ଘରୋଇ ହସ୍ପିଟାଲର କଳା କାରନାମା,କରୋନା ଆକ୍ରାନ୍ତଙ୍କୁ ଶୋଷଣ : ଦିନକୁ ମାଗିଲେ ୩୦ ହଜାର

ଘରୋଇ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ଶୋଷଣ

ଆଇଜିଏଚ୍‌ରୁ ରେଫର୍‌ ହୋଇଥିଲେ ଆର୍‌ଏସ୍‌ପି କର୍ମଚାରୀ,ସେଲ୍‌ ସହ ହୋଇଛି ମାଗଣା ଚିକିତ୍ସା ଚୁକ୍ତିନାମା

ରାଉରକେଲା : କରୋନା ଆକ୍ରାନ୍ତଙ୍କୁ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା ଯୋଗାଇବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଏ ନେଇ ବେସରକାରୀ ହସପିଟାଲଗୁଡ଼ିକୁ ମଧ୍ୟ ତାଗିଦ୍‌ କରାଯାଇଛି। ଏହାପରେ ବି ସେଲ୍‌ ପରିଚାଳିତ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ର ଜଣେ କରୋନା ଆକ୍ରାନ୍ତ କର୍ମଚାରୀ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସପିଟାଲରେ ଶୋଷଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କୁ କରୋନା ଚିକିତ୍ସା ବାବଦକୁ ଦୈନିକ ୩୦ ହଜାର ଟଙ୍କା ପୈଠ କରିବାକୁ କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।
ସେଲ୍‌ ଓ ଭୁବନେଶ୍ବରର ସଂପୃକ୍ତ ଘରୋଇ ହସପିଟାଲ ମଧ୍ୟରେ ସ୍ବାସ୍ଥ୍ୟସେବା ଯୋଗାଇବାକୁ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବାରୁ ଏହି ଆର୍‌ଏସ୍‌ପି କର୍ମଚାରୀ ଜଣକ ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ୍‌)ରୁ ଭୁବନେଶ୍ବର ରେଫର୍‌ ହୋଇଥିଲେ। ତାଙ୍କୁ ସେଠାରେ ମାଗଣାରେ ଚିକିତ୍ସା ସେବା ମିଳିବା କଥା। ମାତ୍ର କରୋନା ଆଳରେ ତାଙ୍କୁ ଶୋଷଣ କରାଯିବାକୁ ହସପିଟାଲ କସରତ ଆରମ୍ଭ କରିଦେଇଛି। ଅପରପକ୍ଷରେ ଆର୍‌ଏସ୍‌ପି କର୍ତୃପକ୍ଷ ଏ ନେଇ ତ୍ବରିତ ପଦକ୍ଷେପ ନେଇ ନାହାନ୍ତି; ଯାହାକି ସମସ୍ତଙ୍କୁ ଚକିତ କରିଛି।
ଆର୍‌ଏସ୍‌ପିର ଏସ୍‌ଏମ୍‌ଏସ୍‌-୨ର କର୍ମଚାରୀ ବାଇଧର ପ୍ରଧାନ(୫୦) ସେକ୍ଟର-୭ ‘ବି’ବ୍ଲକ୍‌ରେ ସପରିବାର ବାସ କରନ୍ତି। କିଛି ଦିନ ପୂର୍ବେ ଛାତିରେ କଫ ଜମିବାରୁ ଅସୁସ୍ଥ ଅନୁଭବ କରିଥିଲେ। ଏଣୁ ଗତ ମଙ୍ଗଲବାର ଦିନ ଆଇଜିଏଚ୍‌ରେ ଭର୍ତ୍ତି ହୋଇଥିଲେ। ପ୍ରଥମେ ତାଙ୍କର ସ୍ବାବ୍‌ ନମୁନା ସଂଗ୍ରହ କରି କୋଭିଡ୍‌ ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ପରବର୍ତ୍ତୀ ସମୟରେ ବାଇଧର ନିମୋନିଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବାରୁ ଆଇଜିଏଚ୍‌ ପକ୍ଷରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଘରୋଇ ହସପିଟାଲକୁ ରେଫର କରାଯାଇଥିଲା। ଗତ ଶନିବାର ସନ୍ଧ୍ୟା ପ୍ରାୟ ୬ଟାରେ ଡିସ୍‌ଚାର୍ଜ ହେବା ପରେ ବାଇଧରଙ୍କ ସ୍ତ୍ରୀ ଓ ଶଳା ୧୯ ହଜାର ଟଙ୍କା ଦେଇ ଏକ ଆମ୍ବୁଲାନ୍‌ସରେ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ। ଆଜି(ରବିବାର) ସକାଳ ପ୍ରାୟ ୬ଟାରେ ସେଠାରେ ପହଞ୍ଚିବା ପରେ ରେଫରାଲ କାଗଜପତ୍ର ଦେଖାଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହା ପରେ ଆରମ୍ଭ ହୋଇଯାଇଥିଲା ହସ୍ପିଟାଲ କର୍ତୃପକ୍ଷଙ୍କ ଶୋଷଣ ପ୍ରକ୍ରିୟା। ସେଠାରେ ପୁନର୍ବାର ତାଙ୍କର କୋଭିଡ୍‌ ଟେଷ୍ଟ୍‌ କରାଯାଇଥିଲା। ତେବେ ସେଠାରେ ବାଇଧରଙ୍କ ରିପୋର୍ଟ ପଜିଟିଭ୍‌ ଆସିବାରୁ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖାଗଲା। ପରିବାର ସଦସ୍ୟଙ୍କୁ ପଜିଟିଭ ଥିବା ସୂଚନା ଦେଇ ପିପିଇ କିଟ୍‌, ଭେଣ୍ଟିଲେଟର ବାବଦକୁ ଦୈନିକ ୩୦ ହଜାର ଟଙ୍କା ଜମା କରିବାକୁ ଦାବି କରାଗଲା। ତେବେ ପରିବାର ସଦସ୍ୟ ଏହାର ପ୍ରତିବାଦ କରିଥିଲେ। ସେଲ୍‌ ଓ ସଂପୃକ୍ତ ହସପିଟାଲ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବାରୁ ସେଲ୍‌ କର୍ମଚାରୀଙ୍କୁ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯାଇଥାଏ ବୋଲି ଯୁକ୍ତି ରଖିଥିଲେ। ତେବେ ‘ସାଧାରଣ ରୋଗର ଚିକିତ୍ସା ପାଇଁ ଚୁକ୍ତିନାମା ହୋଇଛି, କରୋନା ପାଇଁ ନୁହେଁ’ ବୋଲି ହସ୍ପିଟାଲ କର୍ତୃପକ୍ଷ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ନିରାଶ ହୋଇ ବାଇଧରଙ୍କ ପତ୍ନୀ ଓ ଶଳା ଆର୍‌ଏସ୍‌ପିର ଏସ୍‌ଏମ୍‌ଏସ୍‌-୨, ପର୍ସନାଲ ବିଭାଗକୁ ଯୋଗାଯୋଗ କରିଥିଲେ। ତେବେ ଏ ଖବର ଲେଖାହେବା ଯାଏ ଆର୍‌ଏସ୍‌ପି ପକ୍ଷରୁ କୌଣସି ବିହିତ ପଦକ୍ଷେପ ନିଆଯାଇନି। ଆସନ୍ତାକାଲି ଆରଏସ୍‌ପି ବୋର୍ଡ ବୈଠକ ଡାକି ଏ ନେଇ ଆଲୋଚନା କରାଯିବ ବୋଲି ସେମାନଙ୍କୁ ସୂଚନା ଦିଆଯାଇଛି। ସମଗ୍ର ଘଟଣା ନେଇ ଏବେ ବାଇଧରଙ୍କ ପରିବାର ନାନା ଦୁଶ୍ଚିନ୍ତା ମଧ୍ୟରେ ରହିଛନ୍ତି। ତୁରନ୍ତ ଏ ଦିଗରେ ଆର୍‌ଏସ୍‌ପି ପଦକ୍ଷେପ ନେଉ, ଅନ୍ୟଥା ରୋଗୀଙ୍କୁ ହାଇଟେକ୍‌ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରିବାକୁ ପତ୍ନୀ ଓ ଶଳା ନେହୁରା ହୋଇଛନ୍ତି।

Share Now:

Kalinga News Beuro

Next Post

ଓଲିଉଡର ଏହି ନୂଆ ଯୋଡ଼ିକୁ ନେଇ ଚର୍ଚ୍ଚା

Mon Jul 27 , 2020
ଭୁବନେଶ୍ବର: ଖୁବ୍ ଶୀଘ୍ର ସିନେମା ହଲ୍ ଖୋଲିବ ବୋଲି ଚର୍ଚ୍ଚା ହେଉଛି। ଏହି ଖବର ପ୍ରଚାରିତ ହେବା ପରେ ଏବେ କେତେକ ଓଡ଼ିଆ ସିନେମାର ରିଲିଜ୍ ଲାଗି ପ୍ରସ୍ତୁତି ଆରମ୍ଭ କଲେଣି। ଏଥିମଧ୍ୟରୁ ଗୋଟିଏ ହେଲା ‘ଲଭ୍ ୟୁ ପ୍ରିୟା’। ଜୟ ସେନଙ୍କ ପ୍ରଯୋଜିତ ତଥା ଜେଏଚ୍ ଟିଭି ବ୍ୟାନରରେ ପ୍ରସ୍ତୁତ ‘ଲଭ୍ ୟୁ ପ୍ରିୟା’ ରେ ଏକ ନୂଆ ଯୋଡ଼ିଙ୍କୁ ନେଇ ଓଲିଉଡରେ ଜୋରଦାର ଚର୍ଚ୍ଚା ଚାଲିଛି ବେଶ […]
ଓଲିଉଡର ଏହି ନୂଆ ଯୋଡ଼ିକୁ ନେଇ ଚର୍ଚ୍ଚା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial