍ୟ ଏକ ରୋଚକ କଥା ହେଲା, ଉତ୍ତର ଦ୍ୱାର ନିକଟରେ ବିଜେଡି ନେତାଙ୍କ ପକ୍ଷରୁ ସବୁଜ ରଙ୍ଗର ଟେଣ୍ଟ ଓ ବିଜେପି ନେତାଙ୍କ ପକ୍ଷରୁ ଗେରୁଆ ରଙ୍ଗର ଟେଣ୍ଟ ମରାଯାଇଥିଲା। ଉଭୟ ଦଳର ନେତା ନିଜ ନିଜର ଟେଣ୍ଟ ତଳେ ରହି ପାଣି, ପଣା ବାଣ୍ଟିଥିଲେ। ଆଜି ସବୁଜ ଓ ଗେରୁଆ ରଙ୍ଗର ଗାମୁଛା ରଥ ଆଗରେ ଉଡ଼ିବା ଦୃଶ୍ୟ ଥିଲା ନିଆରା। ବିଜେଡି ସମର୍ଥିତ କର୍ମୀମାନେ ସବୁଜ ଗାମୁଛା ଉଡ଼ାଇ ‘ହର ହର ମହାଦେବ’ ବୋଲି ଦେଇଥିଲେ। ସେହିପରି ବିଜେପି ସମର୍ଥିତ କର୍ମୀ ଗେରୁଆ ଗାମୁଛା ଉଡ଼େଇ ‘ଜୟ ଶ୍ରୀରାମ ଓ ଜୟ ପ୍ରଭୁ ଲିଙ୍ଗରାଜ’ ନାରା ଦେଇଥିଲେ।

Share Now:

Kalinga News Beuro

Next Post

‘ସିଏଏକୁ ହଟାଇବୁ’ ତୃଣମୂଳ କଂଗ୍ରେସର ଘୋଷଣାପତ୍ର

Wed Apr 17 , 2024
କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ ତୃଣମୂଳ କଂଗ୍ରେସ (ଟିଏମସି)ର ଇସ୍ତାହାର ବୁଧବାର (ଏପ୍ରିଲ ୧୭, ୨୦୨୪) ପ୍ରକାଶ ପାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଦଳ ଏଥିରେ ୧୦ଟି ଶପଥ ନେଇଛି। ଇସ୍ତାହାରରେ ସିଏଏକୁ ଉଚ୍ଛେଦ କରିବା, ଏନଆରସି କୁ ବନ୍ଦ କରିବା ଏବଂ ୟୁସିସିକୁ ସମଗ୍ର ଦେଶରେ ଲାଗୁ ହେବାକୁ ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଛି । କ୍ଷମତାକୁ ଆସିଲେ ଘରେ ବସି ୫ […]
‘ସିଏଏକୁ ହଟାଇବୁ’ ତୃଣମୂଳ କଂଗ୍ରେସର ଘୋଷଣାପତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial