ଆମ୍ବୁଲାନ୍‌ସରୁ ଗଳି ପଡ଼ିଲେ ୨ ରୋଗୀ

ଖଣ୍ଡଗିରି: ଆମ୍ବୁଲାନ୍‌ସରୁ ଗଳି ପଡ଼ିଲେ ଦୁଇ ରୋଗୀ। ପୁଣି ୧୬ନମ୍ବର ଜାତୀୟ ରାଜପଥ ବରମୁଣ୍ଡା ଓଭରବ୍ରିଜ୍‌ ଉପରେ। ମାତ୍ର ସୌଭାଗ୍ୟକୁ ଠିକ୍‌ ସମୟରେ ରାଜପଥର ସେହି ସ୍ଥାନଟି ଶୂନ୍‌ଶାନ୍‌ ଥିଲା। ଆଗରୁ ପଛରୁ କୌଣସି ଯାନବାହାନ ନଥିଲା। ରାଜପଥରେ ତତଲା ପିଚୁ ଉପରେ କଚାଡ଼ି ହୋଇ ପଡ଼ିଥିଲେ ବି ରୋଗୀଦ୍ୱୟଙ୍କର ବିଶେଷ କିଛି କ୍ଷତି ହୋଇନଥିଲା। ଗୁରୁବାର ପୂର୍ବାହ୍ଣରେ ବରମୁଣ୍ଡାଠାରେ ଘଟିଥିବା ଏଭଳି ଅଭାବନୀୟ ଘଟଣାଟି ରାଜଧାନୀରେ ଏକ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି।

ସୂଚନା ଅନୁଯାୟୀ ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଦୁଇ ରୋଗୀଙ୍କୁ ନେଇ ଏକ ଆମ୍ବୁଲାନ୍‌ସ ଖଣ୍ଡଗିରି ନିକଟ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ଆସୁଥିଲା। ବରମୁଣ୍ଡା ଫାୟାର୍‌ ଷ୍ଟେସନ ପାଖରେ ଓଭରବ୍ରିଜ୍‌ ଉପରେ ପହଞ୍ଚିଥିବା ବେଳେ ହଠାତ୍‌ ଆଗ ଚକ ଫାଟି ଯାଇଥିଲା। ଫଳରେ ଦ୍ରୁତ ବେଗରେ ଥିବା ଆମ୍ବୁଲାନ୍‌ସଟି ରାଜପଥ ଉପରେ ଗୋଟିଏ ଦିଗକୁ(ଡିଭାଇଡର୍‌ ଆଡ଼କୁ) ମାଡ଼ି ହୋଇଯାଇଥିଲା ଓ ଡିଭାଇଡର୍‌ରେ ଚଢ଼ି ଯାଇଥିଲା। ଫଳରେ ଭିତରେ ଥିବା ଦୁଇ ଷ୍ଟ୍ରେଚର୍‌ ପଛକୁ ଗଡ଼ି ଆସି ଆମ୍ବୁଲାନ୍‌ସର ପଛ ଡୋର୍‌ରେ ପିଟି ହେବାରୁ ଡୋର୍‌ ଖୋଲିଗଲା। ଫଳରେ ଷ୍ଟ୍ରେଚର ସହ ଦୁଇ ରୋଗୀ ବାହାରକୁ ଛିଟିକି ପଡ଼ି ସିଧା ତଳେ ପଡ଼ିଥିଲେ। ଏହା ଦେଖି ରାଜପଥରେ ଯାଉଥିବା ଲୋକେ ଅଟକି ଯାଇଥିଲେ ଓ ତୁରନ୍ତ ରୋଗୀଦ୍ୱୟଙ୍କୁ ଉଠାଇଥିଲେ। ଉତ୍ତ୍ୟକ୍ତ ଲୋକେ ଡ୍ରାଇଭର ଓ ଅନ୍ୟ କର୍ମଚାରୀମାନଙ୍କୁ ମାଡ଼ ମାରିବା ପାଇଁ ଉଦ୍ୟମ କରିଥିଲେ। ଖବର ପାଇ ଖଣ୍ଡଗିରି ଓ ନୂଆପଲ୍ଲୀ ଥାନା ପିସିଆର୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ହସ୍ପିଟାଲରୁ ଅନ୍ୟ ଏକ ଆମ୍ବୁଲାନ୍‌ସ ମଧ୍ୟ ସେଠାରେ ପହଞ୍ଚିଥିଲା। ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଦୁଇ ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି।

Share Now:

Kalinga News Beuro

Leave a Reply

Next Post

ରାସ୍ତାରେ ଗଜାନନଙ୍କୁୁ ପୂଜିଲେ ଗୁରୁ

Fri Sep 14 , 2018
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସହ ଗତକାଲିର ବୈଠକ ବିଫଳ ହେବା ପରେ ବ୍ଲକଗ୍ର୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୨୯ ଦିନ ହେଲା ଅହୋରାତ୍ର ଧାରଣା ଦେଇଥିବା ଗୁରୁମାନେ ଆଜି ଲୋୟର ପିଏମ୍‌ଜି ରାସ୍ତାରେ ଗଜାନନଙ୍କ ଆରାଧନା କରିଛନ୍ତି। ଏଥିସହ ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସକାଳୁ ସକାଳୁ ଘଣ୍ଟ, ଘଣ୍ଟା, ହୁଳହୁଳିରେ ପ୍ରକମ୍ପିତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial