ବିପଦସଙ୍କେତ ଉପରେ ବୈତରଣୀ : ସଜାଗ ରହିବାକୁ କେନ୍ଦୁଝର ଓ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ତଳିଆ ଅଞ୍ଚଳ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ନେବାକୁ ପରାମର୍ଶ

ଭୁବନେଶ୍ୱର : ଲଗାଣ ବର୍ଷା ଦ୍ୱାରା ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜି ସନ୍ଧ୍ୟା ସୁଦ୍ଧା ଏଠାରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦୁଝର ଓ ଯାଜପୁରର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବୈତରଣୀ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ବୈତରଣୀ ନଦୀର ଜଳସ୍ତର ଆଖୁଆପଦାଠାରେ ୧୭.୮୭ ମିଟର ରହିଛି। ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଛି। ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ସୁବର୍ଣ୍ଣରେଖା ନଦୀର ଜଳସ୍ତର ଯଶବନ୍ତପୁରଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୪୯.୧୫ ମିଟର ଥିବା ବେଳେ ସନ୍ଧ୍ୟା ସୁଦ୍ଧା ଜଳସ୍ତର ୪୯.୩୦ ମିଟରରେ ପହଞ୍ଚିଛି। ତେବେ ଜଳସ୍ତର ଏଠାରେ ସ୍ଥିର ରହିଛି। ଗତ ୬ ଘଣ୍ଟା ଭିତରେ ଜଳସ୍ତର ବୃଦ୍ଧି ପାଇ ନାହିଁ। ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିଲେ ମଧ୍ୟ ଜଳସ୍ତର କମୁଛି। ଅପରାହ୍ନ ୩ଟା ସୁଦ୍ଧା ୬.୪୭ ମିଟରରେ ସ୍ଥିର ଥିବା ବେଳେ ସନ୍ଧ୍ୟା ୬ଟାରେ ୬.୪୬ ମିଟରରେ ପହଞ୍ଚିଛି। ଜଳସ୍ତର ହ୍ରାସ ପାଉଛି। ରାତି ୯ଟା ସୁଦ୍ଧା ବୈତରଣୀ ନଦୀର ଜଳପତ୍ତନ ଆଖୁଆପଦାଠାରେ ୧୮ ମିଟରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦୁଝର ଓ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ‌ ନେବା ଲାଗି କୁହାଯାଇଛି। ଅଶ୍ରୟସ୍ଥଳୀରେ ଥଇଥାନ ହୋଇଥିବା ଲୋକଙ୍କୁ ଖାଦ୍ୟ, ସ୍ୱଚ୍ଛ ପାନୀୟ ଓ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା ଲାଗି ପରାମର୍ଶ ଦିଆଯାଇଛି। ନଦୀର ଜଳପତ୍ତନ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।
ଅନ୍ୟପକ୍ଷରେ ସନ୍ଧ୍ୟା ସୁଦ୍ଧା ହୀରାକୁଦ ଜଳଭଣ୍ତାରର ଜଳସ୍ତର ୬୨୦.୪୫ ଫୁଟ ରହିଛି। ଏଠାରେ ୧ ଲକ୍ଷ ୫୪ ହଜାର ୩୩୭ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ‌ବେଳେ ୧୪ଟି ଗେଟ୍‌ ଦେଇ ୨ ଲକ୍ଷ ୩୭ ହଜାର ୧୮୬ କ୍ୟୁସେକ୍‌ ଜଳ ଛଡ଼ାଯାଉଛି। ଖଇରମାଳଠାରେ ୨ ଲକ୍ଷ ୪୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ବାରମୂଳାଠାରେ ୧ ଲକ୍ଷ ୮୯ ହଜାର ୮୭୫ କ୍ୟୁସେକ ଓ ମୁଣ୍ଡୁଳିଠାରେ ୨ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି।

Share Now:

Kalinga News Beuro

Leave a Reply

Next Post

ବିଧାୟକଙ୍କ ୨ କାର ଓ ବାଇକ୍‌ ଜାଳିଦେଲେ

Tue Aug 20 , 2019
ବିଗୁଡ଼ୁଛି ରାଜଧାନୀର ଆଇନଶୃଙ୍ଖଳା ବ୍ୟବସ୍ଥା ଭୁବନେଶ୍ୱର: ଖାରବେଳନଗର ଥାନା ଅଧୀନ ୟୁନିଟ୍‌-୪ସ୍ଥିତ ବିଧାୟକ କଲୋନିରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସରକାରୀ କ୍ୱାଟର୍ସ ଭିତରେ ପଶି କେହି ଦୁବୃର୍ତ୍ତ ତାଙ୍କର ୪ଟି ଗାଡ଼ି ପୋଡ଼ି ଦେଇଛି। ଏଥିରେ ବିଧାୟକଙ୍କ ଗୋ‌ଟିଏ ଫରଚ୍ୟୁନର୍‌, ଇନୋଭା, ବୁଲେଟ୍‌ ଓ ସାଇକେଲ ସଂପୂର୍ଣ୍ଣ ଜଳି ଜାଇଛି। କ୍ୱାଟର୍ସରେ ଏଭଳି ଅଘଟଣ ଘଟିଥିଲେ ମଧ୍ୟ ଭିତରେ ଶୋଇଥିବା ବିଧାୟକଙ୍କ ପିଏସଓ ଓ ସମ୍ପର୍କୀୟମାନେ ଏହାର ଟେର୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial