ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି:ସେନାକୁ ମିଳିଲା ସମ୍ପୂର୍ଣ୍ଣ ସ୍ୱାଧୀନତା

ଚୀନ୍ ଉସୁକାଇଲେ ଦିଆଯିବ କଡା ଜବାବ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଲାଗିରହିଛି। ଏ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ଏ ବିଷୟରେ ଆଲୋଚନା କରିଥିଲେ। ବୈଠକରେ ତିନି ବାହିନୀର ମୁଖ୍ୟଙ୍କ ବ୍ୟତୀତ ସିଡିଏସ୍ ବିପିନ ରାୱତ ଯୋଗ ଦେଇଥିଲେ। ଏହି ବୈଠକରେ ଲଦାଖର ସମଗ୍ର ସ୍ଥିତି ଏବଂ ପ୍ରକୃତ ନିୟନ୍ତ୍ରଣର ରେଖା(ଏଲଏସି)ରେ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ, ଭାରତ ଏଲଏସି ଉପରେ ଉତ୍ତେଜନାକୁ ପ୍ରୋତ୍ସାହିତ କରେ ନାହିଁ, କିନ୍ତୁ ଯଦି ବିରୋଧୀ ତାହା କରନ୍ତି ତେବେ ସେମାନଙ୍କୁ ଉଚିତ ଜବାବ ଦିଆଯିବ। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସୀମା ସ୍ଥିତି ଏବଂ ସାମରିକ ପ୍ରସ୍ତୁତି ଉପରେ ସିଡିଏସ୍ ଏବଂ ସମସ୍ତ ତିନି ସେନା ମୁଖ୍ୟ ଆଲୋଚନା କରିଥିଲେ। ଯେହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଘୋଷଣା କରିସାରିଛନ୍ତି, ପୁଣିଥରେ ବୈଠକରେ କୁହାଯାଇଥିଲା ଯେ, ସେନା ସୀମାର ସ୍ଥିତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏ ନେଇ ସେମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି। ସୂଚନା ମୁତାବକ, ଗତ ୧୫ ତାରିଖ ରାତିରେ ଚୀନ୍ ସେନା ଗଲୱନ୍ ଘାଟିରେ ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲା। ଏହି ବର୍ବରୋଚିତ ଘଟଣାରେ ୨୦ ଭାରତୀୟ ଯବାନ ସହିଦ୍ ହୋଇଥିଲେ। ଏହା ପରେ ସ୍ଥିତି ସାମାନ୍ୟ କରିବାକୁ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଅଧିକାରୀ ସ୍ତରୀୟ ଆଲୋଚନା ବି ହୋଇଛି। ଘଟଣା ପରେ ପରେ ପ୍ରତିରକ୍ଷା ମନ୍ତ୍ରୀ ସେନା ମୁଖ୍ୟଙ୍କ ସହିତ ଏକାଧିକ ଥର ଆଲୋଚନା କରିଛନ୍ତି। ଲଦାଖରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହିଂସାକାଣ୍ଡ ପରେ ଭାରତ ଏବେ ସ୍ଥଳ, ଆକାଶ ଏବଂ ଜଳ ପଥରେ ସୁରକ୍ଷାକୁ ଅଧିକ କଡାକଡି କରିଛି।

Share Now:

Kalinga News Beuro

Next Post

ଦୁର୍ଘଟଣାପ୍ରବଣ ଜୟଦେବବିହାର-ନନ୍ଦନକାନନ ରାସ୍ତା: ୬ ମାସରେ ଗଲାଣି ୯ ଜୀବନ

Sun Jun 21 , 2020
ଚନ୍ଦ୍ରଶେଖରପୁର: ରାଜଧାନୀର ପ୍ରମୁଖ ଜନଗହଳିପୂର୍ଣ୍ଣ ରାସ୍ତାମାନଙ୍କ ମଧ୍ୟରେ ଜୟଦେବବିହାର-ନନ୍ଦନକାନନ ରାସ୍ତା ଅନ୍ୟତମ। ଏବେ ଏହା ସବୁଠାରୁ ଅଧିକ ଦୁର୍ଘଟଣାପ୍ରବଣ ରାସ୍ତା ଭାବେ ପରିଚିତି ଲାଭ କରିଛି। ଗତ ୬ ମାସରେ ଏହି ରାସ୍ତାରେ ଘଟିଥିବା ଦୁର୍ଘଟଣା ୯ଟି ମୁଣ୍ଡ ନେଇଛି। ବୁଲା ଗୋରୁଗାଈ ଏହି ରାସ୍ତାକୁ କବ୍‌ଜା କରି ରଖୁଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଅଭିଯୋଗ ହେଉଛି। ଅଥଚ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ କିମ୍ବା କମିସନରେଟ୍‌ ପୁଲିସ ଏଥିପ୍ରତି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial