ଭାରତ-ଚୀନ୍‌ ସାମରିକ ଆଲୋଚନାରେ ନିଷ୍ପତ୍ତି:ଉଭୟ ସେନା ପଛକୁ ହଟିବେ

ନୂଆଦିଲ୍ଲୀ: ପୂର୍ବ ଲଦାଖ୍‌ର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଗତକାଲି ଭାରତ ଏବଂ ଚୀନ୍‌ ମଧ୍ୟରେ ଶୀର୍ଷ ସାମରିକ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ସକରାତ୍ମକ ପରିଣାମ ଆଜି ସାମ୍ନାକୁ ଆସିଛି। ଉଭୟ ସେନା ପୂର୍ବ ଲଦାଖ୍‌ରେ ପଛକୁ ହଟିବାକୁ ସହମତି ପ୍ରକାଶ କରିଛନ୍ତି। ଆଜି ଭାରତୀୟ ସେନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି- କର୍ପ୍‌ସ କମାଣ୍ଡରସ୍ତରରେ ହୋଇଥିବା ଆଲୋଚନା ଗଠନମୂଳକ ଏବଂ ସୌହାର୍ଦ୍ୟପୂର୍ଣ୍ଣ ରହିଥିଲା। ଉଭୟ ଦେଶର ସେନା ପଛକୁ ହଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପୂର୍ବ ଲଦାଖ୍‌ରେ ଉତ୍ତେଜନା ସୃଷ୍ଟି ହୋଇଥିବା ସମସ୍ତ ଅଂଚଳରୁ ସେନା ପଛକୁ ହଟାଇବା ପାଇଁ ଉଭୟ ଦେଶ ପ୍ରକ୍ରିୟା ଆରମ୍ଭ କରିବେ। ସେନା ପଛକୁ ହଟାଇବା ପାଇଁ ଉଭୟ ଦେଶର ସହମତି ଉତ୍ତେଜନା ହ୍ରାସ ଦିଗରେ ଏକ ବହୁତ ବଡ଼ ପଦକ୍ଷେପ ହେବ। ଉଭୟ ସେନା ଏପ୍ରିଲ ମାସରେ ଯେଉଁ ସ୍ଥିତିରେ ଥିଲେ ସେଠାରେ ହିଁ ରହିବେ ବୋଲି ନିଷ୍ପତ୍ତି ହୋଇଛି। ପୂର୍ବରୁ ମଧ୍ୟ ଭାରତ ଚୀନ୍‌କୁ ବହୁବାର ଏପ୍ରିଲ୍‌ ସ୍ଥିତିକୁ ଫେରିଯିବା ପାଇଁ କହିଥିଲେ ମଧ୍ୟ ଚୀନ୍‌ ଏଥିପ୍ରତି କର୍ଣ୍ଣପାତ କରିନଥିଲା। ତେବେ ସୀମାରେ ଚୀନ୍‌ର ଏକଚାଟିଆ କାରବାର ବିରୋଧରେ ଭାରତର କୂଟନୈତିକ ଅଭିଯାନର ସୁଫଳ ଏବେ ମିଳିଛି। ଏଲ୍‌ଏସିରେ ଏପ୍ରିଲରେ ଯେଉଁ ସ୍ଥିତି ଥିଲା, ସେହି ସ୍ଥିତିକୁ ଚୀନ୍‌ ଫେରିଯିବା ପାଇଁ ସହମତି ପ୍ରକାଶ କରିଛି। ଗଲୱାନ୍‌ ଘାଟିରେ ଗତ ୧୫ ତାରିଖ ରାତିରେ ଚୀନ୍‌ ଏବଂ ଭାରତୀୟ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତରେ ୨୦ ଜଣ ଯବାନ ସହିଦ ହୋଇଯାଇଥିଲେ ଏବଂ ଏଥିରେ ଚୀନ୍‌ର ମଧ୍ୟ ୪୦ରୁ ଅଧିକ ସୈନିକ ନିହତ ହୋଇଥିଲେ। ଏଥିରେ ଜଣେ ଚୀନ୍‌ କମାଣ୍ଡରଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

Share Now:

Kalinga News Beuro

Next Post

ଜମି କିଣାବିକାର ଦୁଇ ଘଣ୍ଟା ଭିତରେ ପଟ୍ଟା ପ୍ରଦାନ

Wed Jun 24 , 2020
ବାଲିପାଟଣା: ଜମି ରେଜି‌ଷ୍ଟ୍ରେସନ କରିବାର ମାତ୍ର ୨ ଘଣ୍ଟା ପରେ ଜମି କ୍ରେତାଙ୍କୁ ମିଳିଗଲା ନୂତନ ପଟ୍ଟା। ବାଲିପାଟଣା ତହସିଲ କର୍ତ୍ତୃପକ୍ଷ ସରକାରଙ୍କ ଏହି ନୂତନ ଭୂସଂସ୍କାର ପଦ‌କ୍ଷେପକୁ କାର୍ଯ୍ୟକା‌ରୀ କରି ରେକର୍ଡ କରିଥିବା କୁହାଯାଉଛି। ସୋମବାର ରେଜିଷ୍ଟ୍ରେସନ୍ ହୋଇଥିବା ଦୁଇଟି ଜମିର ନୂତନ ପଟ୍ଟା ପ୍ରଦାନ କରାଯାଇଥିବାବେଳେ ଗତ ସପ୍ତାହରେ ଜମି କିଣିଥିବା ୨୧ ଜଣଙ୍କୁ ପୋଷ୍ଟାଲ ଯୋଗେ ପଟ୍ଟା ପଠାଇ ଦିଆଯାଇଛି। ଫଳରେ ଏଣିକି ବାଲିପାଟଣା ଅଞ୍ଚଳରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial