କେନ୍ଦ୍ରାପଡ଼ାର ଶ୍ରୀବଳଦେବଜୀଉଙ୍କ ପରମ୍ପରା ଭଙ୍ଗ ପାଇଁ ଦାୟୀ କିଏ ?

କେନ୍ଦ୍ରାପଡା:ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା କରିବାପାଇଁ ନିର୍ଦ୍ଦେଶନାମା ଦେଲେ। ଚଳଚଞ୍ଚଳ ହୋଇଉଠିଲା ପୁରୀ ଓ ସମସ୍ତ ବିଧିବ୍ୟବସ୍ଥା ଭିତରେ ରଥଯାତ୍ରା ପାଇଁ ପଥ ପରିସ୍କାର ହୋଇଗଲା। ଏସବୁ ଭିତରେ ଅନେକ ଅସମାହିତ ପ୍ରଶ୍ନ ବହୁ ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କ ମନକୁ ଆନ୍ଦୋଳିତ କରୁଛି ଓ କରିବା ମଧ୍ୟ ସ୍ୱାଭାବିକ। ତେବେ ଏହି କ୍ଷେତ୍ରରେ ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ଚାଲିଥିବାବେଳେ କେନ୍ଦ୍ରାପଡାବାସୀ ଓ ଶ୍ରୀବଳଦେବଜୀଉଙ୍କର ସେବକ ମାନଙ୍କ ମନରେ ଲାଗିଛି ଶକ୍ତ ଆଘାତ। ଶ୍ରୀବଳଦେବଜୀଉଙ୍କର ରଥଯାତ୍ରା ନେଇ ନା ପ୍ରଶାସନ କିମ୍ବା ରାଜ୍ୟ ସରକାର କେହି ଧ୍ୟାନ ମଧ୍ୟ ଦେଇ ନଥିଲେ। ଯଦି ପୁରୀରେ ରଥଯାତ୍ରା ହୋଇ ପାରିଲା ସେହିପରି କେନ୍ଦ୍ରାପଡାରେ କାହିଁକି ପ୍ରଶାସନ ଓ ରାଜ୍ୟସରକାର ସମନ୍ୱୟ ରକ୍ଷାକରି କରିପାରିଲେ ନାହିଁ ? ଏଥିରେ ମଧ୍ୟ ବ୍ୟତିକ୍ରମ କରାଗଲା। କାରଣ ପୁରୀରେ ଯେତେବେଳେ ସାନଭାଇ ଶ୍ରୀଜଗନ୍ନାଥ ରଥଚଢ଼ି ବାହାରକୁ ବାହାରିଲେ ସେତେବେଳେ କେନ୍ଦ୍ରାପଡାରେ ବଡଭାଇ ଶ୍ରୀବଳଦେବ ଘରଭିତରେ ରହିଲେ। ଏଥିରେ ପରମ୍ପରାର ଭଙ୍ଗ ହେଲାକି ନାହିଁ ତାହା ବୁଦ୍ଧିଜୀବୀ ଓ ରାଜ୍ୟ ସରକାର କିମ୍ବା ମହାମାନ୍ୟ ଉଚ୍ଚତମ ନ୍ୟାୟାଳୟଙ୍କର ଦୃଷ୍ଟି ଆଢୁଆଳରେ ରହିଯାଇନି ତ ବୋଲି ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ପୁରୀରେ କାହିଁକି ରଥଯାତ୍ରା ହେଲା ଏବେ ଅନେକଙ୍କ ମନରେ ପ୍ରଶ୍ନ। ପରମ୍ପରାର ଦ୍ୱାହି ଦେଇ ପୁରୀର ସେବାୟତ ମାନେ ସରକାରଙ୍କ ଉପରେ ଚାପ ପକାଇ ଓ କିଛି ସ୍ୱାର୍ଥପର ଲୋକ ରାଜନୀତିର ପଶାପାଲିରେ ସବୁ ଜଳାଞ୍ଜଳି ଦେଇ ଏପରି କରୋନା ମହାମାରୀ ସମୟରେ ଖେଳ ଖେଳିଲେ ତାହା ଆଗାମୀ ଦିନରେ ଅନେକ ବିପଦକୁ ନିମନ୍ତ୍ରଣ କରିବ। ସେବାୟତଙ୍କ ଚାପରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଡରିଯାଇ ଏଭଳି କରିବାଟା ଉଚିତ ନ ଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କେଉଁ ଆଧାରରେ ରାଜ୍ୟ ସରକାର ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିକଟରେ କି ତଥ୍ୟ ରଖିଲେ ଯେ ରଥଯାତ୍ରା ପାଇଁ ଏତେ ଶୀଘ୍ର ପଥ ପରିସ୍କାର ହୋଇଗଲା। ସେହିପରି ଉଚ୍ଚତମ ନ୍ୟାୟାଳୟର ସେହି ନ୍ୟାୟମୂର୍ତ୍ତି ମାନଙ୍କ କଥାରେ ଏତେ ଜଲଦି ପରିବର୍ତ୍ତନ ତାହାମଧ୍ୟ ଚିନ୍ତା ଜନକ ସାବ୍ୟସ୍ତ ହୋଇଛି। ଯେଉଁଠି ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମାମଲାମାନ ଉଚ୍ଚତମ ନ୍ୟାୟାଳୟରେ ବିଚାର ନହୋଇ ବର୍ଷ ବର୍ଷ ଧରି ପଡି ରହିଛି ସେ ସବୁକୁ ଯଦି ଏହିପରି ତୁରନ୍ତ ସମାଧାନ କରାଯାଇ ପାରନ୍ତା,ତେବେ ଉଚ୍ଚତମ ନ୍ୟାୟାଳୟର ସେହି ନ୍ୟାୟମୂର୍ତ୍ତି ମାନଙ୍କ ପାରିବା ପଣିଆ ଓ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ପାରିବା ପଣିଆର ସୁଫଳ ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରନ୍ତା। କେନ୍ଦ୍ରାପଡାରେ ଶ୍ରୀବଳଦେବଜୀଉଙ୍କର ସେବକମାନେ ଶ୍ରୀଜିଉଙ୍କର ରଥଯାତ୍ରା କରିବାନେଇ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିବାବେଳେ ପ୍ରଶାସନ ୧୪୪ଧାରା ଲଗାଇ ସେମାନଙ୍କୁ ଘଉଡାଇଲେ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଯଦି ପୁରୀରେ ରଥଯାତ୍ରା ହେଲା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ବାହାରକୁ ବାହାରିଲେ ତେବେ କେନ୍ଦ୍ରାପଡାରେ ଯେଉଁ ପରମ୍ପରା ଭଙ୍ଗହେଲା ସେଥିପାଇଁ ଦାୟୀ କିଏ ହେବେ ? ଶ୍ରୀବଳଦେବଜୀଉ କଣ ୧୨ ବର୍ଷ ଧରି ମନ୍ଦିର ଭିତରେ ରହିବେ ? ଏସବୁ ପ୍ରଶ୍ନର ଉତ୍ତର ରାଜ୍ୟ ସରକାର,କେନ୍ଦ୍ର ସରକାର ଓ ଉଚ୍ଚତମ ନ୍ୟାୟାଳୟର ସେହି ନ୍ୟାୟମୂର୍ତ୍ତିମାନେ ଦିଅନ୍ତୁ ବୋଲି କେନ୍ଦ୍ରାପଡାବାସୀ ତଥା ଅଗଣିତ ଜଗନ୍ନାଥପ୍ରେମୀ ଭକ୍ତ ମାନେ ଦାବି କରୁଛନ୍ତି।

Share Now:

Kalinga News Beuro

Next Post

ଶରଧାବାଲିରେ ତିନି ଠାକୁର:ଆଜି ଆଡ଼ପ ମଣ୍ଡପ ବିଜେ

Wed Jun 24 , 2020
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଠାରେ ଚତୁର୍ଦ୍ଧାମୂର୍ତ୍ତି ପହଞ୍ଚିବା ପରେ ଜନ୍ମବେଦି ଚଳଚଞ୍ଚଳ ହୋଇଉଠିଛି। ଆଡ଼ପମଣ୍ଡପ ବିଜେର ପ୍ରସ୍ତୁତି ପର୍ବ ଆରମ୍ଭ ‌ହୋଇଯାଇଛି। କରୋନା କଟକଣା ପାଇଁ ଆସନ୍ତାକାଲି ସକାଳୁ ପହଣ୍ଡି ବିଜେ ପର୍ବ ଆରମ୍ଭ ହେବ ବୋଲି ଚୂଡ଼ାନ୍ତ ହୋଇଛି। ଅପରାହ୍ନ ୨ଟା ଭିତରେ ପହଣ୍ଡି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପମଣ୍ଡପକୁ ବିଜେ କରିବା ପରେ ଆଡ଼ପ ଦର୍ଶନ ଆରମ୍ଭ ହୋଇଥାଏ। ଆଡ଼ପ ଅବଢ଼ା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial