ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମହାଦୁର୍ନୀତି : ଗ୍ୟାସ୍‌ ପାଇ ନଥିବା ହିତାଧିକାରୀଙ୍କ ଏତଲା

ରାଜନଗର : ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗରିବ ପରିବାରର ଗୃହିଣୀଙ୍କୁ ଗ୍ୟାସ୍‌ ସଂଯୋଗ ନାଁରେ ମହାଦୁର୍ନୀତି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ରାଜନଗରସ୍ଥିତ ଇଣ୍ଡେନ୍‌ ସଂସ୍ଥା ମାଲିକଙ୍କ ବିରୁଦ୍ଧରେ ରାଜନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଗ୍ୟାସ ପାଇ ନଥିବା ହିତାଧିକାରୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ରାଜନଗର ବ୍ଲକ ମହୁଲିଆ ପଞ୍ଚାୟତ କଣି ଗାଁର ଶାନ୍ତିିଲତା ସ୍ୱାଇଁଙ୍କ ସ୍ୱାମୀ ଉମେଶ ଚନ୍ଦ୍ର ସ୍ୱାଇଁ ଥାନାରେ ଅଭିଯୋଗ କରିଛନ୍ତି। ଶ୍ରୀ ସ୍ୱାଇଁଙ୍କ ଅଭିଯୋଗ ଅନୁଯାୟୀ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୨୦୧୭ ଅଗଷ୍ଟ ୨୬ରେ ତାଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ସଂଯୋଗ ଦିଆଯାଇଥିବା ଦର୍ଶାଯାଇଛି। ଶାନ୍ତିଲତା ଋଣ ମାଧ୍ୟମରେ ଏହି ଗ୍ୟାସ୍‌ ସଂଯୋଗ ନେଇଥିବା ବେଳେ ତାଙ୍କର କଂଜୁମର୍‌ ନମ୍ବର ୭୦୫୬୪୦୨୪୫୧ ବୋଲି ଦର୍ଶାଯାଇଛି। ତାଙ୍କ ପତ୍ନୀ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ୍‌ ସଂଯୋଗ ପାଇଁ ଆବେଦନ କରିନାହାନ୍ତି କିମ୍ବା କୌଣସି କାଗଜପତ୍ର ଦେଇ ନଥିବା ବେଳେ ୨୦୧୭ ଅଗଷ୍ଟ ୧୭ରୁ ତାଙ୍କ ପତ୍ନୀଙ୍କ ନାଁରେ ଗ୍ୟାସ୍‌ ସଂଯୋଗ ଦର୍ଶାଯାଇଛି। ତାଙ୍କ ନାଁରେ ଆସିଥିବା ଗ୍ୟାସ୍‌ ଭର୍ତ୍ତି ଟାଙ୍କି, ଚୂଲା, ପାଇପ୍‌ ଓ ରେଗୁଲେଟରକୁ ହଡ଼ପ କରାଯାଇଥିବା ଦର୍ଶାଯାଇଛି। ଶ୍ରୀ ସ୍ୱାଇଁ ଆୟକର ଦେଉଥିବା ବେଳେ ତାଙ୍କର ୧୯୯୪ ମସିହାରୁ ଗ୍ୟାସ୍‌ ସଂଯୋଗ ରହିଛି। ଶାନ୍ତିଲତାଙ୍କ କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲା ଲୁଇସିଙ୍ଗା ଅଞ୍ଚଳର ଜଣେ ଗରିବ ହିତାଧିକାରୀଙ୍କ ଏଏଚଏଲ୍‌ ଟିନ୍‌ ନମ୍ବର ବ୍ୟବହାର କରାଯାଇଛି। ଇଣ୍ଡେନ୍‌ ବିତରକ ଅନ୍ୟ ଜିଲ୍ଲାର ଏଏଚଏଲ ଟିନ୍‌ ନମ୍ବର କିଭଳି ବ୍ୟବହାର କଲେ, ଏଭଳି ଘଟଣାରେ ତାଙ୍କ ସହିତ ଆଉ କିଏ ରହିଛନ୍ତି, କିଏ ତାଙ୍କୁ ସୁରକ୍ଷା ଯୋଗାଉଛନ୍ତି, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଯୋଗାଣ ବିଭାଗ, ତୈଳନିଗମ ଓ ଇଣ୍ଡେନର ଅଧିକାରୀମାନଙ୍କ ଜାଣତରେ ଏଭଳି କାରବାର ଚାଲିଥିବା ଅଭିଯୋଗ ହୋଇଛି। ରାଜନଗର ଥାନା ଆଇଆଇସି ସୁକାନ୍ତ କୁମାର ପାତ୍ର କହିବା ଅନୁଯାୟୀ ଗ୍ୟାସ ହଡ଼ପ ସଂକ୍ରାନ୍ତରେ ଅଭିଯୋଗ ମିଳିଛି। ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇ ଏ ଦିଗରେ ପଦକ୍ଷେପ ନିଆଯିବ।

Share Now:

Kalinga News Beuro

Leave a Reply

Next Post

ମହଙ୍ଗା ପଡ଼ିଲା ବ୍ୟବସ୍ଥାବଳୀ ଉଲ୍ଲଂଘନ: ରଥଯାତ୍ରା ବିଶୃଙ୍ଖଳା,୪୨ ଜଣ ସେବାୟତଙ୍କୁ ନୋଟିସ୍‌

Fri Sep 14 , 2018
ପୁରୀ : ମହାପ୍ରଭୁଙ୍କ ରଥଯାତ୍ରା ବିଶୃଙ୍ଖଳାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ବ୍ୟବସ୍ଥାବଳୀ ଉଲ୍ଲଂଘନ କରିଥିବା ୪୨ ଜଣ ସେବାୟତଙ୍କୁ ନୋଟିସ୍‌ କରିଛି। ଏହି ୪୨ ଜଣଙ୍କ ମଧ୍ୟରେ କିଛି ବରିଷ୍ଠ ସେବାୟତ ରହିଛନ୍ତି। ରଥଯାତ୍ରା ସମୟରେ ଏମାନେ ବ୍ୟବସ୍ଥାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଏହି ସେବାୟତମାନେ କାରଣ ଦର୍ଶାଇବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial